କୁହାଯାଏ—ଯେତେବେଳେ ସେନାପତି ରଣଭୂମିରୁ ପାଦ ପଛକୁ ହଟାଇ ନିଅନ୍ତି, ସେତେବେଳେ ସେନାଙ୍କର ମନୋବଳ ଭାଙ୍ଗିଯିବା ସ୍ୱାଭାବିକ। କିନ୍ତୁ ଓଡ଼ିଶା ରାଜନୀତିରେ ଏବେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯାହାକୁ ଦେଖି ସାଧାରଣ ଲୋକେ ମଧ୍ୟ ହସିବାକୁ ବାଧ୍ୟ ହେଉଛନ୍ତି।
ଗତ କିଛି ଦିନ ହେବ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଅର୍ଥାତ୍ ବିଜେଡି ଏବଂ ଏହାର ନେତୃତ୍ୱ କେନ୍ଦ୍ର ସରକାରଙ୍କ ଖଣି ଆଇନ (MMDR Act) ସଂଶୋଧନକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ବିରାଟ ବାତ୍ୟା ସୃଷ୍ଟି କରିଥିଲେ। ଓଡ଼ିଶାର ୧ ଲକ୍ଷ କୋଟିର ରାଜସ୍ୱ କ୍ଷତି ହୋଇଛି ବୋଲି ବଡ଼ ବଡ଼ ବୟାନବାଜି ଦିଆଯାଉଥିଲା। ଲୋକଙ୍କୁ ଭ୍ରମିତ କରିବା ପାଇଁ ଯୋଜନାବଦ୍ଧ ଭାବେ ଲେଖାଲେଖି ଚାଲିଥିଲା। ଆଉ ଏହାପରେ ଘୋଷଣା କରାଗଲା—ରାଜଭବନ ଘେରାଉ କରାଯିବ!
କିନ୍ତୁ ପ୍ରକୃତ ଲଢ଼େଇବେଳକୁ ଯାହା ଘଟିଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ରାଜଭବନ ଆନ୍ଦୋଳନକୁ ଆସିବାକୁ ଥିବା ମୁଖ୍ୟ ସେନାପତିମାନେ ହିଁ ଶେଷ ମୁହୂର୍ତ୍ତରେ ‘ଫେରାର୍’ ହୋଇଗଲେ! କାହିଁକି ଏଭଳି ହେଲା? କେଉଁ ଭୟରେ ବିଜେଡିର ଶୀର୍ଷ ନେତୃତ୍ୱ ଏହି ଆନ୍ଦୋଳନରୁ ଦୂରେଇ ରହିଲେ?
ପ୍ରଥମେ ଏହା ବୁଝିବା ଜରୁରୀ ଯେ ଏହି ସମଗ୍ର ବିବାଦର ମୂଳ କୋଉଠି? ଗତ ୨୦ ଦିନ ଧରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଏକ ସୁଚିନ୍ତିତ ପ୍ରଚାର ଅଭିଯାନ ଚଳାଇଥିଲା। କେନ୍ଦ୍ରର ବିଜେପି ସରକାର ଦ୍ୱାରା ଖଣି ଆଇନରେ କରାଯାଇଥିବା ସଂଶୋଧନ ଯୋଗୁ ଓଡ଼ିଶାର ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟିଛି ବୋଲି ବିରୋଧୀମାନେ ପ୍ରଚାର କରୁଥିଲେ।
ଏହି ଅଭିଯାନର ମଙ୍ଗ ଧରିଥିଲେ ଖୋଦ୍ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏବଂ ବିଜେଡିରେ ନୂଆ କରି ଯୋଗ ଦେଇଥିବା ଅସାଧାରଣ ପ୍ରଭାବଶାଳୀ କର୍ମୀ ତଥା ସୁଜାତା ରାଉତ କାର୍ତ୍ତିକେୟନ। ସାମାଜିକ ଗଣମାଧ୍ୟମ ଏବଂ ପ୍ରିଣ୍ଟ ମିଡିଆରେ ଧାରାବାହିକ ଭାବେ ଲେଖା ଲେଖି କରାଗଲା। ଲୋକଙ୍କ ମନରେ ଏକ ଭ୍ରମ ସୃଷ୍ଟି କରାଗଲା ଯେ ଓଡ଼ିଶାର ସ୍ୱାର୍ଥକୁ ବିଜେପିର ଡବଲ ଇଞ୍ଜିନ ସରକାର ଦ୍ୱାରା ଜଳାଞ୍ଜଳି ଦିଆଯାଉଛି।
କିନ୍ତୁ ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ, ଏହା କେବଳ ସରକାରଙ୍କୁ ବଦନାମ କରିବାର ଏକ ଅପଚେଷ୍ଟା ଥିଲା। ଯେତେବେଳେ ଏହି ମିଥ୍ୟା ପ୍ରଚାରର ପର୍ଦ୍ଦାଫାଶ ହେବାକୁ ଲାଗିଲା ଏବଂ ଜନମତ ବିରୋଧୀଙ୍କ ଆଡ଼କୁ ଓଲଟିବାକୁ ବସିଲା, ଠିକ୍ ସେତିକିବେଳେ ଦଳ ଏକ ବିକ୍ଷୋଭ ପ୍ରଦର୍ଶନୀ ଆନ୍ଦୋଳନର ବାଟ ବାଛିଲା। ଆଉ ଠିକ୍ ସେଇଠୁ ଆରମ୍ଭ ହେଲା ବିଜେଡିର ଆଭ୍ୟନ୍ତରୀଣ ନାଟକ।
ଖଣି ଆଇନକୁ ବିରୋଧ କରି ବିଜେଡି ପକ୍ଷରୁ ଗତକାଲି ରାଜଭବନ ଘେରାଉ କରିବାର ଏକ ବଡ଼ ଯୋଜନା କରାଯାଇଥିଲା। କିନ୍ତୁ ଏହି କାର୍ଯ୍ୟକ୍ରମ ଯେ କେବଳ ଲୋକ ଦେଖାଣିଆ ଏବଂ ନିଜ ଉପରୁ ଦୋଷ ଛଡ଼ାଇବା ନୀତିରେ ହୋଇଥିଲା, ତାହା ସେତେବେଳେ ସ୍ପଷ୍ଟ ହୋଇଗଲା ଯେତେବେଳେ ଆନ୍ଦୋଳନ ଭୂମିକୁ ମୁଖ୍ୟ ନେତାମାନେ ହିଁ ଆସିଲେ ନାହିଁ!
ଆଶ୍ଚର୍ଯ୍ୟର କଥା ଦେଖନ୍ତୁ—ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଲେ। କେବଳ ସେତିକି ନୁହେଁ, ଦଳରେ ନୂତନ ଭାବେ ଅସାଧାରଣ ପ୍ରଭାବ ବିସ୍ତାର କରିଥିବା କର୍ମୀ ସୁଜାତା ରାଉତ କାର୍ତ୍ତିକେୟନ, ରାଜ୍ୟସଭାରେ ଦଳର ନେତା ମାନସ ରଞ୍ଜନ ମଙ୍ଗରାଜ, ଏବଂ ଦଳର ପିଏସି (PAC) ସଦସ୍ୟ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ରାଜଭବନ ଘେରାଉ କାର୍ଯ୍ୟକ୍ରମକୁ ଆସି ନ ଥିଲେ। ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଦଳର ଅନ୍ୟ ନେତାମାନଙ୍କ ଉପରେ ଦେଇ ସେମାନେ ନିଜେ ଦୂରେଇ ରହିଲେ।
ଯେଉଁ ନେତାମାନେ ଗତ ୨୦ ଦିନ ଧରି ଗଣମାଧ୍ୟମରେ ଖଣି ଆଇନକୁ ନେଇ ପୃଷ୍ଠା ଲେଖା ଭର୍ତ୍ତି କରୁଥିଲେ, ସେମାନେ ନିଜେ ରାସ୍ତାକୁ ଓହ୍ଲାଇବା ସମୟରେ କେଉଁଆଡ଼େ ଲୁଚିଗଲେ? ଏହି ପ୍ରଶ୍ନ ଏବେ ସାଧାରଣ କର୍ମୀଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରିଛି।
ଶୀର୍ଷ ନେତୃତ୍ୱଙ୍କ ଏପରି ଅନୁପସ୍ଥିତି ଦଳୀୟ କର୍ମୀମାନଙ୍କ ମନୋବଳକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି। ରାଜଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆସିଥିବା ଅନେକ ତୃଣମୂଳ ସ୍ତରର କର୍ମୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅନେକ ବରିଷ୍ଠ ନେତା ଏବଂ କର୍ମୀ ନିରବରେ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଯେହେତୁ ଖୋଦ୍ ଦଳର ସଭାପତି ନବୀନ ପଟ୍ଟନାୟକ ସେମାନଙ୍କୁ ଫୋନ୍ କରି ଏହି ଘେରାଉ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ, ତେଣୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଆସିଥିଲେ। କିନ୍ତୁ ଯେଉଁ ନେତା ନିଜେ ଫୋନ୍ କରି କର୍ମୀଙ୍କୁ ରାସ୍ତାରେ ଛାଡ଼ିଦେଲେ, ସେମାନେ ନିଜେ ଆସିବାକୁ ସାହସ ଜୁଟାଇ ପାରିଲେ ନାହିଁ। କିନ୍ତୁ କାହିଁକି?
