ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ରେ ଆଜି ବିରୋଧୀ ଦଳଗୁଡ଼ିକର ସବୁଠୁ ବଡ଼ ମେଣ୍ଟ ‘ଇଣ୍ଡିଆ ଆଲାଏନ୍ସ’ ବା ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । କିନ୍ତୁ କ’ଣ ରହିଛି ଏହି ବୈଠକ ପଛରେ ଥିବା ସେହି ଅସହଜ ସତ୍ୟ ଏବଂ ଭୟଙ୍କର ଅସ୍ଥିରତା ବିଷୟ , ଯାହା ଏବେ ବିରୋଧୀ ଶିବିରରେ ହଇଚଇ ସୃଷ୍ଟି କରିଛି ?

ଆଜିଠାରୁ ଠିକ୍ ୩ବର୍ଷ ପୂର୍ବେ, ଅର୍ଥାତ୍ ଜୁନ୍ ୨୦୨୩ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାରକୁ ହଟାଇବା ପାଇଁ ଏହି ମେଣ୍ଟ ଗଠନ କରାଯାଇଥିଲା, ସେତେବେଳେ ଏହାର ସଦସ୍ୟ ସଂଖ୍ୟା ଥିଲା ୩୭। ଅର୍ଥାତ୍ ୩୭ଟି ଆଞ୍ଚଳିକ ଏବଂ ଜାତୀୟ ଦଳ ଏକାଠି ହୋଇ ହାତ ମିଳାଇଥିଲେ। କିନ୍ତୁ ଆଜି ଦିଲ୍ଲୀରେ ହେଉଥିବା ବୈଠକର ଚିତ୍ର ଦେଖନ୍ତୁ- ୩୭ରୁ ଖସି ଏବେ ମାତ୍ର ୨୩ଟି ଦଳ ବୈଠକରେ ସାମିଲ ହୋଇଛନ୍ତି। ବିଜେପି ସରକାରକୁ ହଟାଇବା ପାଇଁ ଏହି ୩୭ରୁ ଖସି ଏବେ ମାତ୍ର ୨୩ଟି ଦଳ ବୈଠକରେ ସାମିଲ ହୋଇଛନ୍ତି।
ପ୍ରଶ୍ନ କେବଳ ସଂଖ୍ୟାର ନୁହେଁ। ପ୍ରଶ୍ନ ହେଉଛି, ଯେଉଁ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ଦଳଗୁଡ଼ିକୁ ନେଇ ଏହି ମେଣ୍ଟ ଗର୍ବ କରୁଥିଲା, ସେମାନଙ୍କର ବର୍ତ୍ତମାନର ସ୍ଥିତି କଣ?
ଆଜି ଅନେକ ଆଞ୍ଚଳିକ ଦଳ ସାମ୍ନାରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ସେମାନେ ନିଜର ଦେଶବ୍ୟାପୀ ‘ଇଣ୍ଡିଆ ମେଣ୍ଟ’କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବେ, ନା ନିଜ ରାଜ୍ୟରେ ନିଜ ଦଳର ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ଲଢ଼ିବେ ?
ତେବେ କେମିତି ଆରମ୍ଭ ହେଲା ପଶ୍ଚିମବଙ୍ଗରୁ କେରଳ ଏବଂ ତାମିଲନାଡୁ ପର୍ଯ୍ୟନ୍ତ ଏହି ମେଣ୍ଟର ବଡ଼ ବଡ଼ ଦଳଗୁଡ଼ିକ ଭିତରେ ଭୟଙ୍କର ଗୃହଯୁଦ୍ଧ ?
ପଶ୍ଚିମବଙ୍ଗରେ ମହା ବିସ୍ଫୋରଣ ; ବୁଡ଼ୁଛି କି ମମତାଙ୍କ ନୌକା?
