ଗତ କିଛି ଦିନ ହେବ ସୋସିଆଲ ମିଡିଆରୁ ଆରମ୍ଭ କରି ଟିଭି ଚ୍ୟାନେଲ ପର୍ଯ୍ୟନ୍ତ ଗୋଟିଏ କଥାକୁ ନେଇ ଭାରି ହଟଚମଟ ଚାଲିଛି। କୁହାଯାଉଛି କି ରାହୁଲ ଗାନ୍ଧୀ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି! ରାହୁଲ ଗାନ୍ଧୀ ଏବେ ସାରା କଂଗ୍ରେସ ପାର୍ଟିର ବୋଝ ନିଜ କାନ୍ଧକୁ ନେଇଯାଇଛନ୍ତି। ସେ କୁଆଡ଼େ ଦଳର ସବୁ ବଡ଼ ନେତାଙ୍କ ଭବିଷ୍ୟତ ଲେଖୁଛନ୍ତି, କଂଗ୍ରେସକୁ ଉପରୁ ତଳ ଯାଏଁ ସଂସ୍କାର କରୁଛନ୍ତି, ଏବଂ ୨୦୨୯ ଲୋକସଭା ନିର୍ବାଚନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି।
ଏପରିକି ରାଜନୈତିକ ପଣ୍ଡିତମାନେ ଦାବି କରୁଛନ୍ତି ଯେ, କେରଳରେ ବି. ଡି. ସତୀଶନଙ୍କୁ ମୁଖ୍ୟମନ୍ତ୍ରୀ କରିବା ହେଉ କିମ୍ବା କର୍ଣ୍ଣାଟକରେ ସିଦ୍ଧରମୈୟାଙ୍କୁ ହଟାଇ ଡି. କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେୟାରରେ ବସାଇବା— ଏସବୁ କୁଆଡ଼େ ରାହୁଲ ଗାନ୍ଧୀଙ୍କ ଇସାରାରେ ହିଁ ହୋଇଛି!
ଏବେ ପରିସ୍ଥିତି ଏମିତି ହେଲାଣି ଯେ, ଯଦି କଂଗ୍ରେସର ମୁଖ୍ୟାଳୟ ଇନ୍ଦିରା ଭବନରେ ଗୋଟିଏ କଫି ମେସିନ୍ ମଧ୍ୟ ବଦଳିଯାଏ, ତେବେ ରାହୁଲଙ୍କ ଚାଟୁକାରମାନେ କହିବେ— “ଏହା ହେଉଛି ରାହୁଲ ଗାନ୍ଧୀଙ୍କ ଦୂରଦୃଷ୍ଟି ବା ଭିଜନ୍!” କିନ୍ତୁ ପ୍ରକୃତ ସତ୍ୟ କଣ? ଆଜି ଆମେ ଏହି ‘ରାହୁଲ ଗାନ୍ଧୀ ରି-ବ୍ରାଣ୍ଡିଂ’ ର ପଛର ଅସଲ କାହାଣୀ ସାମ୍ନାକୁ ଆଣିବୁ।
ଆଜି ଯେଉଁ ଇକୋସିଷ୍ଟମ ରାହୁଲ ଗାନ୍ଧୀଙ୍କୁ ଜବରଦସ୍ତ ହିରୋ ବନାଇବାକୁ ଚେଷ୍ଟା କରୁଛି, ସେମାନେ ବୋଧହୁଏ ଗୋଟିଏ ବଡ଼ ସତ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ବାସ୍ତବତା ହେଉଛି, ରାହୁଲ ଗାନ୍ଧୀ ହେଉଛନ୍ତି ଭାରତୀୟ ରାଜନୀତି ଇତିହାସରେ ସବୁଠାରୁ ଅଧିକ ନିର୍ବାଚନ ହାରିଥିବା ନେତା! ନିଜର ପ୍ରାୟ ୨୨ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ସେ ପ୍ରାୟ ୯୯ଟି ନିର୍ବାଚନ ହାରିସାରିଛନ୍ତି। ଅର୍ଥାତ୍ ବର୍ଷକୁ ହାରାହାରି ପାଞ୍ଚଟି ନିର୍ବାଚନ ସେ ହାରୁଛନ୍ତି!
