ରାଜନୀତିରେ କେହି କାହାର ଚିରନ୍ତନ ଶତ୍ରୁ ନୁହନ୍ତି କି ଚିରନ୍ତନ ମିତ୍ର ନୁହନ୍ତି—କେବଳ ସ୍ୱାର୍ଥ ହିଁ ସବୁଠୁ ବଡ଼ ସତ। ଆଉ ଆଜି ଓଡ଼ିଶା ରାଜନୀତିରୁ ଏମିତି ଏକ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
କେବେ ପରସ୍ପର ବିରୋଧରେ ଛିଡ଼ା ହେଉଥିବା ଦୁଇଟି ଧ୍ରୁବ, ଆଜି କାଳେ ଗୋଟିଏ ସୂତ୍ରରେ ବନ୍ଧା ହେବାକୁ ଯାଉଛନ୍ତି! କଥାଟା ଶୁଣିବାକୁ ଅଡ଼ୁଆ ଲାଗିପାରେ, କିନ୍ତୁ ପ୍ରଶ୍ନ ଉଠୁଛି—ନବୀନ ପଟ୍ଟନାୟକ କ’ଣ ଏବେ ରାହୁଲ ଗାନ୍ଧୀଙ୍କ ରାସ୍ତାରେ ଚାଲିବା ଆରମ୍ଭ କରିଦେଇଛନ୍ତି? କଂଗ୍ରେସର ଯେଉଁ ରଣନୀତି ଦିଲ୍ଲୀରେ ଚାଲିଥିଲା, ସେହି ରଣନୀତି କ’ଣ ଏବେ ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିବ?
ରାଜ୍ୟ ରାଜନୀତିରେ ଏବେ ଗୋଟିଏ ପ୍ରସଙ୍ଗ ସବୁଠାରୁ ଗରମାଗରମ ରହିଛି। ତାହା ହେଉଛି—’ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ଆଇନ-୨୦୨୬’। ଏହି ଆଇନକୁ ନେଇ ଏବେ ଓଡ଼ିଶାର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ, ଶାସକ ବିଜେପି ସରକାରକୁ ଘେରିବା ପାଇଁ ପୂରା ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ପରଦା ପଛର ଅସଲ କାହାଣୀ କ’ଣ? କାହିଁକି ଏହି ଦୁଇ ଦଳ ଏତେ ଉତ୍ସାହିତ? ଆଉ ଏହି ଉତ୍ସାହ ପଛରେ କାହାର ଅଲିଖିତ ନିର୍ଦ୍ଦେଶ ରହିଛି?
ଦିଲ୍ଲୀରୁ ଭୁବନେଶ୍ୱର—କାହିଁକି ଆରମ୍ଭ ହେଲା ବିବାଦ?
କେନ୍ଦ୍ର ସରକାର ନିକଟରେ ସଂସଦରେ ‘ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ବିଲ୍-୨୦୨୬’ ପାସ୍ କରାଇ ଏହାକୁ ଆଇନରେ ପରିଣତ କରିଛନ୍ତି। ଏହି ଆଇନ ଆସିବା ପରେ ରାଜ୍ୟ ବିଜେପି ସରକାରଙ୍କୁ ବଦନାମ କରିବା ଏବଂ କୋଣଠେସା କରିବା ପାଇଁ ବିରୋଧୀ କଂଗ୍ରେସ ଏବଂ ବିଜେଡି ମଇଦାନକୁ ଓହ୍ଲାଇଛନ୍ତି। ଆବଶ୍ୟକତାଠାରୁ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
କିନ୍ତୁ ପ୍ରଶ୍ନ ଉଠୁଛି, ଯେତେବେଳେ ସଂସଦରେ ଏହି ବିଲ୍ ଉପରେ ଚର୍ଚ୍ଚା ହେଉଥିଲା, ସେତେବେଳେ ବିରୋଧୀ ଦଳ କ’ଣ କରୁଥିଲେ?
