ଦୁନିଆ ଏବେ ପୁଣିଥରେ ତିନୋଟି ମୁଖ୍ୟ ଶକ୍ତି କେନ୍ଦ୍ର ବା ଖେମାରେ ବିଭକ୍ତ ହେବାକୁ ଯାଉଛି। ଠିକ୍ ଯେପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋଲ୍ଡ ୱାର୍ ସମୟରେ ବିଶ୍ୱ ଦୁଇଟି ଭାଗରେ ବାଣ୍ଟିହୋଇ ଯାଇଥିଲା, ଠିକ୍ ସେହିପରି ଆଜିର ସମୟରେ ଆମେ ଏକ ନୂତନ ‘G3’ ବା ତିନି ମହାଶକ୍ତିର ଯୁଗ ଦେଖିବାକୁ ପାଉଛୁ।
ଆଉ ଏହି ପରିବର୍ତ୍ତନ ପଛରେ ଯଦି ସବୁଠାରୁ ବଡ଼ ଭୂମିକା କାହାର ରହିଛି, ସେ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗୋଟିଏ ପଟେ ଆମେରିକା ଚୀନ୍କୁ ଘେରିବା ପାଇଁ ‘କ୍ୱାଡ୍’ ବୈଠକ କରୁଛି, ଅନ୍ୟପଟେ ଭାରତକୁ ନେଇ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଉଛି ଏବଂ ପୁଣି ରୁଷିଆ ସହିତ ମିଶି ନୂତନ ରଣନୀତି ପ୍ରସ୍ତୁତ କରୁଛି । ତେବେ ଏହି ସବୁ ପରିସ୍ଥିତି ଭିତରେ ଭାରତର ଭୂମିକା କ’ଣ ହେବ ଏବଂ ଆଜିର ଏହି ନୂତନ ବିଶ୍ୱ ବ୍ୟବସ୍ଥା କିପରି ଗଢ଼ିଉଠୁଛି।

ଏହି ସମଗ୍ର ବିଷୟକୁ ଭଲ ଭାବରେ ବୁଝିବା ପାଇଁ ଆମକୁ ଟିକିଏ ଇତିହାସକୁ ଫେରିବାକୁ ପଡ଼ିବ। ୧୯୪୫ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନ୍ତ ଘଟିବା ପରେ ଆମେରିକା ଏବଂ ସୋଭେଟ୍ ୟୁନିୟନ୍ ମଧ୍ୟରେ ଏକ ନୂତନ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା। ସେତେବେଳେ କୌଣସି ସିଧାସଳଖ ଯୁଦ୍ଧ ହୋଇନଥିଲା, ବରଂ କେବଳ କେଉଁ ଦେଶ ଅଧିକ ଶକ୍ତିଶାଳୀ, ତାହା ପ୍ରମାଣ କରିବାର ପ୍ରତିଯୋଗିତା ଚାଲିଥିଲା—ଯେପରିକି ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ, ମହାକାଶକୁ ସାଟେଲାଇଟ୍ ପଠାଇବା ଏବଂ କ୍ଷମତା ବିସ୍ତାର କରିବା।
ସେହି ସମୟରେ ଏହି ଦୁଇ ମହାଶକ୍ତି ସାରା ବିଶ୍ୱକୁ ଦୁଇଟି ଭାଗରେ ବାଣ୍ଟି ଦେଇଥିଲେ। ପାଶ୍ଚାତ୍ୟ ଏବଂ ୟୁରୋପୀୟ ଦେଶମାନେ ଆମେରିକାକୁ ସମର୍ଥନ କଲାବେଳେ, ପୂର୍ବ ୟୁରୋପୀୟ ଦେଶଗୁଡ଼ିକ (ଯେପରି ପୋଲାଣ୍ଡ, ଜର୍ମାନୀ, ହଙ୍ଗେରୀ) ସୋଭେଟ୍ ସଂଘର ସହଯୋଗୀ ହୋଇଥିଲେ। କିନ୍ତୁ ସେହି ସମୟରେ ଭାରତ ଏକ ସାହସୀ ପଦକ୍ଷେପ ନେଇଥିଲା। ଭାରତ କୌଣସି ଗୋଟିଏ ପକ୍ଷରେ ସାମିଲ ନହୋଇ ‘ଗୋଷ୍ଟୀନିରପେକ୍ଷ’ ନୀତି ଗ୍ରହଣ କରିଥିଲା। ଭାରତ ସ୍ପଷ୍ଟ କରିଥିଲା ଯେ ଆମର ଉଭୟ ମହାଶକ୍ତିଙ୍କ ସହିତ ବାଣିଜ୍ୟିକ ଏବଂ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରହିବ, କିନ୍ତୁ ଆମେ କୌଣସି ସାମ୍ରାଜ୍ୟବାଦୀ କ୍ୟାମ୍ପର ଅଂଶବିଶେଷ ହେବୁ ନାହିଁ।
