ବିଶ୍ୱ ବର୍ତ୍ତମାନ ଏକ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ସମୟ ଦେଇ ଗତି କରୁଛି ବୋଲି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ବ୍ରିକ୍ସ (BRICS) ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସାରା ବିଶ୍ୱ ଏବେ ସାମରିକ ସଂଘର୍ଷ, ଭୂ-ରାଜନୈତିକ ଅନିଶ୍ଚିତତା, ଅର୍ଥନୈତିକ ଚାପ ଏବଂ ନୂତନ ବୈଷୟିକ ଆହ୍ୱାନର ସମ୍ମୁଖୀନ ହେଉଛି।

ଶ୍ରୀ ଡୋଭାଲ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ସ୍ତରରେ ବିପଦ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, ମାତ୍ର ବର୍ତ୍ତମାନର ଆନ୍ତର୍ଜାତୀୟ ସଂଗଠନ ଓ ବ୍ୟବସ୍ଥାଗୁଡ଼ିକ ଏହାର ପ୍ରଭାବଶାଳୀ ସମାଧାନ କରିବାରେ ସଫଳ ହେଉନାହାନ୍ତି। ଏପରିକି ବହୁପାକ୍ଷିକବାଦ (Multilateralism) ମଧ୍ୟ ଦୁର୍ବଳ ହେବାରେ ଲାଗିଛି।
ବ୍ରିକ୍ସଙ୍କ ସହ ହେଲା ଏକ ସ୍ୱତନ୍ତ୍ର ମେଣ୍ଟ
ବ୍ରିକ୍ସ ସଙ୍ଗଠନକୁ ଏକ ସ୍ୱତନ୍ତ୍ର ମେଣ୍ଟ ଭାବେ ଅଭିହିତ କରି ସେ କହିଛନ୍ତି ଯେ, ବିକାଶଶୀଳ ଅର୍ଥନୀତିଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଏବଂ ‘ଗ୍ଲୋବାଲ ସାଉଥ୍’ (ବିକାଶଶୀଳ ଓ ଗରିବ ଦେଶଗୁଡ଼ିକ)ର ସ୍ୱରକୁ ମଜବୁତ କରିବା ପାଇଁ ଏହା ଗଠନ କରାଯାଇଥିଲା। ବର୍ତ୍ତମାନର ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ବ୍ରିକ୍ସ ସଦସ୍ୟ ଏବଂ ସହଯୋଗୀ ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଏହି ମଞ୍ଚର ପ୍ରାସଙ୍ଗିକତା ଆହୁରି ବଢ଼ିଯାଇଛି। ବୈଠକରେ ଆତଙ୍କବାଦ, ସାଇବର ସୁରକ୍ଷା, ଆଞ୍ଚଳିକ ସଂଘର୍ଷ, ଶକ୍ତି ସୁରକ୍ଷା ଏବଂ ନୂତନ ପ୍ରଯୁକ୍ତିବିଦ୍ୟାରୁ ସୃଷ୍ଟି ହେଉଥିବା ବିପଦ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ଅବସରରେ ଡୋଭାଲ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ଚୁକ୍ତିକୁ ସ୍ୱାଗତ କରିବା ସହ ଏହା ଆଞ୍ଚଳିକ ସ୍ଥିରତା ଓ ବୈଶ୍ୱିକ ଶକ୍ତି ସୁରକ୍ଷା ପାଇଁ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛନ୍ତି।
ଡୋଭାଲ-ୱାଙ୍ଗ ୟିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା

ଏହି ସମ୍ମିଳନୀ ଅବସରରେ ଏନଏସଏ ଅଜିତ ଡୋଭାଲ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁଇ ନେତା ଭାରତ-ଚୀନ ସମ୍ପର୍କକୁ ସ୍ୱାଭାବିକ କରିବା ଦିଗରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ପରସ୍ପର ମଧ୍ୟରେ ବିଶ୍ୱାସ ବୃଦ୍ଧି, କୂଟନୈତିକ ଆଲୋଚନା ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆଗକୁ ନେବା ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଚୀନ ପରସ୍ପରର ମୂଳ ସ୍ୱାର୍ଥକୁ ସମ୍ମାନ ଦେବା ଆବଶ୍ୟକ। ଦୁଇ ଦେଶର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ହୋଇଥିବା ସହମତିକୁ କାର୍ଯ୍ୟକାରୀ କରିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ମଞ୍ଚରେ ପ୍ରକାଶ ପାଇଲା ଇରାନ-ୟୁଏଇ ମଧ୍ୟରେ ମତଭେଦ
ଏହି ବୈଠକ ଚାଲିଥିବା ସମୟରେ ପଶ୍ଚିମ ଏସିଆର ତିକ୍ତତା ମଧ୍ୟ ସାମ୍ନାକୁ ଆସିଥିଲା। ଇରାନର ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲର ଉପ-ସଚିବ ଡକ୍ଟର ଗଦୀର ନେଜାମୀପୋର ସଂଯୁକ୍ତ ଆରବ ଏମିରେଟ୍ସ (UAE) ଉପରେ ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନରେ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବ୍ରିକ୍ସ ମଞ୍ଚରେ ଉଭୟ ଦେଶ ମଧ୍ୟରେ ଥିବା ମତଭେଦ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଥିଲା। ବିଶ୍ୱର ବିଭିନ୍ନ ଆହ୍ୱାନର ମୁକାବିଲା ପାଇଁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ଓ ଆଲୋଚନାକୁ ଅଧିକ ମଜବୁତ କରିବାକୁ ବୈଠକରେ ସମସ୍ତ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି।


