ଭାରତୀୟ ଗଣତନ୍ତ୍ରର ମେରୁଦଣ୍ଡ କିଏ? ଆପଣ ନିଶ୍ଚୟ କହିବେ ଯେ ଭୋଟର କିମ୍ବା ନେତାମାନେ। କିନ୍ତୁ ଟିକିଏ ଭାବନ୍ତୁ, ଯେତେବେଳେ ଖରା, ବର୍ଷା, ଶୀତ କିମ୍ବା ରାତି ଅଧିଆ ହେଉନା କାହିଁକି, ଜଣେ ସାଧାରଣ ରାଜନୈତିକ କର୍ମୀ ଦଳୀୟ ପତାକା ଧରି, ପୋଷ୍ଟର ଲଗାଇ, ଘରକୁ ଘର ବୁଲି ନେତାଙ୍କ ପାଇଁ ଭୋଟ୍ ମାଗନ୍ତି, ସେତେବେଳେ ପ୍ରକୃତରେ ସେହି ଦଳକୁ କିଏ ଚଳାଏ?” ଆଜି କୌଣସି ନେତାଙ୍କ ସମ୍ପର୍କରେ ନୁହେଁ ବରଂ କର୍ମୀଙ୍କ ସମ୍ପର୍କରେ, କୌଣସି ଦଳ ସମ୍ପର୍କରେ ନୁହେଁ ବରଂ ଦଳପତିମାନଙ୍କ ମାନସିକତା ଉପରେ ଆଲୋଚନା କରିବା।

ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା, ଭାରତର ବଡ଼ ବଡ଼ ରାଜନୈତିକ ଦଳଗୁଡ଼ିକ କୋଟିକୋଟି, ବରଂ ହଜାର ହଜାର କୋଟି ଟଙ୍କାର ପାଣ୍ଠି ଏବଂ ନିର୍ବାଚନୀ ବଣ୍ଡ ଜରିଆରେ ଚାନ୍ଦା ସଂଗ୍ରହ କରୁଛନ୍ତି, କିନ୍ତୁ ଯେଉଁ ତୃଣମୂଳ ସ୍ତରର କର୍ମୀମାନେ ନିଜର ପରିବାର, ପାଠପଢ଼ା ଏବଂ ବ୍ୟକ୍ତିଗତ ଜୀବନକୁ ବଳିଦେଇ ଦଳ ପାଇଁ ପୂର୍ଣ୍ଣକାଳୀନ କାମ କରୁଛନ୍ତି, ସେମାନଙ୍କୁ କାହିଁକି କୌଣସି ନିୟମିତ ବେତନ କିମ୍ବା ଆର୍ଥିକ ସୁରକ୍ଷା ଦିଆଯାଏ ନାହିଁ?
ବୁଥ୍ ସ୍ତରର ମୂଳ କର୍ମୀଙ୍କ ବାସ୍ତବତା ଏବଂ ନିଃସ୍ୱାର୍ଥପର ପରିଶ୍ରମ
ଆମେ ଯେତେବେଳେ କୌଣସି ରାଜନୈତିକ ଦଳର ବିଜୟ କିମ୍ବା ପରାଜୟ କଥା କହୁ, ସେତେବେଳେ ସବୁଠୁ ବଡ଼ ଭୂମିକା ଥାଏ ସେହି ଅଜ୍ଞାତ କର୍ମୀମାନଙ୍କର, ଯାହାଙ୍କ ନାଁ କେହି ଗଣମାଧ୍ୟମରେ ଦିଅନ୍ତି ନାହିଁ। ଜଣେ ସାଧାରଣ ବୁଥ୍ ସ୍ତରର କର୍ମୀ କିମ୍ବା ପୂର୍ଣ୍ଣକାଳୀନ କର୍ମୀ ଦିନର ୧୦ରୁ ୧୪ ଘଣ୍ଟା ଦଳୀୟ କାମରେ ବିତାନ୍ତି। ନେତାଙ୍କ ଗସ୍ତକୁ ସଫଳ କରିବା, ଲୋକଙ୍କୁ ଏକାଠି କରିବା, ଦଳର ବାର୍ତ୍ତା ଘରକୁ ଘର ପହଞ୍ଚାଇବା— ଏସବୁ କାମ ସେମାନେ କରନ୍ତି।”

