ଓଡ଼ିଶା ରାଜନୀତିରୁ ସବୁଠାରୁ ବଡ଼ ଏବଂ ସେନ୍ସେସନାଲ୍ ଖବର ଏବେ ସାମ୍ନାକୁ ଆସୁଛି। ଯେଉଁ ଭୟ, ଯେଉଁ ଆଶଙ୍କା ଦୀର୍ଘ ଦିନ ହେଲା ଓଡ଼ିଶାବାସୀ ଏବଂ ବିଜେଡିର ଅନେକ ସିନିୟର ନେତାଙ୍କ ମନରେ ଲାଗି ରହିଥିଲା, ଶେଷରେ ସେଇଆ ହିଁ ହେଲା। ଆଜି ଆଞ୍ଚଳିକ ଦଳ ବିଜୁ ଜନତା ଦଳର ଭବିଷ୍ୟତକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶ୍ନ ଉଠୁଛି— ବିଜେଡି ଦଳ, ତା’ର ସମ୍ପତ୍ତି, ଶଙ୍ଖ ଭବନ ଏବଂ ନବୀନ ବାବୁଙ୍କ ବ୍ୟକ୍ତିଗତ ସମ୍ପତ୍ତି କ’ଣ ସତରେ ତାମିଲ ଦମ୍ପତ୍ତିଙ୍କ ହାତକୁ ଚାଲିଗଲା? କ’ଣ ସତରେ ସବୁ ହଡ଼ପ କରିନେଲେ ଭୈରବ କାର୍ତ୍ତିକୟନ ପାଣ୍ଡିଆନ୍ ଏବଂ ସୁଜାତା ରାଉତ କାର୍ତ୍ତିକେୟନ?
ଦିନେ ଦଳର ପୂର୍ବତନ ସାଂସଦ ଦେବାଶୀଷ ସାମନ୍ତରାୟ ଯେଉଁ ବୟାନ ଦେଇଥିଲେ, ଯେଉଁ ଆଶଙ୍କା ପ୍ରକଟ କରିଥିଲେ, ଆଜି ତାହା ଅକ୍ଷର ଅକ୍ଷର ସତ୍ୟରେ ପରିଣତ ହେବାକୁ ଯାଉଛି। ସୁଜାତା ରାଉତ କାର୍ତ୍ତିକେୟନ ଆଇଏଏସ୍ ପଦରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ବିଜୁ ପଟ୍ଟନାୟକଙ୍କ ପରିବାରରୁ ଆଉ କେହି ରାଜନୀତିକୁ ଆସିବାର ସମ୍ଭାବନା ଆପାତତଃ ଶେଷ ହୋଇଯାଇଛି।
ଟ୍ରଷ୍ଟ ପଲିଟିକ୍ସ ଏବଂ ‘ରାଉତ’ ସାଙ୍ଗିଆର ଖେଳ
ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ, ଦିଲ୍ଲୀରେ; ଗଢ଼ା ଯାଇଥିବା ଟ୍ରଷ୍ଟ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ଏବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପରିଚାଳନା କରିବେ। ଅନ୍ୟପଟେ, ଆଗାମୀ ଦିନରେ ଦଳର ସମ୍ପୂର୍ଣ୍ଣ ନେତୃତ୍ୱ ନେବେ ସୁଜାତା ରାଉତ କାର୍ତ୍ତିକେୟନ। ଦଳର ବିରାଟ ପାଣ୍ଠି ଏବେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ହାତକୁ ଯିବ ଏବଂ ଭବିଷ୍ୟତରେ ଶଙ୍ଖ ଭବନର ସର୍ବେସର୍ବା ସେ ହିଁ ହେବେ, ଏଥିରେ ଆଉ କାହାରି ସନ୍ଦେହ ନାହିଁ।
