ଦୀର୍ଘ ୨୪ ବର୍ଷର ଅପ୍ରତିଦ୍ୱନ୍ଦ୍ୱୀ ଶାସନ ପରେ ଓଡ଼ିଶାର ରାଜନୈତିକ ମାନଚିତ୍ରରେ ଯେଉଁ ପରିବର୍ତ୍ତନ ଆସିଛି, ତାହା କେବଳ ଏକ ସରକାର ବଦଳିବାର କାହାଣୀ ନୁହେଁ; ବରଂ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ଅସ୍ତିତ୍ୱ ରକ୍ଷାର ସଂଗ୍ରାମ।
୨୦୨୪ ମସିହାର ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) କ୍ଷମତାରୁ ଦୂରେଇଯିବା ପରେ ରାଜ୍ୟରେ ଏକ ଶକ୍ତିଶାଳୀ ବିରୋଧୀ ଦଳର ଭୂମିକା ନେବ ବୋଲି ଆଶା କରାଯାଉଥିଲା। ମାତ୍ର ବିରୋଧୀ ଆସନରେ ବସିବାର ମାତ୍ର କେଇଟା ମାସ ମଧ୍ୟରେ ଦଳ ଯେଉଁଭଳି ଭାବେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ନେତୃତ୍ୱ ସଂକଟ ଦେଇ ଗତି କରୁଛି, ତାହା ସମଗ୍ର ଓଡ଼ିଶାର ରାଜନୈତିକ ମହଲକୁ ଚକିତ କରିଛି।
ଦଳରେ ଗୋଷ୍ଠୀକନ୍ଦଳ କମିବା ପରିବର୍ତ୍ତେ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହି କନ୍ଦଳ ଆଉ ଚାରି କାନ୍ଥ ଭିତରେ ସୀମିତ ନାହିଁ, ବରଂ ଖୋଲାଖୋଲି ଭାବେ ଗଣମାଧ୍ୟମ ଏବଂ ସାଧାରଣ ସଭାଗୁଡ଼ିକରେ ପ୍ରକଟିତ ହେବାରେ ଲାଗିଛି।
ଏହି ପରିପ୍ରେକ୍ଷୀରେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି— ବିଜେଡିର ଯେଉଁ ୫ ଜଣ ରାଜ୍ୟସଭା ସାଂସଦ ଅଛନ୍ତି, ସେମାନଙ୍କ ମଧ୍ୟରୁ ଆଉ ଦୁଇଜଣ କେଉଁ ମୁହୂର୍ତ୍ତରେ ଭାରତୀୟ ଜନତା ଦଳ (ବିଜେପି)କୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି? ଆଜି ଆଲୋଚନା କରିବା କେଉଁ ଦୁଇଜଣ ବିଜେପିକୁ ଯିବେ। ସଂତୃପ୍ତ ମିଶ୍ରଙ୍କ ଭଳି ନେତାଙ୍କ କର୍ପୋରେଟ୍ ଶୈଳୀ ଦଳର ପୁରୁଣା ସାଂଗଠନିକ ମୂଳଦୁଆକୁ ଦୁର୍ବଳ କରୁଛି କି?
ଆଞ୍ଚଳିକ ଦଳ ପ୍ରତି ବିଜେପିର ଆକ୍ରାମକ ଆଭିମୁଖ୍ୟ ଓ ଓଡ଼ିଶା ପ୍ରେକ୍ଷାପଟ
ଭାରତୀୟ ରାଜନୀତିରେ ବିଜେପିର ବର୍ତ୍ତମାନର ରଣନୀତିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ରାଷ୍ଟ୍ରୀୟ ସ୍ତରରେ ଶକ୍ତିଶାଳୀ ହେବା ପାଇଁ ବିଜେପି ଦେଶର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଦଳଗୁଡ଼ିକୁ ଭାଙ୍ଗିବା କିମ୍ବା ସେମାନଙ୍କର ପ୍ରଭାବଶାଳୀ ନେତାମାନଙ୍କୁ ନିଜ ଶିବିରକୁ ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି।
