ଓଡ଼ିଶା ରାଜନୀତି ଏବଂ ପ୍ରଶାସନ କରିଡରର ସବୁଠାରୁ ଚର୍ଚ୍ଚିତ, ସବୁଠାରୁ ଜ୍ୱଳନ୍ତ ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ପ୍ରଶ୍ନ ସଂଶୟ ସୃଷ୍ଟି କରୁଥିବା ଏକ ପ୍ରସଙ୍ଗ—”ଅମାନିଆ ଅମଲା”!
ରାଜ୍ୟରେ ନୂଆ ସରକାର ୨୦୨୪ ଜୁନ ମାସରୁ ଆସିଲାଣି; ମାସ ପରେ ମାସ ଗଡ଼ି ଚାଲିଛି, କିନ୍ତୁ ପ୍ରଶାସନିକ କଳ ଉପରେ ପ୍ରକୃତରେ କାହାର ନିୟନ୍ତ୍ରଣ ଅଛି? ନିର୍ବାଚିତ ଜନପ୍ରତିନିଧି, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଥା କ’ଣ ଆଉ ଅମଲାତନ୍ତ୍ର ବା ଆଇଏଏସ (IAS) ଅଫିସରମାନେ ଶୁଣୁନାହାନ୍ତି? ରାଜ୍ୟର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ କୁଆଡ଼େ ଲଗାମ ଛଡ଼ା ହୋଇପଡ଼ିଛନ୍ତି କି?
କାହିଁକି ଆଜି ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଛି ଏବଂ କେଉଁ ପରିସ୍ଥିତିରେ ବିଜେପି ସରକାରର ନୀତି ଓ ନିଷ୍ପତ୍ତି ଉପରେ ଆଜି ବଡ଼ ବଡ଼ ପ୍ରଶ୍ନଚିହ୍ନ ଲାଗୁଛି।
ବିଜେପି ସରକାର ଓ ପୂର୍ବତନ ଇକୋସିଷ୍ଟମ୍
ଟିକେ ପଛକୁ ଫେରି ଚିନ୍ତା କରନ୍ତୁ। ରାଜ୍ୟରେ ଯେତେବେଳେ ଭାରତୀୟ ଜନତା ପାର୍ଟି ବା ବିଜେପି ସରକାର କ୍ଷମତାକୁ ଆସିଲା, ସେତେବେଳେ ସାଧାରଣ ଜନସାଧାରଣଙ୍କ ମନରେ ଏକ ବିରାଟ ଆଶା ଥିଲା। ଲୋକେ ଭାବିଥିଲେ, ପୂର୍ବର ବିଜେଡି ସରକାର ସମୟରେ ଅମଲାତନ୍ତ୍ରର ଯେଉଁ ଏକଛତ୍ରବାଦ ଏବଂ ଦବଦବା ଥିଲା, ତାହା ନୂଆ ସରକାର ଆସିବା ମାତ୍ରେ ବଦଳିଯିବ।
ବିଶେଷ କରି ପୂର୍ବ ସରକାରର ଅଘୋ;ଷିତ ମୁଖିଆ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସେହି ଚର୍ଚ୍ଚିତ ଇକୋସିଷ୍ଟମ୍ କୁଆଡ଼େ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ଏବଂ ଅମାନିଆ ଅଫିସରମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଡ଼ ବଡ଼ କଥା କୁହାଯାଇଥିଲା।
କିନ୍ତୁ ଆଜିର ବାସ୍ତବତା କିଛି ଅଲଗା କଥା କହୁଛି। କ୍ଷମତା କରିଡରରେ ଏବେ ଗୁପ୍ତଚର୍ଚ୍ଚା ହେଉଛି ଯେ, ବିଜେପି ସରକାର ଆସିବା ପରେ ମଧ୍ୟ ପୂର୍ବର ସେହି କୋଟେରୀ ଗ୍ରୁପ୍ ବା ସେହି ସମାନ ଇକୋସିଷ୍ଟମ୍ ଆହୁରି ଅଧିକ ଶକ୍ତିଶାଳୀ ହୋଇଛି! ଯେଉଁ ଅଫିସରମାନେ ପୂର୍ବ ସରକାରରେ ସେମାନଙ୍କର ଅତିପ୍ରିୟ ଥିଲେ, ଆଜି ମଧ୍ୟ ସେମାନଙ୍କୁ ବର୍ତ୍ତମାନର ସରକାରରେ ପ୍ରାଇଜ୍ ପୋଷ୍ଟିଂ ମିଳୁଛି। ଅନ୍ୟପକ୍ଷରେ, ରାଜ୍ୟର ଯେଉଁ ଦକ୍ଷ ଓ ସଚ୍ଚୋଟ ଓଡ଼ିଆ ଅଫିସରମାନେ ଥିଲେ, ସେମାନଙ୍କୁ ସରକାର କ୍ଷମତାରୁ ଦୂରେଇ ରଖିବାକୁ ବା ନିର୍ବାସିତ କରିବାରେ ଲାଗିଛନ୍ତି ବୋଲି ଗୁରୁତର ଅଭିଯୋଗ ହେଉଛି।
