ଚୀନ୍ର ମହାପ୍ରାଚୀର ବା ‘Great Wall of China’ ବିଷୟରେ ନିଶ୍ଚିତ ଭାବେ ଶୁଣିଥିବେ। ବିଶ୍ୱର ଏହି ବିଶାଳ କୀର୍ତ୍ତିରାଜିକୁ ମହାକାଶରୁ ମଧ୍ୟ ଦେଖିହୁଏ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣି କି ଆଶ୍ଚର୍ଯ୍ୟ ହେବେ ଯେ, ୧୯ ଶତାବ୍ଦୀରେ ବ୍ରିଟିଶ୍ ଶାସନ ସମୟରେ ଆମର ଏହି ଭାରତବର୍ଷ ଭିତରେ ମଧ୍ୟ ଏପରି ଏକ ବିଶାଳ ପ୍ରାଚୀର କିମ୍ବା ବାଡ଼ ତିଆରି କରାଯାଇଥିଲା, ଯାହାର ଲମ୍ବ ପ୍ରାୟ ୪,୦୦୦ କିଲୋମିଟର ଥିଲା?
ଏହା କୌଣସି ଶତ୍ରୁ ଦେଶର ଆକ୍ରମଣରୁ ରକ୍ଷା ପାଇବା ପାଇଁ କୌଣସି ଯୁଦ୍ଧକାଳୀନ ପ୍ରାଚୀର ନଥିଲା। ବରଂ ଏହା ଥିଲା ଏକ ଅତ୍ୟନ୍ତ ଅମାନୁଷୀୟ, କଣ୍ଟାଳିଆ ଗଛ ଓ ବୁଦାରେ ତିଆରି ଏକ ଜୀବନ୍ତ ବାଡ଼—ଯାହାକୁ ‘The Great Hedge of India’ ବା ଭାରତର ମହାନ୍ କଣ୍ଟା ପ୍ରାଚୀର କୁହାଯାଏ।
ଆଶ୍ଚର୍ଯ୍ୟର କଥା ହେଲା, ବ୍ରିଟିଶମାନେ ଏହି ବିଶାଳ ପ୍ରାଚୀର କାହିଁକି ତିଆରି କରିଥିଲେ ଜାଣିଛନ୍ତି? କେବଳ ଗୋଟିଏ ଜିନିଷକୁ ନେଇ ନିଜର ଏକଛତ୍ରବାଦୀ କାୟା ବିସ୍ତାର କରିବା ପାଇଁ ଏବଂ ତାହା ଥିଲା— ଆମ ରୋଷେଇ ଘରର ଅପରିହାର୍ଯ୍ୟ ଅଂଶ, ଲୁଣ!
କାହାଣୀଟି ଆରମ୍ଭ ହୁଏ ୧୮ ତମ ଶତାବ୍ଦୀର ଶେଷ ଭାଗରୁ, ଯେତେବେଳେ ବ୍ରିଟିଶମାନେ ବଙ୍ଗଦେଶ ଏବଂ ଭାରତର ବିଭିନ୍ନ ଅଞ୍ଚଳ ଦଖଲ କରିବାକୁ ଲାଗିଲେ। ସେହି ସମୟରେ ଲୁଣ କେବଳ ରୋଷେଇର ସାମଗ୍ରୀ ନଥିଲା, ବରଂ ବ୍ରିଟିଶ୍ ସରକାରଙ୍କ ପାଇଁ ଏହା ଥିଲା ଆୟର ଏକ ସବୁଠାରୁ ବଡ଼ ଏବଂ ଲାଭଜନକ ଉତ୍ସ।
ବ୍ରିଟିଶମାନେ ବେଙ୍ଗଲ ପ୍ରେସିଡେନ୍ସିରେ ଲୁଣ ଉପରେ ଅତ୍ୟନ୍ତ ଭାରୀ ପରିମାଣର ଟିକସ ବା ଶୁଳ୍ପ ଲଗାଇଥିଲେ। କିନ୍ତୁ ଭାରତର ଅନ୍ୟାନ୍ୟ ଅଞ୍ଚଳରେ, ବିଶେଷକରି ପଶ୍ଚିମ ଭାରତ, ରାଜସ୍ଥାନ, ପଞ୍ଜାବ ଏବଂ ଓଡ଼ିଶା ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଲୁଣ ବେଶ୍ ଶସ୍ତାରେ ମିଳୁଥିଲା କିମ୍ବା ତିଆରି ହେଉଥିଲା।
