ଏମିତି ଏକ ପ୍ରସଙ୍ଗ, ଯାହା ଶୁଣିଲେ ହୁଏତ ଆପଣଙ୍କ ମୁଣ୍ଡ ତଳକୁ ହୋଇଯାଇପାରେ। ଜଣେ ଓଡ଼ିଆ ହିସାବରେ, ଜଣେ ସଚେତନ ନାଗରିକ ହିସାବରେ ଆଜିର ଏହି ଖବର ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ।
ଆପଣ ସମସ୍ତେ ଜାଣନ୍ତି, ଭାରତୀୟ ଗଣତନ୍ତ୍ରର ପ୍ରାଣକେନ୍ଦ୍ର ହେଉଛି ଆମର ପବିତ୍ର ସଂସଦ। ଆଉ ଏହି ଅନୁଷ୍ଠାନରେ, ଏହି ସର୍ବୋଚ୍ଚ ଗୃହରେ ଯାହାର ଯେତେ ସଂଖ୍ୟା ଥାଏ, ଯାହାର ସ୍ୱର ଯେତେ ବଡ଼ ଓ ଶାଣିତ ହୋଇଥାଏ, ସେହି ରାଜ୍ୟ ସେତିକି ଚର୍ଚ୍ଚିତ ହୁଏ। କେବଳ ଚର୍ଚ୍ଚିତ ହୁଏ ନାହିଁ, ବରଂ ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟର ଏବଂ ସେହି ରାଜ୍ୟର ସାଧାରଣ ଜନତା ସେତିକି ଅଧିକ ଫାଇଦାରେ ରହିଥାନ୍ତି। ଆମେ ସମସ୍ତେ ବଡ଼ ଗର୍ବର ସହ, ବଡ଼ ଆଶା ନେଇ ଆମ ପ୍ରତିନିଧିମାନଙ୍କୁ ଦିଲ୍ଲୀ ପଠାଉ। କାହିଁକି ପଠାଉ? ଯେପରି ସେମାନେ ସଂସଦ ଗୃହ ଭିତରେ ଓଡ଼ିଶାର ହକ୍ର ଲଢ଼େଇ କରିବେ, ଓଡ଼ିଶାର ସମସ୍ୟାକୁ ଉଠାଇବେ ଏବଂ ରାଜ୍ୟ ପାଇଁ କେନ୍ଦ୍ରରୁ ଅଧିକରୁ ଅଧିକ ସହାୟତା ଆଣିବେ।
କିନ୍ତୁ ଆପଣ ଜାଣିଛନ୍ତି କି, ଗଲା ଦୁଇଟି ସଂସଦୀୟ କାଳକୁ ଯଦି ଆମେ ତୁଳନା କରିବା, ତେବେ ଏବେକାର ଲୋକସଭା ଅର୍ଥାତ୍ ଅଷ୍ଟାଦଶ ଲୋକସଭାରେ ଓଡ଼ିଶାର ସ୍ୱର ସମ୍ପୂର୍ଣ୍ଣ ଭାବେ ନିଷ୍ପ୍ରଭ ହୋଇଯାଇଛି!
ଯେଉଁ ଓଡ଼ିଶା ଦିନେ ସଂସଦରେ ବିତର୍କ ଓ ଆଲୋଚନା ମାମଲାରେ ସାରା ଦେଶରେ ତୃତୀୟ ସ୍ଥାନରେ ରହି ଗର୍ବ ଅନୁଭବ କରୁଥିଲା, ସେହି ଓଡ଼ିଶା ଏବେ ସିଧା ତଳକୁ ଖସି ଦଶମ ସ୍ଥାନରେ ପହଞ୍ଚିଛି।
ଆଜି ଆମେ ସମ୍ପୂର୍ଣ୍ଣ ତଥ୍ୟ ସହ ଖୋଲିବା ଆମ ସାଂସଦମାନଙ୍କର ସେହି ରିପୋର୍ଟ କାର୍ଡ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଏବଂ ଭାବିବାକୁ ବାଧ୍ୟ କରିବ ଯେ ଆମେ ଯେଉଁମାନଙ୍କୁ ଭୋଟ୍ ଦେଇ ଦିଲ୍ଲୀ ପଠାଇଛୁ, ସେମାନେ ସେଠାରେ ପ୍ରକୃତରେ କରୁଛନ୍ତି କ’ଣ?
