ଭାରତୀୟ ଜନତା ପାର୍ଟି ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଦଳର ସାଂଗଠନିକ ଚେହେରାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ବିଜେପିର ନୂଆ କାର୍ଯ୍ୟକାରିଣୀ କମିଟି ଗଠନ ପ୍ରକ୍ରିୟାରେ ସେ ମହିଳା ସଶକ୍ତୀକରଣ ଏବଂ ଯୁବପିଢ଼ିଙ୍କ ଭାଗିଦାରୀ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଦଳର ସୂତ୍ର ଅନୁଯାୟୀ, ଆଗାମୀ ବିଧାନସଭା ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଏହି ନୂତନ କମିଟିରେ ବ୍ୟାପକ ସଂସ୍କାର କରାଯାଉଛି । ଯେଉଁଥିରେ ଦେଶର ଅଦା ଜନସଂଖ୍ୟା ଥିବା ମହିଳା ଏବଂ ଦେଶର ଭବିଷ୍ୟତ ଯୁବବର୍ଗ ମାନଙ୍କୁ ପ୍ରମୁଖ ସ୍ଥାନ ମିଳିବାକୁ ଯାଉଛି।

ନୂଆ ଚେହେରା ଓ ନୂଆ ରଣନୀତି
ସବୁଠାରୁ କମ୍ ବୟସରେ ବିଜେପିର ସର୍ବୋଚ୍ଚ ପଦବୀ ସମ୍ଭାଳିଥିବା ନିତିନ ନବୀନ ଦଳ ମଧ୍ୟରେ ଯୁବ ଶକ୍ତିକୁ ଆଗକୁ ଆଣିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ନୂଆ କାର୍ଯ୍ୟକାରିଣୀ କମିଟିରେ ଅଭିଜ୍ଞ ନେତାମାନଙ୍କ ସହିତ ବହୁ ସଂଖ୍ୟାରେ ଯୁବ ଏବଂ ମହିଳା ଚେହେରାଙ୍କୁ ସାମିଲ କରାଯାଉଛି।

ଏହା ଦ୍ୱାରା ତୃଣମୂଳ ସ୍ତରରେ ଦଳର ସଙ୍ଗଠନକୁ ଅଧିକ ମଜବୁତ କରାଯାଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଦଳର ରଣନୀତି ଅନୁଯାୟୀ, ମହିଳା ସୁରକ୍ଷା, ମହିଳା ସ୍ୱାବଲମ୍ବନ (ଯେପରିକି ଲକ୍ଷପତି ଦିଦି ଯୋଜନା) ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ମାଧ୍ୟମରେ ଯୁବକମାନଙ୍କୁ ସ୍ୱରୋଜଗାରକ୍ଷମ କରିବା ଭଳି ପ୍ରସଙ୍ଗକୁ ଏହି ନୂଆ କମିଟି ଜନସାଧାରଣଙ୍କ ପାଖକୁ ନେଇଯିବ।
ମହିଳା ସଂରକ୍ଷଣ ବିଲ୍କୁ ନେଇ ବିରୋଧୀଙ୍କୁ ଟାର୍ଗେଟ୍

ସଙ୍ଗଠନରେ ମହିଳାଙ୍କ ଭୂମିକାକୁ ନେଇ ନିତିନ ନବୀନ ବିରୋଧୀ ମେଣ୍ଟ (INDIA Alliance) କୁ ତୀବ୍ର ସମାଲୋଚନା କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ଦିଗରେ କଂଗ୍ରେସ, ଏସପି, ଟିଏମସି ଏବଂ ଡିଏମକେ ଭଳି ଦଳ ବାଧା ସୃଷ୍ଟି କରି ଦେଶର ମହିଳାମାନଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଆଗାମୀ ନିର୍ବାଚନରେ ଦେଶର ମାତୃଶକ୍ତି ଏହାର କଡ଼ା ଜବାବ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଯୁବ ଶକ୍ତିକୁ ସଠିକ୍ ଦିଗଦର୍ଶନ

ନିତିନ ନବୀନଙ୍କ କହିବା ଅନୁଯାୟୀ, ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଯୁବ ଜନସଂଖ୍ୟା ବିଶିଷ୍ଟ ଦେଶ। ଯଦି ଏହି ଯୁବ ଶକ୍ତିର ଉର୍ଜାକୁ ସଠିକ୍ ଦିଗ ମିଳେ, ତେବେ ‘ବିକଶିତ ଭାରତ ୨୦୪୭’ର ସ୍ୱପ୍ନ ସାକାର ହେବ। ଏଥିପାଇଁ ବିଜେପି ନିଜର ନୂତନ ସାଂଗଠନିକ କମିଟିରେ ଯୁବକମାନଙ୍କୁ କେବଳ ଭୋଟର ଭାବେ ନୁହେଁ, ବରଂ ନେତୃତ୍ୱ ନେବା ଭଳି ଦାୟିତ୍ୱପୂର୍ଣ୍ଣ ପଦବୀ ମଧ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏନେଇ ବିଜେପିର ଏହି ନୂଆ ରୂପରେଖ ସ୍ପଷ୍ଟ କରୁଛି ଯେ, ଦଳ ଆଗାମୀ ଦିନରେ ନିଜର ସାଂଗଠନିକ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଆଧୁନିକ ଓ ସର୍ବବ୍ୟାପୀ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି।


