କଳ୍ପନା କରନ୍ତୁ ତ— ଆପଣଙ୍କ ପିଲା କୌଣସି ପ୍ରତିଷ୍ଠିତ କଲେଜରେ ଫିଜିକ୍ସ ବା ପଦାର୍ଥ ବିଜ୍ଞାନରେ ଅନର୍ସ ନେଇ ପାଠ ପଢୁଛି। ହେଲେ ଯେତେବେଳେ କ୍ଲାସରୁମ୍ ଭିତରକୁ ଯାଉଛି, ସେଠାରେ ଫିଜିକ୍ସ ବିଭାଗର ମୁଖ୍ୟ ବା ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ହୋଇ ବସିଛନ୍ତି ଅର୍ଥନୀତି ବା ଇକୋନୋମିକ୍ସର ଜଣେ ଅଧ୍ୟାପକ! ଆଉ କମର୍ସ କ୍ଲାସରେ ଆକାଉଣ୍ଟାନ୍ସି ବୁଝାଇବା ପାଇଁ ସ୍ଥାୟୀ ପ୍ରଫେସର ନାହାନ୍ତି, ସେଠାରେ ବିଭାଗ ସମ୍ଭାଳୁଛନ୍ତି ଇତିହାସ କିମ୍ବା ରାଜନୀତି ବିଜ୍ଞାନର ଜଣେ ଶିକ୍ଷକ!
ଆପଣମାନଙ୍କୁ ହୁଏତ ଏହା କୌଣସି ବ୍ୟଙ୍ଗ କିମ୍ବା ନାଟକର ସଂଳାପ ଭଳି ଲାଗୁଥାଇପାରେ। କିନ୍ତୁ ଏହା କୌଣସି ଅତିରଞ୍ଜିତ କଥା ନୁହେଁ, କୌଣସି କପୋଳକଳ୍ପିତ କାହାଣୀ ନୁହେଁ— ଏହା ହେଉଛି ଆଜି ଏକବିଂଶ ଶତାବ୍ଦୀର ଶିକ୍ଷା ହବ୍ କୁହାଯାଉଥିବା ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର ସମସ୍ତ ନାମୀଦାମୀ ସରକାରୀ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟମାନଙ୍କର ନଗ୍ନ ବାସ୍ତବତା।
ଯଦି ରାଜଧାନୀ ଛାତି ଉପରେ ଥିବା କଲେଜଗୁଡ଼ିକର ଏଭଳି ଦୁର୍ଦ୍ଦଶା, ତେବେ ମୟୂରଭଞ୍ଜର ଉଦଳା, କୋରାପୁଟର ଜୟପୁର, କଳାହାଣ୍ଡିର ଧର୍ମଗଡ଼ କିମ୍ବା ମାଲକାନଗିରିର ଦୂରଦୂରାନ୍ତ କଲେଜଗୁଡ଼ିକର ଅବସ୍ଥା କ’ଣ ଥିବ, ତାହା ସହଜେ ଅନୁମେୟ। ସେଠି ତ ବିଭାଗ ଅଛି, କୋଠା ଅଛି, କିନ୍ତୁ ବୋର୍ଡ ପାଖରେ ଠିଆ ହୋଇ ପିଲାଙ୍କୁ ଅକ୍ଷର ପଢ଼ାଇବା ପାଇଁ ସ୍ଥାୟୀ ପ୍ରଫେସର ହିଁ ନାହାନ୍ତି!
ପ୍ରଶ୍ନ ଉଠୁଛି— ଆମ ଉଚ୍ଚଶିକ୍ଷା ବ୍ୟବସ୍ଥା ଏତେ ନିମ୍ନସ୍ତରକୁ ଖସିଲା କେମିତି? କିଏ ଦାୟୀ ଏଥିପାଇଁ? କେବଳ ଆଜିର ସରକାର ନା ଗତ ଦୁଇ ଦଶନ୍ଧିର ଏକ ଭୁଲ୍ ନୀତି ଆଜି ଆମ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି? କାହିଁକି ଆମ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ UPSC, UGC-NET, GATE କିମ୍ବା CAT ପରି ପରୀକ୍ଷାରେ ଅନ୍ୟ ରାଜ୍ୟର ପିଲାଙ୍କ ଆଗରେ ହାରି ଯାଉଛନ୍ତି? ଆଉ ସବୁଠୁ ବଡ଼ କଥା— କ୍ୟାମ୍ପସରେ ଗଣତନ୍ତ୍ରର ପ୍ରାଥମିକ ପାଠଶାଳା କୁହାଯାଉଥିବା ‘ଛାତ୍ର ସଂସଦ ନିର୍ବାଚନ’ ଉପରେ ବାରମ୍ବାର ତାଲା କାହିଁକି ପଡ଼ୁଛି?
ଫ୍ଲାସବ୍ୟାକ୍ ୨୦୦୦ — DFID ଋଣ ଓ ନିଯୁକ୍ତି ବ୍ୟାନର ସେହି କଳା ଅଧ୍ୟାୟ
ଏହି ରୋଗ ଆଜିର ନୁହେଁ। ଏହି କ୍ୟାନ୍ସର ଆମ ଶିକ୍ଷା ବ୍ୟବସ୍ଥାକୁ ଧୀରେ ଧୀରେ ୨୬ ବର୍ଷ ଧରି କୋରି କୋରି ଖାଇଛି। ଆସନ୍ତୁ ଆମେ ଟିକେ ଫେରିଯିବା ୨୦୦୦ ମସିହାକୁ।
୧୯୯୯ର ମହାବାତ୍ୟା ପରେ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା। ୨୦୦୦ ମସିହାରେ ଯେତେବେଳେ ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆ ସରକାର ଶାସନ ଭାର ଗ୍ରହଣ କଲେ, ସେତେବେଳେ ରାଜ୍ୟ ରାଜକୋଷର ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ। ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ, ରାଜ୍ୟର ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ରାଜସ୍ୱ ନ ଥିଲା। ରାଜ୍ୟ ଚଳାଇବାକୁ ତୁରନ୍ତ ଆର୍ଥିକ ପ୍ୟାକେଜ୍ ବା ବାହ୍ୟ ସହାୟତାର ଆବଶ୍ୟକତା ପଡ଼ିଲା।
୨୦୦୨ର ଏକ ସମକାଳୀନ ରିପୋର୍ଟରେ ସେତେବେଳର ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ରାଜ୍ୟର ଆର୍ଥିକ ସ୍ଥିତିକୁ ଗୁରୁତର ବୋଲି କହିଥିଲେ। ଏପରିକି ସରକାର ୫୦ ହଜାର ପଦକୁ ଫ୍ରିଜ୍ କରିବା ନିଷ୍ପତ୍ତି ନେଇଥିଲା। ସେହି ସମୟରେ ନବୀନ ସରକାର ଆର୍ଥିକ ପୁନର୍ଗଠନ ପାଇଁ World Bank ଓ ଯୁକ୍ତରାଜ୍ୟ ବା ୟୁକେର ଆନ୍ତର୍ଜାତୀକ ବିକାଶ ବିଭାଗ— ଯାହାକୁ ଆମେ ସମସ୍ତେ ‘ଡିଏଫ୍ଆଇଡି’ (Department for International Development) ବୋଲି ଜାଣୁ ସହିତ ଆଲୋଚନା କରୁଥିଲେ। ସେହି ରିପୋର୍ଟରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧,୮୦୦ କୋଟି ଟଙ୍କାର World Bank soft loan ଏବଂ ପ୍ରାୟ ୧,୨୦୦ କୋଟି ଟଙ୍କାର DFID grant ଆସିବାର ସମ୍ଭାବନା ଦର୍ଶାଯାଇଥିଲା। ଏହା ପଛରେ ଲାଗିଥିଲା ଏକ କଡ଼ା ଏବଂ ମାରାତ୍ମକ ସର୍ତ୍ତ।
ସେହି ସର୍ତ୍ତ କ’ଣ ଥିଲା ଜାଣନ୍ତି?