ପ୍ରସଙ୍ଗର ପୃଷ୍ଠଭୂମି ଓ ପରିସଂଖ୍ୟାନ
ପ୍ରଥମେ ଆସନ୍ତୁ ଏହି ପୂରା ବିଷୟର ପୃଷ୍ଠଭୂମି ଏବଂ ସାଂଘାତିକ ପରିସଂଖ୍ୟାନ ଉପରେ ନଜର ପକାଇବା। ଚଳିତ ଅଷ୍ଟାଦଶ ଲୋକସଭାରେ ଆମ ଓଡ଼ିଶାରୁ ମୋଟ୍ ୨୧ ଜଣ ସାଂସଦ ପ୍ରତିନିଧିତ୍ୱ କରୁଛନ୍ତି। ଆମ ସମ୍ବିଧାନର ଜନସଂଖ୍ୟା ଭିତ୍ତିକ ନିୟମ ଅନୁସାରେ, ପ୍ରତି ନାଗରିକଙ୍କୁ ସମାନ ପ୍ରତିନିଧିତ୍ୱର ଅଧିକାର ଦେବାକୁ ଯାଇ ଯେଉଁ ଫର୍ମୁଲା ସ୍ଥିର ହୋଇଛି, ସେହି ଅନୁସାରେ ଓଡ଼ିଶାକୁ ୨୧ଟି ଆସନ ମିଳିଛି।
କିନ୍ତୁ ଏଥରର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ଅଲଗା। ଏହି ୨୧ଟି ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ଅର୍ଥାତ୍ ବିଜେପିର ସାଂସଦ ସଂଖ୍ୟା ହେଉଛି ୨୦! ମାତ୍ର ଜଣେ ସାଂସଦ କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିବାବେଳେ, ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ଶାସନରେ ଥିବା ବିଜେଡିର ଘର ଏଥର ଲୋକସଭାରେ ସମ୍ପୂର୍ଣ୍ଣ ଶୂନ ପଡ଼ିଛି।
ଯଦି ଆମେ ଗତ ସପ୍ତଦଶ ଲୋକସଭା କଥା ମନେପକାଇବା, ସେତେବେଳେ କେବଳ ବିଜେଡି ଦଳରୁ ହିଁ ୧୨ ଜଣ ସାଂସଦ ଏହି ସର୍ବୋଚ୍ଚ ଗୃହର ସଦସ୍ୟ ରହିଥିଲେ ଏବଂ ଓଡ଼ିଶାର ସ୍ୱରକୁ ଜୋରଦାର୍ ଢଙ୍ଗରେ ଉଠାଉଥିଲେ। ଓଡ଼ିଶାର ସାଧାରଣ ଜନତା ଏଥର ବଡ଼ ଆଶା ରଖିଥିଲେ, କାହିଁକି ନା ରାଜ୍ୟରେ ବି ବିଜେପି ସରକାର ଏବଂ କେନ୍ଦ୍ରରେ ମଧ୍ୟ ବିଜେପି ସରକାର। ଏହି ‘ଡବଲ ଇଞ୍ଜିନ’ ସରକାରର ଶକ୍ତି ଦେଖି ରାଜ୍ୟବାସୀ ଭାବିଲେ ଯେ ଏହା ଓଡ଼ିଶାର ବିକାଶ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ। ଏହି ଆଶା ଓ ବିଶ୍ୱାସ ନେଇ ପ୍ରାୟ ପ୍ରତିଟି ନିର୍ବାଚନମଣ୍ଡଳିରୁ ଲୋକମାନେ ବିଜେପି ପ୍ରତିନିଧିଙ୍କୁ ବିପୁଳ ଭୋଟ୍ ଦେଇ ଲୋକସଭାକୁ ପଠାଇଲେ।
ଏ ଭିତରେ ଦୁଇ ବର୍ଷରୁ ଅଧିକ ସମୟ ବିତିଲାଣି। ଦୁଇ ଦୁଇ ଥର ଏହି ଲୋକସଭାର ପ୍ରମୁଖ ଅଧିବେଶନ ମଧ୍ୟ ବସିସାରିଛି। ଆଜିଠାରୁ ଅଷ୍ଟାଦଶ ଲୋକସଭାର ଅଷ୍ଟମ ଅଧିବେଶନ, ଯାହାକୁ ଆମେ ବର୍ଷାକାଳୀନ ଅଧିବେଶନ ବୋଲି କହୁ, ତାହା ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ବଡ଼ ପ୍ରଶ୍ନ ହେଉଛି, ଗଲା ୭ଟିଯାକ ଅଧିବେଶନରେ ଓଡ଼ିଶାରୁ ପ୍ରତିନିଧିତ୍ୱ ହୋଇଥିବା ଏହି ସାଂସଦମାନଙ୍କର ଅଂଶଗ୍ରହଣ ହାର କେମିତି ଥିଲା? ସେମାନେ ଗୃହ ଭିତରେ ଓଡ଼ିଶା ପାଇଁ କେତେ ସମୟ କହିଛନ୍ତି?
ସଂସଦର ସରକାରୀ ପରିସଂଖ୍ୟାନ ଯାହା ଦେଖାଉଛି, ତାହା ଅତ୍ୟନ୍ତ ନିରାଶାଜନକ। ଆମ ରାଜ୍ୟର ସାଂସଦମାନଙ୍କର ଆଲୋଚନାରେ ମୋଟ ଅଂଶଗ୍ରହଣ ହାର ହେଉଛି ମାତ୍ର ୨.୮ ପ୍ରତିଶତ! ପୂର୍ବ ଲୋକସଭାରେ ଯେତେବେଳେ ଓଡ଼ିଶାରୁ ବିଜେପି ସାଂସଦ ସଂଖ୍ୟା କମ୍ ଥିଲା, ସେତେବେଳେ ଏହି ଅଂଶଗ୍ରହଣ ହାର ସାରାଦେଶରେ ତୃତୀୟ ସ୍ଥାନରେ ଥିଲା। ହେଲେ ଏବେ ଏତେ ବଡ଼ ସଂଖ୍ୟା ଥାଇ ମଧ୍ୟ ଓଡ଼ିଶା ୧୦ ନମ୍ବର ସ୍ଥାନକୁ ଖସି ଆସିଛି। କାହିଁକି ଏମିତି ହେଲା? ଲୋକସଭାରେ ରାଜ୍ୟବାସୀଙ୍କ ମୁଖପାତ୍ର ସାଜିଥିବା ଆମ ସାଂସଦମାନେ ସେଠାରେ ପ୍ରକୃତରେ କରୁଛନ୍ତି କ’ଣ? କାହିଁକି ସେମାନଙ୍କ ପାଟି ଖୋଲୁନାହିଁ?