ଯଦି ଆମେ ଜିଲ୍ଲା ସ୍ତରରୁ ଆରମ୍ଭ କରିବା, ତେବେ କଟକ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ କମ୍ ବିବାଦ ହୋଇନାହିଁ। ସେ ସବୁବେଳେ ବିବାଦରେ ରହି ଆସିଥିଲେ ମଧ୍ୟ ବିଜେପି ସରକାର ସବୁ ଦେଖି ନ ଦେଖିଲା ପରି ଚୁପ୍ ରହିବା ସାଧାରଣ ଜନତାଙ୍କୁ ଗଭୀର ଭାବରେ ଆଶ୍ଚର୍ଯ୍ୟ କରୁଛି। ତେବେ କାହିଁକି ଏଭଳି ସ୍ଥିତି?
ଶ୍ରୀମନ୍ଦିର, ପର୍ଯ୍ୟଟନ ଓ ଅନ୍ୟାନ୍ୟ ବିଭାଗର ବିଫଳତା
ବର୍ତ୍ତମାନ ଆସନ୍ତୁ ଦୃଷ୍ଟି ପକାଇବା ରାଜ୍ୟର କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ସେଗୁଡ଼ିକର ମୁଖ୍ୟମାନଙ୍କ କାର୍ଯ୍ୟଶୈଳୀ ଉପରେ। ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ:
• ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ:
ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଭାବେ ଡ. ଅରବିନ୍ଦ କୁମାର ପାଢ଼ୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମନ୍ଦିରର ନୀତିକାନ୍ତି ଓ ପରିଚାଳନାରେ ସେ ଯେପରି ଭାବରେ ବିଫଳ ହୋଇଛନ୍ତି, ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଓ ଘୋଷଣାଗୁଡ଼ିକୁ କିପରି ସଫଳଭାବେ କାର୍ଯ୍ୟକାରୀ କରାଯିବ, ସେ ଦିଗରେ ଧ୍ୟାନ ଦେବା ବଦଳରେ କୁଆଡ଼େ ସେ ଅନ୍ୟ ଦିଗରେ ଲାଗିପଡ଼ିଛନ୍ତି। ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ହେଉ କିମ୍ବା ରତ୍ନଭଣ୍ଡାରର ରତ୍ନ ଗଣତିମଣତି ପ୍ରସଙ୍ଗ—ଯଦି ମାନ୍ୟବର ହାଇକୋର୍ଟଙ୍କର କଡ଼ା ଚାବୁକ ବସିନଥାନ୍ତା, ତେବେ ଆଜି ଏସବୁ କାର୍ଯ୍ୟ କେବେବି ସମ୍ଭବ ହୋଇପାରି ନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।
• ପର୍ଯ୍ୟଟନ ବିଭାଗ:
ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଆଜି କିପରି ବିପଦରେ ଅଛି ଏବଂ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ବିଗିଡ଼ିଛି, ତାହା ବାରମ୍ବାର ପ୍ରମାଣିତ ହେଉଛି। ଆପଣମାନେ ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଘଟଣାକୁ ଭୁଲି ନଥିବେ, ଯାହା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାପରେ ଏବେ ନଗଦ କପିଳାସ କାଣ୍ଡ ସମଗ୍ର ଦେଶରେ ଓଡ଼ିଶାର ଭାବମୂର୍ତ୍ତିକୁ ନିନ୍ଦିତ କରିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ପଖାଳ ଖାଇବା’ ନାଁରେ ସରକାରୀ ଅର୍ଥକୁ ପାଣିଭଳି ଯେପରି ଖର୍ଚ୍ଚ କରାଗଲା, ତାହାକୁ ରାଜ୍ୟବାସୀ ଆଜି ମଧ୍ୟ ଭୁଲିପାରୁ ନାହାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏସବୁ ସତ୍ତ୍ୱେ ବିଭାଗୀୟ ସଚିବ କୌଣସି ପ୍ରକାରେ ଚିନ୍ତିତ ଥିବା ଜଣାପଡୁନାହିଁ।
• ଅବକାରୀ ଓ ପୂର୍ତ୍ତ ବିଭାଗ:
ରାଜ୍ୟରେ ଚୋରା ଗଞ୍ଜେଇ ଓ ଡ୍ରଗ୍ସ କାରବାର ଅବାଧରେ ଚାଲିଥିଲେ ମଧ୍ୟ ଅବକାରୀ ବିଭାଗ ଗଭୀର ନିଦରେ ଶୋଇଥିଲା ଭଳି ମନେ ହେଉଛି। ସେହିପରି ପୂର୍ତ୍ତ ବିଭାଗରେ କିପରି ମନଇଛା କାମ ଚାଲିଛି, ସେନେଇ ରାଜ୍ୟର ସାଂସଦ ଓ ବିଧାୟକମାନେ ସରକାରଙ୍କୁ ବାରମ୍ବାର ଚିଠି ଲେଖି ଜଣାଇ ସାରିଲେଣି। ଜନପ୍ରତିନିଧିମାନଙ୍କ କଥାକୁ ଯଦି ଅଫିସରମାନେ ତୃଣମୂଳ ସ୍ତରରେ ନ ଶୁଣନ୍ତି, ତେବେ ଲୋକେ କାହା ପାଖକୁ ଯିବେ?
• ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ:
ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଥିବା ସଚିବଙ୍କଠାରୁ ଆରମ୍ଭ କରି ଅତିରିକ୍ତ ସଚିବଙ୍କ ପର୍ଯ୍ୟନ୍ତ—ଯେପରି ଭାବେ ଭୁଲ୍ ବହି ଛାପି ସରକାରଙ୍କ ବଦନାମ କଲେ, ଏହାଠାରୁ ବଡ଼ ମନୋମୁଖୀ କାମ ଆଉ କ’ଣ ହୋଇପାରେ? ଏକଥା ପ୍ରଘଟ ହେବା ପରେ ବିଭାଗୀୟ ଅଧୀକାରୀମାନଙ୍କୁ ପ୍ରଶାସନିକ ସ୍ତରରେ ଯେପରି ଭାବରେ ଘଣ୍ଟ ଘୋଡ଼ାଗଲା, ତାହା ଏହି ଦୁର୍ନୀତି ଓ ଅବହେଳାକୁ ଆହୁରି ପ୍ରମାଣିତ କରୁଛି। ସ୍କୁଲ ଓ ଆଶ୍ରମ ସ୍କୁଲମାନଙ୍କରେ ପିଲାମାନଙ୍କୁ ପୁଷ୍ଟିସାର ଖାଦ୍ୟ ବଦଳରେ ପୋକରା ଚାଉଳର ଭାତ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାହାରି ମୁଣ୍ଡରେ ଭୂଷା ପଡୁନାହିଁ।
ଏହା କେବଳ କିଛି ନମୂନା ମାତ୍ର। ସରକାରଙ୍କ ସବୁ ସ୍ତରରେ ଓ ବିଭାଗରେ ଏପରି ଅମାନିଆ ଅମଲା ଭରି ରହିଛନ୍ତି।
ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ବିବାଦ
ଦର୍ଶକବନ୍ଧୁ, ଏସବୁ ଘଟଣା ଭିତରେ ସବୁଠାରୁ ବଡ଼ ଏବଂ ସବୁଠାରୁ ଚାଞ୍ଚଲ୍ୟକର ଚର୍ଚ୍ଚା ଏବେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଚାଲିଛି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ମଧ୍ୟରେ ସମନ୍ୱୟର ଏକ ବଡ଼ ଅଭାବ ରହିଛି!