ଡିଏଫ୍ଆଇଡିର ସର୍ତ୍ତ ଥିଲା— “ଫିସ୍କାଲ ରିଫର୍ମସ ବା ରାଜକୋଷୀୟ ଶୃଙ୍ଖଳା”। ସିଧା କଥାରେ କହିଲେ, ସରକାରୀ ଖର୍ଚ୍ଚ କମାଅ ଏବଂ ନୂତନ ସରକାରୀ ନିଯୁକ୍ତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଅ! ଅର୍ଥାତ୍ ବେସ ଲେବୁଲର ସମସ୍ତ ପଦବୀ ଉଚ୍ଛେଦ କର ଏବଂ ନୂଆ ପଦବୀ ସୃଷ୍ଟି ଉପରେ କଟକଣା ଲାଗିଲା।
ସରକାର ଋଣ ତ ନେଇଗଲେ, କିନ୍ତୁ ଏହି କୁଠାରଘାତ କାହା ଉପରେ ପଡ଼ିଲା? ନା କୌଣସି ମନ୍ତ୍ରୀଙ୍କ ଭତ୍ତା ଉପରେ, ନା ପ୍ରଶାସନିକ ବାବୁମାନଙ୍କ ସୁବିଧା ଉପରେ। ଏହାର ସିଧାସଳଖ ଶିକାର ହେଲା ଆମ ସାଧାରଣ ପିଲାଙ୍କ ଭବିଷ୍ୟତ— ‘ଶିକ୍ଷା ବିଭାଗ’!
ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରି କଲେଜ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ନିୟମିତ ଶିକ୍ଷକ ନିଯୁକ୍ତି ବନ୍ଦ ହୋଇଗଲା। ତା’ ବଦଳରେ ସୃଷ୍ଟି କରାଗଲା ଏକ ଶୋଷଣକାରୀ ବ୍ୟବସ୍ଥା— ଯାହାର ନାମ ରଖାଗଲା ‘ଶିକ୍ଷା ସହାୟକ’, ‘ଚୁକ୍ତିଭିତ୍ତିକ ଅଧ୍ୟାପକ’ ବା ‘ଗେଷ୍ଟ ଫ୍ୟାକଲ୍ଟି’। ଅବସର ନେଉଥିବା ପ୍ରଫେସରମାନଙ୍କ ସ୍ଥାନ ଖାଲି ପଡ଼ିରହିଲା, କିନ୍ତୁ ବର୍ଷ ବର୍ଷ ଧରି ଓଡ଼ିଶା ଲୋକସେବା ଆୟୋଗ (OPSC) କିମ୍ବା SSB ମାଧ୍ୟମରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଠପ୍ ହୋଇଗଲା।
ଗୋଟିଏ ପିଢ଼ିକୁ ଆମେ ଶିକ୍ଷା ଦେବା ନାଁରେ କେବଳ ବିଲ୍ଡିଂ ଛିଡ଼ା କରିଦେଲୁ, କିନ୍ତୁ ଭିତରେ ମଣିଷ ଗଢ଼ିବା ପାଇଁ ମାଷ୍ଟର ରଖିଲୁ ନାହିଁ!
ବର୍ତ୍ତମାନର ଭୟାନକ ଚିତ୍ର — ରାଜଧାନୀରୁ ଗ୍ରାମାଞ୍ଚଳ
ଏବେ ଆସନ୍ତୁ ଆଜିର ପରିସ୍ଥିତିକୁ ବିଶ୍ଳେଷଣ କରିବା। ଗତ ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ଅବହେଳାର ଫଳାଫଳ ଆଜି କେଉଁଠି ପହଞ୍ଚିଛି?