ରାଜନୈତିକ ସମୀକ୍ଷକମାନେ କହୁଛନ୍ତି, ଏହି ପୂରା ବିବାଦ ପଛରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୂମିକା ସବୁଠୁ ବଡ଼ ପ୍ରଶ୍ନବାଚୀ ଭିତରେ। ସଂସଦ ଚାଲିଥିବା ସମୟରେ ବିଭିନ୍ନ ପ୍ରସଙ୍ଗ ଏବଂ ସିଜେପି ଆନ୍ଦୋଳନ ନାଁରେ କଂଗ୍ରେସ ସଂସଦ ଭିତରେ ପ୍ରବଳ ହଟ୍ଟଗୋଳ କଲା। ସଂସଦର ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବାକୁ ଦିଆଗଲା ନାହିଁ। ଆଉ ସେହି ପ୍ରବଳ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ରର ବିଜେପି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଖଣି ବିଲ୍କୁ ଉପସ୍ଥାପନ କଲେ ଏବଂ ତାହା ଧ୍ୱନୀମତରେ ପାସ୍ ମଧ୍ୟ ହୋଇଗଲା।
ଓଡ଼ିଆରେ ଗୋଟିଏ ଲୋକକଥା ରହିଛି ତାହା ହେଲା, ଚୋର ଗଲାପରେ ବୁଦ୍ଧି ଆସେ। ସେହିଭଳି ଯେତେବେଳେ ସୁଯୋଗ ଥିଲା ଏହି ଦୁଇ ଦଳର ନେତା ବିରୋଧ କରିବା ପରିବର୍ତ୍ତେ ପ୍ରସ୍ତାବିତ ବିଲ ଆଇନରେ ପରିଣତ ହେବା ଏହାକୁ ବନ୍ଦ କରିବା ପାଇଁ ଅସଫଳ ପ୍ରୟାସ ଆରମ୍ଭ କରିଛନ୍ତି। ତେଣୁ ଏବେ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି।
ଏବେ ବୁଝନ୍ତୁ ରାଜନୀତିର ଏହି ଟାଇମିଂ
ଯେତେବେଳେ କଂଗ୍ରେସ ପାଖରେ ସୁଯୋଗ ଥିଲା ସଂସଦ ଭିତରେ ଯୁକ୍ତି ରଖି ଏହି ଆଇନର ତ୍ରୁଟି ଦେଖାଇବା ପାଇଁ କିମ୍ବା ଏହାକୁ ବିରୋଧ କରିବା ପାଇଁ, ସେତେବେଳେ କଂଗ୍ରେସ ହଟ୍ଟଗୋଳରେ ବ୍ୟସ୍ତ ରହିଲା। ସଂସଦରେ ଯୁକ୍ତି ରଖିବାରେ ବିଫଳ ହେବା ପରେ ଏବେ କଂଗ୍ରେସ ବ୍ୟାକ୍ଫୁଟ୍କୁ ଚାଲିଯାଇଛି। ଆଉ ନିଜର ସେହି ଦୋଷକୁ ଲୁଚାଇବା ପାଇଁ ଏବେ ରାଜ୍ୟସ୍ତରରେ ବିଜେପି ଉପରେ ଆକ୍ରମଣ କରିବାକୁ ନୂଆ ଗୋଟି ଚଳାଉଛି।
ଅତୀତର ଇତିହାସ ଏବଂ ନବୀନ ପଟ୍ଟନାୟକଙ୍କ ନୀରବତା
ଯଦି ଖଣି ଆଇନ ଉପରେ ପ୍ରକୃତରେ ସତ୍ୟାସତ୍ୟ ଆଲୋଚନା ହୁଏ, ତେବେ କେବଳ କଂଗ୍ରେସ କିମ୍ବା ରାହୁଲ ଗାନ୍ଧୀ ନୁହନ୍ତି, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଧ୍ୟ ପୋଲ୍ ଖୋଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି। କାହିଁକି? ଆସନ୍ତୁ ଟିକେ ପଛକୁ ଫେରିବା।
ମନେ ପକାନ୍ତୁ—୨୦୧୪ ମସିହାରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଲା। ୨୦୧୪ ରୁ ୨୦୨୫ ମଧ୍ୟରେ, ପ୍ରାୟ ୧୧ ବର୍ଷ ଭିତରେ କେନ୍ଦ୍ର ସରକାର ଖଣି ଓ ଖଣିଜ ପଦାର୍ଥ ଆଇନକୁ ପାଖାପାଖି ୫ ଥର ସଂଶୋଧନ କରିସାରିଛନ୍ତି। ଏହି ସଂଶୋଧନଗୁଡ଼ିକ ଜରିଆରେ କ’ଣ ହେଲା? ରାଜ୍ୟ ସରକାରଙ୍କ ପାଖରେ ଥିବା ପିଏଲ୍ (Prospective License) ଲାଇସେନ୍ସ ପ୍ରଦାନ, ଖଣି ଲିଜ୍ ଦେବା ଏବଂ ଲିଜ୍ ନବୀକରଣ କରିବାର ଯେଉଁ ଏକଚାଟିଆ କ୍ଷମତା ଥିଲା, ତାହାକୁ କେନ୍ଦ୍ର ସରକାର ନିଜ ହାତକୁ ନେଇଗଲେ। ଅର୍ଥାତ୍ ରାଜ୍ୟର ଅଧିକାର ଧୀରେ ଧୀରେ କ୍ଷୁଣ୍ଣ ହେଲା।
କିନ୍ତୁ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି—ସେହି ସମୟରେ ଓଡ଼ିଶାରେ କ୍ଷମତାରେ କିଏ ଥିଲେ?