ମହାରାଷ୍ଟ୍ରରେ ଶିବସେନା ଏବଂ ଏନସିପିର ବିଭାଜନ, ପଶ୍ଚିମବଙ୍ଗରେ ଟିଏମସିର ବିଭାଜନ, ବିହାରରେ ନୀତିଶ କୁମାରଙ୍କ ବାରମ୍ବାର ସ୍ଥାନ ପରିବର୍ତ୍ତନ ପଛରେ ଏହି ରାଷ୍ଟ୍ରୀୟ ରଣନୀତିର ବଡ଼ ପ୍ରଭାବ ରହିଛି। ଓଡ଼ିଶା ମଧ୍ୟ ଏହି ପ୍ରକ୍ରିୟାରୁ ବାଦ୍ ପଡ଼ିନାହିଁ।
୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ଅନେକ ହେଭିୱେଟ୍ ନେତା, ସାଂସଦ ଏବଂ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକ ନିର୍ବାଚନ ଜିତି ଏବେ ଶାସନ ଗାଦିରେ ମଧ୍ୟ ବସିଛନ୍ତି। ନିର୍ବାଚନ ସରିବା ପରେ ମଧ୍ୟ ବିଜେଡିରୁ ନେତା ନେବା ପ୍ରକ୍ରିୟା ବିଜେପିର ଥମିନାହିଁ। ବିଶେଷ କରି ଉଚ୍ଚ ସଦନ ଅର୍ଥାତ୍ ରାଜ୍ୟସଭାରେ ବିଜେଡିର ସଂଖ୍ୟା ଗରିଷ୍ଠତାକୁ ହ୍ରାସ କରିବା ଏବଂ କେନ୍ଦ୍ରରେ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ବିଜେପି ପକ୍ଷରୁ ବିଜେଡି ସାଂସଦମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
ମମତା ମହାନ୍ତ, ସୁଜିତ କୁମାର ଓ ଦେବାଶୀଷ ସାମନ୍ତରାୟ ଏହି ତିନିଜଣ ସାଂସଦଙ୍କର ଦଳ ଓ ରାଜ୍ୟସଭାରୁ ଇସ୍ତଫା ଏବଂ ପରବର୍ତ୍ତୀ ସମୟରେ ବିଜେପି ପକ୍ଷରୁ ସେମାନଙ୍କୁ ଉପନିର୍ବାଚନ ମାଧ୍ୟମରେ ପୁଣିଥରେ ରାଜ୍ୟସଭାକୁ ପଠାଇବାର ପ୍ରକ୍ରିୟା ବାକି ଥିବା ସାଂସଦମାନଙ୍କ ପାଇଁ ଏକ ବଡ଼ ପ୍ରଲୋଭନ ଓ ଆଶ୍ୱାସନା ସାଜିଛି। ବିଜେପିର ଏହି ‘ପ୍ରତିଶ୍ରୁତି ପାଳନ ନିୟମ’ ଏବଂ ‘ରାଜନୈତିକ ଥଇଥାନ ନିୟମ’କୁ ଦେଖି ବର୍ତ୍ତମାନ ବିଜେଡିର ରାଜ୍ୟସଭାରେ ଥିବା ୫ ଜଣ ସାଂସଦଙ୍କ ମଧ୍ୟରୁ ଆଉ ୨ ଜଣ ଖୁବ୍ଶୀଘ୍ର ଦଳ ବଦଳ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏପରି ଯେଉଁ ସାଂସଦମାନଙ୍କର ବ୍ୟବସାୟ ରହିଛି ସେହି ସାଂସଦମାନେ ବିଜେଡି ଛାଡ଼ିବେ ବୋଲି ଆଲୋଚନା ହେଉଛି।
ସଂତୃପ୍ତ ମିଶ୍ରଙ୍କ ପ୍ରେସ୍ ମିଟ୍ ଓ ‘ୱାନ୍ ମ୍ୟାନ୍ ଶୋ’
ବିଜେଡିର ଭିତରୀ କନ୍ଦଳ ଏବଂ ଏକତାର ଅଭାବକୁ ନେଇ ଚାଲିଥିବା ଗୁଜବ ସେତେବେଳେ ସତ୍ୟ ପ୍ରମାଣିତ ହେଲା, ଯେତେବେଳେ ଗତ ରବିବାର ଦିନ ଭୁବନେଶ୍ୱରର ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଦଳର ନବନିର୍ବାଚିତ ରାଜ୍ୟସଭା ସାଂସଦ ତଥା ପୂର୍ବତନ କର୍ପୋରେଟ୍ ପ୍ରଶାସକ ସଂତୃପ୍ତ ମିଶ୍ର।
ପ୍ରେସ୍ ମିଟ୍ର ଉଦ୍ଦେଶ୍ୟ ଥିଲା— ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଓଡ଼ିଶାର କେଉଁ କେଉଁ ପ୍ରସଙ୍ଗ ଏବଂ ସମସ୍ୟାକୁ ନେଇ ଦଳ କେନ୍ଦ୍ର ସରକାରଙ୍କୁ ଘେରିବ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ କିଭଳି ଦାବି ଉପସ୍ଥାପନ କରାଯିବ, ସେ ନେଇ ବରିଷ୍ଠ ସାମ୍ବାଦିକମାନଙ୍କଠାରୁ ପରାମର୍ଶ ଲୋଡ଼ିବା। ଉପରକୁ ଦେଖିଲେ ଏହା ଏକ ବହୁତ ଭଲ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଭଳି ମନେହେଉଥିଲା, କିନ୍ତୁ ଏହାର ପଛରେ ଥିବା ଆଭ୍ୟନ୍ତରୀଣ ରାଜନୀତି ଦଳର ଫାଟକୁ ପଦାରେ ପକାଇ ଦେଇଛି।
ରାଜନୈତିକ ବିଶ୍ଳେଷକଙ୍କ ମତ: “ଯେତେବେଳେ ସଂସଦରେ ଓଡ଼ିଶାର ସ୍ୱାର୍ଥକୁ ନେଇ ଦଳୀୟ ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରେସ୍ ମିଟ୍ କରାଯାଉଛି, ସେତେବେଳେ ଦଳର ରାଜ୍ୟସଭା ଫ୍ଲୋର୍ ଲିଡର (Floor Leader) ମାନସ ମଙ୍ଗରାଜ କିମ୍ବା ଅନ୍ୟ କୌଣସି ସାଂସଦ ସେଠାରେ ଉପସ୍ଥିତ ନ ଥିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।”
ସଂତୃପ୍ତ ମିଶ୍ର ଦଳର ସାମୂହିକ ନେତୃତ୍ୱକୁ ଦର୍ଶାଇବା ପରିବର୍ତ୍ତେ ନିଜର ଏକ କର୍ପୋରେଟ୍ ଶୈଳୀର ‘ୱାନ୍ ମ୍ୟାନ୍ ଶୋ’ କରିବାକୁ ଚେଷ୍ଟା କରିଥିଲେ। ସେ ନିଜକୁ ଦଳର ସର୍ବେସର୍ବା ଭାବେ ଉପସ୍ଥାପିତ କରିବାର ଅପଚେଷ୍ଟା କରିଥିବା ନେଇ ଦଳ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମାନସ ମଙ୍ଗରାଜଙ୍କ ଅନୁପସ୍ଥିତି ଏବଂ ଦଳୀୟ ଶୃଙ୍ଖଳାର ଉଲ୍ଲଂଘନ
ଏହି ସାମ୍ବାଦିକ ସମ୍ମିଳନୀକୁ ନେଇ ସବୁଠୁ ବଡ଼ ବିବାଦ ହେଉଛି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଅନୁପସ୍ଥିତି। ମଙ୍ଗରାଜ କେବଳ ଜଣେ ସାଂସଦ ନୁହନ୍ତି, ବରଂ ସେ ହେଉଛନ୍ତି ଉଚ୍ଚ ସଦନରେ ବିଜେଡିର ଫ୍ଲୋର୍ ଲିଡର। ସଂସଦ ଭିତରେ ଦଳ କେଉଁ ଆଭିମୁଖ୍ୟ ଗ୍ରହଣ କରିବ, ତାହାର ନିଷ୍ପତ୍ତି ନେବାର ପ୍ରାଥମିକ ଅଧିକାର ଫ୍ଲୋର୍ ଲିଡରଙ୍କର ଥାଏ।
ତେବେ ପ୍ରଶ୍ନ ଉଠୁଛି:
1. ସାଂସଦ ମାନସ ମଙ୍ଗରାଜଙ୍କୁ ସେହି ସାମ୍ବାଦିକ ସମ୍ମିଳନୀକୁ ଆଦୌ ଡକା ଯାଇନଥିଲା କି?
2. ଯଦି ଡକାଯାଇଥିଲା, ତେବେ ସେ କେଉଁ କାରଣ ପାଇଁ ଏଥିରୁ ଦୂରେଇ ରହିଲେ?
3. ଦଳର ଶୀର୍ଷ ନେତୃତ୍ୱଙ୍କ ବିନା ଅନୁମତି ବା ଅନୁମତିରେ ସଂତୃପ୍ତ ମିଶ୍ର ଏଭଳି ଏକ ସମ୍ମିଳନୀ କରିବା ଦଳୀୟ ଶୃଙ୍ଖଳାର ପରିସରଭୁକ୍ତ କି?
