ପଞ୍ଜାବରେ ପାକିସ୍ତାନ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ଚାଲିଥିବା ଅମାନୁଷିକ ‘ବନ୍ଧୁଆ ମଜଦୁରି’ (Bonded Labour) ର ଏକ ସଂବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ସୀମା ସୁରକ୍ଷା ବଳ (BSF) ର ୧୦୦ତମ ବାଟାଲିୟନ ଗରିବ, ଭୋଲାଭାଲା ଏବଂ ମାନସିକ ସ୍ତରରେ ସାମାନ୍ୟ ଦୁର୍ବଳ ଲୋକଙ୍କ ପାଇଁ ଦେବଦୂତ ସାଜିଛି । ଏହି କ୍ରମରେ ବିଏସଏଫ ଟିମ୍ ପାକିସ୍ତାନ ସୀମା ନିକଟରେ ଅତି ପ୍ରଶଂସନୀୟ କାର୍ଯ୍ୟ କରି ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଣେ ଯୁବକଙ୍କୁ ବନ୍ଧୁଆ ମଜଦୁରିରୁ ମୁକ୍ତ କରିଛନ୍ତି । ମୁକ୍ତ ହୋଇଥିବା ଏହି ଓଡ଼ିଆ ଯୁବକଙ୍କ ନାମ ବିକାଶ ଦେଉରୀ ବୋଲି ଜଣାପଡ଼ିଛି । ସେ ପ୍ରାୟ ୭ ମାସ ପୂର୍ବେ କୌଣସି କାରଣରୁ ନିଜ ଘରୁ ଗୋଡ଼ କାଢ଼ି ବାଟ ହୁଡ଼ି ଏହି ଅଞ୍ଚଳରେ ପହଞ୍ଚି ଯାଇଥିଲେ ।

ସୂଚନା ଅନୁଯାୟୀ, ସୀମାନ୍ତ ଅଞ୍ଚଳର କିଛି ଜମିଦାର ଓ ଡାଏରୀ ଫାର୍ମ ମାଲିକ ବିକାଶଙ୍କୁ ନିଜ କ୍ଷେତରେ ଜବରଦସ୍ତି ରଖି ଗୋରୁଗାଈଙ୍କୁ ଚାରା ଖୁଆଇବା ଏବଂ ମଇଁଷି କ୍ଷୀର କାଢ଼ିବା ଭଳି କଠିନ ପରିଶ୍ରମ କରାଉଥିଲେ । ଏହା ବଦଳରେ ତାଙ୍କୁ କୌଣସି ପାରିଶ୍ରମିକ ବା ମଜୁରି ମଧ୍ୟ ଦିଆଯାଉ ନଥିଲା । ପ୍ରାୟ ୧୫ ଦିନ ପୂର୍ବେ ବିଏସଏଫର ଜଣେ ଅଧିକାରୀ କ୍ଷେତରେ ପାଟ୍ରୋଲିଂ କରୁଥିବା ସମୟରେ ବିକାଶଙ୍କୁ ସେଠାରେ ଅତ୍ୟନ୍ତ ଡରି ସହମି ରହି କାମ କରୁଥିବାର ଦେଖିବାକୁ ପାଇଥିଲେ । ସନ୍ଦେହ ହେବାରୁ BSF ଅଧିକାରୀ ଜଣକ ଯୁବକଙ୍କୁ ପଚରାଉଚରା କରିଥିଲେ । ମାନସିକ ସ୍ଥିତି ଯୋଗୁଁ ସେ ଓଡ଼ିଶା ରାଜ୍ୟର ନାମ କହିପାରି ନଥିଲେ ମଧ୍ୟ ନିଜ ଗ୍ରାମର ନାମ ପ୍ରକାଶ କରିଥିଲେ, ଯାହା ପରେ ବିଏସଏଫ ତଦନ୍ତ କରି ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲା।
କିଛି ବନ୍ଧୁଆ ଶ୍ରମିକଙ୍କୁ ଜଞ୍ଜିରରେ ବାନ୍ଧି ରଖାଯାଉଥିବା ଅଭିଯୋଗ
BSF ର ୧୦୦ତମ ବାଟାଲିୟନର କମାଣ୍ଡାଣ୍ଟ ଅଜୟ ତିୱାରୀଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱେଚ୍ଛାସେବୀ ଦଳ ଏବଂ ସୀମା ସୁରକ୍ଷା ବଳର ଯବାନମାନେ ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ଶେଷ କରି ବିକାଶଙ୍କୁ ତାଙ୍କ ପରିବାର ନିକଟକୁ ସୁରକ୍ଷିତ ଭାବେ ପଠାଇବାର ବ୍ୟବସ୍ଥା କରିଛନ୍ତି । ତେବେ ବିଏସଏଫର ପ୍ରାଥମିକ ତଦନ୍ତରୁ ଏକ ଅତ୍ୟନ୍ତ ଚଞ୍ଚଲ୍ୟକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକରେ ଏଭଳି ଅନେକ ନିରୀହ ଲୋକଙ୍କୁ ବନ୍ଧୁଆ ଶ୍ରମିକ ଭାବେ ରଖାଯାଇଛି ଏବଂ ସେମାନେ ଯେପରି ଫେରାର୍ ନ ହୋଇଯିବେ, ସେଥିପାଇଁ କିଛି ସ୍ଥାନରେ ସେମାନଙ୍କୁ ରାତି ସମୟରେ ଲୁହା ଜଞ୍ଜିରରେ ବାନ୍ଧି କଠୋର ନିର୍ଯାତନା ଦିଆଯାଉଛି ।

ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଦୁଇ ଦିନ ପୂର୍ବରୁ ବିଏସଏଫ ଅଧିକାରୀମାନେ ସୀମାନ୍ତ ଗ୍ରାମର ସମସ୍ତ ଚାଷୀ ଏବଂ ଡାଏରୀ ଫାର୍ମ ମାଲିକମାନଙ୍କର ଏକ ଜରୁରୀ ବୈଠକ ଡକାଇଛନ୍ତି । ସେମାନଙ୍କୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଯଦି କାହା ଘରେ ବା କ୍ଷେତରେ ଏଭଳି କୌଣସି ଅସହାୟ ବ୍ୟକ୍ତିଙ୍କୁ ବନ୍ଧୁଆ ଶ୍ରମିକ ଭାବେ ରଖାଯାଇଛି, ତେବେ ତାଙ୍କୁ ତୁରନ୍ତ ବିଏସଏଫ କିମ୍ବା ସ୍ଥାନୀୟ ପୋଲିସ ନିକଟରେ ହସ୍ତାନ୍ତର କରାଯାଉ । ଯଦି ଭବିଷ୍ୟତରେ ଯାଞ୍ଚ ସମୟରେ କୌଣସି ବ୍ୟକ୍ତି ଏଥିରେ ସଂପୃକ୍ତ ଥିବା ଜଣାପଡ଼େ, ତେବେ ତାଙ୍କ ବିରୋଧରେ ମାନବ ଚାଲାଣ ଏବଂ ଆନ୍ତର୍ଜାତୀୟ ସୀମା ସୁରକ୍ଷା ଆଇନ ଅଧୀନରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