ବର୍ତ୍ତମାନ ଆସିବା ଏହି ପୂରା ପ୍ରହସନର ସବୁଠାରୁ ବଡ଼ ଏବଂ ସମ୍ବେଦନଶୀଳ ଦିଗ ଉପରେ। ବିଜୁ ଜନତା ଦଳର ନେତାମାନେ ଏତେ ବଡ଼ ପ୍ରସଙ୍ଗ ପାଇବା ସତ୍ତ୍ୱେ କାହିଁକି ଜୋରଦାର ଭାବେ ଲଢ଼ିପାରୁ ନାହାନ୍ତି? କାହିଁକି ସେମାନଙ୍କ ସ୍ୱର ଥରି ଉଠୁଛି?
ଏହାର ଉତ୍ତର ଲୁଚି ରହିଛି ବିଗତ ବର୍ଷଗୁଡ଼ିକରେ ବିଜେଡିର ପାଣ୍ଠି କିପରି ବୃଦ୍ଧି ପାଇଛି ତାହା ଉପରେ। ଜାତୀୟ ଗଣମାଧ୍ୟମ ଏବଂ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଦେଶର ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ବିଜେଡି ସବୁଠାରୁ ଧନୀ ପାର୍ଟି ଭାବେ ଉଭା ହୋଇଥିଲା। ପ୍ରଶ୍ନ ହେଉଛି—ଏହି ଅମାପ ଧନରାଶି ଏବଂ ରାଜନୈତିକ ଚାନ୍ଦା କାହା ପାଖରୁ ଆସିଥିଲା?
ଚାନ୍ଦା ଦେଇଥିବା କମ୍ପାନୀଗୁଡ଼ିକର ତାଲିକା ଯଦି ଆପଣ ଦେଖିବେ, ସେଥିରେ ସବୁଠାରୁ ଆଗରେ ରହିଥିଲେ ଖଣି, ଇସ୍ପାତ ଏବଂ ଭାରୀ ଶିଳ୍ପ ସହ ଜଡ଼ିତ ବଡ଼ ବଡ଼ ବ୍ୟବସାୟୀ ସଂସ୍ଥା! ଯେଉଁ ଦଳର ପାଣ୍ଠି ଖଣି କମ୍ପାନୀଗୁଡ଼ିକର ଚାନ୍ଦାରେ ପରିପୁଷ୍ଟ, ସେହି ଦଳର ନେତାମାନଙ୍କ ପାଖରେ କ’ଣ ସତରେ ସାହସ ଅଛି ସେହି ଖଣି ଅର୍ଥନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ?