ଏହି ମେଣ୍ଟର ସବୁଠାରୁ ବଡ଼ ସଙ୍କଟ ଏବେ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। ନିକଟରେ ମେ ୪ ତାରିଖରେ ଆସିଥିବା ବିଧାନସଭା ନିର୍ବାଚନ ଫଳାଫଳ ପରେ, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଭୟଙ୍କର ଭାବେ ନିର୍ବାଚନ ହାରିଯାଇଛି। ଆଉ ନିର୍ବାଚନ ହାରିବା ପରେ ଟିଏମସି ଭିତରେ ଯେଉଁ ଧରଣର ବିସ୍ଫୋରଣ ଓ ବିଖରାପ ଦେଖିବାକୁ ମିଳିଛି, ତାହା ଭାରତୀୟ ରାଜନୀତି ଇତିହାସରେ କେବେ ଦେଖିବାକୁ ମିଳିନଥିଲା। ପଶ୍ଚିମବଙ୍ଗରେ ଟିଏମସିର ମୋଟ୍ ୮୦ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୫୯ ଜଣ ବିଧାୟକ ଦଳ ବିରୋଧରେ ବିଦ୍ରୋହ କରି ବାଗୀ ହୋଇଯାଇଛନ୍ତି! ସେମାନେ ନିଜର ଏକ ଅଲଗା ଗୋଷ୍ଠୀ ତିଆରି କରି ବିଧାନସଭାରେ ନିଜର ନୂଆ ନେତା ନିର୍ବାଚିତ କରିସାରିଛନ୍ତି, ଯାହାକୁ ସେଠାକାର ବିଧାନସଭା ବାଚସ୍ପତି ମଧ୍ୟ ମାନ୍ୟତା ଦେଇଦେଇଛନ୍ତି।
ବିଧାୟକମାନେ ଦଳ ଛାଡ଼ିବା ପରେ ଏବେ ଟିଏମସିର ସାଂସଦମାନଙ୍କୁ ମଧ୍ୟ ଭାଙ୍ଗିବା ପାଇଁ ସେଠାରେ ବଡ଼ ରଣନୀତି ଚାଲିଛି। ସ୍ଥିତି ଏମିତି ହୋଇଛି ଯେ, ନିଜ ଦଳର ସାଂସଦମାନଙ୍କୁ ବଞ୍ଚାଇବା ପାଇଁ ମମତା ବାନାର୍ଜୀ ଯେତେବେଳେ ଫୋନ୍ କରୁଛନ୍ତି, ତାଙ୍କ ନିଜ ଦଳର ସାଂସଦମାନେ ତାଙ୍କ ଫୋନ୍ ଉଠାଉନାହାନ୍ତି! ଲୋକସଭା ଏବଂ ରାଜ୍ୟସଭା ମିଶାଇ ଟିଏମସିର ମୋଟ୍ ୪୧ ଜଣ ସାଂସଦଙ୍କ ମଧ୍ୟରୁ ମାତ୍ର ୩ ରୁ ୪ ଜଣ ସାଂସଦ ହିଁ ଏବେ ମମତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଯେଉଁ ମମତା ବାନାର୍ଜୀ ପୂର୍ବରୁ ଏହି ଇଣ୍ଡିଆ ମେଣ୍ଟର ବୈଠକକୁ ଆଦୌ ଗୁରୁତ୍ୱ ଦେଉନଥିଲେ, ନିଜର ଜଣେ ଜୁନିୟର ନେତାଙ୍କୁ ବୈଠକକୁ ପଠାଉଥିଲେ, ଆଜି ନିଜ ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବା ପରେ ସେ ରାଜନୈତିକ ପ୍ରାସଙ୍ଗିକତା ଖୋଜିବା ପାଇଁ ଦିଲ୍ଲୀ ବୈଠକ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ପଶ୍ଚିମବଙ୍ଗରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ସିପିଏମ୍ ଦଳ ମମତାଙ୍କୁ ଆଦୌ ସହଯୋଗ କରିବା ମୁଦ୍ରାରେ ନାହାନ୍ତି। ତେଣୁ ପଶ୍ଚିମବଙ୍ଗରେ ଏହି ମେଣ୍ଟର ଅସ୍ତିତ୍ୱ ଏବେ ସମ୍ପୂର୍ଣ୍ଣ ଅନ୍ଧକାର ଭିତରକୁ ଚାଲିଯାଇଛି।
କେରଳ ଓ ତାମିଲନାଡୁରେ କାହିଁକି ହେଲା ବିଶ୍ୱାସଘାତକତା ?