ଆଜି ଆପଣ ଭୁବନେଶ୍ୱରର ବିଜେବି କଲେଜ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରାଜଧାନୀ କଲେଜ କିମ୍ବା କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନକୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ଯେଉଁ ପ୍ରଶାସନିକ ଓ ଏକାଡେମିକ୍ ବିକଳ ଚିତ୍ର ଦେଖିବାକୁ ମିଳିବ, ତାହା ଶିକ୍ଷାପ୍ରେମୀଙ୍କ ଆଖିରେ ଲୁହ ଆଣିଦେବ।
ବିଭାଗ ଅଛି, କିନ୍ତୁ ପ୍ରଫେସର ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଫିଜିକ୍ସ ଡିପାର୍ଟମେଣ୍ଟକୁ ଚଳାଇବା ପାଇଁ ସ୍ଥାୟୀ ପ୍ରଫେସର ନଥିବାରୁ, କଲେଜ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଇକୋନୋମିକ୍ସ କିମ୍ବା ଅନ୍ୟ କୌଣସି ଅଣ-ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକଙ୍କୁ ସେହି ବିଭାଗର ମୁଖ୍ୟ ବା HOD ଦାୟିତ୍ୱ ଦେଉଛନ୍ତି। କମର୍ସ ଡିପାର୍ଟମେଣ୍ଟ ସମ୍ଭାଳୁଛନ୍ତି ଆର୍ଟସର ଅଧ୍ୟାପକ!
ଥରେ ଭାବନ୍ତୁ ତ! ଜଣେ ଅର୍ଥନୀତିର ଶିକ୍ଷକ କିପରି ଫିଜିକ୍ସ ଲାବୋରେଟୋରୀର ଆବଶ୍ୟକତା ବୁଝିବେ? କିପରି କ୍ୱାଣ୍ଟମ ମେକାନିକ୍ସ ବା ନ୍ୟୁକ୍ଲିୟର ଫିଜିକ୍ସର ପାଠ୍ୟକ୍ରମ ଏବଂ ରିସର୍ଚ୍ଚ ପ୍ରୋଜେକ୍ଟକୁ ଗାଇଡ୍ କରିବେ? ଏହା କ’ଣ ଉଚ୍ଚଶିକ୍ଷା ସହିତ ଏକ ନିର୍ଦ୍ଦୟ ଉପହାସ ନୁହେଁ କି?
ଆଉ ଗ୍ରାମାଞ୍ଚଳ କଥା ନ କହିବା ଭଲ। ଆପଣମାନେ ଗାଁ ଗହଳିର ଡିଗ୍ରୀ କଲେଜଗୁଡ଼ିକୁ ଯାଆନ୍ତୁ। ସେଠାରେ ତିନି ବର୍ଷର ଅନର୍ସ ଡିଗ୍ରୀ ଚାଲିଛି କେବଳ ଜଣେ କିମ୍ବା ଦୁଇଜଣ ଅତିଥି ଅଧ୍ୟାପକ ବା ଗେଷ୍ଟ ଫ୍ୟାକଲ୍ଟିଙ୍କ ଭରସାରେ। ସେହି ଅତିଥି ଅଧ୍ୟାପକମାନଙ୍କୁ କେତେ ଟଙ୍କା ଦିଆଯାଉଛି? କ୍ଲାସ ପିଛା ମାତ୍ର ୩୦୦ ରୁ ୫୦୦ ଟଙ୍କା, କିମ୍ବା ମାସକୁ ସର୍ବାଧିକ ୨୫ହଜାର ଟଙ୍କା। ଯେଉଁ ଶିକ୍ଷକ ନିଜର ଆସନ୍ତାକାଲିର ଭବିଷ୍ୟତ ପାଇଁ ଅନିଶ୍ଚିତତାରେ ଜୀବନ କାଟୁଛି, ଯିଏ ନିଜ ପରିବାର ଚଳାଇବା ପାଇଁ ଚିନ୍ତିତ, ସେ ଶ୍ରେଣୀଗୃହ ଭିତରେ ଛାତ୍ରଛାତ୍ରୀଙ୍କୁ କେଉଁ ମାନର ଉଚ୍ଚକୋଟୀର ଶିକ୍ଷା ପ୍ରଦାନ କରିବ?
