ରାଜନୀତିରେ କୌଣସି ତାରିଖ କଣ କାହା ପାଇଁ ‘କାଳ’ ସାଜିପାରେ?
କୌଣସି ଏକ ନିର୍ଦ୍ଦିଷ୍ଟ ଦିନ କଣ ଗୋଟିଏ ବଡ଼ ଆଞ୍ଚଳିକ ଦଳର ଭାଗ୍ୟ ବଦଳାଇ ଦେଇପାରେ?
ଆଜି ଆମେ ଆପଣଙ୍କୁ ଓଡ଼ିଶା ରାଜନୀତିର ସେହି ରହସ୍ୟମୟ ଏବଂ ଚାଞ୍ଚଲ୍ୟକର ସଂଯୋଗ ବିଷୟରେ ଜଣାଇବୁ, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଓଡ଼ିଶାର ସବୁଠାରୁ ପ୍ରଭାବଶାଳୀ ଏବଂ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସନ ଗାଦିରେ ଥିବା ଆଞ୍ଚଳିକ ଦଳ ‘ବିଜୁ ଜନତା ଦଳ’ ବା ବିଜେଡି।
କାଗଜ କଲମରେ ଏହି ଦଳ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠନ ହୋଇଥିଲା।
କିନ୍ତୁ ଇତିହାସର ପୃଷ୍ଠା ଓଲଟାଇଲେ ଜଣାପଡ଼େ, ‘ମଇ ମାସ ୨୯ ତାରିଖ’ ବିଜେଡି ରାଜନୀତିରେ ଏକ ଏଭଳି ଦିନ, ଯାହା ଦଳ ପାଇଁ କେତେବେଳେ ସଫଳତାର ଶୀର୍ଷ ଆଣିଛି ତ କେତେବେଳେ ସର୍ବନାଶର କାରଣ ସାଜିଛି।
ଆଜି ଆମେ ବିଶ୍ଳେଷଣ କରିବା, କାହିଁକି ଏହି ମଇ ୨୯ ତାରିଖକୁ ବିଜେଡି ପାଇଁ ‘କାଳ’ ବୋଲି କୁହାଯାଉଛି!
ଆସନ୍ତୁ ପ୍ରଥମେ ଫେରିଯିବା ଇତିହାସର ସେହି ଦିନକୁ, ଯାହା ଓଡ଼ିଶା ରାଜନୀତିକୁ ସବୁଦିନ ପାଇଁ ଦୋହଲାଇ ଦେଇଥିଲା।
ବର୍ଷ ଥିଲା ୨୦୧୨, ଆଉ ତାରିଖ ଥିଲା ସେହି ‘ମଇ ୨୯’।
ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିଲେ।
ଆଉ ଠିକ୍ ସେହି ସମୟରେ ତାଙ୍କର ଅତି ବିଶ୍ୱସ୍ତ, ଯାହାଙ୍କୁ ଦଳର ମାର୍ଗଦର୍ଶକ କିମ୍ବା ‘ଚାଣକ୍ୟ’ ବୋଲି କୁହାଯାଉଥିଲା – ସେହି ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ୱରେ ସୃଷ୍ଟି ହୋଇଥିଲା ଏକ ବଡ଼ ଧରଣର ବିଦ୍ରୋହ।
ରାତି ଅଧରେ ବିଜେଡିର ଅନେକ ବିଧାୟକ ଓ ନେତାଙ୍କୁ ନେଇ ଏକ ଗୁପ୍ତ ବୈଠକ ବସିଥିଲା, ଯାହାକୁ ଓଡ଼ିଶା ରାଜନୀତିରେ ‘ମିଡ୍ ନାଇଟ୍ ଅପରେସନ୍’ ବୋଲି କୁହାଯାଏ।
ଉଦ୍ଦେଶ୍ୟ ଥିଲା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା।