ନବୀନ ପଟ୍ଟନାୟକ!
ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ। ଯେତେବେଳେ ଖଣି ଓ ଖଣିଜ ଆଇନରେ ଗୋଟିଏ ପରେ ଗୋଟିଏ ସଂଶୋଧନ ହେଉଥିଲା, ସେତେବେଳେ ବିଜେଡି କାହିଁକି ନୀରବ ଥିଲା? ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ସଙ୍କୁଚିତ ହେଉଥିବାବେଳେ ନବୀନ ସରକାର କାହିଁକି ଜୋରଦାର ପ୍ରତିବାଦ କଲେ ନାହିଁ?
ରାଜନୈତିକ ମହଲରେ ଏହା ସର୍ବବିଦିତ ଯେ, ରାଜ୍ୟରେ ହୋଇଥିବା ବହୁଚର୍ଚ୍ଚିତ ଖଣି ଦୁର୍ନୀତି ଏବଂ ଏହାର ସିବିଆଇ (CBI) ତଦନ୍ତ ଭୟରେ ହିଁ ତତ୍କାଳୀନ ବିଜେଡି ସରକାର କେନ୍ଦ୍ର ବିରୋଧରେ ମୁହଁ ଖୋଲିବାକୁ ସାହସ କରିପାରୁନଥିଲେ। କେନ୍ଦ୍ର ସହିତ ଏକ ପ୍ରକାର ‘ସହଯୋଗୀ’ ମନୋଭାବ ରଖି ଚାଲିଥିଲେ।
ଆଉ ଅନ୍ୟପଟେ, ରାହୁଲ ଗାନ୍ଧୀ ମଧ୍ୟ ସଂସଦରେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଉପଯୁକ୍ତ ସମୟରେ ଗଠନମୂଳକ ଆଲୋଚନା ନ କରି କେବଳ ରାଜନୈତିକ ବୟାନବାଜିରେ ସୀମିତ ରହିଥିଲେ।
ତେଣୁ ଆଜି ଯେତେବେଳେ ଏହି ନୂଆ ୨୦୨୬ ସଂଶୋଧନ ଆଇନକୁ ନେଇ କଥା ଉଠୁଛି, ସେତେବେଳେ ଶାସକ ବିଜେପି ପାଖରେ ଏକାଧିକ ଅସ୍ତ୍ର ରହିଛି। ବିଜେପି ସିଧା ପ୍ରଶ୍ନ କରିବ—୨୦୧୪ ରୁ ୨୦୨୫ ଭିତରେ ଆପଣମାନେ କ’ଣ କରୁଥିଲେ?
କାହିଁକି ବ୍ୟାକ୍ଫୁଟ୍ରେ ବିରୋଧୀ?
ଏବେ ଆସନ୍ତୁ ବୁଝିବା, ବିରୋଧୀଙ୍କ ଆଗରେ ପ୍ରକୃତ ସଙ୍କଟ କ’ଣ?
ଯଦି ବିଧାନସଭା କିମ୍ବା ସର୍ବସାଧାରଣରେ ଖଣି ଆଇନ ଉପରେ ଏକ ସୁସ୍ଥ ଗଣତାନ୍ତ୍ରିକ ତର୍କ-ବିତର୍କ ହୁଏ, ତେବେ:
୧. ପ୍ରଥମତଃ, କଂଗ୍ରେସକୁ ଜବାବ ଦେବାକୁ ପଡ଼ିବ ଯେ ସଂସଦରେ ଏହି ବିଲ୍ ପାସ୍ ହେବା ବେଳେ ସେମାନେ କେଉଁ ବିକଳ୍ପ ପ୍ରସ୍ତାବ ଦେଇଥିଲେ? ସେମାନେ ଆଲୋଚନାରେ ଭାଗ ନ ନେଇ କାହିଁକି ଗୃହ ତ୍ୟାଗ କଲେ ବା ହଙ୍ଗାମା କଲେ?