ସ୍ଥାୟୀ ପ୍ରଫେସର ନାହାନ୍ତି, ଆସୋସିଏଟ୍ ପ୍ରଫେସର ନାହାନ୍ତି, ଗବେଷଣା ପାଇଁ ପାଣ୍ଠି ନାହିଁ। ଆମ ରାଜ୍ୟର କଲେଜଗୁଡ଼ିକ କେବଳ ସାର୍ଟିଫିକେଟ୍ ବାଣ୍ଟୁଥିବା ଗୋଟିଏ ଗୋଟିଏ କାରଖାନା ପାଲଟି ଯାଇଛନ୍ତି।
ଜାତୀୟ ସ୍ତରରେ ପଛୁଆ ଓଡ଼ିଆ ଛାତ୍ରଛାତ୍ରୀ
ଏହି ଅବସ୍ଥାର ସବୁଠାରୁ କରୁଣ ପରିଣତି କାହାକୁ ଭୋଗିବାକୁ ପଡୁଛି? ଆମ ଘରର ପିଲାମାନଙ୍କୁ, ଆମର ଭାଇଭଉଣୀମାନଙ୍କୁ!
ଆଜି ସାରାଦେଶ ଏକ ପ୍ରତିଯୋଗିତାମୂଳକ ଯୁଗରେ ପହଞ୍ଚିଛି। ଯେତେବେଳେ ଓଡ଼ିଶାର ଜଣେ ଛାତ୍ର ସ୍ନାତକ ପାସ୍ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, କିମ୍ବା ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିର ପିଲାଙ୍କ ସହିତ ପ୍ରତିଯୋଗିତା କରେ, ସେତେବେଳେ ସେ ନିଜକୁ ଅସହାୟ ବୋଧ କରେ।
ସର୍ବଭାରତୀୟ ସ୍ତରର ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା ହେଉ, ଆଇଆଇଟି-ଜାମ ହେଉ, ଗେଟ୍ ହେଉ କିମ୍ବା ୟୁଜିସି-ନେଟ୍ ପରୀକ୍ଷା ହେଉ— ଓଡ଼ିଶାର ସାଧାରଣ ସରକାରୀ କଲେଜରେ ପଢୁଥିବା ପିଲାମାନେ ସେହି ମାନଦଣ୍ଡରେ ପହଞ୍ଚିପାରୁ ନାହାନ୍ତି। କାରଣ ଅନ୍ୟ ରାଜ୍ୟରେ ଯେଉଁଠି ସିଲାବସ୍ ପ୍ରତିବର୍ଷ ଅପଡେଟ୍ ହେଉଛି, ଯେଉଁଠି ବିଶ୍ୱସ୍ତରୀୟ ଗବେଷଣାଗାର ଏବଂ ସ୍ଥାୟୀ ଅଧ୍ୟାପକମାନେ ଛାତ୍ରଙ୍କୁ ମାର୍ଗଦର୍ଶନ କରୁଛନ୍ତି, ଆମ ରାଜ୍ୟରେ ପିଲାମାନେ ବର୍ଷ ବର୍ଷ ଧରି ସେହି ପୁରୁଣା ନୋଟ୍ ଘୋଷି ପରୀକ୍ଷା ଦେଉଛନ୍ତି।
