ରାଜଧାନୀର ସବୁଠାରୁ ପ୍ରତିଷ୍ଠିତ ସ୍ୱାସ୍ଥ୍ୟାନୁଷ୍ଠାନ AIIMS ଭୁବନେଶ୍ୱରରେ ଏବେ ନିଯୁକ୍ତିକୁ ନେଇ ଏମିତି ଏକ କଳା କାହାଣୀ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କର ବିଶ୍ୱାସ ହେବ ନାହିଁ। ଗୋଟିଏ ପଟେ ସୁରକ୍ଷା ସଂସ୍ଥାର ଅଧିକାରିକ ଚିଠି ଏବଂ ଅନ୍ୟପଟେ ନିରୀହ ଯୁବକଙ୍କୁ ଠକି ନେଇଥିବା ଲକ୍ଷ ଲକ୍ଷ ଟଙ୍କାର ହସ୍ତଲିଖିତ କାହାଣୀ—ଏହି ଦୁଇଟି ଦସ୍ତାବିଜ୍ ଏବେ ସୃଷ୍ଟି କରିଛି ବିରାଟ ହଇଚଇ!
ଗତ ଅଗଷ୍ଟ ୨୯, ୨୦୨୬ ତାରିଖର ସେହି ଅଧିକାରିକ ଚିଠି ଉପରେ। ‘Bombay Integrated Security (India) Ltd.’ ବା BIS India Ltd. ପକ୍ଷରୁ ଏମ୍ସର Administrative Officerଙ୍କ ପାଖକୁ ଏକ ଚିଠି ପଠାଯାଇଥିଲା। ବିଷୟବସ୍ତୁ ଥିଲା—”Deployment of Hospital attendants against reliever”। ଏହି ଚିଠି ସହିତ ସଂଲଗ୍ନ ହୋଇଥିଲା ମୋଟ ୭୦ ଜଣ ନୂତନ କର୍ମଚାରୀଙ୍କ ଏକ ତାଲିକା। ପ୍ରଥମ ପୃଷ୍ଠାରୁ ତୃତୀୟ ପୃଷ୍ଠା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ନାଁ, ଡେଜିଗନେସନ ଏବଂ ମୋବାଇଲ୍ ନମ୍ବର ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।
କିନ୍ତୁ ଅସଲ ଖେଳ ଏଠାରୁ ଆରମ୍ଭ ହୁଏ! ଯେତେବେଳେ ଏହି ତାଲିକା ସାମ୍ନାକୁ ଆସିଲା, ଠିକ୍ ସେତିକିବେଳେ ପଦାକୁ ଆସିଲା ଆଉ ଏକ ବିସ୍ଫୋରକ ଦସ୍ତାବିଜ୍—ଜଣେ ବେକାର ଯୁବକଙ୍କ ହସ୍ତଲିଖିତ ଅଭିଯୋଗପତ୍ର । କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଜଣେ ଯୁବକ ଏହି ଅଭିଯୋଗ ଆଣିଛନ୍ତି। ଆଉ ସିଧାସଳଖ ଆଙ୍ଗୁଠି ଉଠିଛି ଅସିତ କୁମାର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଉପରେ, ଯିଏ BIS India Ltd. ସହିତ Accountant ଭାବରେ ଜଡ଼ିତ ଥିବା କୁହାଯାଉଛି।