୨. ଦ୍ୱିତୀୟତଃ, ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଜବାବ ଦେବାକୁ ପଡ଼ିବ ଯେ ଗତ ୧୦-୧୨ ବର୍ଷ ଧରି ରାଜ୍ୟର ଖଣି କ୍ଷମତା କେନ୍ଦ୍ର ହାତକୁ ଚାଲିଯାଉଥିବାବେଳେ ସେମାନେ କାହିଁକି ଚୁପ୍ ରହିଥିଲେ? କେଉଁ ଭୟରେ ସେମାନେ ସ୍ୱର ଉତ୍ତୋଳନ କରିନଥିଲେ?
ଏହି ଦୁଇଟି ପ୍ରଶ୍ନ ଏମିତି ଯାହାର ସନ୍ତୋଷଜନକ ଉତ୍ତର ନା ବିଜେଡି ପାଖରେ ଅଛି, ନା କଂଗ୍ରେସ ପାଖରେ।
ଆଉ ଏହି କାରଣରୁ ହିଁ, ଏହି ଦୁଇ ଦଳ ଏବେ ସତ୍ୟର ମୁହାଁମୁହିଁ ହେବାକୁ ଡରୁଛନ୍ତି। ଯଦି ଆଇନ ଉପରେ ତର୍କ ହେବ, ତେବେ ବିଜେପି ପାଲଟା ଆକ୍ରମଣ କରି ଏହି ପୁରୁଣା କଥାଗୁଡ଼ିକୁ ଖୋଲିଦେବ।
ତେଣୁ ବିରୋଧୀଙ୍କ ପାଇଁ ଏବେ ଗୋଟିଏ ହିଁ ସହଜ ରାସ୍ତା ବଳିପଡ଼ିଛି—ତାହା ହେଉଛି ‘ହଟ୍ଟଗୋଳ’! ଆଲୋଚନା ନ କରାଇବା, ଗୃହ ଚାଲିବାକୁ ନ ଦେବା ଏବଂ ଜନସାଧାରଣଙ୍କ ଭାବନାକୁ ଉସୁକାଇ ରାଜନୈତିକ ଫାଇଦା ହାସଲ କରିବା।
ବିଧାନସଭାରେ ହଙ୍ଗାମାର ବ୍ଲୁ-ପ୍ରିଣ୍ଟ—ରାହୁଲଙ୍କ ଅଲିଖିତ ଫର୍ମୁଲା!
ରାଜନୈତିକ ଗଳିକନ୍ଦିରେ ଏବେ ଏକ ବଡ଼ ଚର୍ଚ୍ଚା ଚାଲିଛି। ଆଲୋଚନା ହେଉଛି ଯେ, ଆଗାମୀ ଓଡ଼ିଶା ବିଧାନସଭା ଅଧିବେଶନକୁ ମୂଳରୁ ହିଁ ବନ୍ଦ କରିଦେବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ ହୋଇସାରିଛି।
କୁହାଯାଉଛି, କଂଗ୍ରେସ ହାଇକମାଣ୍ଡ ତଥା ରାହୁଲ ଗାନ୍ଧୀଙ୍କ ତରଫରୁ ଏକ ଅଲିଖିତ ନିର୍ଦ୍ଦେଶ ଆସିଛି ଯେ—ସଂସଦରେ ଯେମିତି ହଙ୍ଗାମା କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରାଯାଇଥିଲା, ଠିକ୍ ସେହି ଢାଞ୍ଚାରେ ଓଡ଼ିଶା ବିଧାନସଭାରେ ମଧ୍ୟ ପ୍ରଥମ ଦିନରୁ ହିଁ ହଟ୍ଟଗୋଳ କରାଯାଉ। କୌଣସି ପରିସ୍ଥିତିରେ ବି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବାକୁ ଦିଆନଯାଉ। ଗୃହ ସୁରୁଖୁରୁରେ ଚାଲିଲେ ବିଜେଡି ସଭାପତି ଉଭୟ ନବୀନ ପଟ୍ଟନାୟକ ଓ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କର ପୋଲ ଖୋଲିଯିବ। ଏହି ଭୟ ଉଭୟ ନେତାଙ୍କୁ ଘାରିବାରେ ଲାଗିଛି। ତେଣୁ ମୂଳରୁ ଆଲୋଚନା କିପରି ହୋଇନପାରିବ ସେଥିପାଇଁ ଯୋଜନା ହୋଇସାରିଛି।
ଆଉ ସବୁଠୁ ରୋଚକ କଥା ହେଉଛି—ଏହି ଫର୍ମୁଲାରେ କାଳେ ବିଜେଡି ମଧ୍ୟ ସାମିଲ ହେବାକୁ ଯାଉଛି!