ଜଣେ ଗରିବ କିମ୍ବା ମଧ୍ୟବିତ୍ତ ବାପାମା’ ନିଜ ରକ୍ତଝାଳ ଏକାଠି କରି ପିଲାକୁ ସରକାରୀ କଲେଜରେ ପଢ଼ାଉଛନ୍ତି ଏହି ଆଶାରେ ଯେ ସରକାରୀ ଶିକ୍ଷା ବ୍ୟବସ୍ଥା ତାଙ୍କ ପିଲାକୁ ନିଷ୍ଠାପର ଭାବେ ଗଢ଼ି ତୋଳିବ। କିନ୍ତୁ ବାସ୍ତବତା କ’ଣ? ସେହି ସରକାରୀ କଲେଜରେ କ୍ଲାସ୍ ନ ହେବା କାରଣରୁ ପିଲାଟିକୁ ପୁଣି ଘରୋଇ କୋଚିଂ ସେଣ୍ଟର ବା ଟ୍ୟୁସନ ଉପରେ ନିର୍ଭର କରିବାକୁ ପଡ଼ୁଛି। ଯାହା ପାଖରେ ଟଙ୍କା ଅଛି, ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୋଇ ବିଶ୍ୱବିଦ୍ୟାଳୟକୁ ଚାଲିଯାଉଛି। କିନ୍ତୁ ଯାହା ପାଖରେ ସମ୍ବଳ ନାହିଁ, ସେହି ଗରିବ ମେଧାବୀ ପିଲାର ପ୍ରତିଭା କଲେଜର ଅନ୍ଧାରିଆ କ୍ଲାସରୁମ୍ ଭିତରେ ହିଁ ଧୂଳିସାତ୍ ହୋଇଯାଉଛି।
ନୂଆ ସରକାରଙ୍କ ୨୬ ମାସ — ପରିବର୍ତ୍ତନ କାହିଁ?
ଏବେ ଆସିବା ରାଜନୈତିକ ଉତ୍ତରଦାୟିତ୍ୱ ଉପରକୁ।
ଗତ ନିର୍ବାଚନରେ ଓଡ଼ିଶାରେ ଐତିହାସିକ ପରିବର୍ତ୍ତନ ହେଲା। ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ କରି ଓଡ଼ିଶାବାସୀ ବିଜେପି ହାତକୁ ଶାସନ କ୍ଷମତା ଟେକିଦେଲେ। ଲୋକେ ଆଶା କରିଥିଲେ— ଡବଲ ଇଞ୍ଜିନ ସରକାର ଆସିବ, ଶିକ୍ଷା ବ୍ୟବସ୍ଥାର ଚେହେରା ବଦଳିବ, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ ହେବ।
ହଁ, ଏ କଥା ସତ ଯେ ବିଜେପି ସରକାରଙ୍କୁ ଏହି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିଜେଡିଠାରୁ ଉତ୍ତରାଧିକାରୀ ସୂତ୍ରରେ ହିଁ ମିଳିଛି। ୨୪ ବର୍ଷର ଜମାଟ ବାନ୍ଧିଥିବା ଅଳିଆକୁ ଗୋଟିଏ ରାତିରେ ସଫା କରାଯାଇ ପାରିବ ନାହିଁ। କିନ୍ତୁ ପ୍ରଶ୍ନ ହେଉଛି— ନୂଆ ସରକାର ଗଠନ ହେବାର ବିଗତ ୨୬ ମାସ ମଧ୍ୟରେ କ’ଣ ଗୋଟିଏ ବି ଠୋସ୍ ପଦକ୍ଷେପ ନିଆଯାଇଛି?