“କିନ୍ତୁ ସବୁଠୁ ବଡ଼ ବିଡ଼ମ୍ବନାର କଥା ହେଉଛି, ମାସ ଶେଷରେ ଯେତେବେଳେ ଘର ଚଳାଇବା କଥା ଆସେ, ସେତେବେଳେ ଏହି କର୍ମୀମାନଙ୍କ ପାଖରେ କୌଣସି ନିଶ୍ଚିତ ଆୟର ବାଟ ନ ଥାଏ। ଅଧିକାଂଶ କର୍ମୀ ନିଜର ନିଜସ୍ୱ ବ୍ୟବସାୟ, ଚାଷବାସ କିମ୍ବା ଅନ୍ୟ କୌଣସି କ୍ଷୁଦ୍ର କାମ ଛାଡ଼ି କିମ୍ବା ସେଥିରୁ ସମୟ ବାହାରି ଦଳ ପାଇଁ କାମ କରନ୍ତି। କିନ୍ତୁ ଯେଉଁମାନେ ‘ଫୁଲ୍-ଟାଇମ୍’ ଭାବେ ଦଳ ପାଇଁ ନିଜର ଯୌବନ ଓ ସମୟ ଦେଇଥାନ୍ତି, ସେମାନଙ୍କୁ ଦଳ ପକ୍ଷରୁ କୌଣସି ମାସିକ ଦରମା ବା ବେତନ ମିଳେ ନାହିଁ। ଏହା କେବଳ ଶ୍ରମର ଶୋଷଣ ନୁହେଁ କି?”
ରାଜନୈତିକ ଦଳଗୁଡ଼ିକର ଆର୍ଥିକ ଅବସ୍ଥା ଏବଂ ପାଣ୍ଠି ରହସ୍ୟ
ଏବେ ଦ୍ୱିତୀୟ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ନଜର ପକାଇବା। ଆଜି ଭାରତର ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ପାଖରେ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଏବଂ ବ୍ୟାଙ୍କ୍ ବାଲାନ୍ସ ରହିଛି। ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ଦଳଗୁଡ଼ିକ କୋଟିକୋଟି ଟଙ୍କା ବିଜ୍ଞାପନ, ହେଲିକପ୍ଟର ଭଡ଼ା ଏବଂ ପ୍ରଚାର ପାଇଁ ଖର୍ଚ୍ଚ କରୁଛନ୍ତି।”

ବଡ଼ ବଡ଼ କର୍ପୋରେଟ୍ ହାଉସ୍, ଶିଳ୍ପପତି ଏବଂ ଦାନସଂସ୍ଥାଠାରୁ ଦଳଗୁଡ଼ିକ ମାଲାମାଲ୍ ହେଉଛନ୍ତି। କିନ୍ତୁ ଯେତେବେଳେ ପ୍ରଶ୍ନ ଉଠେ ଯେ, ଏହି ବିପୁଳ ପାଣ୍ଠିରୁ କିଛି ଅଂଶ ସେହି କର୍ମୀମାନଙ୍କୁ ଦରମା ଆକାରରେ ଦିଆଯାଉ ନାହିଁ କାହିଁକି?