ତାଙ୍କରି ନେତୃତ୍ୱରେ ଗତ ୨୨ ବର୍ଷ ଭିତରେ କଂଗ୍ରେସର ସଂଗଠନ ପୂରା ଦେଶରୁ ଉଭେଇ ଯାଇଛି। ଆଜି ସାରାଦେଶରେ କଂଗ୍ରେସ ପାଖରେ କୌଣସି ବଡ଼ ଗଣନେତା ବା ‘ମାସ୍ ଲିଡର’ (Mass Leader) ବଞ୍ଚିନାହାନ୍ତି।
ଉତ୍ତରପ୍ରଦେଶରେ କଂଗ୍ରେସ ସମ୍ପୂର୍ଣ୍ଣ ଶେଷ, ଆମେଠିରୁ ଜିତିଥିବା ଶର୍ମାଜୀ ଏବେ ବି ବିଶ୍ୱାସ କରିପାରୁନାହାନ୍ତି କି ସେ ସତରେ ସାଂସଦ ହୋଇଛନ୍ତି! ହରିଆଣାରେ ଭୂପିନ୍ଦର ସିଂ ହୁଡ୍ଡା କେବଳ ଜାଟ୍ମାନଙ୍କ ନେତା ହୋଇ ରହିଯାଇଛନ୍ତି।
ରାଜସ୍ଥାନରେ ଗେହଲଟଙ୍କ ଯାଦୁ ଚାଲୁନି କି ସଚିନ ପାଇଲଟଙ୍କୁ ଉଡ଼ିବାକୁ ସୁଯୋଗ ମିଳୁନି। ମଧ୍ୟପ୍ରଦେଶରେ କମଲନାଥ ଓ ଦିଗ୍ବିଜୟ ସିଂ କୋଣଠେସା ହୋଇଛନ୍ତି। ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ଝାଡ଼ଖଣ୍ଡ— ସବୁଠି କଂଗ୍ରେସରେ ନେତାଙ୍କ ଅକାଳ ପଡ଼ିଛି।
ସେହି ଦାବିର ସତ୍ୟତା, ଯାହାକୁ ନେଇ ସୋସିଆଲ ମିଡିଆର କଂଗ୍ରେସ ବିଶ୍ଳେଷକମାନେ ରାହୁଲଙ୍କ ଜୟଗାନ କରୁଛନ୍ତି। କୁହାଗଲା ରାହୁଲ ଗାନ୍ଧୀ କେରଳରେ ବି. ଡି. ସତୀଶନଙ୍କୁ ମୁଖ୍ୟମନ୍ତ୍ରୀ କଲେ।
କିନ୍ତୁ ଭିତର କଥା ଜାଣନ୍ତି? ବରିଷ୍ଠ ସାମ୍ବାଦିକଙ୍କ ଅନୁଯାୟୀ, ରାହୁଲ ଗାନ୍ଧୀ ନିଜର ଅତି ପ୍ରିୟ କେ. ସି. ବେଣୁଗୋପାଳଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ! କିନ୍ତୁ ସେଠାକାର ସହଯୋଗୀ ଦଳ IUML (ମୁସଲିମ୍ ଲିଗ୍) ଏବଂ ସତୀଶନଙ୍କ ସମର୍ଥକମାନେ ଖୋଲା ଧମକ ଦେଇଥିଲେ ଯେ— “ଯଦି ସତୀଶନଙ୍କୁ ମୁଖ୍ୟମନ୍ତ୍ରୀ କରାନଯାଏ, ତେବେ ୱାୟନାଡ୍କୁ ଆମେ ଆମେଠି ବନାଇଦେବୁ”! ଅର୍ଥାତ୍ ରାହୁଲ ଗାନ୍ଧୀଙ୍କୁ ୱାୟନାଡ୍ରୁ ହରାଇ ଦିଆଯିବ। ଏହି ଭୟ ଏବେ ବାଧ୍ୟବାଧକତାରେ ରାହୁଲ ଗାନ୍ଧୀ ସତୀଶନଙ୍କ ନାଁରେ ମୋହର ମାରିଥିଲେ, ଯାହାକୁ ଏବେ ତାଙ୍କର ମାଷ୍ଟରଷ୍ଟ୍ରୋକ କୁହାଯାଉଛି!