ଯଦିଓ ସେହି ଯୋଜନା ଫେଲ୍ ମାରିଥିଲା ଏବଂ ନବୀନ ବାବୁ ଓଡ଼ିଶା ଫେରି ପ୍ୟାରୀମୋହନଙ୍କୁ ଦଳରୁ ବାହାର କରିଦେଇଥିଲେ, କିନ୍ତୁ ସେହି ଦିନଠାରୁ ମଇ ୨୯ ତାରିଖ ବିଜେଡି ଶିବିର ପାଇଁ ଏକ ଅଶୁଭ ବା ବିପଦର ସଙ୍କେତ ଭାବେ ଉଭା ହୋଇଥିଲା।
କାରଣ ସେହିଦିନରୁ ନବୀନଙ୍କ ବ୍ୟକ୍ତିଗତ ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ନବୀନଙ୍କର ବିଶ୍ୱସ୍ତ ହେବାକୁ ଲାଗିଲେ।
ଠିକ୍ ୨୦୧୨ର ୭ ବର୍ଷ ପରେ, ଅର୍ଥାତ୍ ୨୦୧୯ ମସିହା ମଇ ମାସ ୨୯ ତାରିଖରେ ଏହି ଦିନଟି ପୁଣିଥରେ ଚର୍ଚ୍ଚାକୁ ଆସିଲା।
କିନ୍ତୁ ଏଥର ପରିସ୍ଥିତି ଥିଲା ସମ୍ପୂର୍ଣ୍ଣ ଭିନ୍ନ।
ବିଜେଡି ବିଧାନସଭା ନିର୍ବାଚନରେ ୧୧୨ଟି ଆସନ ଜିତି ଏକ ଐତିହାସିକ ସଫଳତା ହାସଲ କରିଥିଲା।
ଆଉ ସେହି ମଇ ୨୯ ତାରିଖରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ପ୍ରଥମ ଥର ପାଇଁ ଏକ ବିରାଟ ସାର୍ବଜନୀନ ଉତ୍ସବରେ ସେ ଶପଥ ନେଇଥିଲେ ଏବଂ ତାଙ୍କ ସହ ଦଳର ୨୦ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଥିଲେ।
ସେତେବେଳେ ଲାଗୁଥିଲା ମଇ ୨୯ ବିଜେଡି ପାଇଁ ବହୁତ ଶୁଭ।
କିନ୍ତୁ ରାଜନୈତିକ ସମୀକ୍ଷକମାନେ କୁହନ୍ତି, ଏହି ପଞ୍ଚମ ପାଳିରୁ ହିଁ ବିଜେଡିର ପତନର ମୂଳଦୁଆ ପଡ଼ିଥିଲା।
ଏହି ୫ମ ପାଳିର ଶାସନ କାଳରେ ହିଁ ଦଳ ସବୁଠାରୁ ଅଧିକ ବିବାଦୀୟ ହୋଇପଡ଼ିଥିଲା। ନେତା ଓ ଜନତାଙ୍କ ମଧ୍ୟରେ ଦୂରତା ବଢ଼ିଥିଲା ଏବଂ ଶେଷରେ ଦଳକୁ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।
ଏବେ ଆସନ୍ତୁ ଜାଣିବା ସବୁଠାରୁ ବଡ଼ ସଂଯୋଗ ବା ଟ୍ୱିଷ୍ଟ ବିଷୟରେ।
୨୦୧୯ ମଇ ୨୯ ତାରିଖରେ ହିଁ ନବୀନ ବାବୁ କାହିଁକି ଶପଥ ଗ୍ରହଣ ଉତ୍ସବ ରଖିଥିଲେ?
ଏହା ପଛରେ ଥିଲା ଏକ ବଡ଼ ରହସ୍ୟ।
୨୦୧୨ର ମିଡ ନାଇଟ ଅପରେସନ ନବୀନ ପଟ୍ଟନାୟକଙ୍କର ସବୁଠାରୁ ବିଶ୍ୱସ୍ତ, ସବୁଠାରୁ ପ୍ରଭାବଶାଳୀ ଏବଂ ଚର୍ଚ୍ଚିତ ଆଇଏଏସ୍ ଅଫିସରରୁ ନେତା ସାଜିଥିବା
ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ବା ଭି.କେ. ପାଣ୍ଡିଆନଙ୍କ ଜନ୍ମଦିନ ହେଉଛି ମଇ ୨୯ ତାରିଖ!
