ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ମଞ୍ଚରେ ଆର୍ଥିକ ତଥା ରଣନୈତିକ ସମ୍ପର୍କକୁ ନେଇ ବଡ଼ ମନ୍ଥନ ଆରମ୍ଭ ହୋଇଛି। ବିଶେଷ କରି ଚୀନ୍ ସହିତ ଲଗାତାର ବୃଦ୍ଧି ପାଉଥିବା ବାଣିଜ୍ୟିକ ନିଅଣ୍ଟ କୁ କମାଇବା, ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଆମେରିକୀୟ ଡଲାର୍ ପରିବର୍ତ୍ତେ ନିଜସ୍ୱ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଏବଂ କୃତ୍ରିମ ବୁଦ୍ଧିମତା ତଥା ସେମିକଣ୍ଡକ୍ଟର ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାରେ ସହଭାଗିତାକୁ ମଜଭୁତ କରିବା ଉପରେ ଭାରତ ସର୍ବାଧିକ ଗୁରୁତ୍ୱାରୋପ କରୁଛି। ଗ୍ଲୋବାଲ୍ ସାଉଥ୍ର ସ୍ୱାର୍ଥ ରକ୍ଷା ସହିତ ଭାରତ ନିଜର ଆର୍ଥିକ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବାକୁ ଏହି ସମ୍ମିଳନୀକୁ ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରିବାକୁ ଅଣ୍ଟା ଭିଡ଼ିଛି।
ଚୀନ୍ ଓ ବ୍ରିକ୍ସ ରାଷ୍ଟ୍ରଙ୍କ ସହ ବୃଦ୍ଧି ପାଉଥିବା ବ୍ୟାପାର ନିଅଣ୍ଟ ଚିନ୍ତାର କାରଣ
ନିକଟରେ ପ୍ରକାଶିତ ଅର୍ଥନୈତିକ ଥିଙ୍କ୍-ଟ୍ୟାଙ୍କ୍ ‘ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍’ (GTRI) ର ରିପୋର୍ଟ ଅନୁଯାୟୀ, ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ବାଣିଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲେ ମଧ୍ୟ ଆମଦାନୀ ତୁଳନାରେ ରପ୍ତାନି ବହୁତ କମ୍ ରହିଛି।
- ନିଅଣ୍ଟ ତିନି ଗୁଣ ବୃଦ୍ଧି : ଆର୍ଥିକ ବର୍ଷ ୨୦୨୧ରେ ବ୍ରିକ୍ସ ଦେଶଗୁଡ଼ିକ ସହିତ ଭାରତର ବାଣିଜ୍ୟିକ ନିଅଣ୍ଟ ୭୪.୫ ବିଲିୟନ୍ ଡଲାର୍ ଥିବା ବେଳେ ଆର୍ଥିକ ବର୍ଷ ୨୦୨୬ ସୁଦ୍ଧା ଏହା ତିନି ଗୁଣରୁ ଅଧିକ ବୃଦ୍ଧି ପାଇ ୨୨୬.୧ ବିଲିୟନ୍ ଡଲାର୍ ରେ ପହଞ୍ଚିଛି।
- କେବଳ ଚୀନ୍ ସହ ବିରାଟ ଖାଇ : ବିଗତ ଆର୍ଥିକ ବର୍ଷରେ କେବଳ ଚୀନ୍ ସହ ଭାରତର ବ୍ୟାପାର ନିଅଣ୍ଟ ପ୍ରାୟ ୧୧୨ ବିଲିୟନ୍ ଡଲାର୍ ରହିଥିଲା। ଭାରତ ବ୍ରିକ୍ସ ଦେଶମାନଙ୍କଠାରୁ ବିପୁଳ ପରିମାଣରେ କଞ୍ଚାମାଲ, ଇଲେକ୍ଟ୍ରୋନିକ୍ସ, ଯନ୍ତ୍ରାଂଶ ଏବଂ ଅଶୋଧିତ ତୈଳ ଆମଦାନୀ କରୁଥିବା ବେଳେ ଭାରତୀୟ ସାମଗ୍ରୀର ରପ୍ତାନି ସେହି ଅନୁପାତରେ ବଢ଼ିପାରୁନାହିଁ।
ଚୀନ୍ର କଟକଣା ଓ ବିଜ୍ନେସ୍ ଭିସା ସମସ୍ୟା ଉପରେ ଆଲୋଚନା
ଭାରତୀୟ ଶିଳ୍ପ ମହଲ ଚୀନ୍ର ଏକତରଫା କଟକଣା ଯୋଗୁଁ ବାରମ୍ବାର ସମସ୍ୟାର ସମ୍ମୁଖୀନ ହେଉଛି।
1. ରେୟାର୍ ଆର୍ଥ ମିନେରାଲ୍ସ ଉପରେ ପ୍ରତିବନ୍ଧକ :
ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ସୋଲାର୍ ସେଲ୍ ଏବଂ ହାଇ-ଭୋଲ୍ଟେଜ୍ ବିଦ୍ୟୁତ୍ ଉପକରଣ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ‘ରେୟାର୍ ଆର୍ଥ ମିନେରାଲ୍ସ’ ଏବଂ ବ୍ୟାଟେରୀ ସେଲ୍ ରପ୍ତାନି ଉପରେ ଚୀନ୍ ଲଗାଇଥିବା କଟକଣା ହଟାଇବାକୁ ଭାରତ ଜୋର ଦେଇଛି।