ତେବେ ଦକ୍ଷିଣ ଭାରତର ମଧ୍ୟ ରହିଛି ସମାନ ସ୍ଥିତି । ଦିଲ୍ଲୀ ବୈଠକ ଆରମ୍ଭ ହେବା ପୂର୍ବରୁ ସିପିଏମ୍ (CPM) ର ସାଧାରଣ ସମ୍ପାଦକ ଏମ୍.ଏ. ବେବି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏକ କଡ଼ା ଚିଠି ଲେଖିଛନ୍ତି । ଚିଠିରେ ସିଧାସଳଖ ଦାବି କରାଯାଇଛି ଯେ, କଂଗ୍ରେସ ପ୍ରଥମେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ । ତେବେ ଅତୀତରେ କେରଳ ବିଧାନସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ କେରଳରେ ଯାଇ ଖୋଲାଖୋଲି ପ୍ରଚାର କରୁଥିଲେ ଯେ , ସେଠାକାର ଶାସକ ଦଳ ସିପିଏମ୍ ଏବଂ ବିଜେପି ମଧ୍ୟରେ ଅନ୍ଦରମହଲରେ ବଡ଼ ମେଣ୍ଟ ବା ‘ମିଲିଭଗତ’ ରହିଛି । ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ ଯେ, ଯଦି ସିପିଏମ୍ ଏବଂ ବିଜେପି ଏକାଠି ନାହାନ୍ତି, ତେବେ ସେଠାକାର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥା ED କାହିଁକି କୌଣସି ଆକ୍ସନ ନେଉନାହିଁ କିମ୍ବା ତାଙ୍କୁ ଗିରଫ କରୁନାହିଁ ?

ଯେଉଁ ସିପିଏମ୍ ଦଳ ଦିଲ୍ଲୀରେ କଂଗ୍ରେସ ସହ ବସି ମେଣ୍ଟ କରୁଛି, ସେହି ଦଳର ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ରାହୁଲ ଗାନ୍ଧୀ ଦାବି କରୁଥିଲେ ! ଆଜି ସେହି ସିପିଏମ୍ କଂଗ୍ରେସକୁ ପ୍ରଶ୍ନ ପଚାରୁଛି ଯେ, ଆପଣ କେଉଁ ଆଧାରରେ ଆମ ଉପରେ ଏଭଳି ମିଥ୍ୟା ଆରୋପ ଲଗାଉଥିଲେ ? ରାହୁଲ ଗାନ୍ଧୀଙ୍କର ଏହି କିଛି ବି କହିଦେବାର ଅଭ୍ୟାସ ଯୋଗୁଁ ଆଜି ମେଣ୍ଟ ଭିତରେ ଭୟଙ୍କର ଅବିଶ୍ୱାସ ସୃଷ୍ଟି ହୋଇଛି ।
ତାମିଲନାଡୁର ବଡ଼ ରାଜନୈତିକ ଟ୍ୱିଷ୍ଟ
ଏହାଠାରୁ ଆହୁରି ବଡ଼ ବିଶ୍ୱାସଘାତକତା କଂଗ୍ରେସ କରିଛି ତାମିଲନାଡୁରେ। ଦୀର୍ଘ ୩ ଦଶନ୍ଧି ବା ୩୦ ବର୍ଷ ଧରି ତାମିଲନାଡୁରେ ଡିଏମକେ (DMK) ଏବଂ କଂଗ୍ରେସର ମେଣ୍ଟ ଚାଲିଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଆସିବା ମାତ୍ରେ କଂଗ୍ରେସ ନିଜର ପୁରୁଣା ବନ୍ଧୁ ଡିଏମକେର ହାତ ଛାଡ଼ି ଅଭିନେତା ବିଜୟଙ୍କର ନୂଆ ଦଳ ‘ଟିଭିକେ’ (TVK) ସହ ମେଣ୍ଟ କରିଦେଲା!