କିନ୍ତୁ ଏଠାରେ ସବୁଠାରୁ ମଜାଦାର କଥା ହେଉଛି, ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଓଡ଼ିଆ ବୋଲି ସାବ୍ୟସ୍ତ କରିବା ପାଇଁ ବିଜେଡି ପକ୍ଷରୁ ଏକ ବଡ଼ ପ୍ରୟାସ ଆରମ୍ଭ ହୋଇଛି। ଆପଣ ଯଦି ବିଜେଡିର ପ୍ରେସ୍ ରିଲିଜକୁ ଦେଖିବେ, ସେଠାରେ ସୁଜାତା ରାଉତ କାର୍ତ୍ତିକେୟନ ବଦଳରେ ‘ସୁଜାତା ରାଉତ’ ବିଜେଡିରେ ଯୋଗ ଦେଲେ ବୋଲି ଲେଖା ହୋଇଥିଲା। ପୂର୍ବରୁ ପାଣ୍ଡିଆନଙ୍କ ‘କାର୍ତ୍ତିକ’ ନାମରୁ ଦଳକୁ ଓଡ଼ିଶାରେ କିଛି ଫାଇଦା ମିଳିନଥିଲା, ଓଲଟା ସେମାନେ ନିର୍ବାଚନ ହାରିଗଲେ। ଏବେ ଏହି ‘ରାଉତ’ ସାଙ୍ଗିଆ ବା କାର୍ଡ ଖେଳି ଦଳ ଓଡ଼ିଶାବାସୀଙ୍କ ମନ ଜିତିବାକୁ ଚେଷ୍ଟା କରୁଛି ବିଜେଡି ଓ ତାମିଲ କାର୍ତ୍ତିକେୟନ ପରିବାର। କିନ୍ତୁ ଏହି ସାଙ୍ଗିଆ ବଦଳାଇବା ରାଜନୀତିରୁ ଦଳକୁ କେତେ ଫାଇଦା ମିଳିବ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ସାଧାରଣ କର୍ମୀ ନା ନୂଆ ଅଫିସ୍? ପ୍ରାୟୋଜିତ ସ୍ୱାଗତର କାହାଣୀ
ସେହି ଦିନର କଥା, ଯେତେବେଳେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଆଇଏଏସ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେତେବେଳେ କୁହାଯାଇଥିଲା ସେ ଜଣେ ସାଧାରଣ କର୍ମୀ। ଏବେ ଠିକ୍ ସେହିଭଳି ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମଧ୍ୟ ଜଣେ ‘ସାଧାରଣ କର୍ମୀ’ ବୋଲି କୁହାଯାଉଛି। କିନ୍ତୁ ବାସ୍ତବତା କ’ଣ? ଗତକାଲିଠାରୁ ଦଳ ଭିତରେ ଏକ ଭିନ୍ନ ତରିକାରେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଦରବାର ବସିବା ଆରମ୍ଭ ହୋଇଯାଇଛି।
ଗତକାଲି ରାଜ୍ୟସଭା ସାଂସଦ, ଦଳର ମୁଖପାତ୍ର ଏବଂ ବିଭିନ୍ନ ଛାମୁଆ ସଂଗଠନର ନେତାମାନେ ଗୋଷ୍ଠୀ ହୋଇ, ପୃଥକ୍ ପୃଥକ୍ ଭାବେ ଆସି ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଭେଟିଛନ୍ତି। ତାଙ୍କ ସହ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସ୍ୱାଗତ କରୁଛନ୍ତି। ବିଧାୟକ ଏବେ ନିଜ ନିଜ ସମର୍ଥକମାନଙ୍କୁ ଧରି ସୁଜାତାଙ୍କୁ ଭେଟିବାକୁ ଧାଡ଼ି ଲଗାଇଛନ୍ତି, ପୁଷ୍ପଗୁଚ୍ଛ ଦେଉଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଘୂରି ବୁଲୁଛି।
