ସାଧାରଣତଃ ଲୋକମାନେ ଭାବନ୍ତି ଯେ ଯେତେବେଳେ ପ୍ରବଳ ଶୋଷ ଲାଗେ ବା ଶରୀର ସମ୍ପୂର୍ଣ୍ଣ କ୍ଲାନ୍ତ ହୋଇଯାଏ, ସେତେବେଳେ ହିଁ ‘ଡିହାଇଡ୍ରେସନ’ ବା ଜଳାଭାବ ହୋଇଥାଏ। ମାତ୍ର ଚିକିତ୍ସା ବିଜ୍ଞାନ ଏବଂ ସାମ୍ପ୍ରତିକ ସ୍ୱାସ୍ଥ୍ୟ ଗବେଷଣାରୁ ଏକ ଚେତାବନୀପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଶରୀରରେ ମାତ୍ର ୧ ରୁ ୨ % ପାଣିର ଅଭାବ ହେଲେ ଏହାକୁ ‘ମାଇଲ୍ଡ ଡିହାଇଡ୍ରେସନ’ (Mild Dehydration) କୁହାଯାଏ । ତାହା ଆପଣଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ପାଣି କମ୍ ପିଇବା ଦ୍ୱାରା କେବଳ ଶୋଷ ଲାଗେନାହିଁ, ବରଂ ଏହା ମସ୍ତିଷ୍କର ସଂରଚନା ଏବଂ ଚିନ୍ତା କରିବାର ଶକ୍ତିକୁ ଦୁର୍ବଳ କରିଦିଏ।
![]()
ମସ୍ତିଷ୍କରୁ ଶୁଖିଯାଏ ପାଣି, ବଢ଼ିଯାଏ ‘ବ୍ରେନ୍ ଫଗ୍’
ଆମ ମସ୍ତିଷ୍କର ପ୍ରାୟ ୭୩ ରୁ ୭୫% ଭାଗ କେବଳ ପାଣିରେ ଗଠିତ। ମସ୍ତିଷ୍କର କୋଷଗୁଡ଼ିକ ମଧ୍ୟରେ ସୂଚନା ଆଦାନପ୍ରଦାନ ଏବଂ ହରମୋନ୍ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ଜଳର ଆବଶ୍ୟକତା ରହିଥାଏ। ଶରୀରରେ ପାଣି କମିଗଲେ ରକ୍ତର ପରିମାଣ ହ୍ରାସ ପାଏ, ଯାହାଫଳରେ ମସ୍ତିଷ୍କକୁ ସଠିକ୍ ପରିମାଣର ଅମ୍ଳଜାନ ମିଳିପାରେ ନାହିଁ। ଏହି କାରଣରୁ ମସ୍ତିଷ୍କର କୋଷଗୁଡ଼ିକ ଉପରେ ଚାପ ପଡ଼େ ଏବଂ ବ୍ରେନ୍ ଟିସୁ ସାମାନ୍ୟ ସଙ୍କୁଚିତ ହେବାକୁ ଲାଗେ। ଏହାଦ୍ୱାରା ମଣିଷ ଠିକ୍ ଭାବେ କୌଣସି ଜିନିଷ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିପାରେ ନାହିଁ, ଯାହାକୁ ଡାକ୍ତରୀ ଭାଷାରେ ‘ବ୍ରେନ୍ ଫଗ୍’ ବୋଲି କୁହାଯାଏ।

ଦୈନନ୍ଦିନ ଜୀବନରେ ଦେଖାଯାଏ ଏହିସବୁ ଲକ୍ଷଣ :
ଗବେଷଣା ଅନୁଯାୟୀ, ସାମାନ୍ୟ ଜଳାଭାବ ଯୋଗୁଁ ମସ୍ତିଷ୍କରେ ‘ଡୋପାମାଇନ୍’ ଏବଂ ‘ସେରୋଟୋନିନ୍’ ଭଳି ହାପି ହରମୋନ୍ର ସନ୍ତୁଳନ ବିଗିଡ଼ିଯାଏ। ଫଳରେ ବ୍ୟକ୍ତି ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ମାନସିକ ପରିବର୍ତ୍ତନ ଦେଖାଯାଏ:
ମନୋଭାବରେ ପରିବର୍ତ୍ତନ (Mood Swings) : କାରଣ ନଥାଇ ହଠାତ୍ ଚିଡ଼ିଚିଡ଼ା ଲାଗିବା, ମାନସିକ ଚାପ, ଆଦ୍ରତା ଏବଂ କ୍ଲାନ୍ତି ଅନୁଭବ ହେବା।