କିଏ କେତେ କହିଲେ? ସାଂସଦମାନଙ୍କ ବ୍ୟକ୍ତିଗତ ରିପୋର୍ଟ କାର୍ଡ
ଚାଲନ୍ତୁ ଏହି ପୂରା ତଥ୍ୟକୁ ଆଉ ଟିକେ ଗଭୀରତାର ସହ ଏବଂ ଭଲଭାବେ ବିଶ୍ଳେଷଣ କରିବା। ସଂସଦରେ ସମଗ୍ର ସମୁଦାୟ ଆଲୋଚନା ହୋଇଥିବା ସମୟ ହେଉଛି ୪୮୯ ଘଣ୍ଟା ୬ ମିନିଟ୍। ଆଉ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ପ୍ରାୟ ୪୯୦ ଘଣ୍ଟାରୁ ଓଡ଼ିଶାର ସମସ୍ତ ସାଂସଦ ମିଶିକି ମାତ୍ର ୧୩ ଘଣ୍ଟା ୪୪ ମିନିଟ୍ କହିଛନ୍ତି! ଏହା ମୁଁ କହୁନାହିଁ, ବରଂ ଲୋକସଭା ପକ୍ଷରୁ ଏହାର ସରକାରୀ ୱେବସାଇଟରେ ଉଲ୍ଲେଖ କରାଯାଇଥିବା ସରକାରୀ ଡାଟା ହିଁ ଏହି ସତ୍ୟତାକୁ ପଦାରେ ପକାଇଛି।
ସମୁଦାୟ ଦେଶରେ ଅନ୍ୟ ରାଜ୍ୟମାନଙ୍କ ସାଂସଦଙ୍କ ଅଂଶଗ୍ରହଣ ହାର ସହ ଯଦି ଆମେ ତୁଳନା କରିବା, ତେବେ ଓଡ଼ିଶା ବହୁ ପଛରେ ଅର୍ଥାତ୍ ୧୦ମ ସ୍ଥାନରେ ଅଛି। ଆମ ଉପରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ କେରଳ ଭଳି ରାଜ୍ୟ ରହିଛନ୍ତି। ସପ୍ତଦଶ ଲୋକସଭାରେ ଓଡ଼ିଶାର ସ୍ଥାନ ତୃତୀୟ ଥିଲା, ଯେଉଁଠି କେବଳ ବିହାର ଓ ଆନ୍ଧ୍ରପ୍ରଦେଶର ସାଂସଦମାନେ ହିଁ ଆମ ରାଜ୍ୟଠାରୁ ଅଧିକ ଥର ଗୃହରେ ନିଜର ମତ ରଖିଥିଲେ। ଅର୍ଥାତ୍ ସେତେବେଳେ ଆମ ସାଂସଦଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ସେମାନଙ୍କ ସ୍ୱର ବହୁତ ଶାଣିତ ଏବଂ ଦମ୍ଦାର୍ ଥିଲା।
ଆମ ଓଡ଼ିଶା ଟିମରେ ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ , ରୁଦ୍ରନାରାୟଣ ପାଣି ଏବଂ ସମ୍ବିତ ପାତ୍ରଙ୍କ ଭଳି ଅତ୍ୟନ୍ତ ଅଭିଜ୍ଞ ଏବଂ ବାଗ୍ମୀ ସାଂସଦ ଅଛନ୍ତି, ଯେଉଁମାନେ ନିଜର ଜୋରଦାର୍ ଭାଷଣ ପାଇଁ ଜଣାଶୁଣା। ଯଦି ଆମେ ବ୍ୟକ୍ତିଗତ ଭାବେ ଅଂଶଗ୍ରହଣକୁ ଲକ୍ଷ୍ୟ କରିବା, ତେବେ ସବୁଠାରୁ ଆଗରେ ରହିଛନ୍ତି କଟକର ସାଂସଦ ଭର୍ତ୍ତୃହରି ମହତାବ। ସେ ଏପର୍ଯ୍ୟନ୍ତ ୫୭ ଥର ଭିନ୍ନ ଭିନ୍ନ ଆଲୋଚନାରେ ଭାଗ ନେଇ ନିଜର ମତ ଜାହିର କରିଛନ୍ତି। ପୂର୍ବ ଲୋକସଭାରେ ମଧ୍ୟ, ଯେତେବେଳେ ସେ ବିଜେଡି ଦଳରୁ ପ୍ରତିନିଧିତ୍ୱ କରୁଥିଲେ, ସେତେବେଳେ ବି ସେ ଓଡ଼ିଶା ପକ୍ଷରୁ ସର୍ବାଧିକ ଥର ସଂସଦୀୟ ବିତର୍କରେ ଅଂଶଗ୍ରହଣ କରିଥିଲେ।
