ବିଜୁ ଜନତା ଦଳର ରାଜନୀତି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଂଧିକାଳ ମଧ୍ୟରେ ପହଞ୍ଚିଛି। ଆଗାମୀ ଏପ୍ରିଲ ୨ ତାରିଖରେ ରାଜ୍ୟର ୪ଜଣ ରାଜ୍ୟସଭା ସାଂସଦଙ୍କ ଅବସର ନେଉଛନ୍ତି। ଏହା ଏକ ସାଧାରଣ ସଂସଦୀୟ ପରିବର୍ତ୍ତନ। କିନ୍ତୁ ରାଜନୀତିରେ “ସାଧାରଣ” ବୋଲି କିଛି ନାହିଁ। ବିଶେଷକରି ଯେତେବେଳେ ରାଜ୍ୟସଭା ପରି ଏକ ଅନୁଷ୍ଠାନ ଜଡ଼ିତ, ସେଠାରେ ପ୍ରତ୍ୟେକ ଆସନ ହେଉଛି ଶକ୍ତି, ସୁରକ୍ଷା ଓ ପ୍ରଭାବର ଏକ ନିଶ୍ଚିତ ଆଶ୍ୱାସନ। ଅବସର ନେବାକୁ ଯାଉଥିବା ସାଂସଦମାନେ ହେଲେ ବିଜେପିର ମମତା ମହାନ୍ତ, ସୁଜିତ କୁମାର ଏବଂ ବିଜେଡିର ନିରଞ୍ଜନ ବିଶି, ମୁନା ଖାନ୍। ଏହି ବିଦାୟୀ ହେବାକୁ ଥିବା ସାଂସଦମାନେ ପୁଣିଥରେ ଦଳୀୟ ପ୍ରାର୍ଥୀ ହେବେ କି ନାହିଁ, ସେଥିରେ ଦଳ ନିଷ୍ପତ୍ତି ନେବ। କିନ୍ତୁ ଏହାଠାରୁ ବଡ଼ ପ୍ରଶ୍ନ ହେଉଛି—ଏହି ୪ଟି ଆସନ କାହା ପାଇଁ? କାହିଁକି? ଏବଂ କେଉଁ ରାଜନୈତିକ ସନ୍ଦେଶ ସହିତ ଯିବ?
ରାଜ୍ୟସଭା: ସଂସଦ ନୁହେଁ, ସୁରକ୍ଷିତ ଦୁର୍ଗ
ଓଡ଼ିଶାର ରାଜନୀତିରେ ରାଜ୍ୟସଭା ଦୀର୍ଘଦିନ ଧରି ଏକ “ସୁରକ୍ଷିତ ଦୁର୍ଗ” ଭଳି ବ୍ୟବହୃତ ହୋଇଆସୁଛି। ଯେଉଁଠି ଲୋକସଭା କିମ୍ବା ବିଧାନସଭାରେ ଜନତାଙ୍କ ରାୟ ସମ୍ମୁଖୀନ ହେବାକୁ ପଡ଼େ, ସେଠାରେ ରାଜ୍ୟସଭା ହେଉଛି ଦଳୀୟ ସଂଖ୍ୟାବଳ ଓ ଶକ୍ତି-ସମୀକରଣର ଖେଳ। ଏହି କାରଣରୁ ହିଁ ରାଜ୍ୟସଭାକୁ ଅନେକ ସମୟରେ ହାରିଥିବା, ବିବାଦିତ କିମ୍ବା ଅସୁବିଧାରେ ପଡ଼ିଥିବା ନେତାଙ୍କ ପାଇଁ “ରାଜନୈତିକ ଆଶ୍ରୟ ଶିବିର” ଭାବରେ ବ୍ୟବହାର କରାଯାଇଛି। ଆଗାମୀ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଏହି ପୁରୁଣା ପ୍ରଥାକୁ ପୁଣିଥରେ ସାମ୍ନାକୁ ଆଣିଛି। ବିଧାନସଭାରେ ବିଜେଡିର ବିଧାୟକ ସଂଖ୍ୟା ଅନୁସାରେ ଗୋଟିଏ ଆସନରେ ନିଶ୍ଚିତ ଜିତିବା ପରେ ବିଜେଡି ପାଖରେ ଆହୁରି ୧୫ଟି ଭୋଟ ବଳକା ରହିବ। ଯଦି ବିଜେଡି କଂଗ୍ରେସ ଏକାଠି ହୁଅନ୍ତି ତେବେ ଆଉଜଣେ ମିଳିତ ପ୍ରାର୍ଥୀ ଜିତି