ଭାରତରେ ସିଙ୍ଗଲ୍ ୱିମେନ୍ ବା ଏକାକୀ ରହୁଥିବା ମହିଳାମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ସଂଖ୍ୟା ବଢୁଥିଲେ ହେଁ ଆଜି ବି ସରକାରୀ ନୀତି, ସାମାଜିକ ବିତର୍କ, ଆଇନ ଏବଂ କର୍ପୋରେଟ୍ ଗାଇଡଲାଇନରେ ଏହି ବର୍ଗ ପ୍ରାୟତଃ ଅବହେଳିତ ହୋଇ ରହିଛି ।

ପରିସଂଖ୍ୟାନ ଅନୁଯାୟୀ, ଗତ ୨୦୦୧ ମସିହାରେ ଦେଶରେ ଏକାକୀ ମହିଳାଙ୍କ ସଂଖ୍ୟା ପ୍ରାୟ ୫.୧୨ କୋଟି ଥିବାବେଳେ ୨୦୧୧ ସୁଦ୍ଧା ଏହା ପ୍ରାୟ ୩୯ ପ୍ରତିଶତ ବୃଦ୍ଧି ପାଇ ୭.୧୪ କୋଟିରେ ପହଞ୍ଚିଥିଲା। ଏହି ଅଭିବୃଦ୍ଧି ହାରକୁ ଆଧାର କଲେ, ବର୍ତ୍ତମାନ ୨୦୬ ମସିହାରେ ଦେଶରେ ସିଙ୍ଗଲ୍ ୱିମେନ୍ଙ୍କ ସଂଖ୍ୟା ପାଖାପାଖି ୧୨.୬ କୋଟିରେ ପହଞ୍ଚିଥିବା ଅନୁମାନ କରାଯାଉଛି, ଯାହାକି ଜାପାନର ସମଗ୍ର ଜନସଂଖ୍ୟା ୧୨.୩ କୋଟି ଠାରୁ ମଧ୍ୟ ଅଧିକ।
କିଏ ଏହି ‘ସିଙ୍ଗଲ୍ ୱିମେନ୍’?
ସାଧାରଣତଃ ନିଜ ଇଚ୍ଛା କିମ୍ବା ପରିସ୍ଥିତି ଯୋଗୁଁ ଅବିବାହିତ ରହିଥିବା, ପରିତ୍ୟକ୍ତ, ସ୍ୱାମୀଙ୍କଠାରୁ ଅଲଗା ହୋଇଥିବା (ତଲାକସୁଦା) କିମ୍ବା ବିଧବା ହୋଇଥିବା ୨୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ‘ସିଙ୍ଗଲ୍ ୱିମେନ୍’ ବା ଏକାକୀ ମହିଳାର ଶ୍ରେଣୀଭୁକ୍ତ କରାଯାଏ। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଏବେ ଏହି ବର୍ଗର ମହିଳାଙ୍କ ଉପସ୍ଥିତି ଗତ ଦଶନ୍ଧି ତୁଳନାରେ ଯଥେଷ୍ଟ ଅଧିକ ଦେଖିବାକୁ ମିଳୁଛି।
ସାମାଜିକ ପରିବର୍ତ୍ତନ ସାଙ୍ଗକୁ ବିଶ୍ୱସ୍ତରୀୟ ଟ୍ରେଣ୍ଡ

ଏଭଳି ବୃଦ୍ଧି ପଛରେ ଅନେକ ସାମାଜିକ କାରଣ ରହିଛି । ଯୁବ ପିଢ଼ିର ବିବାହ ପ୍ରତି ଅନାଗ୍ରହ, ପରିବାରର ପିତୃକୈନ୍ଦ୍ରିକ ବ୍ୟବସ୍ଥାକୁ ନେଇ ଅସନ୍ତୋଷ, ବିବାହ ବୟସ ସୀମା ବଢିବା, ଛାଡ଼ପତ୍ର ମାମଲା ବୃଦ୍ଧି ପାଇବା ଏବଂ ଶିକ୍ଷା ଓ ସଚେତନତା ଯୋଗୁଁ ଆତ୍ମନିର୍ଭରଶୀଳ ହେବାର ପ୍ରୟାସ ଏହାର ମୁଖ୍ୟ କାରଣ। ଆଜିକାଲି ଝିଅମାନେ କ୍ୟାରିୟର ଏବଂ ନିଜ ଗୋଡ଼ରେ ଠିଆ ହେବାକୁ ଅଧିକ ପ୍ରାଥମିକତା ଦେଉଛନ୍ତି। କେବଳ ଭାରତ ନୁହେଁ, ବରଂ ଆମେରିକା, ୟୁରୋପ, ଚୀନ୍, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶରେ ମଧ୍ୟ ବିବାହ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଆମେରିକାରେ ୨୦୨୩ ସୁଦ୍ଧା ୨୫-୩୪ ବର୍ଷ ବୟସ୍କ ସେଗମେଣ୍ଟରେ ପ୍ରାୟ ୪୧% ମହିଳା ସିଙ୍ଗଲ୍ ଥିଲେ।
ଯୋଜନାରେ କାହିଁକି ଏହି ଅବହେଳା?

ଆବାହମାନ କାଳରୁ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ମୁଖ୍ୟତଃ ବିବାହ ଏବଂ ପରିବାର ଭିତ୍ତିକ ସଂରଚନା ଉପରେ ଆଧାରିତ। ବିବାହିତ ବା ବିଧବା ମହିଳାମାନଙ୍କ ପାଇଁ ବିଭିନ୍ନ ପେନସନ୍ ଓ ସରକାରୀ ଯୋଜନାର ସୁବିଧା ରହିଥିବା ବେଳେ, ଅବିବାହିତ ସିଙ୍ଗଲ୍ ମହିଳାମାନଙ୍କ ପାଇଁ କୌଣସି ଆର୍ଥିକ କିମ୍ବା ସାମାଜିକ ସୁରକ୍ଷାର ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଏହା ସେମାନଙ୍କର ସାମାଜିକ ଓ ଆର୍ଥିକ ଅସୁରକ୍ଷିତତାକୁ ବଢ଼ାଇ ଦେଉଛି, ବିଶେଷ କରି ବୟସ ବଢ଼ିବା ସହିତ ଏହି ସମସ୍ୟା ଜଟିଳ ହେବାରେ ଲାଗିଛି। ସେହିପରି ଆଇନଗତ ଭାବେ ସେମାନଙ୍କୁ ସନ୍ତାନ ଗ୍ରହଣ (Adopt) କରିବାର ଅଧିକାର ଥିଲେ ହେଁ, ବ୍ୟାବହାରିକ କ୍ଷେତ୍ରରେ ସେମାନଙ୍କୁ ଅନେକ ଜଟିଳ ଯାଞ୍ଚର ସାମ୍ନା କରିବାକୁ ପଡ଼ିଥାଏ।
ବଦଳିବା ଦରକାର ଦୃଷ୍ଟିକୋଣ

ସମାଜରେ ମହିଳା ସୁରକ୍ଷା ନିଜେ ଏକ ବଡ଼ ପ୍ରସଙ୍ଗ ହୋଇଥିବା ବେଳେ ଏକାକୀ ରହୁଥିବା ମହିଳାମାନଙ୍କ ସ୍ଥିତି ଅଧିକ ସଂବେଦନଶୀଳ। ଅନେକ କ୍ଷେତ୍ରରେ ପରିତ୍ୟକ୍ତ ଓ ଛାଡ଼ପତ୍ର ପାଇଥିବା ମହିଳାମାନଙ୍କୁ ସାମାଜିକ ବାସନ୍ଦର ସାମ୍ନା କରିବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ଅନେକ ସିଙ୍ଗଲ୍ ମହିଳାଙ୍କ ଉପରେ ବୃଦ୍ଧ ପିତାମାତା କିମ୍ବା ଅନ୍ୟ ଆଶ୍ରିତମାନଙ୍କର ଦାୟିତ୍ୱ ମଧ୍ୟ ଥାଏ। ତେଣୁ ସମୟ ଆସିଛି, ସରକାରୀ ନୀତି ଏବଂ ଯୋଜନା ପ୍ରଣୟନ ସମୟରେ ପରିବାର ବ୍ୟବସ୍ଥାର ପରିଧିକୁ ଆହୁରି ବ୍ୟାପକ କରାଯାଇ ସିଙ୍ଗଲ୍ ୱିମେନ୍ମାନଙ୍କ ହିତକୁ କେନ୍ଦ୍ରରେ ରଖାଯାଉ ଏବଂ ସେମାନଙ୍କ ଆହ୍ୱାନଗୁଡ଼ିକର ସମୟୋଚିତ ସମାଧାନ କରାଯାଉ।


