ଦେଶ ପାଇଁ ଏକ ବଡ଼ ଜରୁରୀ ନମ୍ବର ପାଲଟିଛି ୩ କୋଟି ୮୬ ଲକ୍ଷ ! ଏହା କୌଣସି ନିର୍ବାଚନର ଭୋଟ୍ ସଂଖ୍ୟା ନୁହେଁ କିମ୍ବା କୌଣସି ଯୋଜନାର ବଜେଟ୍ ନୁହେଁ । ଏହା ହେଉଛି ଗତ ୨୩ବର୍ଷ ମଧ୍ୟରେ ଏହି ଦେଶର ସେହି ଅସହାୟ ଛାତ୍ରଛାତ୍ରୀ ଏବଂ ଚାକିରି ଆଶାୟୀ ଯୁବକଯୁବତୀମାନଙ୍କ ସଂଖ୍ୟା, ଯେଉଁମାନଙ୍କ ଭବିଷ୍ୟତକୁ ଆମ ଦେଶର ନିକମ୍ମା ଏବଂ ଦୁର୍ନୀତିଗ୍ରସ୍ତ ସିଷ୍ଟମ୍ ସମ୍ପୂର୍ଣ୍ଣ ଭାବେ ବର୍ବାଦ କରିଦେଇଛି।

ଯେତେବେଳେ ଜଣେ ଛାତ୍ର କିମ୍ବା ଚାକିରି ଆଶାୟୀ ବର୍ଷ ବର୍ଷ ଧରି ଦିନରାତି ଏକ କରି ପରୀକ୍ଷା ପାଇଁ ପ୍ରସ୍ତୁତି କରେ, ସେତେବେଳେ ସେ ବହିପତ୍ରରେ ଗୋଟିଏ ଶବ୍ଦ ପଢ଼େ – “ଉତ୍ତରଦାୟିତ୍ୱ” ବା Accountability । କିନ୍ତୁ ସେ ଯେତେବେଳେ ପରୀକ୍ଷା ହଲ୍କୁ ଯାଏ, ସେତେବେଳେ ତାକୁ ଉତ୍ତରଦାୟିତ୍ୱ ମିଳେନାହିଁ, ବରଂ ମିଳେ “ପ୍ରଶ୍ନପତ୍ର ଲିକ୍”ର ଖବର ! ପରୀକ୍ଷା ବାତିଲ୍ ହୁଏ, ରେଜଲ୍ଟ ଅଟକିଯାଏ, ଆଉ ବର୍ଷ ବର୍ଷର ପରିଶ୍ରମ ପାଣିରେ ପଡ଼ିଯାଏ । କ’ଣ ରହିଛି ଏହି ସିଷ୍ଟମ୍ର ଅସଲ ଚେହେରା ? କେମିତି ପ୍ରଶ୍ନପତ୍ର ଲିକ୍ ମାଫିଆମାନେ ୩ କୋଟିରୁ ଅଧିକ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି, ଆଉ ସରକାର କେବଳ “କମିଟି ଗଠନ ଏବଂ ତଦନ୍ତ ହେବ”ର ମିଛ ପ୍ରତିଶ୍ରୁତି ଦେଇ ଶୋଇ ରହୁଛନ୍ତି !
