ଭାରତ ଏବଂ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା କୂଟନୈତିକ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଶିମଲା ଚୁକ୍ତି’ କୁ ୫୪ ବର୍ଷ ପୂରିଛି । ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ମହାଯୁଦ୍ଧରେ ପାକିସ୍ତାନକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ଏବଂ ବିଶ୍ୱ ମାନଚିତ୍ରରେ ଏକ ନୂତନ ଦେଶ ଭାବେ ‘ବାଂଲାଦେଶ’ର ଉଦୟ ହୋଇଥିଲା । ଏହି ଐତିହାସିକ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନର ୯୩ ହଜାର ସୈନ୍ୟଙ୍କୁ ବନ୍ଦୀ କରିବା ସହ ତାର ପ୍ରାୟ ୧୫ ହଜାର ବର୍ଗ କିଲୋମିଟର ଜମିକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ପରବର୍ତ୍ତୀ ସମୟରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ୨ ଜୁଲାଇ ୧୯୭୧ ବର୍ଷରେ ହିମାଚଳ ପ୍ରଦେଶର ଶିମଲାଠାରେ ଏକ ସନ୍ଧି ସ୍ୱାକ୍ଷରିତ ହୋଇଥିଲା, ଯାହାକୁ ଶିମଲା ଚୁକ୍ତି କୁହାଯାଏ।

ଏହି ଚୁକ୍ତିରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପାକିସ୍ତାନ ପକ୍ଷରୁ ସେଠାକାର ଶାସକ ଜୁଲଫିକାର୍ ଅଲୀ ଭୁଟ୍ଟୋ ସ୍ୱାକ୍ଷର କରିଥିଲେ । ଭାରତ ଏକ ସଦ୍ଭାବନା ସମ୍ପନ୍ନ ପଡ଼ୋଶୀର ପରିଚୟ ଦେଇ ପାକିସ୍ତାନର ସମସ୍ତ ୯୩ ହଜାର ଯୁଦ୍ଧବନ୍ଦୀ ଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରିବା ସହ ଯୁଦ୍ଧ ସମୟରେ ଜବତ କରାଯାଇଥିବା ୧୫ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ମଧ୍ୟ ଫେରସ୍ତ କରିଦେଇଥିଲା । ଏହି ଚୁକ୍ତି ପାକିସ୍ତାନ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣି ଦେଇଥିଲା ।
ଶିମଲା ଚୁକ୍ତିର ପ୍ରମୁଖ ସର୍ତ୍ତାବଳୀ

ଶିମଲା ଚୁକ୍ତି ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ଭବିଷ୍ୟତର ଦ୍ୱିପାକ୍ଷିକ ସମ୍ପର୍କକୁ ପରିଚାଳିତ କରିବା ପାଇଁ କେତେକ ମୂଳ ନୀତି ନିର୍ଦ୍ଧାରଣ କରିଥିଲେ, ଯାହା ନିମ୍ନରୂପେ ଥିଲା:
- ଦ୍ୱିପାକ୍ଷିକ ଆଲୋଚନା : କାଶ୍ମୀର ସମେତ ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ବିବାଦକୁ କେବଳ ଦ୍ୱିପାକ୍ଷିକ (ଦୁଇ ଦେଶ ମଧ୍ୟରେ) ଆଲୋଚନା ମାଧ୍ୟମରେ ହିଁ ସମାଧାନ କରାଯିବ । ଏଥିରେ କୌଣସି ତୃତୀୟ ପକ୍ଷ ବା ଆନ୍ତର୍ଜାତୀୟ ସଂସ୍ଥାର ମଧ୍ୟସ୍ଥତାକୁ ଗ୍ରହଣ କରାଯିବ ନାହିଁ ।
- ନିୟନ୍ତ୍ରଣ ରେଖା (LoC) କୁ ମାନ୍ୟତା : ୧୯୭୧ ଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଯୁଦ୍ଧବିରତି ରେଖାକୁ ‘ନିୟନ୍ତ୍ରଣ ରେଖା’ ବା LoC ଭାବେ ମାନ୍ୟତା ଦିଆଗଲା ଏବଂ କୌଣସି ପକ୍ଷ ଏହାକୁ ଏକତରଫା ଭାବେ ବଦଳାଇବାକୁ ଚେଷ୍ଟା କରିବେ ନାହିଁ ବୋଲି ସହମତି ପ୍ରକାଶ ପାଇଥିଲା ।
- ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନାହିଁ : ଉଭୟ ଦେଶ ପରସ୍ପରର ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ମାମଲାକୁ ସମ୍ମାନ ଜଣାଇବେ ବୋଲି ସଂକଳ୍ପ ନେଇଥିଲେ ।
ତେବେ ଇତିହାସ ସାକ୍ଷୀ ଅଛି ଯେ, ପାକିସ୍ତାନ ନିଜର ସୈନ୍ୟ ଏବଂ ଜମି ଫେରି ପାଇବା ପରେ ଏହି ଚୁକ୍ତିର ଅନେକ ସର୍ତ୍ତକୁ ଉଲ୍ଲଂଘନ କରିଛି । ୧୯୯୯ ମସିହାରେ କାର୍ଗିଲ୍ ଅନୁପ୍ରବେଶ ଏବଂ କାଶ୍ମୀରରେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ପାକିସ୍ତାନ ସର୍ବଦା ଶିମଲା ଚୁକ୍ତିର ଅବମାନନା କରିଆସିଛି । ବର୍ତ୍ତମାନର ସ୍ଥିତିରେ ଏହି ଐତିହାସିକ ଚୁକ୍ତିର ପ୍ରାସଙ୍ଗିକତାକୁ ନେଇ ଭାରତୀୟ କୂଟନୀତିଜ୍ଞ ମହଲରେ ପୁନର୍ବାର ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।