ଆଜି ସମୟ ବଦଳିଛି। ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନେ ଏକ ନୂତନ ଖେଳ ଖେଳୁଛନ୍ତି। ଟ୍ରମ୍ପଙ୍କ ନୂତନ ରଣନୀତି ଅନୁଯାୟୀ, ବିଶ୍ୱରେ ଏବେ ତିନୋଟି ପ୍ରମୁଖ ଶକ୍ତି—ଆମେରିକା, ଚୀନ୍ ଏବଂ ରୁଷିଆ—ମିଶି ‘G3’ ଗଠନ କରିବାକୁ ଯାଉଛନ୍ତି।
ବର୍ତ୍ତମାନର ଏହି ‘ଶୀତ ଯୁଦ୍ଧ’ କେବଳ ପରମାଣୁ ଅସ୍ତ୍ର କିମ୍ବା ମିସାଇଲ୍ରେ ସୀମିତ ନାହିଁ; ବରଂ ଏହା ଉନ୍ନତ ପ୍ରଯୁକ୍ତିବିଦ୍ୟା (AI), ଡିଜିଟାଲ୍ ଟେକ୍ନୋଲୋଜି, ତେଲ, ଗ୍ୟାସ୍, ବିରଳ ଖଣିଜ ପଦାର୍ଥ (Minerals) ଏବଂ ବାଣିଜ୍ୟିକ ଜଳପଥ (Trade Chokepoints) ଉପରେ କବ୍ଜା କରିବାର ଏକ ବଡ଼ ଲଢ଼େଇ। ଚୀନ୍ ନିଜର ‘ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍’ (BRI) ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶକୁ ଯୋଡ଼ି ଆର୍ଥିକ ପ୍ରଭାବ ବିସ୍ତାର କରୁଛି। ଅନ୍ୟପଟେ ରୁଷିଆ ନିଜର ଶକ୍ତି ସମ୍ପଦ (ତେଲ ଓ ଗ୍ୟାସ୍) ମାଧ୍ୟମରେ ମଧ୍ୟ ପୂର୍ବ ଏବଂ ଅନ୍ୟ ଦେଶଗୁଡ଼ିକୁ ନିଜ ପ୍ରଭାବରେ ରଖିଛି। ଆମେରିକା ମଧ୍ୟ ନାଟୋ (NATO) ଏବଂ ସହଯୋଗୀ ଦେଶମାନଙ୍କ ଜରିଆରେ ନିଜର ପ୍ରାର୍ଥୀତ୍ୱ ଜାହିର କରୁଛି।

ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଭାରତର ସ୍ଥିତି କ’ଣ? ଗୋଟିଏ ପଟେ ଆମେରିକା ଚୀନ୍କୁ ପ୍ରତିହତ କରିବା ପାଇଁ ‘କ୍ୱାଡ୍’ ମାଧ୍ୟମରେ ଭାରତ ସହିତ ମିଶି କାମ କରୁଛି। କାରଣ ଆମେରିକା ଜାଣେ ଯେ ଏସୀୟ ମହାସାଗରୀୟ ଅଞ୍ଚଳରେ ଭାରତ ବିନା ଚୀନ୍କୁ ମୁକାବିଲା କରିବା ଅସମ୍ଭବ।
କିନ୍ତୁ ଅନ୍ୟପଟେ, ଆମେରିକାର ନେତୃତ୍ୱ ଏବଂ ବିଭିନ୍ନ ଅଧିକାରୀମାନେ ବାରମ୍ବାର ଭାରତକୁ ଅପମାନିତ କରିବାକୁ ପଛାଉ ନାହାନ୍ତି। କେତେବେଳେ ଭାରତୀୟ ଅର୍ଥନୀତିକୁ ‘ଡେଡ୍ ଇକୋନମି’ ବୋଲି କୁହାଯାଉଛି, ତ କେତେବେଳେ ରୁଷିଆଠାରୁ ତେଲ କ୍ରୟ କରିବା ପ୍ରସଙ୍ଗରେ ଭାରତ ଉପରେ ଅହେତୁକ ଚାପ ପକାଯାଉଛି। ଟ୍ରମ୍ପ ନିଜେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ଭାରତ ଏବଂ ରୁଷିଆ ବର୍ତ୍ତମାନ ଚୀନ୍ର ପ୍ରଭାବ ଆଡ଼କୁ ଢଳୁଛନ୍ତି। ଏପରି ଦ୍ୱିମୁଖୀ ନୀତି ଦ୍ୱାରା ଆମେରିକା ଗୋଟିଏ ପଟେ ଭାରତ ସହିତ ବନ୍ଧୁତା ରଖିବାକୁ ଚାହୁଁଛି ଏବଂ ଅନ୍ୟପଟେ ଭାରତକୁ ନିଜର କର୍ତ୍ତୃତ୍ୱାଧୀନ ରଖିବାକୁ ଚାହୁଁଛି।
ଆଜି ଯେତେବେଳେ ବିଶ୍ୱ ପୁଣିଥରେ ଏହି ତିନିଟି ଶକ୍ତି କେନ୍ଦ୍ରରେ ବିଭକ୍ତ ହେବାକୁ ଯାଉଛି, ସେତେବେଳେ ଭାରତର ବୈଦେଶିକ ନୀତି ଅତ୍ୟନ୍ତ ସତର୍କ ଏବଂ ଦୃଢ଼ ହେବା ଆବଶ୍ୟକ। ଭାରତ କେବେହେଲେ କାହାର ଅଧୀନରେ ରହିବ ନାହିଁ, ବରଂ ନିଜର ସ୍ୱାର୍ଥ ଏବଂ ସାର୍ବଭୌମତ୍ୱକୁ ଆଗରେ ରଖି ନିଷ୍ପତ୍ତି ନେବ।
also read
https://purvapaksa.com/where-did-the-cockroach-go/