ଏହି ପରିସ୍ଥିତିରେ ଆରମ୍ଭ ହେଲା ଭାରତୀୟ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଦ୍ୱାରା ଲୁଣ ଚୋରାଚାଲାଣ ବା Smuggling। ଲୋକମାନେ ଶସ୍ତା ଲୁଣକୁ ଅନ୍ୟ ରାଜ୍ୟରୁ ଆଣି ଅଧିକ ଟିକସ ଥିବା ବ୍ରିଟିଶ୍ ଅଞ୍ଚଳରେ ବିକ୍ରି କରିବାକୁ ଲାଗିଲେ। ଏହାଦ୍ୱାରା ବ୍ରିଟିଶମାନଙ୍କର ରାଜସ୍ୱ କ୍ଷତି ହେବାକୁ ଲାଗିଲା। ପ୍ରଥମେ ସେମାନେ ଛୋଟ ଛୋଟ ଚେକ୍ ପୋଷ୍ଟ୍ ବା ଜାଗାଏ ଜାଗାରେ କାଠ ଏବଂ ପଥରର ବାଡ଼ କରି ଏହାକୁ ଅଟକାଇବାକୁ ଚେଷ୍ଟା କଲେ। କିନ୍ତୁ ଏହା ସମ୍ଭବ ହେଲାନି।
ଯେହେତୁ ଛୋଟ ଛୋଟ ଚେକ୍ ପୋଷ୍ଟଗୁଡ଼ିକ କାମ କଲା ନାହିଁ, ତେଣୁ ୧୮୬୯ ମସିହାରେ ବ୍ରିଟିଶ୍ ପ୍ରଶାସନ ଏକ ବିରାଟ ଯୋଜନା କଲା। ସେମାନେ ଦେଶର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଏକ ସଂଯୁକ୍ତ ସୀମା ରେଖା ତିଆରି କଲେ, ଯାହାର ନାମ ଦିଆଗଲା— ‘Inland Customs Line’ (ଅଭ୍ୟନ୍ତରୀଣ ଶୁଳ୍ପ ରେଖା)।
ଏହି ରେଖାଟି ଉତ୍ତରରେ ପାକିସ୍ତାନର ଲାୟାହ ଏବଂ ମୁଲ୍ତାନ ଅଞ୍ଚଳରୁ ଆରମ୍ଭ ହୋଇ ଦକ୍ଷିଣରେ ମଧ୍ୟପ୍ରଦେଶର ବୁରହାନପୁର ଏବଂ ପୂର୍ବରେ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିଲା। ଏହାର ସମୁଦାୟ ଦୈର୍ଘ୍ୟ ପ୍ରାୟ ୨,୫୦୦ ମାଇଲ୍ ଅର୍ଥାତ୍ ପ୍ରାୟ ୪,୦୦୦ କିଲୋମିଟର ଥିଲା!
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏତେ ବିଶାଳ ସୀମାକୁ ସୁରକ୍ଷା ଦେବା ପାଇଁ କାନ୍ଥ କାହିଁକି ତିଆରି କରାଗଲା ନାହିଁ?