ଅଭିଯୋଗ ପତ୍ରରେ ଥିବା ହିସାବ ଦେଖିଲେ ଆପଣଙ୍କ ମୁଣ୍ଡରେ ହାତ ପଡ଼ିଯିବ! ୨୬ ଅକ୍ଟୋବର ୨୦୨୪ରୁ ୧୧ ଜୁଲାଇ ୨୦୨୫ ଭିତରେ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଦିଆଯାଇଛି ୩ ଲକ୍ଷ ୩୧ ହଜାର ୬୮୦ ଟଙ୍କା। ଆଉ ତାହା ସହିତ ସିଧାସଳଖ ନଗଦ ବା କ୍ୟାଶ୍ ଆକାରରେ ଦିଆଯାଇଛି ଆଉ ଏକ ବିରାଟ ରାଶି—୬ ଲକ୍ଷ ୮୦ ହଜାର ଟଙ୍କା! ଅର୍ଥାତ୍ ମୋଟ ୧୦ ଲକ୍ଷ ୧୧ ହଜାର ୬୮୦ ଟଙ୍କା। ଚାକିରି ପାଇଁ ଏତେ ବଡ଼ ପରିମାଣର ଟଙ୍କା ଦିଆଯିବା ଏବଂ ଶେଷରେ ଚାକିରି ନମିଳିବାରୁ ଟଙ୍କା ଫେରସ୍ତ ପାଇଁ ହୋଇଥିବା ଧସ୍ତାଧସ୍ତି ଓ ମାନସିକ ଯନ୍ତ୍ରଣା ଏହି ଅଭିଯୋଗକୁ ଆହୁରି ଭୟଙ୍କର କରିଦେଇଛି।
ବର୍ତ୍ତମାନ ସବୁଠାରୁ ବଡ଼ ଏବଂ କୋଟିଏ ଟଙ୍କାର ପ୍ରଶ୍ନ—ଏହି ୭୦ ଜଣଙ୍କ ଅଧିକାରିକ ତାଲିକା ଏବଂ ଏହି ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ମଧ୍ୟରେ ସମ୍ପର୍କ କ’ଣ? BIS India Ltd. ପକ୍ଷରୁ ଯେଉଁ ୭୦ ଜଣଙ୍କୁ ଏମ୍ସରେ ଥଇଥାନ କରାଯାଉଛି, ସେମାନଙ୍କ ଭିତରୁ କାହାରିକୁ ଚାକିରି ଦେବା ନାଁରେ କ’ଣ ଏହି ମହାଡିଲ୍ ହୋଇଥିଲା? କ’ଣ ଏହା କେବଳ ଜଣେ ବ୍ୟକ୍ତିଙ୍କ ଠକେଇ, ନା ଏହାର ପଛରେ ସକ୍ରିୟ ରହିଛି ଏକ ବିରାଟ ବେଆଇନ ରାକେଟ୍?
ଏମ୍ସ ଭୁବନେଶ୍ୱର ପ୍ରଶାସନର ସ୍ୱଚ୍ଛତା ଉପରେ ଏବେ ଲାଗିଛି ବଡ଼ ପ୍ରଶ୍ନଚିହ୍ନ। ୭୦ ଜଣଙ୍କ ସିଲେକ୍ସନ୍ ପ୍ରକ୍ରିୟା କ’ଣ ଥିଲା? ସେମାନଙ୍କ ଯୋଗ୍ୟତା ଯାଞ୍ଚ ହୋଇଥିଲା ନା କେବଳ ଟଙ୍କା ବଳରେ ଚାକିରି ବିକ୍ରି ହୋଇଥିଲା?
ଯୁବପିଢ଼ିଙ୍କ ଭବିଷ୍ୟତକୁ ନେଇ ଏଭଳି ଖେଳ ଖେଳୁଥିବା ଅସାଧୁ ଚକ୍ରକୁ ଖୁବ୍ ଶୀଘ୍ର ପଦାକୁ ଅଣାଯିବା ଜରୁରୀ। ବ୍ୟାଙ୍କ ଟ୍ରାଞ୍ଚକେସନ୍ ରେକର୍ଡ, ଡିଜିଟାଲ୍ ପ୍ରମାଣ ଏବଂ ସଂସ୍ଥାର କାଗଜପତ୍ରର ଯଦି ନିରପେକ୍ଷ ତଦନ୍ତ ନହୁଏ, ତେବେ ଏଭଳି ଘଟଣା ଆଗକୁ ଆହୁରି ଭୟଙ୍କର ରୂପ ନେବ।