ବିଗତ ୨୬ ମାସରେ ଉଚ୍ଚଶିକ୍ଷା ବିଭାଗ କିମ୍ବା ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ଦେଖିଲେ କ’ଣ ଲାଗୁଛି ଯେ ଏହି ଗୁରୁତର ସଙ୍କଟ ଦୂର କରିବାକୁ ସରକାରଙ୍କ ପାଖରେ କୌଣସି ସ୍ପଷ୍ଟ ‘ରୋଡମ୍ୟାପ୍’ ଅଛି? କଲେଜଗୁଡ଼ିକରେ ପ୍ରଫେସର ପଦବୀ ପୂରଣ ପାଇଁ କୌଣସି ‘ସ୍ପେଶାଲ ଡ୍ରାଇଭ୍’ ବା ଜରୁରୀକାଳୀନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲା କି? ଉତ୍ତର ହେଉଛି— ନା! ଠିକା ଅଧ୍ୟାପକମାନଙ୍କୁ ସ୍ଥାୟୀ କରିବା କିମ୍ବା ନୂଆ ନିୟମିତ ପ୍ରଫେସର ନିଯୁକ୍ତି ଦେବା ନେଇ କୌଣସି ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଦେଖିବାକୁ ମିଳୁନାହିଁ। ଶିକ୍ଷା ବିଭାଗ ଆଜି ବି ସେହି ପୁରୁଣା ଫାଇଲ୍ ଚଷା ଏବଂ ନିର୍ଦ୍ଦେଶନାମା ଭିତରେ ହିଁ ଛନ୍ଦି ହୋଇ ରହିଛି।
ଆଉ ଏହାଠାରୁ ବଡ଼ ଦୁର୍ଭାଗ୍ୟର କଥା କ’ଣ ଜାଣନ୍ତି?
ଛାତ୍ର ସଂସଦ ନିର୍ବାଚନ!
ବିଜେଡି ଶାସନ କାଳରେ ହିଂସା ଏବଂ ଅଶାନ୍ତିର ଆଳ ଦେଖାଇ ବର୍ଷ ବର୍ଷ ଧରି କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ରଖାଯାଇଥିଲା। ବିଜେପି ଯେତେବେଳେ ବିରୋଧୀ ଦଳରେ ଥିଲା, ସେତେବେଳେ ବିଜେପି ନେତାମାନେ ଗଳା ଫଟାଇ ଦାବି କରୁଥିଲେ ଯେ— “କ୍ୟାମ୍ପସରେ ଗଣତନ୍ତ୍ରର ହତ୍ୟା ହେଉଛି, ଆମେ କ୍ଷମତାକୁ ଆସିଲେ ପ୍ରଥମେ ଛାତ୍ର ସଂସଦ ନିର୍ବାଚନ କରାଇବୁ।”
ହେଲେ ବାସ୍ତବତା କ’ଣ? ଆଜି ବିଜେପି ଶାସନକୁ ଆସିବା ପରେ ତୃତୀୟ ବର୍ଷ ପାଇଁ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାର ସ୍ପଷ୍ଟ ସଙ୍କେତ ମିଳୁଛି।
ପ୍ରଶ୍ନ ଉଠୁଛି— କ୍ୟାମ୍ପସ ନିର୍ବାଚନକୁ ସରକାର ଡରୁଛନ୍ତି କାହିଁକି?
କାରଣ ସରକାର ଜାଣନ୍ତି, ଯଦି କଲେଜରେ ଛାତ୍ର ସଂସଦ ହେବ, ତେବେ ଛାତ୍ର ନେତାମାନେ ପ୍ରଶ୍ନ ପଚାରିବେ। ସେମାନେ ଦାବି କରିବେ— “ଆମ କଲେଜରେ ପ୍ରଫେସର କାହାନ୍ତି? ଆମ ଲାବୋରେଟୋରୀରେ ଉପକରଣ କାହିଁ? ଆମ ଲାଇବ୍ରେରୀରେ ବହି କାହିଁ?” ଛାତ୍ରମାନଙ୍କ ଏହି ଗଣତାନ୍ତ୍ରିକ ସ୍ୱରକୁ ଚପାଇ ରଖିବା ପାଇଁ ହିଁ କ’ଣ ନିର୍ବାଚନ ବନ୍ଦ ରଖାଯାଉଛି?