![]()
କଂଗ୍ରେସ ଟିଭିକେ ସହ ମିଶି ସେଠାରେ ସରକାରରେ ସାମିଲ ହୋଇଯାଇଛି। ୧୯୬୭ ମସିହା ପରେ ପ୍ରଥମ ଥର ପାଇଁ କଂଗ୍ରେସ ତାମିଲନାଡୁରେ ସରକାରର ଅଂଶବିଶେଷ ସାଜିଛି ସତ, କିନ୍ତୁ ଏହା ବଦଳରେ ସେ ନିଜର ସବୁଠାରୁ ଭରସାଯୋଗ୍ୟ ସହଯୋଗୀ ଡିଏମକେର ବିଶ୍ୱାସ ହରାଇ ସାରିଛି। ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନ୍ ଏହାକୁ କଂଗ୍ରେସର ଏକ ବଡ଼ ‘ବିଶ୍ୱାସଘାତକତା’ ବୋଲି କହି ଆଜିର ଦିଲ୍ଲୀ ବୈଠକକୁ ସମ୍ପୂର୍ଣ୍ଣ ବୟକଟ୍ କରିଛନ୍ତି। କଂଗ୍ରେସ ଭାବୁଥିଲା ଯେ ଯଦି ଡିଏମକେ ନଆସିବ, ତେବେ ସେ ଅଭିନେତା ବିଜୟଙ୍କ ଟିଭିକେକୁ ବୈଠକକୁ ଆଣିବ। କିନ୍ତୁ ବିଜୟ ସ୍ପଷ୍ଟ କରିଦେଇଛନ୍ତି ଯେ ସେ ଆନୁଷ୍ଠାନିକ ଭାବେ ଏହି ‘ଇଣ୍ଡିଆ ମେଣ୍ଟ’ର ଅଂଶ ନୁହନ୍ତି କିମ୍ବା ଏହି ବୈଠକକୁ ଯିବାକୁ ଚାହାନ୍ତି ନାହିଁ। ତେଣୁ ତାମିଲନାଡୁରେ ମଧ୍ୟ ଇଣ୍ଡିଆ ମେଣ୍ଟର ସ୍ଥିତି ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି।
କାଗଜ ଉପରେ ସୀମିତ ବିରୋଧୀ ମେଣ୍ଟ : ରାଜ୍ୟୱାରୀ ଚିତ୍ର
ଯଦି ଭାରତର ମାନଚିତ୍ରକୁ ଦେଖାଯାଏ ଏବଂ ଗୋଟିଏ ଗୋଟିଏ ବଡ଼ ରାଜ୍ୟକୁ ବିଶ୍ଳେଷଣ କରାଯାଏ, ତେବେ ଜଣାପଡ଼େ ଯେ ଏହି ‘ଇଣ୍ଡିଆ ମେଣ୍ଟ’ର ମହତ୍ତ୍ୱ କେବଳ କାଗଜ କଲମରେ ହିଁ ବାକି ରହିଛି, ଗ୍ରାଉଣ୍ଡ ରିଆଲିଟିରେ ଏହାର କୌଣସି ପ୍ରଭାବ ନାହିଁ:
- କେରଳ ଓ ତାମିଲନାଡୁ: ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବିବାଦ ଏବଂ ଅବିଶ୍ୱାସ କାରଣରୁ ମେଣ୍ଟରୁ ପ୍ରାୟ ବାଦ୍ ପଡ଼ି ସାରିଛନ୍ତି।
- କର୍ଣ୍ଣାଟକ: ଏଠାରେ କଂଗ୍ରେସ ସହ ମେଣ୍ଟ କରିବା ପାଇଁ କୌଣସି ବଡ଼ ଆଞ୍ଚଳିକ ଦଳ ହିଁ ନାହାନ୍ତି।
- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା: ଏହି ଦୁଇଟିଯାକ ବଡ଼ ରାଜ୍ୟରେ କଂଗ୍ରେସ କିମ୍ବା ଇଣ୍ଡିଆ ମେଣ୍ଟର କୌଣସି ବଡ଼ ପ୍ରଭାବଶାଳୀ ଉପସ୍ଥିତି ନାହିଁ।
- ବିହାର: ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (RJD) ର ସ୍ଥିତି ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଛି। ମୋଟ୍ ୨୪୩ଟି ବିଧାନସଭା ଆସନ ମଧ୍ୟରୁ ଆରଜେଡି ଏବେ ମାତ୍ର ୨୫ଟି ଆସନରେ ସୀମିତ ହୋଇଯାଇଛି। ତେଣୁ ବିହାର ରାଜନୀତିରେ ଆରଜେଡିର ହୈସିୟତ ଏବେ ବହୁତ କମିଯାଇଛି।
- ଉତ୍ତର ପ୍ରଦେଶ: ବର୍ତ୍ତମାନ ଏହି ମେଣ୍ଟ ଭିତରେ କେବଳ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (SP) ହିଁ ଗୋଟିଏ ମାତ୍ର ଶକ୍ତିଶାଳୀ ଦଳ ଭାବେ ବାକି ରହିଛି, ଯାହା ପାଖରେ ୩୭ ଜଣ ଲୋକସଭା ସାଂସଦ ଅଛନ୍ତି।
କଂଗ୍ରେସର ସବୁଠୁ ବଡ଼ ସଙ୍କଟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ !
ଏହି ମେଣ୍ଟର ସବୁଠାରୁ ବଡ଼ ସଙ୍କଟ ଏହି ମେଣ୍ଟର ସବୁଠାରୁ ବଡ଼ ଦଳ କଂଗ୍ରେସ ସାମ୍ନାରେ ରହିଛି । କଂଗ୍ରେସ ଏବେ ନିଜର ସହଯୋଗୀ ଦଳଗୁଡ଼ିକର ସମ୍ପୂର୍ଣ୍ଣ ଭରସା ହରାଇ ସାରିଛି । ଦେଶର ଜନସାଧାରଣଙ୍କ ବିଶ୍ୱାସ ତ କଂଗ୍ରେସ ବହୁତ ପୂର୍ବରୁ ହରାଇଥିଲା, ଏବେ ସହଯୋଗୀ ଦଳମାନେ ମଧ୍ୟ କଂଗ୍ରେସର ନୀତି ଉପରେ ସନ୍ଦେହ କରୁଛନ୍ତି । କଂଗ୍ରେସର ନିଜ ଶାସିତ ରାଜ୍ୟଗୁଡ଼ିକରେ ଭୟଙ୍କର ଗୋଷ୍ଠୀ କନ୍ଦଳ ଚାଲିଛି । ସବୁଠାରୁ ତାଜା ଉଦାହରଣ ହେଉଛି କର୍ଣ୍ଣାଟକ, ଯେଉଁଠି ଦଳର ଆଭ୍ୟନ୍ତରୀଣ କଳହକୁ ଶାନ୍ତ କରିବା ପାଇଁ ହାଇକମାଣ୍ଡଙ୍କୁ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟାଙ୍କୁ ହଟାଇ ଡି.କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପଡ଼ିଲା, ତଥାପି ସେଠାରେ ବିବାଦ ଶାନ୍ତ ହେଉନାହିଁ ।

ଏତେ ସବୁ ସମସ୍ୟା ସତ୍ତ୍ୱେ, କଂଗ୍ରେସ ହାଇକମାଣ୍ଡ ଚାହୁଁଛନ୍ତି ଯେ ବିଜେପି ବିରୋଧରେ ଦେଶରେ ଯେଉଁ ମେଣ୍ଟ ଗଠନ ହେବ, ତାର ସମ୍ପୂର୍ଣ୍ଣ ନେତୃତ୍ୱ କେବଳ ରାହୁଲ ଗାନ୍ଧୀଙ୍କୁ ହିଁ ମିଳୁ। କିନ୍ତୁ ବାସ୍ତବତା ହେଉଛି, ରାହୁଲ ଗାନ୍ଧୀ ନିଜ ଦଳର ନେତୃତ୍ୱ ସଠିକ୍ ଭାବେ ସମ୍ଭାଳିପାରୁ ନାହାନ୍ତି। ନିକଟରେ ହୋଇଥିବା ହରିୟାଣା ଏବଂ ଗୁଜରାଟର ସ୍ଥାନୀୟ ସ୍ୱାୟତ୍ତ ଶାସନ ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଭାବେ ସଫା ହୋଇଯାଇଛି। ପଞ୍ଜାବରେ ମଧ୍ୟ କଂଗ୍ରେସର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି।
ଆଗାମୀ ବର୍ଷ ଦେଶର ୭ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ (ଉତ୍ତର ପ୍ରଦେଶ, ଗୁଜରାଟ, ପଞ୍ଜାବ, ଗୋଆ, ମଣିପୁର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ) ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଏହି ୭ଟି ରାଜ୍ୟ ମଧ୍ୟରୁ କୌଣସି ଗୋଟିଏ ବି ରାଜ୍ୟରେ କଂଗ୍ରେସର ସ୍ଥିତି ମଜବୁତ ଥିବାର ଦେଖାଯାଉ ନାହିଁ। ରାହୁଲ ଗାନ୍ଧୀ ଚାହୁଁଛନ୍ତି ଯେ ନେପାଳ, ବାଂଲାଦେଶ କିମ୍ବା ଶ୍ରୀଲଙ୍କା ଭଳି ଭାରତରେ ମଧ୍ୟ ଜନସାଧାରଣ ଓ ଯୁବପିଢ଼ି ରାଜପଥକୁ ଓହ୍ଲାଇ ବଡ଼ ଧରଣର ଅରାଜକ ଆନ୍ଦୋଳନ କରନ୍ତୁ। କିନ୍ତୁ ଦୁଃଖର କଥା ହେଉଛି, କଂଗ୍ରେସର ନିଜର ଯୁବ ସଂଗଠନ ‘ୟୁଥ୍ କଂଗ୍ରେସ’ର କର୍ମୀମାନେ ମଧ୍ୟ ଗତ ୧୨ ବର୍ଷ ଭିତରେ ଗ୍ରାଉଣ୍ଡ ଲେବଲ୍ରେ କୌଣସି ଗୋଟିଏ ବି ସଫଳ ଆନ୍ଦୋଳନ ଛିଡ଼ା କରିପାରି ନାହାନ୍ତି । ସେମାନେ କେବଳ ସୋସିଆଲ ମିଡିଆ ଏବଂ ସୀମିତ ପ୍ରଦର୍ଶନ ଭିତରେ ହିଁ ସୀମିତ ରହିଯାଇଛନ୍ତି।

ବର୍ତ୍ତମାନ ଏହି ‘ଇଣ୍ଡି ମେଣ୍ଟ’ର ସବୁ ଦଳର ଭବିଷ୍ୟତ କେଉଁଠି ନା କେଉଁଠି ଅନ୍ଧକାର ଭିତରକୁ ଚାଲିଯାଇଛି। ଅନ୍ଧକାରରେ ଥିବା ଏହି ନେତାମାନେ ଏବେ ମେଣ୍ଟ ଜରିଆରେ ଆଲୋକର ସନ୍ଧାନ କରୁଛନ୍ତି, କିନ୍ତୁ ବାସ୍ତବତା ହେଉଛି କାହା ପାଖରେ ବି କୌଣସି ଦୂରଦୃଷ୍ଟି ବା ଆଲୋକ ନାହିଁ। ସବୁ ଦଳ ଚାହୁଁଛନ୍ତି ଯେ ସହଯୋଗୀ ଦଳ ନିଜ ରାଜ୍ୟର ସବୁ ସିଟ୍ ଓ ଜମି ସେମାନଙ୍କୁ ଟେକି ଦେଉ, କିନ୍ତୁ ରାଜନୀତିରେ କେହି କାହା ପାଇଁ ନିଜର ଭିତ୍ତିଭୂମି ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ସମ୍ପୂର୍ଣ୍ଣ ସୁଯୋଗ ଥିବା ସତ୍ତ୍ୱେ ଯେତେବେଳେ ଏହି ମେଣ୍ଟ ଏକାଠି ହୋଇ ସମ୍ପୂର୍ଣ୍ଣ ଶକ୍ତିରେ ଲଢ଼ିପାରିଲା ନାହିଁ, ଏବେ ବିଭିନ୍ନ ରାଜ୍ୟରେ ଦଳ ଭାଙ୍ଗିବା ଏବଂ ବିଖରାପ ସମୟରେ ଏମାନେ ଏକାଠି ହୋଇ ବିଜେପିକୁ ଟକ୍କର ଦେବେ ବୋଲି ଭାବିବା କେବଳ ଏକ ବଡ଼ ଭ୍ରମ ଛଡ଼ା ଆଉ କିଛି ନୁହେଁ। ତେଣୁ ଏହି ମେଣ୍ଟର ପ୍ରାସଙ୍ଗିକତା ଓ ଶକ୍ତି ଏବେ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି ବୋଲି ବରିଷ୍ଠ ସମୀକ୍ଷକମାନେ ମତ ଦେଉଛନ୍ତି।
Also read : https://purvapaksa.com/38-6-crores-affected-by-question-paper-leak/
ପ୍ରଶ୍ନପତ୍ର ଲିକ୍ ରେ ୩ କୋଟି ୮୬ ଲକ୍ଷ କ୍ଷତିଗ୍ରସ୍ତ || 38.6 crores affected by question paper leak


