୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ପରେ ବିରୋଧୀ ଦଳଗୁଡ଼ିକ କହୁଥିଲେ- ଏହି ସରକାର ବୈଶାଖୀରେ ଚାଲିଛି, ବେଶୀ ଦିନ ତିଷ୍ଠିବ ନାହିଁ। କିନ୍ତୁ ରାଜନୀତି ବଡ଼ ନିର୍ଦ୍ଦୟ ଜିନିଷ। ଏଠାରେ କାଲିର ବୈଶାଖୀ ଆଜିର ବୁଲ୍ଡୋଜର୍ ବନିପାରେ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଯୋଡ଼ି ଏବେ ଏମିତି ଏକ ବଡ଼ ଗେମ୍ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି, ଯାହା ବିରୋଧୀ ଶିବିରକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି।
ଦେଶରେ ‘ଡିଲିମିଟେସନ୍’ ବା ସଂସଦୀୟ କ୍ଷେତ୍ରର ପରିସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ବିଲ୍କୁ ନେଇ ଦିଲ୍ଲୀ ରାଜନୀତିରେ ଏକ ବଡ଼ ‘ସର୍ଜରୀ’ ଆରମ୍ଭ ହୋଇଯାଇଛି। ଯେଉଁ ବିଲ୍ କିଛିଦିନ ପୂର୍ବେ ବହୁମତ ଅଭାବରୁ ସଂସଦରେ କାଟ୍ ଖାଇଯାଇଥିଲା, ଏବେ ତାହାକୁ ପାସ୍ କରାଇବା ପାଇଁ ମୋଦୀ ସରକାର ଦୁଇ-ତୃତୀୟାଂଶ ବହୁମତ ଯୋଗାଡ଼ କରିବାରେ ବ୍ୟସ୍ତ ଅଛନ୍ତି। କଣ ଏହି ମାଷ୍ଟରପ୍ଲାନ୍ ଏବଂ ଏହା ପଛର ଭିତର କଥା କଣ?
କିଛି ଦିନ ପୂର୍ବେ ମୋଦୀ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ମହିଳା ସଂରକ୍ଷଣ ଏବଂ ପରିସୀମା ନିର୍ଦ୍ଧାରଣ ପାଇଁ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲେ। କିନ୍ତୁ ସେତେବେଳେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଏହାର ଜୋରଦାର ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ଜନସଂଖ୍ୟା ଆଧାରରେ ପରିସୀମା ନିର୍ଦ୍ଧାରଣ ହେଲେ ଉତ୍ତର ଭାରତର ସିଟ୍ ବଢ଼ିଯିବ ଏବଂ ଦକ୍ଷିଣ ଭାରତ ପ୍ରତି ପାତରଅନ୍ତର ହେବ।
ସେତେବେଳେ ଗୃହମନ୍ତ୍ରୀ ଅମିତ ଶାହ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ସବୁ ରାଜ୍ୟରେ ସମାନ ଭାବେ ୫୦ ପ୍ରତିଶତ ସିଟ୍ ପ୍ରତିପାଦିତ ଢଙ୍ଗରେ ବଢ଼ାଯିବ, କିନ୍ତୁ ଏହି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ହେବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଅର୍ଥାତ୍ ୩୬୦ ସାଂସଦଙ୍କ ସମର୍ଥନ ଦରକାର ଥିଲା। ସରକାରଙ୍କ ପାଖରେ ସେତେବେଳେ ଆବଶ୍ୟକ ସଂଖ୍ୟା ନ ଥିବାରୁ ଏହି ବିଲ୍ ଲୋକସଭାରେ କାଟ୍ ଖାଇ ଯାଇଥିଲା। ବିରୋଧୀ ଭାବିଥିଲେ ଏହି ମିଶନ୍ ବୋଧହୁଏ ୨୦୨୯ ଯାଏଁ ଥଣ୍ଡା ବାକ୍ସକୁ ଚାଲିଗଲା। କିନ୍ତୁ ଅସଲ ଖେଳ ତ ଏବେ ଆରମ୍ଭ ହୋଇଛି!