ନିଜର ଅତି ପ୍ରିୟ ପାଣ୍ଡିଆନଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏବଂ ତାଙ୍କ ପ୍ରତି ଥିବା ଅଗାଧ ବିଶ୍ୱାସ ଯୋଗୁଁ ନବୀନ ପଟ୍ଟନାୟକ ସେହିଦିନ ପଞ୍ଚମ ପାଳିର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବୋଲି ଚର୍ଚ୍ଚା ହୁଏ।
କିନ୍ତୁ ଯେଉଁ ପାଣ୍ଡିଆନଙ୍କ ଜନ୍ମଦିନରେ ଶପଥ ନିଆଯାଇଥିଲା, ସେହି ପାଣ୍ଡିଆନଙ୍କ ହାତକୁ ସେହିୁ ପାଞ୍ଚବର୍ଷରେ ଦଳର ସମ୍ପୂର୍ଣ୍ଣ କ୍ଷମତା ଚାଲିଗଲା, ଏହାକୁ ନେଇ ବିଜେଡି ଭିତରେ ଅସନ୍ତୋଷର ନିଆଁ ଜଳିବାକୁ ଲାଗିଲା।
ବରିଷ୍ଠ ନେତାମାନଙ୍କୁ କୋଣଠେସା କରାଗଲା, ଅନେକ ନେତାଙ୍କ ଦଳରୁ ବିଦା କରାଗଲା ଏବଂ ଦଳ ଧୀରେ ଧୀରେ ରସାତଳକୁ ଗତି କଲା।
ମଇ ୨୯ର ସେହି ଶପଥ ଗ୍ରହଣ, ଶେଷରେ ଦଳ ପାଇଁ ଶେଷ ଶପଥ ଗ୍ରହଣ ସାବ୍ୟସ୍ତ ହେଲା।
୨୦୨୪ ନିର୍ବାଚନ ବେଳକୁ ପାଣ୍ଡିଆନ ନିଜକୁ ଦଳର ସର୍ବେସର୍ବା ବୋଲି ମନେକଲେ ଦଳରେ କାହାକୁ ଗୁରୁତ୍ୱ ଦିଆଗଲା ନାହିଁ।
ଏପରିକି, ନିର୍ବାଚନ ପ୍ରଚାରରେ କୌଣସି ପ୍ରାର୍ଥୀଙ୍କୁ ଭାଷର ଦେବାକୁ ଅନୁମତି ଦିଆଗଲା ନାହିଁ।
ପରିସ୍ଥିତି ଏମିତ ହେଲା ଯେ ପ୍ରାର୍ଥୀମାନଙ୍କୁ ସଭାମଞ୍ଚରୁ ପାଣ୍ଡିଆନ ଧମକ ଦେଇ ମଞ୍ଚରୁ ବାହାର କରିଦେଇଥିଲେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଚିଲିକା ନିର୍ବାଚନମଣ୍ଡଳୀର ରଘୁନାଥ ସାହୁ। ତାଙ୍କୁ ପାଣ୍ଡିଆନ ନିର୍ବାଚନୀ ସଭାମଞ୍ଚରୁ ବାହାର କରିଦେଇଥିଲେ।
ଏହି ନିର୍ବାଚନରେ ଦଳ କ୍ଷମତା ହରାଇ ଏବେ ଅସ୍ତିତ୍ୱ ସହ ସଂଘର୍ଷ କରୁଛି।
ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ, ବିଜେଡିର ଅସ୍ତିତ୍ୱ ଏବେ ସଂକଟରେ। ଦଳର ଅନେକ ସାଂସଦ ଏବଂ ବଡ଼ ବଡ଼ ନେତା ଦଳ ଛାଡ଼ି ବିଜେପିକୁ ପଳାଇଯାଇଥିବା ବେଳେ, ଆହୁରି ଅନେକ ନେତା ଏବେ ସୁଯୋଗ ଅପେକ୍ଷାରେ ଅଛନ୍ତି।