ଗତ ୨୦୦୨ ମସିହାରୁ ଯେତେବେଳେ ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା, ସେ ସମୟରୁ ୨୦୨୫-୨୬ ଅର୍ଥାତ୍ ବର୍ତ୍ତମାନର ନରେନ୍ଦ୍ର ମୋଦୀ ସରକାର ପର୍ଯ୍ୟନ୍ତ ଦେଶର ୪୫ଟି ବଡ଼ ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଛି । ଏହି ୪୫ଟି ମାମଲା ଏମିତି, ଯେଉଁଥିରେ ପ୍ରତି ପରୀକ୍ଷାରେ କମିଶନ ଅତିକମରେ ୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ସାମିଲ ଥିଲେ । ଏଥିରେ ମେଡିକାଲ୍, ଇଞ୍ଜିନିୟରିଂ, ରେଲୱେ, ୟୁପିଏସସି ଏବଂ ସ୍କୁଲ ବୋର୍ଡ ପରୀକ୍ଷା ମଧ୍ୟ ସାମିଲ ରହିଛି ।
ଏହି ତଥ୍ୟ ଗତ ୨୩ ବର୍ଷର :
- ସମୁଦ୍ର ମଧ୍ୟରୁ ମୋଟ ଗିରଫଦାରୀ ସଂଖ୍ୟା ହେଉଛି ୧୦,୬୫୮ ଜଣ।
- ୯୨୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି।
- କିନ୍ତୁ ସବୁଠାରୁ ଲଜ୍ଜାଜନକ କଥା ହେଉଛି, ଏହି ୪୫ଟି ବଡ଼ ମାମଲା ମଧ୍ୟରୁ କେବଳ ୨ଟି ମାମଲାରେ ହିଁ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି ! ଆଉ ବାକି ୪୩ଟି ମାମଲା? ସେଗୁଡ଼ିକ ଏବେ ମଧ୍ୟ କୋର୍ଟରେ ଝୁଲି ରହିଛି, କିମ୍ବା ତଦନ୍ତ ସଂସ୍ଥା ମାଫିଆମାନଙ୍କୁ ଖୋଜି ନପାରି ଫାଇଲ୍ ବନ୍ଦ କରିଦେଇଛି ।
ସମ୍ପୂର୍ଣ୍ଣ ତଥ୍ୟ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ କି, ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ୍ ହେବା ପରେ ପୁଣିଥରେ ପରୀକ୍ଷା କରିବା ପାଇଁ ହାରାହାରି ୧୮୩ ଦିନ ଅର୍ଥାତ୍ ପ୍ରାୟ ୬ ମାସର ସମୟ ଲାଗିଛି। କେତେକ ମାମଲାରେ ତ ପିଲାମାନଙ୍କୁ ୪ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି। ଯେଉଁ ପିଲା ୨୪ ବର୍ଷ ବୟସରେ ପରୀକ୍ଷା ଦେଇଥିଲା, ସେ ୨୮ବର୍ଷ ବୟସ ପର୍ଯ୍ୟନ୍ତ କେବଳ ନ୍ୟାୟ ପାଇଁ ଚାହିଁ ରହିଲା, ଆଉ ସେତିକି ବେଳକୁ ତାର ସରକାରୀ ଚାକିରି ପାଇଁ ବୟସ ସୀମା ହିଁ ପାର୍ ହୋଇଯାଇଥିଲା।

ଯେତେବେଳେ ପ୍ରଶ୍ନପତ୍ର ଲିକ୍ ହୁଏ, ସେତେବେଳେ ରାଜନୈତିକ ଦଳମାନେ ପରସ୍ପର ଉପରକୁ କାଦୁଅ ଫିଙ୍ଗାଫିଙ୍ଗି କରନ୍ତି । ବିରୋଧୀ ସରକାରଙ୍କୁ ଘେରନ୍ତି, ଆଉ ଶାସକ ଦଳ ପୁରୁଣା ସରକାରଙ୍କୁ ଦୋଷ ଦିଅନ୍ତି । କିନ୍ତୁ ଏହି ରିପୋର୍ଟ ସ୍ପଷ୍ଟ ଭାବେ ଦେଖାଉଛି ଯେ, ଏହି ବେମାରୀ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦଳର ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ସିଷ୍ଟମ୍ର ବେମାରୀ ।
