ବିଶ୍ୱ ବାଣିଜ୍ୟ ତଥା ପରିବହନ ପାଇଁ ସବୁଠାରୁ ସମ୍ବେଦନଶୀଳ ମାନାଯାଉଥିବା ‘ଷ୍ଟ୍ରେଟ୍ ଅଫ ହରମୁଜ୍’ ସାମୁଦ୍ରିକ ମାର୍ଗରୁ ଏକ ବଡ଼ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଗତ ଫେବୃଆରୀ ୨୮ ରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଜାହାଜ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ତେବେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ଭାରତ ଆସୁଥିବା ମୋଟ ୩୦ଟି ବାଣିଜ୍ୟିକ ଜାହାଜ ସୁରକ୍ଷିତ ଭାବେ ହରମୁଜ୍ ପ୍ରଣାଳୀ ପାର୍ କରିସାରିଛନ୍ତି। ଅନ୍ୟପଟେ, ଆଉ ୨୬ଟି ଜାହାଜ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ପାର୍ କରିବା ପାଇଁ ନିଜ ପାଳିକୁ ଅପେକ୍ଷା କରି ରହିଛନ୍ତି।

ଜାହାଜରେ ଆସୁଛି କେଉଁ ସାମଗ୍ରୀ ?
ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଯେଉଁ ୩୦ଟି ଜାହାଜ ସଫଳତାର ସହ ଏହି ବିପଜ୍ଜନକ ସାମୁଦ୍ରିକ ପଥ ପାର୍ କରିଛନ୍ତି, ସେଥିମଧ୍ୟରୁ ୧୫ଟି ଜାହାଜରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ (LPG) ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ରହିଛି। ଏହା ବ୍ୟତୀତ ୮ଟି ଜାହାଜରେ ସାଧାରଣ ସାମଗ୍ରୀ ଏବଂ ୭ଟି ଜାହାଜରେ ଅଶୋଧିତ ତେଲ ରହିଛି।
ବିଦେଶୀ ପତାକାଧାରୀ ଜାହାଜ ମଧ୍ୟ ସାମିଲ

ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ୩୦ଟି ଜାହାଜ ମଧ୍ୟରୁ ୧୯ଟି ଜାହାଜ ମାର୍ଚ୍ଚ ୧ ରୁ ଜୁନ୍ ୧୭ ମଧ୍ୟରେ ଏହି ମାର୍ଗ ପାର୍ କରିଥିଲେ। ପରବର୍ତ୍ତୀ ସମୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ବାକି ୧୧ଟି ଜାହାଜ ଏହି ସାମୁଦ୍ରିକ ପଥ ଅତିକ୍ରମ କରିଛନ୍ତି। ଏହି ୩୦ଟି ଜାହାଜ ମଧ୍ୟରୁ ୧୭ଟି ବିଦେଶୀ ପତାକାଧାରୀ ଜାହାଜ ହୋଇଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ୫ଟି ଜାହାଜ ମାର୍ଶଲ ଆଇଲ୍ୟାଣ୍ଡର ପତାକା ବିଶିଷ୍ଟ ଅଟେ।
ଲାଇନରେ ଅଛନ୍ତି ଆଉ ୨୬ ଜାହାଜ
ସୂଚନାନୁସାରେ, ପାରସ୍ୟ ଉପସାଗର ରେ ଭାରତ ସହ ଜଡ଼ିତ ଆଉ ୨୬ଟି ଜାହାଜ ଏବେ ମଧ୍ୟ ଅଟକି ରହିଛନ୍ତି। ଏଥିରେ ଭାରତୀୟ ଜାହାଜ ସହିତ ଭାରତ ଅଭିମୁଖେ ଆସୁଥିବା ବିଦେଶୀ ଜାହାଜ ମଧ୍ୟ ସାମିଲ ଅଛନ୍ତି। ଏହି ଜାହାଜଗୁଡ଼ିକ ମଧ୍ୟରେ ରହିଛି:
- ୩ଟି ଜାହାଜ : ଏଲ୍ପିଜି, ଏଲ୍ଏନ୍ଜି ଏବଂ ଅଶୋଧିତ ତେଲ ଭଳି ଜଳାଣି ବା ଶକ୍ତି ସାମଗ୍ରୀ।
- ୧୦ଟି ଜାହାଜ : ରାସାୟନିକ ସାର ।
- ୧୩ଟି ଜାହାଜ : ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ।
![]()
ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ହରମୁଜ୍ ଷ୍ଟ୍ରେଟ୍ ?
ଇରାନ ଏବଂ ଓମାନ ମଧ୍ୟରେ ଅବସ୍ଥିତ ‘ହରମୁଜ୍ ପ୍ରଣାଳୀ’କୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପରିବହନ ମାର୍ଗ ବା ‘ଟ୍ରାଞ୍ଜିଟ୍ ଚୋକପଏଣ୍ଟ’ ବୋଲି କୁହାଯାଏ। ଏହା ପାରସ୍ୟ ଉପସାଗରକୁ ଓମାନ ଉପସାଗର ଏବଂ ଆରବ ସାଗର ସହ ଯୋଡ଼ିଥାଏ। ସାଉଦି ଆରବ, ଇରାକ, କୁଏତ, ସଂଯୁକ୍ତ ଆରବ ଏମିରେଟ୍ସ (UAE) ଏବଂ ଇରାନ ଭଳି ପ୍ରମୁଖ ଗଲ୍ଫ ଦେଶଗୁଡ଼ିକରୁ ଅଶୋଧିତ ତେଲ ଏବଂ ଗ୍ୟାସ ରପ୍ତାନି ପାଇଁ ଏହା ଏକମାତ୍ର ମୁଖ୍ୟ ପଥ । ଭାରତ ମଧ୍ୟ ନିଜ ଆବଶ୍ୟକତାର ଏକ ବଡ଼ ଭାଗ ଏହି ମାର୍ଗ ଦେଇ ଆମଦାନୀ କରିଥାଏ। ଏଭଳି ପରିସ୍ଥିତିରେ ଏହି ସାମୁଦ୍ରିକ ପଥ ସ୍ୱାଭାବିକ ହେବା ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।
Also read : https://purvapaksa.com/iran-to-invest-heavily-in-energy-cooperation-with-india-in-oil-and-gas-sector/