ପାରନ୍ତି। ଏଥିପାଇଁ ଏବେଠାରୁ ଲବି ଆରମ୍ଭ ହୋଇଗଲାଣି। କିନ୍ତୁ ଏହି ଲବି କେବଳ ନେତାଙ୍କ ମଧ୍ୟରେ ସୀମିତ ନୁହେଁ। ଏଥିରେ ଅଛନ୍ତି ଅବସରପ୍ରାପ୍ତ ବାବୁ, କର୍ପୋରେଟ ପୃଷ୍ଠଭୂମିର ରାଜନେତା, ଏବଂ ଦଳୀୟ ଶକ୍ତିକେନ୍ଦ୍ର ସହିତ ନିକଟତା ରଖୁଥିବା କିଛି ପରିଚିତ ମୁହଁ।
ରାଜନୀତିରେ ଅସଫଳ ଅଫିସରଙ୍କ ଲବି
ଗତ ଦୁଇ ଦଶନ୍ଧିରେ ବିଜେଡି ଧୀରେ ଧୀରେ ଏକ ଅଦ୍ୱିତୀୟ ରାଜନୈତିକ ମଡେଲ ଗଢ଼ିଥିଲା- ଯେଉଁଠି ବ୍ୟୁରୋକ୍ରାସି ଓ ରାଜନୀତି ମଧ୍ୟରେ ସୀମା ଧୁସର ହୋଇଯାଇଥିଲା। ଏହି ମଡେଲର ସବୁଠୁ ଅଧିକ ଚର୍ଚ୍ଚିତ ଚରିତ୍ର ଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ତାଙ୍କ ନାମ ନେବା ଛଡ଼ା ଆଜିର ରାଜ୍ୟସଭା ଲବିକୁ ବୁଝିବା ସମ୍ଭବ ନୁହେଁ।
ସୁଜାତା ରାଉତ କାର୍ତ୍ତିକେୟନ: ଶକ୍ତିର ଉତ୍ତରାଧିକାର?

ବର୍ତ୍ତମାନ ଆଲୋଚନାର କେନ୍ଦ୍ରବିନ୍ଦୁରେ ଅଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ। ତାଙ୍କ ନାମ ଉଚ୍ଚାରଣ ହେବା ମାତ୍ରେ ରାଜନୀତି ଓ ପ୍ରଶାସନର ମିଶ୍ରଣ ନେଇ ତୀବ୍ର ଆଲୋଚନା ଆରମ୍ଭ ହୋଇଯାଏ। ମିଶନଶକ୍ତି ବିଭାଗରେ ଥିବା ସମୟରେ ସରକାରୀ କଳର ଅପପ୍ରୟୋଗ ଅଭିଯୋଗ, ନିର୍ବାଚନ ସମୟରେ ବିଜେଡି ପାଇଁ ମିଶନଶକ୍ତି ମାଧ୍ୟମରେ ଭୋଟ ସଂଗ୍ରହ ଅଭିଯୋଗରେ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ସମୟରେ ବଦଳି-ଏହା ସବୁ ତାଙ୍କ ନାମ ସହିତ ଜଡ଼ିତ।
ବିଜେଡିର ପରାଜୟ ପରେ ଭିଆରଏସ ନେଇ ରାଜନୀତିକ ମଞ୍ଚକୁ ପ୍ରବେଶ କରିବେ ବୋଲି ବହୁତ ଦିନ ହେଲା ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। ଏହା କେବଳ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ଏହା ଏକ ସ୍ପଷ୍ଟ ସଙ୍କେତ। ପ୍ରଶ୍ନ ହେଉଛି—ଯଦି ସେ ରାଜ୍ୟସଭାକୁ ପଠାଯାନ୍ତି, ତେବେ ଦଳ କ’ଣ ଏହି ବାର୍ତ୍ତା ଦେବ ଯେ ଅଫିସର ରାଜନୀତି ଏବେବି ବିଜେଡିର ମୂଳ ଧାରା ରହିଛି ଓ ଆଗକୁ ରହିବ ମଧ୍ୟ।
