କଫି ଏବଂ ଚା ବିଶ୍ୱ ପାନୀୟ ବଜାରରେ ସବୁଠୁ ପ୍ରାଧାନ୍ୟ ଓ ଅଧିକ ମାତ୍ରାରେ ବ୍ୟବହୃତ ପାନୀୟ ହିସାବରେ ଧରାଯାଏ । କଫି ବିଶ୍ୱବ୍ୟାପୀ ସର୍ବାଧିକ ବ୍ୟବହୃତ ପାନୀୟ ହୋଇଥିଲେ ମଧ୍ୟ, ଭାରତରେ ଚା ନିର୍ବିବାଦୀୟ ନେତା ଭାବରେ ଆଜିବି ଠିଆ ହୋଇ ରହିଛି । ‘ଲୋକାଲ ସର୍କଲ’ ଦ୍ୱାରା କରାଯାଇଥିବା ଏକ ଦେଶବ୍ୟାପୀ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁଯାୟୀ, ୬୯% ଉତ୍ତରଦାତା ଚା’ କୁ ସେମାନଙ୍କର ପ୍ରାଥମିକ ପସନ୍ଦ ଭାବରେ ଚିହ୍ନଟ କରିଛନ୍ତି, ଯେତେବେଳେ କି ୨୬% କଫି ବାଛିଛନ୍ତି । ଏହା ବ୍ୟତୀତ, ସର୍ଭେ ସୂଚାଇ ଦେଇଛି ଯେ ୪୫% ଭାରତୀୟ ପ୍ରତିଦିନ ତିନି କିମ୍ବା ଅଧିକ କପ୍ ଚା କିମ୍ବା କଫି ବ୍ୟବହାର କରନ୍ତି ।

ସର୍ଭେରୁ ଜଣାପଡ଼ିଛି ଯେ ଦେଶର ଉତ୍ତର, ପୂର୍ବ ଏବଂ ପଶ୍ଚିମ ଅଞ୍ଚଳରେ ଚା ୮୦% ରୁ ଅଧିକ ବଜାରରେ ଚାହିଦାରେ ରହିଥାଏ । ବିପରୀତ ଭାବରେ, ଦକ୍ଷିଣ ରାଜ୍ୟଗୁଡ଼ିକରେ ମେଟ୍ରୋ ଏବଂ ଅଣ-ମେଟ୍ରୋ ଉଭୟ କ୍ଷେତ୍ରରେ କଫି ୨୫% ରୁ ଅଧିକ ବଜାର ଅଂଶ ହାସଲ କରିଛି । ସାମ୍ପ୍ରତିକ ସମୟରେ, ଦେଶ ଭିତରେ କଫି ବ୍ୟବହାର ଦ୍ରୁତ ଅଭିବୃଦ୍ଧି ପାଇଛି । ୨୦୨୪ ମସିହାରେ ଭାରତର କଫି ବଜାରର ମୂଲ୍ୟ ୧.୮୮ ବିଲିୟନ ଡଲାର ଥିଲା ଏବଂ ଏହା ୨୦୩୨ ପର୍ଯ୍ୟନ୍ତ ୪.୩% ର ବାର୍ଷିକ ଅଭିବୃଦ୍ଧି ହାର (CAGR) ହୋଇପାରେ ବୋଲି ହୋଇଛି ଆକଳନ । ଭାରତ ବିଶ୍ୱର ସପ୍ତମ ବୃହତ୍ତମ କଫି ଉତ୍ପାଦକ ଭାବରେ ସ୍ଥାନ ପାଇଛି । ୨୦୨୫ ମସିହାରେ, ଭାରତ ୧.୮ ବିଲିୟନ ଡଲାର ମୂଲ୍ୟର କଫି ରପ୍ତାନି କରିଥିଲା ।
![]()
ସର୍ଭେ ହାଇଲାଇଟ୍ସ
ଚା ବିଷୟରେ କହିବାକୁ ଗଲେ, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ । କେବଳ ଚୀନକୁ ପଛରେ ପକାଇ। ଦେଶରେ ଉତ୍ପାଦିତ ମୋଟ ଚା ମଧ୍ୟରୁ ୮୦ ପ୍ରତିଶତ ଘରୋଇ ଭାବରେ ବ୍ୟବହୃତ ହୁଏ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତରେ ଚା ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି । ଦେଶବ୍ୟାପୀ ଅନେକ ସହରରେ ସ୍ୱତନ୍ତ୍ର ଚା ଦୋକାନର ଚାହିଦା ବଢ଼ୁଛି ଏବଂ ଗ୍ରୀନ ଟି ପାଇଁ ବଜାର ମଧ୍ୟ ବୃଦ୍ଧି ପାଉଛି । ୩୮୫ ଜିଲ୍ଲାରୁ ୫୦,୦୦୦ ରୁ ଅଧିକ ବ୍ୟକ୍ତି ଏହି ସର୍ଭେରେ ଅଂଶଗ୍ରହଣ କରିଛନ୍ତି ।

ସର୍ଭେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୭୩% କହିଛନ୍ତି ଯେ ସେମାନେ ବ୍ରାଣ୍ଡେଡ୍ ଚା ପ୍ୟାକେଟ କିଣିବାକୁ ପସନ୍ଦ କରନ୍ତି; ଯେତେବେଳେ ୧୯% ପାରମ୍ପରିକ ଖୋଲା ଚା ପତ୍ର ବାଛନ୍ତି । ଉତ୍ତରଦାତାମାନଙ୍କ ମଧ୍ୟରୁ ଆଠ ପ୍ରତିଶତ ଗ୍ରୀନ ଟି ବା ଚା’ ପାଉଚ ପସନ୍ଦ କରନ୍ତି । ଏହା ସହିତ, ୪୫% ଉତ୍ତରଦାତା ପାରମ୍ପରିକ କ୍ଷୀର-ଭିତ୍ତିକ ଚା ପିଇବାକୁ ପସନ୍ଦ କରୁଥିବା ସୂଚାଇଥିଲେ । ତେବେ ସାଧାରଣ ଚା ସମେତ ୫% ଗ୍ରୀନ ଟି ଓ ୨% ବ୍ଲାକ କଫି ପସନ୍ଦ କରୁଥିବା ରେକର୍ଡ଼ ହୋଇଛି । ସେହିପରି, ୧୫% ଲୋକ କ୍ଷୀର ସହିତ କଫି ପିଉଥିବା ବେଳେ ୧୨% ବ୍ଲାକ ଟି ପସନ୍ଦ କରନ୍ତି ଏବଂ ୭% କମ୍ କ୍ଷୀର ସହିତ ବ୍ଲାକ ଟି ବା କଡ଼କ ଚା’ ପସନ୍ଦ କରନ୍ତି ।