ଏହାର କାରଣ ସ୍ୱରୂପ ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି ଯେ, ଗତ ମଇ ମାସରେ ରାଜ୍ୟର ବିକାଶ ଓ ପୁଞ୍ଜିନିବେଶ ପାଇଁ ଆମେରିକା ଯିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କର ଯିବାର କେନ୍ଦ୍ରୀୟ ପ୍ରସ୍ତାବ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ସେତେବେଳେ ଏଥିପ୍ରତି ଆଗ୍ରହ ଦେଖାଇନଥିଲେ। ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ନିଜେ ଆମେରିକା ଯିବା ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ, କିନ୍ତୁ ରାଜ୍ୟ ସ୍ତରରୁ ଏହାକୁ ଅନୁମତି ମିଳି ନଥିଲା।
ତାହା ପରେ ଯାହାଘଟିଲା, ତାହା ଆଶ୍ଚର୍ଯ୍ୟଜନକ! ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ବାଇପାସ କରି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ରୁ ଅନୁମତି ନେଇ ମଇ ମାସ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିଥିଲେ!
ଏପରି ହେବାର ମୂଳ କାରଣ ହେଉଛି—ରାଜ୍ୟର ମୁଖ୍ୟ ଶାସନ ସଚିବ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦରେ ନିଯୁକ୍ତି ହେଉନାହାନ୍ତି। କେନ୍ଦ୍ରର ବିଜେପି ନେତାମାନେ ନିଜ ପସନ୍ଦର ଅଣ ଓଡ଼ିଆ ଅମଲାଙ୍କୁ ମୁଖ୍ୟସଚିବ ପଦରେ ନିଯୁକ୍ତି ଦେଉଛନ୍ତି। ଯାହାଫଳରେ ବିଜେପି ସରକାରରେ ଯେଉଁ ମୁଖ୍ୟସଚିବମାନେ ନିଯୁକ୍ତି ପାଉଛନ୍ତି, ସେମାନେ ପ୍ରକୃତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମାନୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାର ପରିଣାମସ୍ୱରୂପ, ମୁଖ୍ୟମନ୍ତ୍ରୀ ବାରମ୍ବାର ଜନସାଧାରଣଙ୍କ ସାମ୍ନାରେ ନିନ୍ଦିତ ହେଉଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବେଶ୍ କ୍ଷୁବ୍ଧ ହୋଇଥିବା ନେଇ ଏବେ କ୍ଷମତା କରିଡରରେ କୁହାକୁହି ହେଉଛି।
ଯଦି ପ୍ରଶାସନର ମୁଖ୍ୟ ହିଁ ରାଜ୍ୟର ମୁଖ୍ୟ ନିର୍ବାଚିତ ନେତାଙ୍କ ନିର୍ଦ୍ଦେଶକୁ ଏଡ଼ାଇ ଏଭଳି ପଦକ୍ଷେପ ନିଅନ୍ତି, ତେବେ ତଳସ୍ତରର ସାଧାରଣ ଅମଲାମାନେ କିପରି ଅମାନିଆ ହେବେ ନାହିଁ?
ତେଣୁ, ଆଜି ଏକ ଗମ୍ଭୀର ପ୍ରଶ୍ନ ଉଠୁଛି—ଓଡ଼ିଶାରେ କ’ଣ ପ୍ରକୃତରେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ସରକାର ଶାସନ କରୁଛନ୍ତି, ନା ପୂର୍ବପରି ଅମଲାତନ୍ତ୍ରର ଏକଛତ୍ରବାଦ ଚାଲିଛି? ବିଜେପି ସରକାରଙ୍କୁ ଯଦି ଓଡ଼ିଶାରେ ସଫଳ ହେବାକୁ ହେବ, ତେବେ ଏହି ‘ଅମାନିଆ ଅମଲା’ଙ୍କ ଉପରେ କଡ଼ା ଲଗାମ ଟାଣିବାକୁ ପଡ଼ିବ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାକୁ ପଡ଼ିବ। ନଚେତ୍, ଜନସାଧାରଣଙ୍କ ମନରେ ଯେଉଁ ପରିବର୍ତ୍ତନର ଆଶା ଥିଲା, ତାହା ନିରାଶାରେ ବଦଳିଯିବ।
AlsoRead; https://purvapaksa.com/restrictions-on-the-burqa-and-niqab-in-italy/
ଇଟାଲୀରେ ବୁର୍ଖା ଓ ନିକାବ୍ ଉପରେ କଟକଣା! || Restrictions on the burqa and niqab in Italy!


