ଓଡ଼ିଶା ରାଜନୀତିର ସେହି ରହସ୍ୟମୟ ଅଧ୍ୟାୟ, ଯାହା ବାହାରକୁ ଯେତିକି ଶାନ୍ତ ଦେଖାଯାଉଛି, ଭିତରେ ସେତିକି ଭୟଙ୍କର ନିଆଁ ଜଳୁଛି। ବିଶ୍ୱ ରାଜନୀତିରେ ଆମେ ଦେଖୁଛୁ ଆମେରିକା-ଇରାନ କିମ୍ବା ରୁଷ-ୟୁକ୍ରେନ ଭିତରେ ଯୁଦ୍ଧ। କିନ୍ତୁ ଓଡ଼ିଶାର ଶାସକ ଦଳ ଭିତରେ ଏବେ ଏମିତି ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି, ଯାହାକୁ ରାଜନୈତିକ ସମୀକ୍ଷକମାନେ ଏକ ପ୍ରକାରର ଅଘୋଷିତ ଶୀତଳ ଯୁଦ୍ଧ (Cold War) ବୋଲି କହୁଛନ୍ତି।
ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଏହା ହେଉଛି ପ୍ରଥମ ସରକାର। ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି ଓଡ଼ିଶା ଗାଦିରେ ବସିଛି। ଜନତା ବହୁତ ଆଶା ଏବଂ ବିଶ୍ୱାସର ସହ ଦଳକୁ କ୍ଷମତା ଦେଇଛନ୍ତି। କିନ୍ତୁ ସରକାର ଗଠନର ମାତ୍ର କିଛି ମାସ ଭିତରେ ଦଳର ଶୀର୍ଷ ନେତା ଏବଂ କର୍ମୀଙ୍କ ମଧ୍ୟରେ ଯେଉଁ ଦୂରତା ଓ ମନୋମାଳିନ୍ୟ ଦେଖାଦେଇଛି, ତାହା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି।
ଏହି ତିକ୍ତତାର ପ୍ରଥମ ବଡ଼ ଝଲକ କେଉଁଠି ଦେଖିବାକୁ ମିଳିଥିଲା ଜାଣନ୍ତି? ଗତ ରଥଯାତ୍ରା ସମୟରେ। ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗଲେ, ପୂଜ୍ୟ ଶଙ୍କରାର୍ଯ୍ୟଙ୍କୁ ଦଣ୍ଡବତ ପ୍ରଣାମ କଲେ। କିନ୍ତୁ ସେହି ସମୟରେ ରଥଯାତ୍ରା ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ସହ କିଛି ନିର୍ଦ୍ଦିଷ୍ଟ ମନ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେଠାରେ ଦେଖିବାକୁ ମିଳିଲା ଏକ ଅଦ୍ଭୁତ ଦୃଶ୍ୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଭିତରେ ସାଧାରଣ ସୌଜନ୍ୟମୂଳକ କଥାବାର୍ତ୍ତା କିମ୍ବା ଭାବ ବିନିମୟ ମଧ୍ୟ ଦେଖିବାକୁ ମିଳିଲାନି। ରଥଟଣା ସରିବା ପୂର୍ବରୁ ହିଁ ନେତାମାନେ ନିଜ ନିଜ ବାଟରେ ଚାଲିଗଲେ। ଏହି ଘଟଣା ସ୍ପଷ୍ଟ ସଙ୍କେତ ଦେଇଥିଲା ଯେ ଓଡ଼ିଶା ବିଜେପିର ସବୁ କିଛି ଠିକ୍ ଚାଲିନାହିଁ।
ଆସନ୍ତୁ ଫ୍ଲାସବ୍ୟାକକୁ ଯିବା। ୨୦୨୪ ଜୁନ୍ ମାସରେ ଯେତେବେଳେ କେନ୍ଦୁଝରର ଚାରି ଚାରି ଥରର ଆଦିବାସୀ ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଗଲା, ସେତେବେଳେ ସାରା ଓଡ଼ିଶାରେ ରାଜନୈତିକ ଚହଳ ପଡ଼ିଥିଲା। ତାଙ୍କ ସହ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କେ.ଭି. ସିଂହଦେଓ ମଧ୍ୟ ଦାୟିତ୍ୱ ନେଲେ। ସେତେବେଳେ ରାଜନୈତିକ ମହଲରେ ଏକ ଚର୍ଚ୍ଚା ଜୋର ଧରିଥିଲା ଯେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଡ଼ ଅନୁଗ୍ରହ ବା ସୌଜନ୍ୟ ରହିଛି।