ଏହା କୌଣସି ଆକସ୍ମିକ ଘଟଣା ନୁହେଁ। ଗତ କିଛି ଦିନ ହେଲା ଦଳ ପକ୍ଷରୁ ଏଥିପାଇଁ ଭିତରେ ଭିତରେ ବଡ଼ ପ୍ରସ୍ତୁତି ଚାଲିଥିଲା। ବିଜେଡିର ଚାରି-ପାଞ୍ଚ ଜଣ ଆଗଧାଡ଼ିର ନେତାଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା କି କେମିତି ଏକ ବଡ଼ ମାହୋଲ ତିଆରି କରାଯିବ। ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଯେତେବେଳେ ଯୋଗ ଦେଇଥିଲେ, ଠିକ୍ ଏହି ତରିକାରେ ପ୍ରାୟୋଜିତ ଭାବେ ତାଙ୍କୁ ପ୍ରତିଦିନ ଦଳ ଦଳ ହୋଇ ନେତାମାନେ ସ୍ୱାଗତ କରୁଥିଲେ। ତେଣୁ ବିଜେଡିରେ ଏବେ ଖୋଲାଖୋଲି ଭାବେ ‘ସୁଜାତା ଯୁଗ’ ଆରମ୍ଭ ହେଲା କହିଲେ ଆଦୌ ଭୁଲ୍ ହେବ ନାହିଁ।
ଏଠାରେ ଗୋଟିଏ ପ୍ରଶ୍ନ— ଯଦି ସୁସୁଜାତା ରାଉତ କାର୍ତ୍ତିକେୟନ ଜଣେ ସାଧାରଣ କର୍ମୀ, ତେବେ କ’ଣ ଓଡ଼ିଶାରେ ସାଧାରଣ କର୍ମୀଙ୍କୁ ଭେଟିବା ପାଇଁ ଦଳର ସାଂସଦ ଏବଂ ବିଧାୟକମାନେ ଧାଡ଼ି ଲଗାନ୍ତି କି? କ’ଣ ଜଣେ ସାଧାରଣ କର୍ମୀ ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ନିଜର ସ୍ୱତନ୍ତ୍ର ଅଫିସ୍ କରନ୍ତି କି? ଏ ପ୍ରଶ୍ନର ଉତ୍ତର ଓଡ଼ିଶାର ଜନସାଧାରଣ ଖୋଜୁଛନ୍ତି।
ବବି ଦାସଙ୍କ ହାଜିରା ଏବଂ ସନ୍ତୃପ୍ତ ମିଶ୍ରଙ୍କ ଭୂମିକା
ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ନିର୍ବାଚନ ହାରିବା ପରେ ମଧ୍ୟ ବିଜେଡି ନେତାମାନଙ୍କ ପାଇଁ ଏବେ ବି ପାଣ୍ଡିଆନ୍ ଦମ୍ପତି ହିଁ ଏକମାତ୍ର ଭରସା। ତାଙ୍କ ବିନା ଦଳର ଅନ୍ୟ କୌଣସି ଗତି ନାହିଁ ଏବଂ ଗତକାଲି ବିଜେଡିର ବଡ଼ ବଡ଼ ନେତାମାନେ ଏକଥା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ୱୀକାର କରି ନେଇଛନ୍ତି। ତେଣୁ ଦଳରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ ଯେଉଁ ଅସନ୍ତୋଷ ରହିଛି ବୋଲି କୁହାଯାଉଥିଲା ତାହା କେବଳ ଫମ୍ପା ଶବ୍ଦ ବୋଲି କହିଲେ ଭୁଲ ହେବ ନାହିଁ।