ଯେଉଁମାନେ ବର୍ଷ ବର୍ଷ ଧରି ଖଣି ମାଲିକମାନଙ୍କ ଆଶୀର୍ବାଦରୁ ରାଜନୈତିକ ଲାଭ ପାଇଆସିଛନ୍ତି, ସେମାନେ ଆଜି ଯଦି କହିବେ ଯେ ସେମାନେ ଖଣିଜ ସମ୍ପଦର ସୁରକ୍ଷା ପାଇଁ କେନ୍ଦ୍ର ବିରୋଧରେ ଧର୍ମଯୁଦ୍ଧ କରୁଛନ୍ତି, ତେବେ ଲୋକେ କ’ଣ ଏହାକୁ ବିଶ୍ୱାସ କରିବେ? ରାଜଭବନ ଆଗରେ ବିଜେଡି ନେତାଙ୍କର ନିରୁତ୍ସାହିତ ଉପସ୍ଥିତି ଏହି କଥାକୁ ହିଁ ପ୍ରମାଣିତ କରିଦେଲା। ତେଣୁ ବିଜେଡିର ଏହି ନୂଆ ବିରୋଧୀ ରୂପ ଲୋକଙ୍କୁ ଆକୃଷ୍ଟ କରିବା ପରିବର୍ତ୍ତେ ସେମାନଙ୍କ ଦୋମୁହାଁ ନୀତିକୁ ହିଁ ପଦାରେ ପକାଉଛି।
ଏହାକୁ କର୍ମୀମାନେ ଏକ ପ୍ରକାର ପ୍ରତାରଣା ବୋଲି ମଧ୍ୟ ଭାବିବାକୁ ଆରମ୍ଭ କଲେଣି। ଯେଉଁ ଦଳରେ କର୍ମୀମାନେ ନେତାଙ୍କ ଆଦେଶରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି, କିନ୍ତୁ ନେତାମାନେ ନିଜେ ସୁରକ୍ଷିତ ଘରେ ବସି ରହୁଛନ୍ତି, ସେଠାରେ ଦଳର ଭବିଷ୍ୟତ କ’ଣ ହେବ—ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗତକାଲି ବିଜେଡି ଯେଉଁ ଧରଣର ଆନ୍ଦୋଳନ କଲା, ତାହା ଦେଖିଲେ ଲାଗୁଛି ଯେ ଦଳ ଭିତରେ ନା ନେତୃତ୍ୱ ଅଛି, ନା ଦିଗ୍ଦର୍ଶନ। ଗୋଟିଏ ସମୟରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତରେ ନିଜର ଦବ୍ଦବା ଜାହିର କରୁଥିବା ଦଳ ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କିଛି ଶହ କର୍ମୀଙ୍କୁ ଏକାଠି କରିବାକୁ ସଂଘର୍ଷ କରୁଛି।
ବିଜେଡିର ଏହି ପ୍ରତିବାଦରୁ ତିନିଟି କଥା ସ୍ପଷ୍ଟ ହୋଇଯାଇଛି:
1. ଅନିଚ୍ଛୁକ ନେତୃତ୍ୱ :
ଦଳର ପ୍ରମୁଖ ଚେହେରାମାନେ ରାଜରାସ୍ତାକୁ ଆସି ଲଢ଼ିବାକୁ ଚାହୁଁନାହାନ୍ତି। କାରଣ ବିଜେଡି ଏବେ ଅନ୍ୟ ହାତରେ ଲିଜରେ ରହିଛି।
2. ଲୋକଙ୍କଠାରୁ ଦୂରତା :
ବିଜେଡିର ଏହି ଆନ୍ଦୋଳନରେ ସାଧାରଣ ଲୋକ କିମ୍ବା ଶ୍ରମିକମାନଙ୍କ ଯୋଡ଼ି ହେବା ଦେଖିବାକୁ ମିଳିନଥିଲା।
3. କେବଳ ଲୋକଦେଖାଣି ନାଟକ :
ବିରୋଧୀ ଦଳ ଭାବରେ ନିଜର ଉପସ୍ଥିତି ଜାହିର କରିବା ଏବଂ କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ପ୍ରମୁଖ ବିରୋଧୀ ଦଳ ଏଭଳି ଦୁର୍ବଳ ଭାବରେ ପ୍ରତିବାଦ କରିବ, ତେବେ ରାଜ୍ୟ ସ୍ୱାର୍ଥର ସୁରକ୍ଷା କିଏ କରିବ? ଓଡ଼ିଶାର ହକ୍ ପାଇଁ କିଏ ଲଢ଼ିବ?