ମନୋଜ ମିଶ୍ର: ବିବାଦ, ବକ୍ତବ୍ୟ ଓ ବଦଳି
ଏହି ଲବିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହେଲା ନାମ ମନୋଜ ମିଶ୍ର। ଚାକିରିରେ ଥାଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟରେ ସମାଲୋଚନା କରିଥିଲେ। ଏହା ଭାରତୀୟ ପ୍ରଶାସନିକ ପରମ୍ପରାରେ ଏକ ଅସାଧାରଣ ଘଟଣା। ପରେ ଓଡ଼ିଶାରୁ ବଦଳି ହେବାରୁ ସେ ଭିଆରଏସ ଆବେଦନ କରିଥିଲେ। ତାହା ଗ୍ରହଣ ନ ହେବାରୁ ବାଧ୍ୟ ହୋଇ ଚୁାକିରିରୁ ଇସ୍ତଫା ଦେଇ ପରେ ପାଣ୍ଡିଆନଙ୍କ ଦୟାରୁ ଆଇଟି ବିଭାଗରେ ଠିକାରେ ସଚିବ ନିଯୁକ୍ତି ହୋଇଥିଲେ।ଏହା ଘଟଣାସବୁ ନେଇ ତାଙ୍କୁ ଏକ “ରାଜନୈତିକ ଶହୀଦ” ଭାବରେ ପ୍ରସ୍ତୁତ କରାଯାଉଛି କି?
ପାଣ୍ଡିଆନ ଗୋଷ୍ଠୀ ପାଇଁ ଏହା କେବଳ ଏକ ଥଇଥାନର ପ୍ରଶ୍ନ ନୁହେଁ; ଏହା ହେଉଛି ନିଜ ଶକ୍ତିକୁ ପୁନଃସ୍ଥାପନ କରିବାର ଚେଷ୍ଟା। କିନ୍ତୁ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି; ଚାକିରିରେ ଥାଇ ରାଜନୀତି କରିଥିବା ଲୋକଙ୍କୁ ରାଜ୍ୟସଭା ପଠାଇବା କ’ଣ ସଠିକ୍ ପଦକ୍ଷେପ ହେବ?
କର୍ପୋରେଟ ରାଜନୀତି: ସଂତୃପ୍ତ ମିଶ୍ରଙ୍କ ଲବି

ବିଜେଡିର ଲବିରେ ଅନ୍ୟ ଏକ ଧାରା ହେଉଛି କର୍ପୋରେଟ ପୃଷ୍ଠଭୂମିରୁ ଆସିଥିବା ନେତା। ସଂତୃପ୍ତ ମିଶ୍ରଙ୍କ ନାମ ଏଠାରେ ଉଲ୍ଲେଖଯୋଗ୍ୟ। ବିର୍ଲା କମ୍ପାନୀରେ ଚାକିରି ସମୟରେ ବିଜେଡିକୁ ମିଳିଥିବା କର୍ପୋରେଟ ଚାନ୍ଦା ନେଇ ଆଲୋଚନା କିଛି ନୂଆ କଥା ନୁହେଁ। ଚାକିରି ଛାଡ଼ି ବିଜେଡିରେ ଯୋଗଦେବା ପରେ କଟକ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ହୋଇଥିଲେ। ସରକାରୀ କଳର ସହଯୋଗ ଓ ବ୍ୟାପକ ପ୍ରଚାର ସତ୍ତ୍ୱେ ଅନୁଭବୀ ସାଂସଦ ଭର୍ତ୍ତୃହରି ମହତାବ ହାତରେ ପରାଜିତ ହେଲେ। ଲୋକସଭାରେ ପରାଜୟ ପରେ ସଂତୃପ୍ତ ମିଶ୍ରଙ୍କର ରାଜ୍ୟସଭା ପାଇଁ ଲବି ଆରମ୍ଭ ହେବା ରାଜନୈତିକ ନୀତିର ଏକ ପୁରୁଣା ପ୍ରଶ୍ନକୁ ପୁଣି ଉଠାଇଛି- ଜନତାଙ୍କ ରାୟକୁ ଟାଳିବା ପାଇଁ ରାଜ୍ୟସଭା କ’ଣ ଏକ ସର୍ଟକଟ ରାସ୍ତା କି?