ଭାରତର ରାଜନୈତିକ ପାଣ୍ଠି ପରିଦୃଶ୍ୟ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ଏକ ବିରାଟ ଆର୍ଥିକ ବ୍ୟବଧାନ ପ୍ରକାଶ କରିଛି। ADR (Association for Democratic Reforms) ଦ୍ୱାରା ପ୍ରକାଶିତ ସାମ୍ପ୍ରତିକ ଆର୍ଥିକ ଏବଂ ଦାନ ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (BJP) ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ ଭାବରେ ରହିଛି ଯାହାର ପାଣ୍ଠି ପରିମାଣ ୧୨,୦୦୦ କୋଟି ଅତିକ୍ରମ କରିଛି।
କଂଗ୍ରେସ ଦଳ ପ୍ରାୟ ୯,୫୦୦ କୋଟି ସହିତ ଦ୍ୱିତୀୟ ସ୍ଥାନରେ ଅଛି, ଯେତେବେଳେ ତୃଣମୂଳ କଂଗ୍ରେସ (TMC), DMK ଏବଂ ଭାରତ ରାଷ୍ଟ୍ର ସମିତି (BRS) ଭଳି ଆଞ୍ଚଳିକ ମହାରଥୀମାନେ ସାମଗ୍ରିକ ସଂରକ୍ଷଣ ଏବଂ ଘୋଷିତ ସମ୍ପତ୍ତିରେ ବହୁତ ପଛରେ ଅଛନ୍ତି।

ରିପୋର୍ଟଗୁଡ଼ିକ ଏହା ମଧ୍ୟ ଦର୍ଶାଉଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେପି କର୍ପୋରେଟ୍ ଏବଂ ନିର୍ବାଚନୀ ଟ୍ରଷ୍ଟ ପାଣ୍ଠିର ସର୍ବାଧିକ ଅଂଶ ପାଇଛି, ଯାହା ଅନେକ ପ୍ରମୁଖ ରାଜନୈତିକ ଦାନର ୮୦% ରୁ ଅଧିକ।
ଆନୁମାନିକ ନଗଦ ପାଣ୍ଠି ଅନୁସାରେ ଶ୍ରେଷ୍ଠ ରାଜନୈତିକ ଦଳଗୁଡ଼ିକ
- ବିଜେପି – ୧୨,୦୦୦+ କୋଟି
- କଂଗ୍ରେସ – ୯,୫୦୦+ କୋଟି
- ଟିଏମସି – ୧,୨୦୦+ କୋଟି
- ଡିଏମକେ – ୯୬୦+ କୋଟି
- ବିଆରଏସ – ୭୦୦+ କୋଟି
ବିଜେଡି ୪୨ଟି ବ୍ୟବସାୟିକ ପ୍ରତିଷ୍ଠାନରୁ ୭୭୫ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଛି।
ଏହାର ଉତ୍ତରରେ ରାଜନୈତିକ ବିଶ୍ଳେଷକମାନେ କୁହନ୍ତି ଯେ, ଭାରତୀୟ ରାଜନୀତିରେ ଦଳଗୁଡ଼ିକ କର୍ମୀମାନଙ୍କୁ ‘କର୍ମଚାରୀ’ ଭାବେ ଦେଖନ୍ତି ନାହିଁ, ବରଂ ସେମାନଙ୍କୁ ‘ଭାବପ୍ରବଣ ସ୍ୱେଚ୍ଛାସେବକ’ ଭାବେ ବ୍ୟବହାର କରନ୍ତି। ଦଳଗୁଡ଼ିକର ବିଶ୍ୱାସ ଯଦି କର୍ମୀମାନଙ୍କୁ ଦରମା ଦିଆଯିବ, ତେବେ ସେମାନଙ୍କ ଭିତରେ ଥିବା ସେବା ଓ ଭକ୍ତିଭାବ କମିଯାଇପାରେ ଏବଂ ଏହା ଏକ ବ୍ୟବସାୟିକ ରୂପ ନେଇଯିବ। କିନ୍ତୁ ଏହା କ’ଣ ଏକ ଯୁକ୍ତିଯୁକ୍ତ ବାହାନା?