ତାଙ୍କ ତଳକୁ ଏହି ଅଷ୍ଟାଦଶ ଲୋକସଭାରେ ଦୁଇ ନମ୍ବର ସ୍ଥାନରେ ଅଛନ୍ତି ଜଣେ ନବାଗତା। ସେ ହେଉଛନ୍ତି କଳାହାଣ୍ଡିର ସାଂସଦ ମାଳବିକା ଦେବୀ। ଜଣେ ନୂଆ ସାଂସଦ ହିସାବରେ ସେ ଗୃହରେ ଓଡ଼ିଶାର ସମସ୍ୟା ଉଠାଇବାରେ ବେଶ୍ ଆଗ୍ରହ ଦେଖାଇଛନ୍ତି। ତାଙ୍କ ପରେ ପ୍ରଦୀପ ପୁରୋହିତ, ସଙ୍ଗୀତାକୁମାରୀ ସିଂହଦେଓ, ସୁକାନ୍ତ ପାତ୍ର, ସମ୍ବିତ ପାତ୍ର ଏବଂ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା ପ୍ରଭୃତିଙ୍କ ନାଁ ରହିଛି, ଯେଉଁମାନେ କିଛି ମାତ୍ରାରେ ଗୃହ କାର୍ଯ୍ୟରେ ଭାଗ ନେଇଛନ୍ତି।
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସବୁଠାରୁ କମ୍ ଅଂଶଗ୍ରହଣ କରିଥିବା ସାଂସଦଙ୍କ ତାଲିକାରେ ଅଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀ! ସେ ହେଉଛନ୍ତି ସୁନ୍ଦରଗଡ଼ର ସାଂସଦ ଜୁଏଲ ଓରାମ। ସେ ସମୁଦାୟ ସେସନ୍ ଭିତରେ ମାତ୍ର ଥରୁଟିଏ ଲୋକସଭାରେ କହିଛନ୍ତି। ଅନେକ ଅଭିଜ୍ଞତା ଥାଇ ମଧ୍ୟ ସେ ବୋଧହୁଏ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱରେ ଥିବାରୁ ସମୟ ପାଇନାହାନ୍ତି ବୋଲି କୁହାଯାଇପାରେ। ହେଲେ ଅନ୍ୟପଟେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚଳିତ ଲୋକସଭାରେ ୫ ଥର ନିଜର ମତ ରଖିବାରେ ସଫଳ ହୋଇଛନ୍ତି।
ଯଦି ଲୋକସଭାରେ ନିଜ ଅଞ୍ଚଳ ଓ ରାଜ୍ୟ ପାଇଁ ସ୍ୱର ଉତ୍ତୋଳନ କରିବାକୁ ଜଣେ ସାଂସଦଙ୍କର ପ୍ରାଥମିକ କର୍ତ୍ତବ୍ୟ ବୋଲି ଧରାଯାଏ, ତେବେ ଭର୍ତ୍ତୃହରି ମହତାବ ସବୁଠାରୁ ଆଗରେ ଅଛନ୍ତି। କିନ୍ତୁ ଓଡ଼ିଶା ରାଜନୀତିର ବିଡ଼ମ୍ବନା ଦେଖନ୍ତୁ, ଯିଏ ସବୁଠାରୁ ଅଧିକ କହିଲେ ସେ ଏଯାଏଁ କୌଣସି ମନ୍ତ୍ରୀ ପଦବୀ ପାଇପାରି ନାହାନ୍ତି।