ଅରୂପ ପଟ୍ଟନାୟକ: ବାରମ୍ବାର ପରାଜୟ ସତ୍ତ୍ୱେ ଆକାଂକ୍ଷା
ଅରୂପ ପଟ୍ଟନାୟକଙ୍କ ରାଜନୈତିକ ଯାତ୍ରା ଓଡ଼ିଶାର ଅଫିସର-ନେତା ରାଜନୀତିର ଏକ ଉଦାହରଣ। ୨୦୧୯ରେ ଭୁବନେଶ୍ୱର ଲୋକସଭା, ପରେ ୨୦୨୪ରେ ପୁରୀ ଲୋକସଭା ପ୍ରାର୍ଥୀ ହୋଇ ଦୁଇଥର ପରାଜିତ ହୋଇଛନ୍ତି। ତଥାପି ତାଙ୍କ ମନ ବୁଝୁ ନାହିଁ। ତେଣୁ ସେ ରାଜ୍ୟସଭାକୁ ଯିବା ପାଇଁ ଲବି ଆରମ୍ଭ କରିଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ଦଳୀୟ ମହଲରେ ଆଲୋଚନା- ଦୁଇଥର ନବୀନ ନିବାସକୁ ଯାଇ ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସାରିଲେଣି। ଏହା କ’ଣ ସୂଚାଏ? ଦଳ କ’ଣ ନିରନ୍ତର ପରାଜୟକୁ ମାଫ କରି ତାଙ୍କୁ ପୁଣି ରାଜ୍ୟସଦଭା ପଠାଇବାକୁ ପ୍ରସ୍ତୁତ କି? ଯଦି ଏହା ହୁଏ ତେବେ ଦଳ ପାଇଁ ଲଢ଼େଇ କରିଥିବା ନେତାମାନେ ଦଳର ସଂଗଠନ କାମ କରିବାକୁ ନିଶ୍ଚିତ ଭାବରେ ନିରୁତ୍ସାହିତ ହେବେ।
ପୁରୁଣା ନେତା: ଅଣଦେଖା କ୍ୟାଡର?
ଅବସରପ୍ରାପ୍ତ ବାବୁମାନଙ୍କ ଭିଡ଼ରେ ବିଜେଡିର ପୁରୁଣା ରାଜନେତାମାନେ କିନ୍ତୁ ଅଣଦେଖା ହେବାକୁ ଚାହୁଁନାହାନ୍ତି। ବବି ଦାସ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା ଭଳି ନେତାମାନେ ଦଳୀୟ ସଂଗଠନରେ ଦୀର୍ଘଦିନ ଧରି କାମ କରୁଛନ୍ତି। ଏମାନଙ୍କ ପାଇଁ ରାଜ୍ୟସଭା କେବଳ ଏକ ପଦ ନୁହେଁ, ଏହା ହେଉଛି କ୍ୟାଡର ରାଜନୀତିର ସ୍ୱୀକୃତି। ତେଣୁ ସେମାନେ ମଧ୍ୟ ରାଜ୍ୟସଭା ଯିବା ପାଇଁ ନିଜ ନିଜ ସ୍ତରରେ ଲବି କରୁଥିବା ଆଲୋଚନା ହେଉଛି।
ବିଜେଡିର ଦ୍ୱନ୍ଦ୍ୱ: ପରିବର୍ତ୍ତନ ନା ପୁନରାବୃତ୍ତି?