ଏହି ୪୫ଟି ବଡ଼ ଲିକ୍ ମଧ୍ୟରୁ ୨୩ଟି ମାମଲା ବିଜେପି ଶାସିତ ରାଜ୍ୟଗୁଡ଼ିକରେ, ୧୪ଟି ମାମଲା କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଏବଂ ବାକି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ସରକାର ସମୟରେ ହୋଇଛି । ଅଟଳ ବିହାରୀ ବାଜପେୟୀଙ୍କଠାରୁ ଆରମ୍ଭ କରି ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦୀଙ୍କ ଶାସନ କାଳ ପର୍ଯ୍ୟନ୍ତ ସବୁ ସମୟରେ ପ୍ରଶ୍ନପତ୍ର ଲିକ୍ ମାଫିଆମାନେ ସକ୍ରିୟ ରହିଛନ୍ତି । ଯଦି ରାଜ୍ୟ କଥା ଦେଖିବା, ତେବେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ଅଛି, ଯେଉଁଠି ୧୧ଟି ବଡ଼ ମାମଲା ସାମ୍ନାକୁ ଆସିଛି । ଏହା ପଛକୁ ରାଜସ୍ଥାନରେ ୭ଟି ଏବଂ ଗୁଜରାଟରେ ୩ଟି ବଡ଼ ଘଟଣା ଘଟିଛି।
ସିଷ୍ଟମ୍ କହିପାରେ ଯେ ଆମେ ଅଭିଯୁକ୍ତଙ୍କୁ ସଜା ଦେଇଛୁ। କିନ୍ତୁ ସେହି ଦୁଇଟି କନଭିକ୍ସନ ବା ଦୋଷୀ ସାବ୍ୟସ୍ତ ମାମଲାର ସତ୍ୟତା ଜାଣିଲେ ଆପଣ ହସିବେ ନା କାନ୍ଦିବେ ବୁଝିପାରିବେନି। ଏହି ଦୁଇଟିଯାକ ମାମଲା ରେଲୱେ ଭର୍ତ୍ତି ବୋର୍ଡ (RRB) ସହ ଜଡ଼ିତ ଥିଲା।
୧. ପ୍ରଥମ ମାମଲା (୨୦୦୨): ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ୨୩ ବର୍ଷ ପରେ, ଅର୍ଥାତ୍ ୨୦୨୫ ମସିହାରେ ଅହମ୍ମଦାବାଦର ସିବିଆଇ କୋର୍ଟ ୭ ଜଣ ରେଲୱେ ଅଧିକାରୀଙ୍କୁ ୫ ବର୍ଷର ସଜା ଶୁଣାଇଲେ । କିନ୍ତୁ ଆଜିର ସତ୍ୟତା ହେଉଛି, ସେମାନେ ସମସ୍ତେ ହାଇକୋର୍ଟରୁ ଜାମିନ ପାଇ ଆରାମରେ ବାହାରେ ବୁଲୁଛନ୍ତି !
୨. ଦ୍ଵିତୀୟ ମାମଲା (୨୦୧୦): ମୁମ୍ବାଇ RRB ର ଆସିଷ୍ଟାଣ୍ଡ ଲୋକୋ ପାଇଲଟ୍ ପରୀକ୍ଷା। ଏହାର ରାୟ ଆସିଲା ୨୦୨୪ ମସିହାରେ ; ଅର୍ଥାତ୍ ୧୪ ବର୍ଷ ପରେ ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ସତ୍ୟେନ୍ଦ୍ର ମୋହନ ଶର୍ମାଙ୍କୁ ସଜା ମିଳିବାର ମାତ୍ର ୩ ଦିନ ପରେ ସେ ହାଇକୋର୍ଟରୁ ଜାମିନ ପାଇ ମୁକୁଳିଗଲେ।
ଏହାକୁ କ’ଣ ନ୍ୟାୟ କୁହାଯିବ ? ୧୪ ବର୍ଷରୁ ୨୩ ବର୍ଷ ସମୟ ଲାଗୁଛି କେବଳ ରାୟ ଆସିବାକୁ, ଆଉ ତା’ପରେ ମଧ୍ୟ ଅଭିଯୁକ୍ତମାନେ ଜାମିନ ପାଇ ବାହାରେ ହସୁଛନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ଏକ ରେଲୱେ ପ୍ରଶ୍ନପତ୍ର ଲିକ୍ ମାମଲାର ଦୁଇଜଣ ମୁଖ୍ୟ ଅଭିଯୁକ୍ତ ଆଜି ଉତ୍ତର ପ୍ରଦେଶ ବିଧାନସଭାରେ “ମାନ୍ୟବର ବିଧାୟକ” ଭାବେ ବସୁଛନ୍ତି ! ସେମାନେ ହେଲେ ବିଧାୟକ ବେଦୀରାମ ଏବଂ ବିପୁଳ ଦୁବେ, ଯାହାଙ୍କ ପାର୍ଟିର ମୁଖ୍ୟମାନେ ଆଜି ୟୁପି ସରକାରରେ ମନ୍ତ୍ରୀ ଅଛନ୍ତି । ଯେଉଁମାନେ ପିଲାଙ୍କ ଭବିଷ୍ୟତ ଚୋରି କରୁଛନ୍ତି, ସିଷ୍ଟମ୍ ସେମାନଙ୍କୁ ବିଧାନସଭାକୁ ପଠାଉଛି !