ଅନ୍ୟ ରାଜ୍ୟ ସହ ତୁଳନା ଏବଂ ବଡ଼ ପ୍ରଶ୍ନବାଚୀ
ସମୁଦାୟ ଭାବେ କହିବାକୁ ଗଲେ, ଲୋକସଭାରେ ହେଉଥିବା ପ୍ରାୟ ୨୬ ପ୍ରକାରର ବିଭିନ୍ନ ଆଲୋଚନା ଓ ବିତର୍କ ସମୟରେ ଓଡ଼ିଶାର ୨୧ ଜଣ ସାଂସଦ ମୋଟ୍ ୧୯୦ ଥର ଅଂଶଗ୍ରହଣ କରିଛନ୍ତି। ଆଉ ସେହି ସମସ୍ତ ଅଂଶଗ୍ରହଣର ସମୁଦାୟ ସମୟ ମାତ୍ର ୧୩ ଘଣ୍ଟା ୪୪ ମିନିଟ୍ ୧୫ ସେକେଣ୍ଡ।
ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ଏହି ସରକାରୀ ପରିସଂଖ୍ୟାନ ପ୍ରକୃତରେ କ’ଣ ସୂଚାଉଛି? କାହିଁକି ଆଜି ଏହା ସାରାରାଜ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି? କାରଣ ହେଉଛି, ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ରାଜ୍ୟବାସୀ ୨୦ ଜଣ ସାଂସଦଙ୍କୁ କେବଳ ଗୋଟିଏ ଦଳ ଅର୍ଥାତ୍ ବିଜେପିରୁ ଜିତାଇ ଦିଲ୍ଲୀ ପଠାଇଛନ୍ତି। ଆଉ ସେହି ସମାନ ଦଳ ଏବେ ଓଡ଼ିଶାରେ ମଧ୍ୟ ଶାସନ ଗାଦିରେ ଅଛି ଏବଂ କେନ୍ଦ୍ରରେ ମଧ୍ୟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଚଲାଉଛି। କିନ୍ତୁ ଗଲା ଦୁଇଟି ଲୋକସଭାର ତଥ୍ୟକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ ଆମ ସାଂସଦମାନେ ପୂର୍ବାପେକ୍ଷା ଓଡ଼ିଶାବାସୀଙ୍କ ପାଇଁ ବହୁତ କମ୍ ସ୍ୱର ଉତ୍ତୋଳନ କରୁଛନ୍ତି।
ଗତ ଲୋକସଭା ଯାହା ୨୦୧୯ରୁ ୨୦୨୪ ଯାଏଁ ଚାଲିଥିଲା, ସେତେବେଳେ ସମୁଦାୟ ୫ ବର୍ଷର କାର୍ଯ୍ୟକାଳ ଭିତରେ ଓଡ଼ିଶା ସାଂସଦଙ୍କ ମୋଟ ଅଂଶଗ୍ରହଣ ହାର ୫.୨୯ ପ୍ରତିଶତ ଥିଲା। କିନ୍ତୁ ଏବେ ତାହା ଅଧାରୁ ବି କମ୍ ଅର୍ଥାତ୍ ମାତ୍ର ୨.୮୧ ପ୍ରତିଶତକୁ ଖସି ଆସିଛି। କାହିଁକି ଏମିତି ହେଲା? ଏହା କ’ଣ ଆମ ସାଂସଦମାନଙ୍କର ନିଷ୍କ୍ରିୟତାକୁ ଦର୍ଶାଉଛି, ନା ସେମାନଙ୍କୁ ଦଳୀୟ ଅନୁଶାସନ ଭିତରେ ସଂସଦରେ କହିବାକୁ ସୁଯୋଗ ମିଳୁନାହିଁ?