ରାଜନୈତିକ କରିଡରରେ ଚର୍ଚ୍ଚା ହେଉଥିଲା ଯେ, ଯାଜପୁରର ଟାଣୁଆ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଛନ୍ତି। କିନ୍ତୁ ଭିତରର ଖବର କହୁଛି ଏହା ଆଦୌ ସତ୍ୟ ନୁହେଁ। କାରଣ ଗୁରୁବାର ସଂଧ୍ୟାରେ ଏବେ ଶୁକ୍ରବାର ସକାଳେ ନିଜେ ବବି ଦାସ ଆସି ସୁଜାତା ରାଉତ କାର୍ତ୍ତିକେୟନଙ୍କ ଦରବାରରେ ହାଜିରା ପକାଇଛନ୍ତି। ସେ ଯେ ଦଳର ଏହି ନୂଆ ନେତୃତ୍ୱ ଉପରେ ଆଦୌ ଅସନ୍ତୁଷ୍ଟ ନୁହନ୍ତି, ତାହା ସେ ସୁଜାତାଙ୍କୁ ଭେଟି ସ୍ପଷ୍ଟ କରିଥିବା ଆଲୋଚନା ହେଉଛି।
ଆଉ ଏହି ସମ୍ପୂର୍ଣ୍ଣ ସେଟିଂ ବା ଦରବାର ପଛରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ରାଜ୍ୟସଭା ସାଂସଦ ତଥା ପାଣ୍ଡିଆନଙ୍କ ଅତି ଏକାନ୍ତ ସହଯୋଗୀ ସଂତୃପ୍ତ ମିଶ୍ର। କର୍ପୋରେଟ୍ ଦୁନିଆ ଛାଡ଼ି ରାଜନୀତିକୁ ଆସିଥିବା ସଂତୃପ୍ତ ମିଶ୍ର ଏବେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ମୁଖ୍ୟ ସହାୟକ ବା କୋ-ଅର୍ଡିନେଟର ଭାବରେ କାମ କରୁଛନ୍ତି। ନେତାମାନଙ୍କୁ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସହ ଭେଟ କରାଇବା ଏବଂ ଦଳର ଆଭ୍ୟନ୍ତରୀଣ ସମୀକରଣକୁ ସଜାଡ଼ିବା ଦାୟିତ୍ୱ ଏବେ ସଂତୃପ୍ତ ମିଶ୍ରଙ୍କ ହାତରେ ରହିଛି।
ପରିଶେଷରେ, ଏତିକି କୁହାଯାଇପାରେ ଯେ ବିଜେଡି ଏବେ ଏକ ବଡ଼ ଆଭ୍ୟନ୍ତରୀଣ ପରିବର୍ତ୍ତନ ଦେଇ ଗତି କରୁଛି। ନବୀନ ବାବୁଙ୍କ ପରେ ଦଳର ଗତିପଥ କେଉଁଆଡ଼େ ଯିବ, ତାହାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିବାରେ ଲାଗିଛି। ସାଧାରଣ କର୍ମୀ ନାମରେ ଦଳରେ ଏଣ୍ଟ୍ରି କରିଥିବା ସୁଜାତା ରାଉତ କାର୍ତ୍ତିକେୟନ ଆଗାମୀ ଦିନରେ ବିଜେଡିର ‘ସୁପ୍ରିମୋ’ ହେବାକୁ ଯାଉଛନ୍ତି, ଏହା ଏବେ କେବଳ ସମୟର ଅପେକ୍ଷା।
କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ— ଓଡ଼ିଶାର ଜନସାଧାରଣ କ’ଣ ଏହି ପରିବର୍ତ୍ତନକୁ ଗ୍ରହଣ କରିବେ? ଯେଉଁ ତାମିଲ କାର୍ଡକୁ ନେଇ ଗତ ନିର୍ବାଚନରେ ବିଜେଡି ଶୋଚନୀୟ ଭାବେ ପରାଜିତ ହୋଇଥିଲା, ସେହି ସମାନ ରଣନୀତିରେ ‘ରାଉତ’ ସାଙ୍ଗିଆ ଲଗାଇ ବିଜେଡି କ’ଣ ପୁଣିଥରେ ଓଡ଼ିଶା ଶାସନକୁ ଫେରିପାରିବ?
AlsoRead; https://purvapaksa.com/indian-armys-4-new-brahmastras-china-and-pakistan-are-stunned/


