ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାନୀୟ ଜଳ ପାଇଁ ମୃତ୍ୟୁ ଘଟଣା ପରେ ସାରା ଦେଶରେ ଜଳ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବାବେଳେ ଓଡ଼ିଶାର ଭୁବନେଶ୍ୱର, କଟକ ଓ ପୁରୀ ଭଳି ବଡ଼ ସହରଗୁଡ଼ିକର ପାନୀୟ ଜଳ ଗୁଣମାନ ସମ୍ପର୍କିତ ରିପୋର୍ଟ ଗଭୀର ଚିନ୍ତାର କାରଣ ହୋଇଛି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ଏବଂ ଅନ୍ୟ ସଂସ୍ଥାଙ୍କ ଦ୍ୱାରା କରାଯାଇଥିବା ଜଳ ଗୁଣମାନ ପରୀକ୍ଷାରେ କଟକର କିଛି ଅଞ୍ଚଳରେ ଓ ଭୁବନେଶ୍ୱରରେ ଅତ୍ୟଧିକ ଧୂଳିକଣା (High turbidity) ଥିବା ତଥ୍ୟ ସାମ୍ନାକୁ ଆସିଛି।
ଭୁବନେଶ୍ୱର: ୧ NTU ସୀମା ପାର୍—୫୦ NTU ପର୍ଯ୍ୟନ୍ତ ଧୂଳିକଣା

ଭୁବନେଶ୍ୱର ସହରର ଲକ୍ଷ୍ମୀସାଗର, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ, ଓଲ୍ଡ ଟାଉନ ସହିତ ମୋଟ ୬ଟି ସ୍ଥାନରୁ ସଂଗ୍ରହ କରାଯାଇଥିବା ପାନୀୟ ଜଳ ନମୁନାରେ ଧୂଳିକଣାର ମାପ ୨୪ ରୁ ୫୦ NTU ମଧ୍ୟରେ ରହିଥିବା ଜଣାପଡ଼ିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଭାରତୀୟ ମାନଦଣ୍ଡ ଅନୁସାରେ ପାନୀୟ ଜଳର ଧୂଳିକଣା ମାପ ୧ NTU ଠାରୁ ଅଧିକ ହେବା ଉଚିତ ନୁହେଁ। ଏହି ମାନଦଣ୍ଡ ସହିତ ତୁଳନା କଲେ ଭୁବନେଶ୍ୱରର ତଥ୍ୟ ଅତ୍ୟନ୍ତ ଚିନ୍ତାଜନକ।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଧୂଳିକଣା ଅଧିକ ଥିବା ଜଳରେ ଜୀବାଣୁ ଓ ଭାଇରସ୍ ଲୁଚି ରହିବାର ସମ୍ଭାବନା ବଢ଼ିଯାଏ, ଯାହା ସାଧାରଣ କ୍ଲୋରିନେସନକୁ ଅକ୍ଷମ କରିପାରେ। ଏହାର ଫଳରେ ଡାୟାରିଆ, ଜଣ୍ଡିସ୍, କୋଲେରା ଭଳି ଜଳଜ ରୋଗର ଆଶଙ୍କା ଅଧିକ ରହେ।
ଅନ୍ୟପଟେ କଟକ ସହରର କିଛି ଅଞ୍ଚଳରେ ପାନୀୟ ଜଳରେ ଫିସିଆଲ୍ କଲିଫର୍ମ ଓ ଟୋଟାଲ୍ କଲିଫର୍ମ ବ୍ୟାକ୍ଟେରିଆ ମିଳିଥିବା OSPCB ରିପୋର୍ଟ ଦର୍ଶାଉଛି। ଏହି ପ୍ରକାର କଲିଫର୍ମ ବ୍ୟାକ୍ଟେରିଆ ମିଳିବାର ଅର୍ଥ—ଜଳ ପାଖାଳି ପଦାର୍ଥ ଦ୍ୱାରା ଦୂଷିତ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, ଏହି ପ୍ରକାର ଦୂଷଣରୁ ଟାଇଫୟଡ୍, ହେପାଟାଇଟିସ-A, ଡିସେଣ୍ଟ୍ରୀ ଓ ଗଭୀର ପେଟ ରୋଗ ହେବାର ଆଶଙ୍କା ଥାଏ। ବିଶେଷକରି ଶିଶୁ, ବୃଦ୍ଧ ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କ ପାଇଁ ଏହା ଅଧିକ ବିପଦଜନକ।
ପୁରୀ: ସାଲିନିଟି ଓ TDS ବୃଦ୍ଧି
ଧାର୍ମିକ ଓ ପର୍ଯ୍ୟଟନ ନଗରୀ ପୁରୀରେ ମଧ୍ୟ ପାନୀୟ ଜଳ ସମସ୍ୟା ନୂଆ ନୁହେଁ। ସମ୍ପ୍ରତିକ ତଥ୍ୟ ଅନୁସାରେ, ସମୁଦ୍ର ଜଳ ପ୍ରବେଶ (Saline intrusion) ଓ ଅତ୍ୟଧିକ ଭୂଗର୍ଭ ଜଳ ଉତ୍ତୋଳନ ହେତୁ କ୍ଲୋରାଇଡ୍, ସଲଫେଟ୍ ଓ ଟୋଟାଲ୍ ଡିସଲ୍ଭଡ୍ ସୋଲିଡ୍ସ (TDS) ମାପ ବଢ଼ିଛି। ଏହା ଦୀର୍ଘକାଳୀନ ଭାବେ କିଡନୀ, ରକ୍ତଚାପ ଓ ଚର୍ମ ରୋଗ ସୃଷ୍ଟି କରିପାରେ ବୋଲି ଚିକିତ୍ସକମାନେ ସତର୍କ କରୁଛନ୍ତି।
କାହିଁକି ଏହି ସମସ୍ୟା?