କିନ୍ତଦୁ ଅପରପକ୍ଷରେ ନେତାଜଣକ ବିଧାୟକ, ସାଂସଦ ଓ ମନ୍ତ୍ରୀ ହୋଇଗଲା ପରେ ତାଙ୍କ ଆୟ ବନ୍ୟା ଆସିଲା ପରି ବୃଦ୍ଧି ପାଇଥାଏ। ଯାହାକୁ କଳ୍ପନା କରିବା ଅସମ୍ଭବ।

ଆଜି ଆମେ ଦୁଇଟି ଦଳର ଦୁଇଜଣ କର୍ମୀଙ୍କ ସମ୍ପର୍କରେ ଆଲୋଚନା କରିବା। ବିଜୁ ଜନତା ଦଳର କର୍ମୀ ଖଗେଶ୍ୱର କୌଣସି ଫାଇଦା ଆଶା ନ କରି ଦଳର ପ୍ରଚାର କରିଥାନ୍ତି। ନିକଟରେ ସେ ବିବାହ କଲେ, ଦଳର ସବୁ ନେତାଙ୍କୁ ଭୁବନେଶ୍ବରରେ ନିମନ୍ତ୍ରଣ କଲେ, ନେତାମାନେ ତାଙ୍କ ବିବାହ ଉତ୍ସବକୁ ଗଲେ କି? ଆଉଜଣେ ବିଜେପିର କର୍ମୀ ଥିଲେ ଓମ ପ୍ରକାଶ ମହାନ୍ତି। ସେ ଦଳର ଦୁର୍ଦ୍ଦିନ ସମୟରେ ମିଡିଆ ସେଲଠାରୁ ଆରମ୍ଭ କରି ଦଳର ପ୍ତ୍ରିକା ପ୍ରକାଶନ ପର୍ଯ୍ୟନ୍ତ ସବୁ କାମ କରୁଥିଲେ।। କିନ୍ତୁ ସେ ହଠାତ୍ କ୍ୟାନ୍ସର ରୋଗରେ ପୀଡ଼ିତ ହେଲେ। ଦଳ ତାଙ୍କଠାରୁ ହାତ ଛଡ଼ାଇ ନେଲା। ଚିକିତ୍ସା ଅଭାବରୁ ତାଙ୍କର ପରଲୋକ ହୋଇଗଲା। ଯେଉଁ କର୍ମୀ ଦଳ ପାଇଁ ଏତେ କାମ କରୁଥିଲା, ତାର ପରିବାର ଏବେ କେଉଁ ଅବସ୍ଥାରେ ଅଛନ୍ତି ଦଳ ପାଖରେ ଖବର ଅଛିକି?
ସମାଲୋଚକମାନଙ୍କ ମତରେ ଦଳର ନେତାମାନେ ବୁଥ୍ ସ୍ତରର କର୍ମୀଙ୍କୁ ଦଳୀୟ ବିଚାରଧାରାର ଅଫିମ ଖୁଆଇ ସେମାନଙ୍କୁ ଗୋତିଶ୍ରମିକ ଭଳି ବ୍ୟବହାର କରନ୍ତି। ସେମାନେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ହୋଇଥିବାରୁ ସେମାନଙ୍କୁ କେହି ଅନ୍ୟ କାମରେ ଲଗାଇବାକୁ ଭୟ କରନ୍ତି।
ଦୁର୍ନୀତି ଏବଂ ‘ଟିକେଟ୍ ଓ ପଦବୀ’ର ଅର୍ଥନୀତି
ଯେହେତୁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ କର୍ମୀମାନଙ୍କୁ ନିୟମିତ ବେତନ କିମ୍ବା ଆର୍ଥିକ ସୁରକ୍ଷା ଦିଅନ୍ତି ନାହିଁ, ତେବେ ସେହି କର୍ମୀମାନେ ନିଜର ଜୀବିକା କିପରି ଚଳାନ୍ତି? ଏଠାରୁ ହିଁ ପ୍ରକୃତ ସମସ୍ୟା ଏବଂ ବ୍ୟବସ୍ଥାଗତ ଦୁର୍ନୀତିର ଶୁଭାରମ୍ଭ ହୁଏ।”