ବିଜେଡିର ମିଡିଆ ସେଲ୍ ପକ୍ଷରୁ ଶନିବାରଠାରୁ ହିଁ ସମସ୍ତ ସାମ୍ବାଦିକମାନଙ୍କୁ ଫୋନ୍ କରି କୁହାଯାଇଥିଲା ଯେ ଏହା ଗୋଟିଏ ‘ଦଳୀୟ ପ୍ରେସ୍ କନଫରେନ୍ସ’। ଏପରିକି ଦଳ ପକ୍ଷରୁ ଯେଉଁ ସରକାରୀ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା, ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ଯେ— “ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମୁଖପାତ୍ର ତଥା ଗଣମାଧମ ସଂଯୋଜକ ଡ. ଲେଲିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ମୁଖପାତ୍ର ତୁମ୍ବନାଥ ପଣ୍ଡା, ମିହିର ରାୟ, ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଏବଂ ନନ୍ଦଲାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।”
ଯଦି ଏହା ଏକ ଦଳୀୟ କାର୍ଯ୍ୟକ୍ରମ ଥିଲା ଏବଂ ସେଠାରେ ଦଳର ଯୁବ ଓ ଛାତ୍ର ସଂଗଠନର ସଭାପତିମାନେ ଉପସ୍ଥିତ ଥିଲେ, ତେବେ ରାଜ୍ୟସଭାର ଅନ୍ୟ ସାଂସଦମାନଙ୍କୁ କିଭଳି ଅଣଦେଖା କରାଗଲା? ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଜେଡି ସାଂସଦମାନଙ୍କ ମଧ୍ୟରେ କୌଣସି ସମନ୍ୱୟ କିମ୍ବା ଏକତା ନାହିଁ।
କର୍ପୋରେଟ୍ ମନୋଭାବ ବନାମ ପାରମ୍ପରିକ ରାଜନୀତି
ବିଜେଡିରେ ଗତ କିଛିବର୍ଷ ହେବ ନେତାମାନଙ୍କ ମଧ୍ୟରେ ଦୁଇଟି ସ୍ପଷ୍ଟ ଗୋଷ୍ଠୀ ଦେଖିବାକୁ ମିଳୁଛି। ଗୋଟିଏ ହେଉଛି ପାରମ୍ପରିକ ରାଜନୀତି କରୁଥିବା ନେତା, ଯେଉଁମାନେ ମାଟି ଓ ସଂଗଠନ ସହିତ ଜଡ଼ିତ। ଅନ୍ୟଟି ହେଉଛି ଅମଲାତନ୍ତ୍ରରୁ, କର୍ପୋରେଟ୍ ଜଗତରୁ ଆସି ହଠାତ୍ ଦଳର ଶୀର୍ଷ ପଦବୀ ଅକ୍ତିଆର କରିଥିବା କିଛି ନେତା। ସଂତୃପ୍ତ ମିଶ୍ରଙ୍କ ଭଳି ବ୍ୟକ୍ତିତ୍ୱ, ଯେଉଁମାନେ ରାଜନୀତିକୁ ଏକ କର୍ପୋରେଟ୍ ବୋର୍ଡ ରୁମ୍ ଭଳି ଚଳାଇବାକୁ ଚେଷ୍ଟା କରନ୍ତି, ସେମାନଙ୍କ ଶୈଳୀ ଦଳର ପୁରୁଣା ନେତାମାନଙ୍କୁ ଆଦୌ ପସନ୍ଦ ଆସୁନାହିଁ।
୫ ଜଣ ସାଂସଦ ଯଦି ଏକାଠି ବସି ସାମ୍ବାଦିକ ସମ୍ମିଳନୀ କରିଥାନ୍ତେ, ତେବେ ତାହା ଓଡ଼ିଶାର ଜନସାଧାରଣ ଓ ବିଜେପି ଶିବିରକୁ ଏକ ଶକ୍ତ ବାର୍ତ୍ତା ଦେଇଥାନ୍ତା ଯେ ବିଜେଡି ଏବେ ମଧ୍ୟ ଭାଙ୍ଗିନାହିଁ। କିନ୍ତୁ ଏକୁଟିଆ ପ୍ରେସ୍ ମିଟ୍ କରି ନିଜକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇବାର ପ୍ରୟାସ ଦଳର ଆଭ୍ୟନ୍ତରୀଣ ଦୁର୍ବଳତାକୁ ହିଁ ପଦାରେ ପକାଇଲା।