ଜଳ ବିଶେଷଜ୍ଞମାନଙ୍କ ମତାନୁସାରେ,
• ପୁରୁଣା ଓ ଜର୍ଜରିତ ପାଇପଲାଇନ୍
• ବର୍ଷା ସମୟରେ ନଳା ଓ ଡ୍ରେନ୍ ଜଳର ଲିକେଜ୍
• ଅପର୍ଯ୍ୟାପ୍ତ ଫିଲ୍ଟରେସନ୍ ଓ କ୍ଲୋରିନେସନ୍
• ଅନଧିକୃତ ସଂଯୋଗ
ଏହି ସବୁ କାରଣରୁ ପାନୀୟ ଜଳ ଦୂଷିତ ହେଉଛି।
ୱାଟକୋଓ ସରକାରଙ୍କ ପ୍ରତିକ୍ରିୟା

ଓଡ଼ିଶା ୱାଟର କର୍ପୋରେସନ୍ (Watco) ପକ୍ଷରୁ କୁହାଯାଇଛି ଯେ,
• ପାଇପଲାଇନ୍ ଲିକେଜ୍ ଚିହ୍ନଟ କରି ମରାମତି
• ଜଳ ଶୋଧନାଗାରରେ ଡିସଇନଫେକ୍ସନ୍ ପ୍ରକ୍ରିୟା ଶକ୍ତିଶାଳୀ
• ନିୟମିତ ଜଳ ପରୀକ୍ଷା
ପାଇଁ ପଦକ୍ଷେପ ନିଆଯାଉଛି।
ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସହରବାସୀଙ୍କୁ ଫୁଟାଇ ଜଳ ପିଇବା ଏବଂ ସନ୍ଦେହଜନକ ଅଞ୍ଚଳରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।
ଲୋକମାନଙ୍କ ଚିନ୍ତା
ସହରବାସୀଙ୍କ ମଧ୍ୟରେ ଏହି ରିପୋର୍ଟ ପରେ ଭୟ ଓ ଅସନ୍ତୋଷ ବଢ଼ିଛି। ଅନେକ ଲୋକ ପ୍ରଶ୍ନ କରୁଛନ୍ତି- “ସ୍ମାର୍ଟ ସିଟି ଓ ବିକାଶର କଥା ହେଉଛି, କିନ୍ତୁ ପିଇବା ପାଣି ମଧ୍ୟ ସୁରକ୍ଷିତ ନୁହେଁ କି?” ଭୁବନେଶ୍ୱର, କଟକ ଓ ପୁରୀର ପାନୀୟ ଜଳ ସମ୍ପର୍କିତ ତଥ୍ୟ ସ୍ପଷ୍ଟ ସତର୍କ ସଙ୍କେତ। ଏହା କେବଳ ପ୍ରଶାସନିକ ସମସ୍ୟା ନୁହେଁ, ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସଙ୍କଟ ହୋଇପାରେ। ଯଦି ତୁରନ୍ତ ଓ ପ୍ରଭାବଶାଳୀ ପଦକ୍ଷେପ ନ ନିଆଯାଏ, ତେବେ ଆଗାମୀ ଦିନରେ ଜଳଜ ରୋଗ ରାଜ୍ୟ ପାଇଁ ଗୁରୁତର ସମସ୍ୟା ହୋଇଉଠି ।
also read https://purvapaksa.com/is-congress-depending-on-trump/
“Is Congress depending on Trump?” ।। ଟ୍ରମ୍ପଙ୍କ ଭରସାରେ କଂଗ୍ରେସ?