ଏଠାରେ କିଛି ଲୋକ ଯୁକ୍ତି ବାଢ଼ିପାରନ୍ତି ଯେ, ଯେହେତୁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପିର ସରକାର ଅଛି, ତେଣୁ ନିଜ ସରକାର ବିରୋଧରେ ସାଂସଦମାନେ କହିବେ କ’ଣ? କିନ୍ତୁ ଏହି ଯୁକ୍ତି ସମ୍ପୂର୍ଣ୍ଣ ଭୁଲ୍। ଆସନ୍ତୁ ଦେଶର ଅନ୍ୟ ବଡ଼ ରାଜ୍ୟଗୁଡ଼ିକ ଉପରେ ନଜର ପକାଇବା, ଯେଉଁଠି ମଧ୍ୟ ବିଜେପିର ଡବଲ ଇଞ୍ଜିନ ସରକାର ରହିଛି।
ପ୍ରଥମେ ଦେଖନ୍ତୁ ଉତ୍ତର ପ୍ରଦେଶ କଥା। ସେଠାରେ ଗଲା ୯ ବର୍ଷ ହେଲା ବିଜେପି ଶାସନ କରୁଛି। କିନ୍ତୁ ଲୋକସଭାରେ ସେହି ରାଜ୍ୟର ସାଂସଦମାନଙ୍କର ଅଂଶଗ୍ରହଣ ହାର ସାରା ଦେଶରେ ସବୁଠାରୁ ସର୍ବାଧିକ! ସେମାନେ ପ୍ରାୟ ୮୪ ଘଣ୍ଟା କାଳ ସଂସଦୀୟ ଆଲୋଚନାରେ ଭାଗ ନେଇଛନ୍ତି ଏବଂ ଦେଶର ଅନ୍ୟ ସମସ୍ତ ରାଜ୍ୟର ସାଂସଦଙ୍କ ତୁଳନାରେ ସବୁଠାରୁ ଅଧିକ ମତ ପୋଷଣ କରିଛନ୍ତି। ସେଥିପାଇଁ ଉତ୍ତର ପ୍ରଦେଶର ସାଂସଦଙ୍କ ଅଂଶଗ୍ରହଣ ହାର ୧୭ ପ୍ରତିଶତରୁ ଅଧିକ ରହିଛି।
ସେହିପରି ମହାରାଷ୍ଟ୍ର କଥା ଦେଖନ୍ତୁ। ସେଠାରେ ମଧ୍ୟ ବିଜେପି ଏବଂ ମହାୟୁତି ସରକାର ଦୀର୍ଘ ସମୟ ଧରି ଶାସନରେ ଅଛି। କିନ୍ତୁ ସେଠାକାର ସାଂସଦମାନଙ୍କର ଅଂଶଗ୍ରହଣ ହାର ହେଉଛି ୧୦.୭୨ ପ୍ରତିଶତ, ଯାହା ସାରାଦେଶରେ ଦ୍ୱିତୀୟ ସ୍ଥାନରେ ଅଛି। ସେହିଭଳି ତୃତୀୟ ସ୍ଥାନରେ ରହିଛି ବିହାର, ଯାହା ପୂର୍ବ ଲୋକସଭା ଅର୍ଥାତ୍ ୨୦୧୯ରୁ ୨୦୨୪ ମଧ୍ୟରେ ସର୍ବାଧିକ ଆଲୋଚନାରେ ଭାଗ ନେଇ ସଂସଦରେ ଏକ ବଡ଼ ରେକର୍ଡ ସ୍ଥାପନ କରିଥିଲା।
ତେବେ ପ୍ରଶ୍ନ ଉଠୁଛି, ଯଦି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ବିହାର ଭଳି ଶାସକ ଦଳର ସାଂସଦମାନେ ନିଜ ରାଜ୍ୟ ପାଇଁ ସଂସଦକୁ କମ୍ପାଇ ପାରୁଛନ୍ତି, ତେବେ ଓଡ଼ିଶାର ସାଂସଦମାନଙ୍କ ମୁହଁରେ କାହିଁକି ତୁଣ୍ଡି ବନ୍ଧା ହୋଇଛି?
ହେଲେ ଆମ ଓଡ଼ିଶାର ପ୍ରତିନିଧିମାନେ ଏପରି ଭାବେ ନୀରବ ରହିବାର ପ୍ରକୃତ କାରଣ କ’ଣ ହୋଇପାରେ?