ଓଡ଼ିଶାବାସୀଙ୍କ ନିରାଶା: ଏକ ଶକ୍ତିଶାଳୀ ବିରୋଧୀ ଦଳର ସ୍ୱପ୍ନ ଭଙ୍ଗ
ଓଡ଼ିଶାର ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳର ନିହାତି ଆବଶ୍ୟକତା ରହିଛି। ବିଗତ ୨୪ ବର୍ଷ ଧରି ବିଜେପି ଓ କଂଗ୍ରେସ ବିରୋଧୀ ଭୂମିକା ତୁଲାଇବାରେ ସେତେଟା ସଫଳ ହୋଇନଥିବାବେଳେ, ଏବେ ବିଜେଡି ସେହି ସ୍ଥାନ ପୂରଣ କରିବ ବୋଲି ରାଜ୍ୟବାସୀ ଆଶା ରଖିଥିଲେ। ସଂସଦର ମୌସୁମୀ ଅଧିବେଶନରେ ଓଡ଼ିଶାର ସ୍ୱାର୍ଥ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, କେନ୍ଦ୍ରୀୟ ଅବହେଳା ଓ ମହାନଦୀ ଜଳ ବିବାଦ ଭଳି ପ୍ରସଙ୍ଗରେ ବିଜେଡି କେନ୍ଦ୍ରକୁ ଘେରିବ ବୋଲି ଆଶା କରାଯାଉଥିଲା।
କିନ୍ତୁ ଦଳ ଭିତରେ ଥିବା ଏହି ତୀବ୍ର ବିଭେଦକୁ ଦେଖିଲେ ଲାଗୁଛି ଓଡ଼ିଶାବାସୀଙ୍କ ସେହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ। ଯେଉଁ ନେତାମାନେ ନିଜ ଭିତରେ ଏକଜୁଟ୍ ହୋଇପାରୁ ନାହାନ୍ତି, ସେମାନେ ଓଡ଼ିଶାର ହକ୍ ପାଇଁ କେନ୍ଦ୍ର ସରକାରଙ୍କ ସହ କିଭଳି ଲଢ଼ିବେ, ତାହା ସବୁଠୁ ବଡ଼ ପ୍ରଶ୍ନ।
ବିଜେଡିକୁ ଏବେ କେବଳ ଭଗବାନ ଭରସା
ବିଜୁ ଜନତା ଦଳ ପାଇଁ ବର୍ତ୍ତମାନର ସମୟ ହେଉଛି ସବୁଠାରୁ କଠିନ ପରୀକ୍ଷାର ସମୟ। ନେତୃତ୍ୱର ଦୂରଦୃଷ୍ଟିର ଅଭାବ, ସାଂସଦମାନଙ୍କ ମଧ୍ୟରେ ଅସନ୍ତୋଷ, ଦଳ ବଦଳ କରିବାର ଆଶଙ୍କା ଏବଂ ସଂଗଠନର କ୍ରମାଗତ ଦୁର୍ବଳତା ଦଳକୁ ଏକ ଅନିଶ୍ଚିତତା ଆଡ଼କୁ ଠେଲି ଦେଉଛି। ଯଦି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସମୟରେ ହସ୍ତକ୍ଷେପ କରି ଦଳୀୟ କନ୍ଦଳକୁ ନିୟନ୍ତ୍ରଣ ନ କରନ୍ତି ଏବଂ ବିଜେପିର ‘ଅପରେସନ୍ ଲୋଟସ୍’କୁ ରୋକିବା ପାଇଁ କୌଣସି ଠୋସ୍ ରଣନୀତି ପ୍ରସ୍ତୁତ ନ କରନ୍ତି, ତେବେ ଖୁବ୍ଶୀଘ୍ର ରାଜ୍ୟସଭାରେ ବିଜେଡିର ସଂଖ୍ୟା ଆହୁରି ହ୍ରାସ ପାଇ ମାତ୍ର ୩କୁ ଖସି ଆସିବ।
ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ କେବଳ ଏତିକି କୁହାଯାଇପାରେ ଯେ— “ବିଜେଡିକୁ ଏବେ କେବଳ ଭଗବାନ ହିଁ ଭରସା”। ଦଳ ତାର ପୂର୍ବ ଗୌରବ ଫେରିପାଉଛି ନା ଓଡ଼ିଶା ରାଜନୀତିର ଇତିହାସ ପୃଷ୍ଠାରେ ଆଉ ଏକ ଆଞ୍ଚଳିକ ଦଳ ଭାବେ ସିମିତ ହୋଇ ରହିଯାଉଛି, ତାହା କେବଳ ସମୟ ହିଁ କହିବ।
AlsoRead; https://purvapaksa.com/government-failure-another-delivery-of-a-pregnant-woman-in-labor/