ସେହିପରି କର୍ଣ୍ଣାଟକ କଥା ଦେଖନ୍ତୁ। ଦାବି ହେଉଛି ରାହୁଲ ଗାନ୍ଧୀ ଡି. କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କଲେ। କିନ୍ତୁ ରିପୋର୍ଟ କହୁଛି, ଡି. କେ. ଶିବକୁମାରଙ୍କୁ ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ୩ ବର୍ଷ ଯାଏଁ କରାଗଲାନି। ଶେଷରେ ଯେତେବେଳେ ଡି. କେ. ଶିବକୁମାର ପାର୍ଟି ଭାଙ୍ଗିବାର ଖୋଲା ଚେତାବନୀ ଦେଲେ, ସେତେବେଳେ ପ୍ରିୟଙ୍କା ଗାନ୍ଧୀ ବାଧ୍ୟ ହୋଇ ସୋନିଆ ଓ ରାହୁଲଙ୍କୁ ବୁଝାଇ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ। ଏଥିରେ ରାହୁଲଙ୍କ ନିଜସ୍ୱ ଚମତ୍କାରିତା କେଉଁଠି ଥିଲା?
ଆଉ ଗୋଟିଏ କଥା, କୁହାଯାଉଛି କି କେରଳ କିମ୍ବା କର୍ଣ୍ଣାଟକ ନିର୍ବାଚନ କଣ ରାହୁଲ ଗାନ୍ଧୀଙ୍କ ପାଇଁ କଂଗ୍ରେସ ଜିତିଥିଲା? ବିଲକୁଲ୍ ନୁହେଁ। କେରଳରେ ବାମପନ୍ଥୀ ସରକାର ବିରୋଧରେ ଲୋକଙ୍କ ଆକ୍ରୋଶ (Anti-incumbency) ଥିଲା ଏବଂ କର୍ଣ୍ଣାଟକରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ପରମ୍ପରା ରହିଛି, ତେଣୁ କଂଗ୍ରେସ ଜିତିଲା। ରାହୁଲ ଗାନ୍ଧୀ ନିଜ ଦମରେ ଆଜି ପର୍ଯ୍ୟନ୍ତ କଂଗ୍ରେସକୁ କୌଣସି ଗୋଟିଏ ବି ବଡ଼ ନିର୍ବାଚନ ଜିତାଇ ପାରିନାହାନ୍ତି!
ତାହାଲେ ଏହି ସବୁ ନେରେଟିଭ୍ ବା ପ୍ରଚାର କାହିଁକି କରାଯାଉଛି? ପ୍ରକୃତ କଥା ହେଉଛି— ରାହୁଲ ଗାନ୍ଧୀଙ୍କର ପୁଣିଥରେ ଏକ ‘ସଫ୍ଟ ଲଞ୍ଚିଂ’ ବା ‘ରି-ଲଞ୍ଚିଂ’ କରାଯାଉଛି! ୨୦୦୮ ମସିହାରୁ ଆରମ୍ଭ କରି ୨୦୧୯ ଏବଂ ଏବେ ୨୦୨୬ ପର୍ଯ୍ୟନ୍ତ, ପ୍ରତି ଦୁଇ-ତିନି ବର୍ଷରେ କଂଗ୍ରେସର ଇକୋସିଷ୍ଟମ ଏଭଳି ପ୍ରଚାର କରେ ଯେ— “ଏବେ ରାହୁଲ ଗାନ୍ଧୀ ବଦଳି ଯାଇଛନ୍ତି, ସେ ଏବେ ଅସଲି ନେତା ବନିଯାଇଛନ୍ତି”। କିନ୍ତୁ ପ୍ରଶ୍ନ ଉଠୁଛି, ଜଣେ ନେତା ଜୀବନରେ କେତେଥର ଲଞ୍ଚ୍ ହେବେ?
ହିନ୍ଦୀରେ ଗୋଟିଏ ଢଗ ଅଛି— “ବକରେ କି ମାଁ କବ୍ ତକ୍ ଖୈର୍ ମନାଏଗୀ”। ଅର୍ଥାତ୍ ଯାହା ସତ୍ୟ, ତାହା ଦିନେ ନା ଦିନେ ସାମ୍ନାକୁ ଆସିବ ହିଁ ଆସିବ। କଂଗ୍ରେସ ଯେତେ ବି ମେକଅପ୍ କିମ୍ବା ଲଞ୍ଚିଂ ନ କରୁ କାହିଁକି, ଜଣେ ନେତାଙ୍କ ପ୍ରକୃତ ବ୍ୟକ୍ତିତ୍ୱ ଜନସାଧାରଣଙ୍କ ସାମ୍ନାରୁ କେବେ ଲୁଚି ରହିପାରିବ ନାହିଁ।