ଯେଉଁ ନବୀନ ପଟ୍ଟନାୟକ ଦିନେ କଂଗ୍ରେସ ସହ ସମଦୂରତ୍ୱ କଥା କହୁଥିଲେ, ଯିଏ କଂଗ୍ରେସକୁ ନିଜର ମୁଖ୍ୟ ଶତ୍ରୁ ବୋଲି ମାନୁଥିଲେ, ଆଜି କ୍ଷମତା ହରାଇବା ପରେ ସେହି ନବୀନ ପଟ୍ଟନାୟକ କ’ଣ ରାହୁଲ ଗାନ୍ଧୀଙ୍କ ଦେଖାଇଥିବା ରାସ୍ତାରେ ଚାଲିବେ? ରାହୁଲଙ୍କ ସେହି ହଙ୍ଗାମା ରଣନୀତିକୁ କ’ଣ ବିଜେଡି ବିଧାନସଭାରେ କାର୍ଯ୍ୟକାରୀ କରିବ?
ଯଦି ଏହା ସତ ହୁଏ, ତେବେ ଏହା ଓଡ଼ିଶା ରାଜନୀତିର ଏକ ବଡ଼ ବିଡ଼ମ୍ବନା ହେବ। ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭାରେ ଯେତେବେଳେ ଲୋକଙ୍କ ସମସ୍ୟା, ରାଜ୍ୟର ବିକାଶ ଏବଂ ଖଣି ନୀତି ଉପରେ ଗମ୍ଭୀର ଚର୍ଚ୍ଚା ହେବା କଥା, ସେତେବେଳେ କେବଳ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଯଦି ଗୃହକୁ ଅଚଳ କରିଦିଆଯାଏ, ତେବେ ଏଥିରୁ ରାଜ୍ୟବାସୀଙ୍କୁ କ’ଣ ମିଳିବ?
ଖଣି ଓ ଖଣିଜ ସମ୍ପଦ ଓଡ଼ିଶାର ମେରୁଦଣ୍ଡ। ଏହି ସମ୍ପଦ ଉପରେ ଓଡ଼ିଶାର ପ୍ରତିଟି ନାଗରିକଙ୍କ ଅଧିକାର ରହିଛି। କିନ୍ତୁ ଦୁର୍ଭାଗ୍ୟର କଥା, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବେ କେବଳ ରାଜନୈତିକ ବୟାନବାଜି ଏବଂ ଦୋଷ ଲଦାଲଦିର ଏକ ମାଧ୍ୟମ ପାଲଟି ଯାଇଛି।
• କେନ୍ଦ୍ରର ନୂଆ ଆଇନରେ କ’ଣ ରାଜ୍ୟ ପାଇଁ କ୍ଷତିକାରକ ଅଛି?
• ଅତୀତରେ ବିଜେଡି ସରକାର କାହିଁକି ଚୁପ୍ ଥିଲେ?
• ଆଉ କଂଗ୍ରେସ ସଂସଦରେ ଆଲୋଚନା ନ କରି ଏବେ ରାଜ୍ୟରେ କାହିଁକି ରାଜନୀତି କରୁଛି?
• ଏହି ସବୁ ପ୍ରଶ୍ନର ଉତ୍ତର ଓଡ଼ିଶାର ଜନସାଧାରଣ ଜାଣିବାକୁ ଚାହାନ୍ତି।
ବିଧାନସଭାରେ ହଟ୍ଟଗୋଳ କରି ସମୟ ଏବଂ ଅର୍ଥ ନଷ୍ଟ କରିବା ଅପେକ୍ଷା ବିରୋଧୀ ଦଳମାନେ କ’ଣ ତଥ୍ୟ ଆଧାରରେ ସରକାରଙ୍କୁ ଉତ୍ତରଦାୟୀ କରିପାରିବେ ନାହିଁ? ଆପଣଙ୍କ ମତରେ—ନବୀନ ପଟ୍ଟନାୟକ କ’ଣ ସତରେ ରାହୁଲ ଗାନ୍ଧୀଙ୍କ ଏହି ରାଜନୈତିକ ଫର୍ମୁଲାକୁ ଗ୍ରହଣ କରିବା ଉଚିତ? ଖଣି ଆଇନକୁ ନେଇ କିଏ କେତେ ଦାୟୀ?