କାରଣ ବ୍ରିଟିଶମାନଙ୍କ ପାଇଁ ଏତେ ବଡ଼ ପଥର କିମ୍ବା ଇଟାର କାନ୍ଥ ତିଆରି କରିବା ଅତ୍ୟନ୍ତ ବ୍ୟୟବହୁଳ ଓ ଅସମ୍ଭବ ଥିଲା। ଏହି ସମୟରେ ଜଣେ ବ୍ରିଟିଶ୍ ଅଧିକାରୀ ତଥା ପ୍ରକୃତିବିତ୍ ଏକ ଚମତ୍କାର ମାତ୍ର କ୍ରୂର ପରାମର୍ଶ ଦେଲେ। ତାଙ୍କ ନାମ ଥିଲା— ଆଲାନ୍ ଅକ୍ଟାଭିଆନ୍ ହ୍ୟୁମ୍ (Allan Octavian Hume)।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସେହି A.O. Hume ଯିଏ ପରବର୍ତ୍ତୀ ସମୟରେ ଅବସର ନେଲା ପରେ ୧୮୮୫ ମସିହାରେ ‘ଭାରତୀୟ ଜାତୀୟ କଂଗ୍ରେସ’ (Indian National Congress) ପ୍ରତିଷ୍ଠା କରିଥିଲେ।
ଏହି ହ୍ୟୁମ୍ ହିଁ ସେହି ବ୍ୟକ୍ତି ଥିଲେ ଯିଏ ଦେଶର ବିଭିନ୍ନ ମାଟି ଏବଂ ପାଣିପାଗକୁ ଅନୁଧ୍ୟାନ କରି କଣ୍ଟାଳିଆ ଗଛର ଏକ ଜୀବନ୍ତ ପ୍ରାଚୀର ତିଆରି କରିବାର ଚିନ୍ତା କରିଥିଲେ।
ଏହି ଜୀବନ୍ତ ପ୍ରାଚୀର ବା ‘Great Hedge’ କୌଣସି ସାଧାରଣ ବାଡ଼ ନଥିଲା। ଏହାକୁ ଅତ୍ୟନ୍ତ କୌଶଳର ସହ ନିର୍ମାଣ କରାଯାଇଥିଲା। ଏଥିରେ ବାବୁଲ, ଚେରୀ, ଭାରତୀୟ ବରକୋଳି (Indian Plum), ସପ୍ତଫେଣୀ ଏବଂ ବାଉଁଶ ଭଳି କଣ୍ଟାଳିଆ ଗଛ ଓ ବୁଦାଗୁଡ଼ିକୁ ଲଗାଯାଇଥିଲା।
ଯେଉଁ ସବୁ ସ୍ଥାନରେ ଗଛ ଭଲ ଭାବେ ବଢ଼ୁନଥିଲା, ସେଠାରେ ଶୁଖା ଡାଳ ଓ କଣ୍ଟା ବ୍ୟବହାର କରି ‘ଡ୍ରାଏ ହେଜ୍’ ବା ଶୁଖିଲା ବାଡ଼ ତିଆରି କରାଯାଉଥିଲା। ନଦୀ ଏବଂ ଜଳପ୍ରପାତ ଥିବା ସ୍ଥାନଗୁଡ଼ିକରେ ପ୍ରାକୃତିକ ପ୍ରତିବନ୍ଧକ ବ୍ୟବହୃତ ହେଉଥିଲା।
ଏହି ବାଡ଼ର ଆକାର ଦେଖିଲେ ଆପଣଙ୍କର ହୋସ୍ ଉଡ଼ିବଯିବ:
• ଏହା ହାରାହାରି ୮ରୁ ୧୨ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚା ଥିଲା।
• ଏହାର ମୋଟେଇ ପ୍ରାୟ ୯ରୁ ୧୪ ଫୁଟ୍ ପର୍ଯ୍ୟନ୍ତ ମୋଟା ଥିଲା।
ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଥିଲା ଯେ, “କୌଣସି ମଣିଷ କିମ୍ବା ପଶୁ” ଏହାକୁ ଅତିକ୍ରମ କରି ପାରିବେ ନାହିଁ। ଏହି ବାଡ଼ର ଜଗୁଆଳି ଏବଂ ରକ୍ଷଣାବେକ୍ଷଣ ପାଇଁ ବ୍ରିଟିଶ୍ ସରକାର ପ୍ରାୟ ୧୨,୦୦୦ ରୁ ୧୪,୦୦୦ କର୍ମଚାରୀ ଏବଂ ସୈନିକଙ୍କୁ ନିୟୋଜିତ କରିଥିଲେ। ପ୍ରତି ଗୋଟିଏ ମାଇଲ୍ ବ୍ୟବଧାନରେ କଷ୍ଟମ୍ସ ଚେକ୍ ପୋଷ୍ଟ୍ ରହିଥିଲା।