2. ଭାରତୀୟ ବ୍ୟବସାୟୀଙ୍କ ପାଇଁ ଭିସା ସହଜ ହେଉ :
ଭାରତୀୟ ରପ୍ତାନିକାରୀ ଓ ବ୍ୟବସାୟୀମାନଙ୍କୁ ଚୀନ୍ ଯିବା ପାଇଁ ବିଜ୍ନେସ୍ ଭିସା ପ୍ରଦାନରେ ହେଉଥିବା ବିଳମ୍ବ ଏବଂ ନନ୍-ଟାରିଫ୍ ବ୍ୟାରିୟର୍ (ଅଣ-ଶୁଳ୍କ ପ୍ରତିବନ୍ଧକ) ଦୂର କରିବା ନେଇ ଦ୍ୱିପାକ୍ଷିକ ସ୍ତରରେ ସ୍ପଷ୍ଟ ଆଲୋଚନା କରାଯାଉଛି।
ଡଲାର୍ ବଦଳରେ ଟଙ୍କା ଓ ସ୍ଥାନୀୟ ମୁଦ୍ରାରେ ବ୍ୟାପାର
ବିଶ୍ୱ ବାଣିଜ୍ୟରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମୁଦ୍ରା ବା ଆମେରିକୀୟ ଡଲାର୍ ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ କରିବାକୁ ବ୍ରିକ୍ସ ରାଷ୍ଟ୍ରମାନେ ସହମତ ହୋଇଛନ୍ତି।
କୌଣସି ଏକକ ମୁଦ୍ରା ନୁହେଁ :
ପୂର୍ବରୁ ସମସ୍ତ ବ୍ରିକ୍ସ ଦେଶଙ୍କ ପାଇଁ ଏକ ସାଧାରଣ ଏକକ ମୁଦ୍ରା ପ୍ରଚଳନ କରିବା ନେଇ ଚର୍ଚ୍ଚା ହେଉଥିଲା, ମାତ୍ର ଏହା ଅସମ୍ଭବ ମନେହେବାରୁ ଏବେ ଦ୍ୱିପାକ୍ଷିକ ସ୍ଥାନୀୟ ମୁଦ୍ରାରେ କାରବାର କରିବାକୁ ଗୁରୁତ୍ୱ ଦିଆଯାଉଛି।
ଟଙ୍କାର ଅନ୍ତର୍ଜାତୀୟକରଣ :
ଭାରତ ନିଜର ମୁଦ୍ରା ‘ଭାରତୀୟ ଟଙ୍କା’ ରେ ବିଦେଶ ବାଣିଜ୍ୟ କାରବାର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହା ସହିତ ଭାରତର ସଫଳ ‘ୟୁପିଆଇ’ ଏବଂ ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକଚର୍ କୁ ଅନ୍ୟ ସଦସ୍ୟ ଦେଶଗୁଡ଼ିକର ଫାଷ୍ଟ-ପେମେଣ୍ଟ ସିଷ୍ଟମ୍ ସହିତ ଯୋଡ଼ିବା ପାଇଁ ପ୍ରସ୍ତାବ ଦିଆଯାଇଛି।
ଡିପ୍ ଟେକ୍ ଓ ପ୍ରଯୁକ୍ତିବିଦ୍ୟାରେ ନୂଆ ସହଭାଗିତା
କେବଳ ପାରମ୍ପରିକ ବସ୍ତୁ ବାଣିଜ୍ୟ ନୁହେଁ, ଭବିଷ୍ୟତର ଉନ୍ନତ ପ୍ରଯୁକ୍ତିବିଦ୍ୟାରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭାରତ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି।
- କୃତ୍ରିମ ବୁଦ୍ଧିମତା , ଆଡଭାନ୍ସଡ୍ କମ୍ପ୍ୟୁଟିଂ, ସାଇବର ସୁରକ୍ଷା ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଷ୍ଟାର୍ଟଅପ୍ମାନଙ୍କୁ ଯୋଡ଼ିବା।
- ବିଶ୍ୱ ଯୋଗାଣ ଶୃଙ୍ଖଳ ଯେପରି ଯୁଦ୍ଧ କିମ୍ବା ଭୂ-ରାଜନୈତିକ ଉତ୍ତେଜନା କାରଣରୁ ବାଧାପ୍ରାପ୍ତ ନହୁଏ, ସେଥିପାଇଁ ବିକଳ୍ପ ଯୋଗାଣ ମାର୍ଗ ସୃଷ୍ଟି କରିବା।
ବିଶେଷଜ୍ଞଙ୍କ ମତରେ, ବ୍ରିକ୍ସ କେବଳ ପାଶ୍ଚାତ୍ୟ ବିରୋଧୀ ମଞ୍ଚ ନୁହେଁ, ବରଂ ଭାରତ ଭଳି ବିକାଶଶୀଳ ଦେଶ ପାଇଁ ନିଜର ବାଣିଜ୍ୟିକ ହିତ, ରପ୍ତାନି ବଜାର ସମ୍ପ୍ରସାରଣ ଏବଂ ଅର୍ଥନୈତିକ ନିଅଣ୍ଟ ସୁଧାରିବାର ଏକ ବଡ଼ ରଣନୈତିକ ସୁଯୋଗ ଅଟେ। ଆଲୋଚନା ମାଧ୍ୟମରେ ଚୀନ୍ ସହ ବାଣିଜ୍ୟିକ ଅସନ୍ତୁଳନ ଦୂର ହେଲେ ହିଁ ଏହି ଭାଗିଦାରୀ ଭାରତ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରିବ।