ସ୍ମରଣ ଶକ୍ତି ହ୍ରାସ : ସ୍ୱଳ୍ପକାଳୀନ ସ୍ମୃତି (Short-term memory) ଦୁର୍ବଳ ହେବା, ସହଜ କାମ ମଧ୍ୟ କଠିନ ମନେହେବା ଏବଂ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା।
ମୁଣ୍ଡବିନ୍ଧା ଓ ମୁଣ୍ଡ ବୁଲାଇବା : ଶରୀରରେ ଇଲେକ୍ଟ୍ରୋଲାଇଟ୍ର ଅସନ୍ତୁଳନ ଯୋଗୁଁ ପ୍ରତିଦିନ ସାମାନ୍ୟ ମୁଣ୍ଡବିନ୍ଧା ହେବା ଡିହାଇଡ୍ରେସନର ପ୍ରାଥମିକ ସଙ୍କେତ।
ମହିଳା ଏବଂ ବୃଦ୍ଧବୃଦ୍ଧା ଅଧିକ ସଂବେଦନଶୀଳ
![]()
ୟୁନିଭର୍ସିଟି ଅଫ୍ କନେକ୍ଟିକଟ୍ର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାଇଲ୍ଡ ଡିହାଇଡ୍ରେସନ୍ ଯୋଗୁଁ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ମୁଣ୍ଡବିନ୍ଧା ଏବଂ ଏକାଗ୍ରତା ଅଭାବ ଭଳି ସମସ୍ୟା ଅଧିକ ଦେଖାଯାଇଥାଏ। ସେହିପରି ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମସ୍ତିଷ୍କର ଶୋଷ ଲାଗିବା ସେନ୍ସର ଦୁର୍ବଳ ହୋଇଯାଉଥିବାରୁ ସେମାନେ ଶୋଷ ଅନୁଭବ କରିପାରନ୍ତି ନାହିଁ। ଦୀର୍ଘ ସମୟ ଧରି ଶରୀରରେ ଏଭଳି ଜଳାଭାବ ରହିଲେ ଭବିଷ୍ୟତରେ ମତିଭ୍ରମ ବା ଡିମେନ୍ସିଆ ଭଳି ଗମ୍ଭୀର ରୋଗର ଆଶଙ୍କା ବଢ଼ିଯାଇଥାଏ।
ରକ୍ଷା ପାଇବାର ସହଜ ଉପାୟ :
ମସ୍ତିଷ୍କକୁ ସଦାସର୍ବଦା ସକ୍ରିୟ ଓ ସତେଜ ରଖିବା ପାଇଁ ଡାକ୍ତରମାନେ କେତେକ ପରାମର୍ଶ ଦେଇଛନ୍ତି:

୧. ଶୋଷକୁ ଅପେକ୍ଷା କରନ୍ତୁ ନାହିଁ : ଶୋଷ ଲାଗିବା ହେଉଛି ଡିହାଇଡ୍ରେସନର ଏକ ବିଳମ୍ବିତ ସଙ୍କେତ। ତେଣୁ ଦିନସାରା ଅଳ୍ପ ଅଳ୍ପ କରି ନିୟମିତ ପାଣି ପିଅନ୍ତୁ।
୨. ପର୍ଯ୍ୟାପ୍ତ ଜଳ ଗ୍ରହଣ : ସାଧାରଣତଃ ମହିଳାମାନେ ଦୈନିକ ଅତିକମରେ ୨ ରୁ ୨.୫ ଲିଟର ଏବଂ ପୁରୁଷମାନେ ୩ ଲିଟର ପର୍ଯ୍ୟନ୍ତ ତରଳ ପଦାର୍ଥ ଗ୍ରହଣ କରିବା ଉଚିତ।
୩. ଫଳ ଓ ପନିପରିବା : ଖାଦ୍ୟରେ ପାଣିର ପରିମାଣ ଅଧିକ ଥିବା ଫଳ ଯେପରିକି ତରଭୁଜ, କାକୁଡ଼ି ଏବଂ ସନ୍ଥରା ଆଦି ସାମିଲ କରନ୍ତୁ।
ମନେରଖନ୍ତୁ, ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କେବଳ ଭଲ ଖାଦ୍ୟ ନୁହେଁ, ବରଂ ଶରୀରକୁ ସଠିକ୍ ଭାବେ ହାଇଡ୍ରେଟ୍ ବା ଜଳୀୟ ଅଂଶ ବଜାୟ ରଖିବା ମଧ୍ୟ ସେତିକି ଜରୁରୀ।