- ଆମ ଦେଶର ଆଇନ ବୋଧହୁଏ ପୁରୁଣା ଢାଞ୍ଚାରେ ଚାଲୁଛି, କିନ୍ତୁ ପ୍ରଶ୍ନପତ୍ର ଲିକ୍ ମାଫିଆମାନଙ୍କ ଇନୋଭେସନ୍ ବା ନୂଆ ଜ୍ଞାନକୌଶଳ ରକେଟ୍ ଗତିରେ ଆଗକୁ ବଢ଼ୁଛି ।
- ୨୦୦୨ ମସିହାରେ ସେମାନେ କେବଳ ଅଫିସ୍ରୁ କାଗଜପତ୍ର ଚୋରି କରୁଥିଲେ।
- ୨୦୧୩ ବେଳକୁ ସେମାନେ ପ୍ରଶ୍ନପତ୍ର ସ୍କାନ୍ କରି ବ୍ଲୁ-ଟୁଥ୍ ଏବଂ ମେସେଜିଂ ଆପ୍ ସାହାଯ୍ୟରେ ପରୀକ୍ଷା ହଲ୍ ବାହାରୁ ଉତ୍ତର କହିବା ଆରମ୍ଭ କଲେ।
- ୨୦୨୪ ମସିହାର ୟୁପି ପୋଲିସ କନଷ୍ଟେବଳ ପରୀକ୍ଷାରେ ସେମାନେ ଟ୍ରକରେ ଯାଉଥିବା ବାକ୍ସର ଆଗ ସିଲ୍କୁ ସୁରକ୍ଷିତ ରଖି ପଛପଟୁ ବାକ୍ସ ଖୋଲି ପ୍ରଶ୍ନପତ୍ର ବାହାର କରିନେଲେ, ଯେମିତି ସରକାର ଜାଣିପାରିବେନି।
ଆଉ ସବୁଠାରୁ ସାଂଘାତିକ ତରିକା ହେଉଛି – ବର୍ତ୍ତମାନ କମ୍ପ୍ୟୁଟରରେ ‘ଟିମ୍ ଭିଉଅର୍’ (TeamViewer) ଭଳି ରିମୋଟ୍ ଆକ୍ସେସ୍ ସଫ୍ଟୱେର୍ ଇନଷ୍ଟଲ୍ କରାଯାଉଛି। ପରୀକ୍ଷାର୍ଥୀ ପରୀକ୍ଷା ହଲ୍ରେ କେବଳ ମାଉସ୍ ଧରି ବସୁଛି, ଆଉ ଶହ ଶହ କିଲୋମିଟର ଦୂରରେ ବସିଥିବା ହ୍ୟାକର୍ ରିଅଲ୍ ଟାଇମ୍ରେ ତାର ପ୍ରଶ୍ନପତ୍ର ସଲ୍ଭ କରୁଛି।
ଏହି ସବୁ ଘଟଣା ପରେ ଯେତେବେଳେ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରନ୍ତି ଏବଂ ବଡ଼ ବଡ଼ ଅଧିକାରୀଙ୍କୁ ପଦରୁ ହଟାଯାଏ, ସେତେବେଳେ ପିଲାମାନେ ଭାବନ୍ତି ଯେ ନ୍ୟାୟ ମିଳିଲା। କିନ୍ତୁ ସେମାନଙ୍କର କମ୍ବ୍ୟାକ୍ (Comeback) ଦେଖିଲେ ଆପଣ ଚକିତ ହେବେ। ନିକଟରେ UGC-NET ପ୍ରଶ୍ନପତ୍ର ଲିକ୍ ପରେ NTA ର ଡିଜି ସୁବୋଧ କୁମାର ସିଂଙ୍କୁ ହଟାଗଲା, କିନ୍ତୁ ସତ୍ୟତା ହେଉଛି ତାଙ୍କୁ ଇସ୍ପାତ ମନ୍ତ୍ରାଳୟରେ ଅତିରିକ୍ତ ସଚିବ କରାଗଲା ଏବଂ ପରେ ଛତିଶଗଡ଼ର ମୂଳ କ୍ୟାଡରକୁ ପଠାଇ ଏକ ବଡ଼ ଦାୟିତ୍ଵ ଦିଆଗଲା। ଠିକ୍ ସେହିପରି ୟୁପି ପୋଲିସ ଭର୍ତ୍ତି ବୋର୍ଡର ଚେୟାରପର୍ସନ ରେଣୁକା ମିଶ୍ରଙ୍କୁ ହଟାଯାଇ ପୁଣି ଥରେ DGP ଅଫିସରେ ଥଇଥାନ କରାଗଲା। ଅର୍ଥାତ୍ ବ୍ୟୁରୋକ୍ରାଟ୍ସ କେବେବି ନିଜର “ନୈତିକ ଦାୟିତ୍ଵ” ବା Moral Responsibility ନିଅନ୍ତି ନାହିଁ।

ଏହି ତଥ୍ୟ ସ୍ପଷ୍ଟ ଭାବେ ପ୍ରମାଣ କରୁଛି ଯେ, ଏହି ଦେଶରେ ‘ପ୍ରଶ୍ନପତ୍ର ଲିକ୍’ ଏବେ ଏକ ବଡ଼ ଲାଭଜନକ ବ୍ୟବସାୟର ମଡେଲ୍ ପାଲଟି ଯାଇଛି। ୨୩ ବର୍ଷର ଏହି କଳା ରେକର୍ଡ ଯେକୌଣସି ସରକାର ଏବଂ ସିଷ୍ଟମ୍ ପାଇଁ ଏକ ଅତ୍ୟନ୍ତ ଲଜ୍ଜାଜନକ ଦଲିଲ୍। କିନ୍ତୁ ଆଜିର ସ୍ଥିତି ଦେଖିଲେ ମନେହେଉଛି ଯେ ସିଷ୍ଟମ୍ କୁ କୌଣସି ଫରକ ପଡୁନାହିଁ। କାରଣ ନୈତିକତା ଆଜି ମରିଯାଇଛି ଏବଂ ଉତ୍ତରଦାୟିତ୍ୱ ଶୂନ ହୋଇଯାଇଛି।
ଏବେ ପ୍ରଶ୍ନ ଉଠୁଛି, କେତେଦିନ ପର୍ଯ୍ୟନ୍ତ ଏହି ଦେଶର ଯୁବପିଢ଼ି ନିଜ ଜୀବନର ସବୁଠାରୁ ମୂଲ୍ୟବାନ ସମୟକୁ ଏହି ଦୁର୍ନୀତିର ନିଆଁରେ ବାଜି ଲଗାଇବେ? ଆପଣଙ୍କ ଘରର ପିଲା ଯେତେବେଳେ ପରୀକ୍ଷା ଦେବାକୁ ଯାଉଛି, ସେତେବେଳେ ତାର ଭବିଷ୍ୟତ କଣ ସୁରକ୍ଷିତ?