ସେମାନେ କେବଳ ସମୟକୁ ଅପେକ୍ଷା କରିଛନ୍ତି, କେତେବେଳେ ଦଳ ଛାଡ଼ିବେ।
ଗତ ଦୁଇ ଦିନ ତଳେ ବିଜେଡି ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ ଏକ ବଡ଼ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି।
ସେ ସିଧାସଳଖ କହିଛନ୍ତି ଯେ, “ଦଳକୁ ପାଣ୍ଡିଆନ ସମ୍ପୂର୍ଣ୍ଣଭାବେ ହଡ଼ପ କରିନେଇଛନ୍ତି।”
ଦେବାଶୀଷଙ୍କ ଭଳି ପୁରୁଖା ନେତାଙ୍କ ଏହି ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଯେଉଁ ମଇ ୨୯ ତାରିଖରେ ପାଣ୍ଡିଆନଙ୍କ ଜନ୍ମଦିନକୁ ସାକ୍ଷୀ ରଖି ଦଳ ନୂଆ ସରକାର ଗଢ଼ିଥିଲା,
ସେହି ପାଣ୍ଡିଆନଙ୍କ ନେତୃତ୍ୱକୁ ଦଳର ସଂଗଠନ ଆଦୌ ଗ୍ରହଣ କରିପାରିଲା ନାହିଁ। ପରିଣାମସ୍ୱରୂପ, ବିଜେଡି ଆଜି ଭାଙ୍ଗିରୁଜି ଚୁରମାର ହେବା ସ୍ଥିତିକୁ ଚାଲିଆସିଛି।
ତେବେ ୨୦୧୨ ମଇ ୨୯ର ସେହି ମିଡ୍ ନାଇଟ୍ ଅପରେସନଠାରୁ ଆରମ୍ଭ କରି ୨୦୧୯ ମଇ ୨୯ର ଶପଥ ଗ୍ରହଣ ଏବଂ ପାଣ୍ଡିଆନଙ୍କ ସହ ଏହାର ସଂଯୋଗ –
ଏସବୁ କଣ କେବଳ ଏକ ସଂଯୋଗ ନା ବିଜେଡିର ଭାଗ୍ୟଲିପି?
କାଗଜ କଲମର ଡିସେମ୍ବର ୨୬ ତାରିଖଠାରୁ ମଇ ୨୯ ତାରିଖ ଆଜି ବିଜେଡି ଇତିହାସରେ ଅଧିକ ପ୍ରଭାବଶାଳୀ ଏବଂ ରହସ୍ୟମୟ ସାବ୍ୟସ୍ତ ହୋଇଛି।
ଯେଉଁ ତାରିଖ ଦଳକୁ ପଞ୍ଚମ ପାଳିର ସର୍ବୋଚ୍ଚ କ୍ଷମତା ଦେଇଥିଲା, ସେହି ତାରିଖର ସଂଯୋଗ ହିଁ ଦଳକୁ ଆଜି ରସାତଳକୁ ନେଇଯାଇଛି ବୋଲି ଦଳ ଭିତରେ ହିଁ ଚର୍ଚ୍ଚା ଜୋର ଧରିଛି।
ଆଗାମୀ ଦିନରେ ବିଜେଡି ଏହି ସଂକଟରୁ ବାହାରି ପାରୁଛି ନା ଏହି ମହାବିଭାଜନ ଦଳର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଶେଷ କରିଦେଉଛି, ତାହା ଦେଖିବାକୁ ବାକି ରହିଲା।
AlsoRead; https://purvapaksa.com/an-old-practice-of-congress-shooting-itself-in-the-foot/