ସେଥିପାଇଁ ସରକାର ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମାର୍ଗଦର୍ଶକ ଭାବେ ଗୋଲକ ମହାପାତ୍ର ଏବଂ ପଲିଟିକାଲ ସେକ୍ରେଟାରୀ ଭାବେ ରଣଜୀତ ସିଂହ ଠାକୁରଙ୍କ ଭଳି ନେତାଙ୍କୁ ସ୍ଥାନ ଦିଆଯାଇଥିଲା, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗାମୀ ଭାବେ ଜଣାଶୁଣା। ଏହି ବ୍ୟବସ୍ଥା ଜୁନ୍, ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିଲା। କିନ୍ତୁ ଅକ୍ଟୋବର ମାସ ଆସୁ ଆସୁ ହଠାତ୍ ସବୁ କିଛି ବଦଳିଗଲା।
ମୁଖ୍ୟମନ୍ତ୍ରୀଙ୍କ ମନରେ ଏକ ବଡ଼ ଧାରଣା ଜନ୍ମ ନେଲା। ସେ ଅନୁଭବ କଲେ ଯେ, ଦିଲ୍ଲୀରେ ରହି କିମ୍ବା ପଛରେ ରହି କେହି ଜଣେ ସରକାରକୁ ପରୋକ୍ଷରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଲାଗିଲା ଯେ କ୍ଷମତାର ଅସଲ ଚାବିକାଠି ତାଙ୍କ ହାତରେ ଅଛି, ତେଣୁ ସେ କାହା ଇସାରାରେ କାହିଁକି ନାଚିବେ? ବାସ୍, ଏହିଠାରୁ ହିଁ ଦୂରତା ବଢ଼ିବା ଆରମ୍ଭ ହେଲା।
ଫଳସ୍ୱରୂପ, ସର୍ବପ୍ରଥମେ ଗୋଲକ ମହାପାତ୍ର ଏବଂ ପରେ ରଣଜୀତ ସିଂହ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀରୁ ଦୂରେଇ ଦିଆଗଲା। ଏହି ସ୍ଥାନରେ କାହାକୁ ଅଣାଗଲା? ଦିଲୀପ ମହାନ୍ତିଙ୍କ ଭଳି ନେତାଙ୍କୁ ଗୁରୁତ୍ୱ ମିଳିଲା, ଯେଉଁମାନେ ଧର୍ମେନ୍ଦ୍ର ବାବୁଙ୍କ ବିରୋଧୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଶିବିରର ବୋଲି କୁହାଯାଏ। ରାଜନୀତିର ଏକ ପୁରୁଣା ନିୟମ ଅଛି – “ଶତ୍ରୁର ଶତ୍ରୁ, ମିତ୍ର”। ଏଠାରେ ମଧ୍ୟ ଠିକ୍ ସେଇଆ ହେଲା। ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଦୂରେଇ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ପରସ୍ପରର ନିକଟତର ହେବାକୁ ଲାଗିଲେ।
ଏବେ ପ୍ରଶ୍ନ ଉଠୁଛି, ଏହି ଶକ୍ତିର ଲଢ଼େଇ ଓଡ଼ିଶା ଉପରେ କି ପ୍ରଭାବ ପକାଉଛି? ଏହି ଅନ୍ତର୍ଦ୍ୱନ୍ଦ୍ୱ ଯୋଗୁଁ ମୁଖ୍ୟତଃ ତିନିଟି ବଡ଼ କ୍ଷେତ୍ର ପ୍ରଭାବିତ ହେଉଛି: ପ୍ରଥମ ହେଉଛି ସଂଗଠନ, ଦ୍ୱିତୀୟ ହେଉଛି ସରକାର ଏବଂ ତୃତୀୟ ହେଉଛି ପ୍ରଶାସନ।
୧. ସଂଗଠନ ଉପରେ ପ୍ରଭାବ: ସରକାର ଗଠନ ହେବାର ମାତ୍ର କିଛି ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭିନ୍ନ ନିଗମ, ବୋର୍ଡ କିମ୍ବା ସରକାରୀ ଆଇନଜୀବୀ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ଥାଣୁ ହୋଇପଡ଼ିଛି। କାହାକୁ କେଉଁ ପଦବୀ ମିଳିବ, ତାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଛି। ଫଳରେ ସାଧାରଣ କର୍ମୀମାନେ ନିରାଶ ହେଉଛନ୍ତି।
୨. ସରକାର ଉପରେ ପ୍ରଭାବ: ମନ୍ତ୍ରିମଣ୍ଡଳ ଭିତରେ ମଧ୍ୟ ଏକ ଅଦୃଶ୍ୟ ବିଭାଜନ ଦେଖିବାକୁ ମିଳୁଛି। ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ବିଭାଗ କେଉଁ ନେତାଙ୍କ ହାତରେ ରହିବ ଏବଂ କେଉଁ ମନ୍ତ୍ରୀ କାହା ପ୍ରତି ଅଧିକ ଅନୁଗତ ରହିବେ, ତାହାକୁ ନେଇ ଭିତରେ ଭିତରେ ଲଢ଼େଇ ଚାଲିଛି। କିଛି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରୁଥିବା ବେଳେ, ଅନ୍ୟ କିଛି ମନ୍ତ୍ରୀ କେନ୍ଦ୍ରୀୟ ନେତୃତ୍ୱଙ୍କ ଇସାରାରେ ଚାଲୁଥିବା ଚର୍ଚ୍ଚା ହେଉଛି। ସରକାରୀ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି ଏବଂ ସମନ୍ୱୟର ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି।