ବର୍ତ୍ତମାନ ରାଜନୈତିକ କରିଡରରେ ଏକ ବଡ଼ ଚର୍ଚ୍ଚା ଜୋରଧରିଛି। ରାଜନୈତିକ ବିଶେଷଜ୍ଞମାନଙ୍କ ମତ ଅନୁସାରେ, ବିଜେଡି ତାର ଏହି ଉପରଠାଉରିଆ ଘେରାଉ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରକୃତରେ ନିଜର ବିରୋଧକୁ ଏଇଠି ସାରିଦେଲା। ଅର୍ଥାତ୍, ଏହା ଏକ ‘ଆଇୱାଶ୍’ ବା ଦେଖାଇ ହେବା ଭଳି ଆନ୍ଦୋଳନ ଥିଲା, ଯାହାର କୌଣସି ଗମ୍ଭୀରତା ନଥିଲା।
କିନ୍ତୁ ଏହାର ପ୍ରକୃତ କାରଣ କ’ଣ? ଚର୍ଚ୍ଚା ହେଉଛି ଯେ ବିଜେଡିର ଅନେକ ବଡ଼ ବଡ଼ ନେତା ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ସିଧାସଳଖ ଖଣି କାରବାର ସହିତ ସମ୍ପୃକ୍ତ ଅଛନ୍ତି। ଯେଉଁ ଦଳର ନେତାମାନେ ନିଜେ ଖଣି ବ୍ୟବସାୟରେ ଜଡ଼ିତ, ସେମାନେ କିପରି ପ୍ରକୃତରେ ଖଣି ଆଇନ ବିରୋଧରେ କୌଣସି ବଡ଼ ଲଢ଼େଇ କରିବେ?
ଯଦି ଏହି ବିଷୟରେ ଅଧିକ ଖୋଳତାଡ଼ କରାଯାଏ,ତେବେ ଦଳ ଭିତରେ ଥିବା ଅନେକ ଗୁମର ପଦାକୁ ଆସିଯିବାର ଭୟ ରହିଛି। ସେଥିପାଇଁ ବିଜେଡି ନେତୃତ୍ୱ ଜାଣିଶୁଣି ଏହି ଆନ୍ଦୋଳନକୁ ଏକ ଦୁର୍ବଳ ଓ ଉପରଠାଉରିଆ ସ୍ତରରେ ସିମୀତ ରଖିଲା, ଯାହାଫଳରେ ଖଣି ଦୁର୍ନୀତିର ପ୍ରକୃତ ମୁଖା ଆଉା ଅଧିକ ଖୋଲିବ ନାହିଁ। ଏହି କାରଣରୁ ହିଁ ଆଜି ବିଜେଡି କ୍ରମାଗତ ଭାବେ ‘ବ୍ୟାକଫୁଟ୍’କୁ ଚାଲିଯାଇଛି।
ଶେଷରେ ଏତିକି କୁହାଯାଇପାରେ ଯେ, ରାଜନୀତିରେ କେବଳ କାଗଜପତ୍ରରେ ଲେଖାଲେଖି କରି କିମ୍ବା ଗଣମାଧ୍ୟମରେ ବୟାନବାଜି ଦେଇ ଜନସାଧାରଣଙ୍କୁ ବେଶୀ ଦିନ ଭ୍ରମିତ କରାଯାଇପାରିବ ନାହିଁ। ଯେତେବେଳେ ପ୍ରକୃତ ପରୀକ୍ଷାର ସମୟ ଆସେ, ସେତେବେଳେ ନେତାମାନଙ୍କର ଅସଲ ମୁଖା ପିନ୍ଧା ଖୋଲିଯାଏ।
ବିଜେଡିର ଏହି ରାଜଭବନ ଘେରାଉ ନାଟକ ଆଜି ଓଡ଼ିଶାର ଜନସାଧାରଣଙ୍କ ଆଗରେ ସମ୍ପୂର୍ଣ୍ଣ ପଦାକୁ ଆସିଯାଇଛି। ଲଢ଼େଇ ଆରମ୍ଭ ନହେଉଣୁ ନେତାମାନଙ୍କର ଏପରି ଫେରାର୍ ହେବା ଏବଂ କର୍ମୀଙ୍କୁ ଅଧା ରାସ୍ତାରେ ଛାଡ଼ିଦେବା—ଏହା ଦଳର ଭବିଷ୍ୟତ ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହେବ, ତାହା ଆଗାମୀ ଦିନର ସମୟ ହିଁ କହିବ।