ଯେଉଁ କର୍ମୀମାନେ ବର୍ଷବର୍ଷ ଧରି ଦଳ ପାଇଁ ବିନା ପଇସାରେ କାମ କରନ୍ତି, ସେମାନଙ୍କ ଭିତରୁ ଅଧିକାଂଶ କର୍ମୀ ଭବିଷ୍ୟତରେ ନେତା ହେବାକୁ କିମ୍ବା ନିର୍ବାଚନରେ ଟିକେଟ୍ ପାଇବାକୁ ଆଶା ରଖିଥାଆନ୍ତି। ଯେତେବେଳେ ସେମାନଙ୍କୁ ଦଳରୁ କୌଣସି ଆର୍ଥିକ ସହାୟତା ମିଳେ ନାହିଁ, ସେତେବେଳେ ସେମାନେ ବେଆଇନ କାମ, ଟେଣ୍ଡର ଠକେଇ, ଜବରଦଖଲ, ଚାନ୍ଦା ଆଦାୟ କିମ୍ବା ଭ୍ରଷ୍ଟାଚାରର ଆଶ୍ରୟ ନେବାକୁ ବାଧ୍ୟ ହୁଅନ୍ତି।”
ଯଦି ରାଜନୈତିକ ଦଳଗୁଡ଼ିକ ଏକ ସ୍ୱଚ୍ଛ ବ୍ୟବସ୍ଥା କରି ସେମାନଙ୍କର ସକ୍ରିୟ ଏବଂ ପୂର୍ଣ୍ଣକାଳୀନ କର୍ମୀମାନଙ୍କୁ ଏକ ସମ୍ମାନଜନକ ମାସିକ ଭତ୍ତା କିମ୍ବା ବେତନ ଦିଅନ୍ତେ, ତେବେ ରାଜନୀତିରୁ ଅନେକ ପରିମାଣରେ ଦୁର୍ନୀତି କମିଯାଇଥା’ନ୍ତା। କିନ୍ତୁ ବଡ଼ ନେତା ଏବଂ ଦଳର ହାଇକମାଣ୍ଡ ଏହା ଚାହାନ୍ତି ନାହିଁ, କାରଣ ଏହାଦ୍ୱାରା କର୍ମୀମାନେ ସ୍ୱାଧୀନ ହୋଇଯିବେ ଏବଂ ନେତାମାନଙ୍କ ଗୋଲାମୀ କରିବେ ନାହିଁ।

ତେଣୁ, ଆଜି ରାଜନୈତିକ ଦଳ ଓ ଏହାର ନେତାମାନକୁ ଏହି ଗମ୍ଭୀର ପ୍ରଶ୍ନ ଉପରେ ଚିନ୍ତା କରିବାର ସମୟ ଆସିଛି। ଗଣତନ୍ତ୍ରକୁ ଜୀବନ୍ତ ରଖିଥିବା ସେହି ତୃଣମୂଳ କର୍ମୀମାନେ ଯେଉଁ ପର୍ଯ୍ୟନ୍ତ ଆର୍ଥିକ ସୁରକ୍ଷା ନ ପାଇବେ, ସେପର୍ଯ୍ୟନ୍ତ ରାଜନୀତି କେବଳ ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ହାତରେ ବନ୍ଧା ପଡ଼ିରହିବ।
ରାଜନୈତିକ ଦଳଗୁଡ଼ିକ ସ୍ୱଚ୍ଛତା ଆଣିବାକୁ ହେଲେ କେବଳ ନିର୍ବାଚନୀ ପାଣ୍ଠିର ହିସାବ ଦେଲେ ଚଳିବ ନାହିଁ, ବରଂ ଦଳ ପାଇଁ ଦିନରାତି ଏକ କରି କାମ କରୁଥିବା ସେହି ନିଃସ୍ୱାର୍ଥପର କର୍ମୀମାନଙ୍କୁ ମଧ୍ୟ ଏକ ନିୟମିତ ଆର୍ଥିକ ବ୍ୟବସ୍ଥା କିମ୍ବା ସମ୍ମାନଜନକ ଭତ୍ତା ପ୍ରଦାନ କରିବା ଉଚିତ। ଏହାଦ୍ୱାରା ସାଧାରଣ ଘରର ଯୁବକମାନେ ମଧ୍ୟ ନିର୍ଭୟରେ ରାଜନୀତିକୁ ଆସିପାରିବେ ଏବଂ ଦେଶର ସେବା କରିପାରିବେ।