ଗତ ନିର୍ବାଚନର ପରାଜୟ ବିଜେଡିକୁ ଏକ କଠିନ ପ୍ରଶ୍ନର ସମ୍ମୁଖୀନ କରାଇଛି- ଦଳ କ’ଣ ପରିବର୍ତ୍ତନ ଚାହୁଁଛି, ନା ପୁରୁଣା ପଥକୁ ହିଁ ପୁନରାବୃତ୍ତି କରିବ? ରାଜ୍ୟସଭା ନାମାଙ୍କନ ଏହି ପ୍ରଶ୍ନର ପ୍ରଥମ ଉତ୍ତର ହେବ।
ଯଦି ଅଫିସର ଓ କର୍ପୋରେଟ ଚେହେରାମାନେ ପ୍ରାଥମିକତା ପାଆନ୍ତି, ତେବେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ନିଶ୍ଚିତ। ଯଦି ପୁରୁଣା ନେତାମାନେ ଆଗକୁ ଆସନ୍ତି, ତେବେ ଏହା ଦଳର ଆତ୍ମପୁନର୍ବିଶ୍ୱାସର ସଙ୍କେତ ହେବ।
ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି

ଶେଷ ପର୍ଯ୍ୟନ୍ତ, ସମସ୍ତ ଲବି, ସମସ୍ତ ଅନୁମାନ ଗୋଟିଏ ନାମ ନିକଟରେ ଆସି ଅଟକିଯାଏ, ତାହା ହେଲା ନବୀନ ପଟ୍ଟନାୟକ। ତାଙ୍କ ନିଷ୍ପତ୍ତି କେବଳ ୨ଟି ରାଜ୍ୟସଭା ଆସନ ନିର୍ଣ୍ଣୟ କରିବ ନାହିଁ; ଏହା ନିର୍ଣ୍ଣୟ କରିବ ବିଜେଡିର ଆଗାମୀ ରାଜନୈତିକ ଦିଗ। ଏହି ନିଷ୍ପତ୍ତି ହେବ- କ୍ୟାଡରମାନଙ୍କ ପାଇଁ ବାର୍ତ୍ତା, ବ୍ୟୁରୋକ୍ରାସିରୁ ଆସି ନେତା ସାଜିଥିବା ବାବୁମାନଙ୍କ ପାଇଁ ବାର୍ତ୍ତା, ଏବଂ ଜନତା ପାଇଁ ବାର୍ତ୍ତା । ଓଡ଼ିଶାର ରାଜନୀତି ଏବେ ଏକ ଅପେକ୍ଷାର ମୁହୂର୍ତ୍ତରେ ଠିଆ ହୋଇଛି- ରାଜ୍ୟସଭା ଯୁଦ୍ଧ କେବଳ ଆସନ ପାଇଁ ନୁହେଁ, ଏହା ହେଉଛି ବିଜେଡିର ଆତ୍ମପରିଚୟ ପାଇଁ ଯୁଦ୍ଧ। ଅବସରପ୍ରାପ୍ତ ବାବୁ, କର୍ପୋରେଟ ପୃଷ୍ଠଭୂମି ଓ ପୁରୁଣା ରାଜନେତା—ତିନି ଧାରାର ସଂଘର୍ଷ ମଧ୍ୟରେ ଯେଉଁ ନିଷ୍ପତ୍ତି ଆସିବ, ସେହି ନିଷ୍ପତ୍ତି ବିଜେଡିର ଆଗାମୀ ରାଜନୈତିକ ଯାତ୍ରାକୁ ନିର୍ଦ୍ଦେଶ କରିବ।
also read https://purvapaksa.com/drinking-water-in-bhubaneswar-cuttack-and-puri-has-become-poisonous/