ସମାଧାନର ଆହ୍ୱାନ
ଦର୍ଶକବନ୍ଧୁ, ରାଜନୀତି ନିଜ ଜାଗାରେ ଚାଲିବ, ଭୋଟ୍ ଆସିବ ଏବଂ ଯିବ। ସରକାର ବଦଳିବେ, ମନ୍ତ୍ରୀ ବଦଳିବେ। କିନ୍ତୁ ଗୋଟିଏ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଯଦି ଥରେ ପଙ୍ଗୁ ହୋଇଯାଏ, ତେବେ ଆଗାମୀ ତିନୋଟି ପିଢ଼ି ଅନ୍ଧାର ଭିତରକୁ ଠେଲି ହୋଇଯାଆନ୍ତି।
ଆଜି ସମୟ ଆସିଛି, ସରକାର ଦୋଷ ଲଦାଲଦି ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠନ୍ତୁ। ‘ବିଜେଡି ୨୪ ବର୍ଷରେ କିଛି କଲାନି’ ବୋଲି କହି ବିଜେପି ନିଜ ଦାୟିତ୍ୱରୁ ଖସି ଯାଇପାରିବ ନାହିଁ। କାରଣ ଲୋକେ ଆପଣଙ୍କୁ ପରିବର୍ତ୍ତନ ପାଇଁ ଜନାଦେଶ ଦେଇଛନ୍ତି, ପୂର୍ବ ସରକାରଙ୍କ ଭୁଲର ବାହାନା ଶୁଣିବା ପାଇଁ ନୁହେଁ।
ଯଦି ଓଡ଼ିଶାର ଭବିଷ୍ୟତକୁ ବଞ୍ଚାଇବାକୁ ହେବ, ତେବେ ସରକାରଙ୍କୁ ତୁରନ୍ତ ତିନିଟି ବଡ଼ ପଦକ୍ଷେପ ନେବାକୁ ପଡ଼ିବ:
- ଜରୁରୀକାଳୀନ ଭିତ୍ତିରେ ନିୟମିତ ପ୍ରଫେସର ଓ ଅଧ୍ୟାପକ ନିଯୁକ୍ତି କରାଯାଉ। OPSC ଓ SSB ମାଧ୍ୟମରେ ସ୍ୱଚ୍ଛ ଭାବେ ଖାଲି ପଦବୀ ତୁରନ୍ତ ପୂରଣ ହେଉ।
- ବର୍ଷ ବର୍ଷ ଧରି ଅଳ୍ପ ବେତନରେ ଖଟୁଥିବା ଯୋଗ୍ୟ ଅତିଥି ଅଧ୍ୟାପକମାନଙ୍କୁ ଉପଯୁକ୍ତ ସମ୍ମାନ ଓ ଚାକିରି ସୁରକ୍ଷା ମିଳୁ।
- କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ଛାତ୍ର ସଂସଦ ନିର୍ବାଚନ ପୁନର୍ବାର ଆରମ୍ଭ କରାଯାଉ, ଯାହାଫଳରେ କ୍ୟାମ୍ପସରେ ଗଣତନ୍ତ୍ର ଓ ନେତୃତ୍ୱ ବଞ୍ଚି ରହିବ।
ନଚେତ୍ ଇତିହାସ ଲେଖିବ— କେବଳ ଋଣ ଶୁଝିବାକୁ ଯାଇ ଏକଦା ଏ ରାଜ୍ୟ ନିଜ ପିଲାମାନଙ୍କ ଭବିଷ୍ୟତକୁ ବନ୍ଧା ପକାଇ ଦେଇଥିଲା, ଆଉ ନୂଆ ସରକାର ମଧ୍ୟ ତାହାକୁ ମୁକୁଳାଇବା ପାଇଁ ସାହସ ଜୁଟାଇ ପାରିଲେ ନାହିଁ।
Also read : https://purvapaksa.com/great-rebellion-in-cjp-manish-brahmabhatt-forms-cjp-d/