କିନ୍ତୁ ଏହାର ରକ୍ଷଣାବେକ୍ଷଣ କରିବା ବ୍ରିଟିଶମାନଙ୍କ ପାଇଁ ଏକ ମୁଣ୍ଡବିନ୍ଧା ପାଲଟିଥିଲା। ଧଉଳା, ଉଇପୋକା (Termites), ଜଙ୍ଗଲୀ ନିଆଁ ଏବଂ ପ୍ରବଳ ପବନ ଏହି ବାଡ଼କୁ ବାରମ୍ବାର ନଷ୍ଟ କରିଦେଉଥିଲା। ତଥାପି, ବ୍ରିଟିଶ୍ ସରକାର ଏହା ମାଧ୍ୟମରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟିକସ ଆଦାୟ କରୁଥିଲେ।
ଏହି ଅମାନୁଷୀୟ ଏବଂ ଜଟିଳ ବ୍ୟବସ୍ଥା ଅଧିକ ଦିନ ତିଷ୍ଠି ପାରିଲା ନାହିଁ। ବ୍ରିଟିଶ୍ ପ୍ରଶାସନ ଅନୁଭବ କଲା ଯେ ଏହି ବିଶାଳ କଣ୍ଟା ପ୍ରାଚୀରର ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଜନଅସନ୍ତୋଷ ସେମାନଙ୍କ ଲାଭଠାରୁ ବହୁତ ଅଧିକ ହେଉଛି। ଶେଷରେ, ବିଭିନ୍ନ ଆର୍ଥିକ ସଂସ୍କାର ଆଣି ସମଗ୍ର ଭାରତରେ ଲୁଣ ଟିକସକୁ ସମାନ କରାଗଲା ଏବଂ ୧୮୭୯ ମସିହା ଏପ୍ରିଲ୍ ୧ ତାରିଖରେ ଏହି ‘ଇନଲାଣ୍ଡ କଷ୍ଟମ୍ସ ଲାଇନ୍’କୁ ଆନୁଷ୍ଠାନିକ ଭାବେ ବନ୍ଦ କରାଗଲା।
ଏହି କଷ୍ଟମ୍ସ କର୍ମଚାରୀମାନଙ୍କୁ ହଟାଇ ଦିଆଗଲା ଏବଂ କଣ୍ଟାଳିଆ ବାଡ଼ର ରକ୍ଷଣାବେକ୍ଷଣ ବନ୍ଦ ହୋଇଗଲା। କ୍ରମଶଃ ଏହି ବିଶାଳ ପ୍ରାଚୀର ମାଟିରେ ମିଶିଗଲା ଏବଂ ଲୋକମାନେ ଏହାକୁ ଭୁଲି ମଧ୍ୟଗଲେ। ଏପରିକି ପରବର୍ତ୍ତୀ ସମୟରେ ବହୁ ବର୍ଷ ଧରି ଇତିହାସ ବିଜ୍ଞାନୀମାନେ ମଧ୍ୟ ଏହାର ଅସ୍ତିତ୍ୱକୁ ଏକ କିମ୍ବଦନ୍ତୀ ବୋଲି ଭାବୁଥିଲେ। ପରେ ଜଣେ ବ୍ରିଟିଶ୍ ଲେଖକ ମାଇକେଲ୍ ମକ୍ସହାମ୍ (Michael Moxham) ଭାରତ ଆସି ଏହାର ଅନୁସନ୍ଧାନ କରିଥିଲେ ଏବଂ ୨୦୦୧ ମସିହାରେ ଏହା ଉପରେ ଏକ ପୁସ୍ତକ ଲେଖିଥିଲେ।
ଆଉ ଏକ ରୋଚକ କଥା ଜାଣିଛନ୍ତି? ପରବର୍ତ୍ତୀ ସମୟରେ, ଯେତେବେଳେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହେଲା, ଠିକ୍ ଏହାର ପ୍ରାୟ ୫୦ ବର୍ଷ ପରେ ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ବ୍ରିଟିଶମାନଙ୍କ ଏହି ଲୁଣ ଉପରେ ଥିବା ଏକଛତ୍ରବାଦୀ କର ନୀତିକୁ ବିରୋଧ କରି ଐତିହାସିକ ‘ଡାଣ୍ଡି ଯାତ୍ରା’ କରିଥିଲେ।
ତେଣୁ, ଏହି ‘The Great Hedge of India’ କେବଳ କଣ୍ଟାଳିଆ ଗଛର ଏକ ବାଡ଼ ନଥିଲା, ବରଂ ଏହା ଥିଲା ବ୍ରିଟିଶ୍ ସାମ୍ରାଜ୍ୟବାଦର କ୍ରୂରତା ଏବଂ ଭାରତୀୟମାନଙ୍କୁ ଆର୍ଥିକ ଭାବେ ଶୋଷଣ କରିବାର ଏକ ଜ୍ୱଳନ୍ତ ପ୍ରମାଣ।
AlsoRead; https://purvapaksa.com/the-fighting-avatar-of-self-reliant-india/
ଆତ୍ମନିର୍ଭର ଭାରତର ଯୁଦ୍ଧ ଅବତାର! || The fighting avatar of self-reliant India!