୩. ପ୍ରଶାସନ ଉପରେ ପ୍ରଭାବ: ଏହା ସବୁଠାରୁ ସଂଗୀନ ବିଷୟ। ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାରେ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କୁହାଯାଉଛି ଯେ, ପ୍ରଶାସନର କିଛି ବଡ଼ ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହି ମଧ୍ୟ ସମସ୍ତ ଗୁପ୍ତ ତଥ୍ୟ ଏବଂ ଫାଇଲର ଖବର ସିଧାସଳଖ ଦିଲ୍ଲୀ କିମ୍ବା ଧର୍ମେନ୍ଦ୍ର ବାବୁଙ୍କ ଶିବିରକୁ ପଠାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ନିଷ୍ପତ୍ତି ବଦଳାଇ ଦିଆଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି।
ବର୍ତ୍ତମାନ ଓଡ଼ିଶାରେ ବିରୋଧୀ ଦଳ ଅର୍ଥାତ୍ ବିଜୁ ଜନତା ଦଳ (ବିଜେଡି) ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ଅଛି। ଜନତା ବିଜେପିକୁ ପୂର୍ଣ୍ଣ ବହୁମତ ଦେଇଛନ୍ତି, ତେଣୁ ବାହାରୁ କୌଣସି ବିପଦ ନାହିଁ। କିନ୍ତୁ ବିପଦ ରହିଛି ଦଳ ଭିତରେ। ଆସନ୍ତା ୨୦୨୭ ମସିହାରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ଯାହା ୨୦୧୯ ର ସଫଳତାର ମୂଳଦୁଆ ଥିଲା। କିନ୍ତୁ ଏବେ ଯଦି ଏହି ଅନ୍ତର୍ଦ୍ବନ୍ଦ୍ବ ଏବଂ ଶୀତଳ ଯୁଦ୍ଧ ଏମିତି ଚାଲେ, ତେବେ ପଞ୍ଚାୟତ ନିର୍ବାଚନ ସମୟରେ ଦଳ ଭିତରୁ ହିଁ ଅନେକ ବିଦ୍ରୋହୀ ପ୍ରାର୍ଥୀ ଛିଡ଼ା ହେବେ। କେହି କାହାକୁ ଛାଡ଼ିବେ ନାହିଁ ଏବଂ ଶେଷରେ ଏହାର ବଡ଼ ମୂଲ୍ୟ ଦଳକୁ ୨୦୨୯ ସାଧାରଣ ନିର୍ବାଚନରେ ଦେବାକୁ ପଡ଼ିପାରେ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପରେ ଦଳର ଏହି ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ କରିବାର ଗୁରୁ ଦାୟିତ୍ୱ ଥିଲା। କିନ୍ତୁ ସେ ନିଜେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆଡ଼କୁ ଢଳି ଯାଇଥିବାରୁ ସମସ୍ୟା ଆହୁରି ଜଟିଳ ହେବାରେ ଲାଗିଛି। ଯଦି ଏହି ସ୍ଥିତି ଜାରି ରହେ, ତେବେ ମୋଦୀ କିମ୍ବା ଶାହାଙ୍କ ମ୍ୟାଜିକ ମଧ୍ୟ ଓଡ଼ିଶାରେ ଦଳକୁ ବଞ୍ଚାଇ ପାରିବ ନାହିଁ।
ଏହା ଥିଲା ଓଡ଼ିଶା ବିଜେପି ଭିତରେ ଚାଲିଥିବା ଶକ୍ତି ପ୍ରଦର୍ଶନର ଏକ ନିରପେକ୍ଷ ବିଶ୍ଳେଷଣ। ସରକାର ଜନତାଙ୍କ ପାଇଁ କାମ କରିବା ଅପେକ୍ଷା ଯଦି ନିଜ ଭିତରେ ଚେୟାର ଟଣାଓଟରାରେ ବ୍ୟସ୍ତ ରହିବେ, ତେବେ ଓଡ଼ିଶାର ବିକାଶ କେଉଁ ଆଡ଼କୁ ଯିବ, ତାହା ଆପଣମାନେ ନିଜେ ଚିନ୍ତା କରନ୍ତୁ।
AlsoRead; https://purvapaksa.com/12-volumes-of-books-dedicated-to-the-public-at-the-timepass-book-festival/