ଏମାନେ ଯେ ସଂସଦରେ ଅନ୍ୟ ରାଜ୍ୟର ସାଂସଦଙ୍କଠାରୁ କମ୍ ଦରମା ପାଉଛନ୍ତି କିମ୍ବା କମ୍ ସୁବିଧା ସୁଯୋଗ ପାଉଛନ୍ତି କି? ତାହା ବିଲ୍ କୁଲ୍ ନୁହେଁ। ଜଣେ ସାଂସଦ ଭାବେ ପ୍ରତିବର୍ଷ ଆମ ଦେଶର ରାଜକୋଷରୁ, ଅର୍ଥାତ୍ ଆପଣଙ୍କ ଏବଂ ଆମର ଟ୍ୟାକ୍ସ ଟଙ୍କାରୁ ଜଣ ପିଛା ପ୍ରାୟ ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ! ଏହା ବ୍ୟତୀତ ସେମାନଙ୍କୁ ମିଳୁଥିବା ଅନ୍ୟାନ୍ୟ ହାଇଫାଇ ରାଜକୀୟ ସୁବିଧା ସୁଯୋଗ ତ ଅଲଗା ରହିଛି, ଯାହାକୁ ଆମେ କେବେ ବି ଏଡ଼ାଇ ଯାଇପାରିବା ନାହିଁ।
ତେବେ ଏତେ ସୁବିଧା ପାଇ ମଧ୍ୟ ସେମାନେ ନୀରବ କାହିଁକି? ଏହାର ପଛରେ କେଉଁ କାରଣ ଥାଇପାରେ? ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଏହା ସାଂସଦମାନଙ୍କର ଅତ୍ୟଧିକ ଆତ୍ମବିଶ୍ୱାସ ହୋଇପାରେ। କିମ୍ବା ନିର୍ବାଚନ ଜିତିବା ପରେ ସେମାନଙ୍କ ଭିତରକୁ ଆସିଥିବା ଏକ ପ୍ରକାରର ଆତ୍ମଗର୍ବ କିମ୍ବା ଅହଂକାର ହୋଇପାରେ, ଯାହା ସେମାନଙ୍କୁ ସଂସଦୀୟ ଆଲୋଚନାରେ ଭାଗ ନେବାକୁ ଏବଂ ପରିଶ୍ରମ କରିବାକୁ ରୋକୁଛି! ଯଦି ଏହା ନୁହେଁ, ତେବେ ଆମକୁ ସ୍ୱୀକାର କରିବାକୁ ହେବ ଯେ, ଆମ ସାଂସଦମାନଙ୍କର ଲୋକସଭାର ଗମ୍ଭୀର ବିତର୍କ, ଗବେଷଣା ଏବଂ ନିଜ ରାଜ୍ୟର ସମସ୍ୟା ବୁଝିବା ପ୍ରତି ଆଗ୍ରହ କମି କମି ଯାଉଛି।
ଏସବୁ ଭିତରେ ପ୍ରକୃତ କାରଣ କେଉଁଟି ହୋଇପାରେ? ଆପଣ ନିଜେ ଅନୁମାନ କରନ୍ତୁ। ଆମେ ଜନସାଧାରଣ ହିସାବରେ କେବଳ ୫ ବର୍ଷରେ ଥରେ ଭୋଟ୍ ଦେଇଦେଲେ ଆମର ଦାୟିତ୍ୱ ଶେଷ ହୋଇଯାଏ ନାହିଁ। ଆମେ ସଚେତନ ଭୋଟର ଭାବେ ଯେଉଁମାନଙ୍କୁ ଭୋଟ୍ ଦେଇ ଦିଲ୍ଲୀର ଏହି ବଡ଼ ସଂସଦ ଗୃହକୁ ପଠାଉଛୁ, ସେମାନେ ସେଠାରେ ଆମ ପାଇଁ, ଆମ ଓଡ଼ିଶା ପାଇଁ ପ୍ରକୃତରେ କ’ଣ କରୁଛନ୍ତି, ତାର ପଇସା-ପଇସାର ହିସାବ ମଧ୍ୟ ମାଗିବା ନିହାତି ଦରକାର।
ଆଜିଠାରୁ ସଂସଦର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହୋଇସାରିଛି। ଏବେ ଦେଖିବାକୁ ବାକି ରହିଲା, ଆମ ଓଡ଼ିଶାର ଏହି ୨୧ ଜଣ ସାଂସଦ ଏଥର ସଂସଦ ଭିତରେ ଓଡ଼ିଶାର ହକ୍ ପାଇଁ, ଓଡ଼ିଶାର ରେଳବାଇ, କୃଷି, ବନ୍ୟା ଏବଂ ନିଯୁକ୍ତି ସମସ୍ୟା ପାଇଁ ନିଜର ସ୍ୱର ଉତ୍ତୋଳନ କରୁଛନ୍ତି ନା ପୂର୍ବଭଳି ନୀରବ ରହି ଓଡ଼ିଶାକୁ ପଛକୁ ଠେଲି ଦେଉଛନ୍ତି।