ଗୋଟିଏ ପଟେ ସଂସଦରେ ବିଲ୍ କଟିଲା, ଅନ୍ୟପଟେ କିଛି ରାଜ୍ୟର ନିର୍ବାଚନ ଫଳାଫଳ ପରେ ପୂରା ସମୀକରଣ ବଦଳିଗଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିଏମସି (TMC) ର ଶୋଚନୀୟ ପରାଜୟ ପରେ ଦଳରେ ଏକ ବଡ଼ ବିଦ୍ରୋହ ଦେଖାଦେଲା। ଟିଏମସିର ୨୦ ଜଣ ସାଂସଦ ଦଳ ଛାଡ଼ି ଏକ ନୂଆ ପାର୍ଟି NCPI ରେ ମିଶିଗଲେ ଏବଂ ଏବେ ସେମାନେ NDA କୁ ସମର୍ଥନ କରୁଛନ୍ତି।
ଖାଲି ପଶ୍ଚିମବଙ୍ଗ ନୁହେଁ, ମହାରାଷ୍ଟ୍ରରେ ଚାଲିଛି ‘ଅପରେସନ୍ ଟାଇଗର୍’। ଉଦ୍ଧବ ଠାକରେଙ୍କ ଶିବସେନାର ୯ ଜଣ ସାଂସଦଙ୍କ ମଧ୍ୟରୁ ୬ ଜଣ ସାଂସଦ ଏବେ ଏକନାଥ ସିନ୍ଦେଙ୍କ ଶିବସେନା ଅର୍ଥାତ୍ NDA ଶିବିରକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଅପରପକ୍ଷରେ ଶରଦ ପାୱାରଙ୍କ ଏନସିପିରୁ ମଧ୍ୟ ୫ଜଣ ସାଂସଦ ମଧ୍ୟ ଦଳ ଛାଡ଼ୁଥିବା ଆଲୋଚନା ହେଉଛି। ଏହା ସହିତ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର କିଛି ଅଣ-ଯାଦବ ଏବଂ ଅଣ-ମୁସଲିମ୍ ସାଂସଦ ମଧ୍ୟ ବିଜେପି ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି।
ଏହି ପୂରା ରାଜନୈତିକ ଖେଳରେ ସବୁଠୁ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଟ୍ୱିଷ୍ଟ ଆସିଛି ତାମିଲନାଡୁରୁ। ତାମିଲନାଡୁରେ ଡିଏମକେ (DMK) ଏବଂ କଂଗ୍ରେସ ମଧ୍ୟରେ ଦୁଇ ଦଶନ୍ଧିର ବନ୍ଧୁତା ଏବେ ଭାଙ୍ଗିବା ଆଡ଼କୁ ଗତି କରଉଛି। କାହିଁକି ଜାଣନ୍ତି? କାରଣ ସେଠାରେ ସୁପରଷ୍ଟାର୍ ଥାଲାପାଥି ବିଜୟଙ୍କ ନୂଆ ଦଳ ‘TVK’ ସରକାର ଗଠନ କରିବା ବେଳେ କଂଗ୍ରେସ ତାଙ୍କୁ ସମର୍ଥନ କରିଦେଲା! ଏଥିରେ ରାଗିଯାଇ ଷ୍ଟାଲିନଙ୍କ ଦଳ ଡିଏମକେ ଏବେ ‘ଇଣ୍ଡିଆ’ (INDIA) ମେଣ୍ଟର ବୈଠକକୁ ମଧ୍ୟ ବୟକଟ୍ କରିଛି।
ବଡ଼ କଥା ହେଉଛି, ଯଦି କେନ୍ଦ୍ର ସରକାର ଲିଖିତ ଆକାରରେ ପ୍ରତିଶ୍ରୁତି ଦିଅନ୍ତି ଯେ ପରିସୀମା ନିର୍ଦ୍ଧାରଣ ବେଳେ ସବୁ ରାଜ୍ୟର ଲୋକସଭା ସିଟ୍ ୫୦ ପ୍ରତିଶତ ବଢ଼ାଯିବ, ତେବେ ଡିଏମକେର ୨୨ ଜଣ ସାଂସଦ ସରକାରଙ୍କ ଏହି ଡିଲିମିଟେସନ୍ ବିଲ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି।
ସଂସଦର ସଂଖ୍ୟା ଗଣିତକୁ ବୁଝିଲେ। ବର୍ତ୍ତମାନ ଲୋକସଭାରେ ପ୍ରାୟ ୫୪୦ ଜଣ ସାଂସଦ ଅଛନ୍ତି, ଯେଉଁଠି ଦୁଇ-ତୃତୀୟାଂଶ ବହୁମତ ପାଇଁ ୩୬୦ ସାଂସଦଙ୍କ ସମର୍ଥନ ଆବଶ୍ୟକ। NDA ର ନିଜସ୍ୱ ସଂଖ୍ୟା ୨୯୩ ଥିଲା। ଏବେ ଟିଏମସିର ୨୦ ଜଣ ବାଗୀ, ଶିବସେନାର ୬ ଜଣ ଏବଂ ଯଦି ଡିଏମକେର ୨୨ ଜଣ ସାଂସଦ ମିଶନ୍ତି, ତେବେ ଏହି ସଂଖ୍ୟା ପ୍ରାୟ ୩୪୧ରୁ ୩୪୬ ରେ ପହଞ୍ଚିଯିବ। ବାକି ସଂଖ୍ୟା ପାଇଁ ସରକାର ହୁଏତ ଅନ୍ୟ କିଛି ଦଳର ସାଂସଦଙ୍କୁ ଭୋଟିଂ ବେଳେ ଅନୁପସ୍ଥିତ (Abstain) ରଖିବାର ରଣନୀତି ମଧ୍ୟ ଆପଣାଇ ପାରନ୍ତି, ଯେମିତି ପୂର୍ବରୁ ଧାରା ୩୭୦ ହଟାଇବା ବେଳେ ହୋଇଥିଲା।
ତେବେ, ଆସନ୍ତା ମୌସୁମୀ ଅଧିବେଶନ କିମ୍ବା ସରକାରଙ୍କ ଦ୍ୱାରା ଡକାଯିବାକୁ ଥିବା କୌଣସି ସ୍ୱତନ୍ତ୍ର ଅଧିବେଶନରେ ଯଦି ଏହି ଐତିହାସିକ ବିଲ୍ ପାସ୍ ହୋଇଯାଏ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହା କେବଳ ଏକ ବିଲ୍ ନୁହେଁ, ବରଂ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସାରା ଦେଶର ରାଜନୈତିକ ମାନଚିତ୍ରକୁ ବଦଳାଇବା ପାଇଁ ମୋଦୀ-ଶାହଙ୍କ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍।
AlsoRead; https://purvapaksa.com/pakistan-will-be-destroyed-without-war/
ବିନା ଯୁଦ୍ଧରେ ପାକିସ୍ତାନ ବରବାଦ୍ ହୋଇଯିବ! || Pakistan will be destroyed without war!


