ବିଦେଶୀ ନିବେଶକ ବିକୁଛନ୍ତି ଭାରତୀୟ ଶେୟାର । କିଛି ମାସ ଧରି ଦେଶ ଭିତରେ ପ୍ରବଳ ବିକ୍ରୟ ଚାଲିଛି ଭାରତୀୟ କମ୍ପାନୀ ମାନଙ୍କର ଶେୟର । ୨୦୨୪ ଶେଷ ପରଠାରୁ, ସେମାନେ ଭାରତରୁ ମୋଟ ୫୩ ବିଲିୟନ ଡ଼ଲାର ପ୍ରତ୍ୟାହାର କରିଛନ୍ତି । ଫଳସ୍ୱରୂପ, କ୍ରମାଗତ ଭାବେ ହ୍ରାସ ପାଉଛି ଟଙ୍କାର ମୂଲ୍ୟ । MSCI ଇଣ୍ଡିଆ ସୂଚକାଙ୍କ ସେପ୍ଟେମ୍ବର ୨୦୨୪ ରୁ ୨୦୨୬ ମଧ୍ୟରେ ପ୍ରାୟ ୮% ହ୍ରାସ ପାଇଛି । ଏହି ସମୟ ମଧ୍ୟରେ, ବିଦେଶୀ ନିବେଶକ ମାନେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ HDFC ବ୍ୟାଙ୍କ ଭଳି ଅନେକ ହେଭିୱେଟ୍ କମ୍ପାନୀରେ ମଧ୍ୟ ସେୟାର ବିକ୍ରି କରିଛନ୍ତି । ବର୍ତ୍ତମାନ ଶୀର୍ଷକରେ ରହିଛି ଏହି ୧୦ଟି ଷ୍ଟକ୍ ; ଯାହା ବିଦେଶୀ ନିବେଶକଙ୍କ ଦ୍ୱାରା ସର୍ବାଧିକ ବିକ୍ରୟ ହୋଇଛି ।

ମାର୍ଚ୍ଚ ତ୍ରୈମାସିକରେ, ବିଦେଶୀ ନିବେଶକମାନେ ଦେଶର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ HDFC ବ୍ୟାଙ୍କର ସର୍ବାଧିକ ସେୟାର ବିକ୍ରୟ କରିଥିଲେ । ଡିସେମ୍ବର ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ, ବିଦେଶୀ ନିବେଶକମାନେ ବ୍ୟାଙ୍କର ୪୭.୯୫ କୋଟି ସେୟାର ବିକ୍ରି କରିଥିଲେ । ଏହି କାରବାରର ନେଟ୍ ମୂଲ୍ୟ ୪୧,୪୪୯/- କୋଟି ଥିଲା । ଏହି ସମୟ ମଧ୍ୟରେ, ବ୍ୟାଙ୍କର ସେୟାର ମୂଲ୍ୟ ୨୬.୨୦% ହ୍ରାସ ପାଇଛି । ସେହିପରି, ବିଦେଶୀ ନିବେଶକମାନେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ୨୯.୪୧ କୋଟି ସେୟାର ୧୧,୭୨୯/- କୋଟିରେ ବିକ୍ରି କରିଛନ୍ତି । ମାର୍ଚ୍ଚ ତ୍ରୈମାସିକରେ ବ୍ୟାଙ୍କର ସେୟାର ପ୍ରାୟ ୧୯.୭୨% ହ୍ରାସ ପାଇଛି ।
ଭାରତୀୟ ଏୟାରଟେଲ୍ ରେ ସେୟାର ବିକ୍ରି

ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ମଧ୍ୟରୁ ଗୋଟିଏ ଭାରତ ଏୟାରଟେଲ୍ ରେ ବିଦେଶୀ ନିବେଶକମାନେ ୧୧,୨୮୭ କୋଟି ମୂଲ୍ୟର ସେୟାର ବିକ୍ରି କରିଛନ୍ତି । ମାର୍ଚ୍ଚରେ କମ୍ପାନୀର ସେୟାର ୧୫.୩୫% ହ୍ରାସ ପାଇଛି । ଏହା ସହିତ, ICICI ବ୍ୟାଙ୍କର ୮.୧୮ କୋଟି ସେୟାର ବିକ୍ରି ହୋଇଛି । ଯାହାର ମୂଲ୍ୟ ୧୦,୯୭୩ କୋଟି ରହିଛି । ମାର୍ଚ୍ଚରେ ବ୍ୟାଙ୍କର ସେୟାର ୧୦.୨୦% ହ୍ରାସ ପାଇଛି । ବିଦେଶୀ ନିବେଶକମାନେ ଜୋମାଟୋର ମୂଳ କମ୍ପାନୀ ଇଟର୍ନାଲ୍ର ୩୫.୦୯ କୋଟି ସେୟାର ୯,୧୪୭କୋଟିରେ ବିକ୍ରି କରିଥିଲେ । ମାର୍ଚ୍ଚ ତ୍ରୈମାସିକରେ କମ୍ପାନୀର ଷ୍ଟକ୍ ୧୭.୬୫% ହ୍ରାସ ପାଇଥିଲା ।

ପ୍ରାଇମଇନ୍ଫୋବେସ୍ର ତଥ୍ୟ ଅନୁଯାୟୀ, ବିଦେଶୀ ନିବେଶକମାନେ ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍ର ୫.୭୬ କୋଟି ସେୟାର ବିକ୍ରି କରିଥିଲେ । ଏହି ସେୟାରଗୁଡ଼ିକର ମୂଲ୍ୟ ୮ହଜାର କୋଟିରୁ ଉର୍ଦ୍ଧ ରହିଛି । ମାର୍ଚ୍ଚରେ, ଇନଫୋସିସ୍ର ସେୟାର ମୂଲ୍ୟ ୨୨.୫୮% ହ୍ରାସ ପାଇଛି । ବିଦେଶୀ ନିବେଶକମାନେ ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୫.୫୪କୋଟି ସେୟାର ମଧ୍ୟ ବିକ୍ରି କରିଛନ୍ତି । ଏହି ସେୟାରଗୁଡ଼ିକର ମୂଲ୍ୟ ୭୮୧୫/- କୋଟି । ଏହି ସମୟ ମଧ୍ୟରେ, କମ୍ପାନୀର ସେୟାର ମୂଲ୍ୟ ୧୪.୪୨% ହ୍ରାସ ପାଇଛି ।

ମାରୁତି କମ୍ପାନୀର କେତେ ସେୟାର ବିକ୍ରି ହୋଇଛି ?
ମାର୍ଚ୍ଚରେ ମାରୁତି ସୁଜୁକି ମଧ୍ୟ ବିଦେଶୀ ନିବେଶକଙ୍କ ଦ୍ୱାରା ବିକ୍ରୟର ସମ୍ମୁଖୀନ ହୋଇଥିଲା । କମ୍ପାନୀର ମୋଟ ୫୨ଲକ୍ଷ ସେୟାର ବିକ୍ରି ହୋଇଥିଲା ; ଯାହାର କ୍ରମାଗତ ମୂଲ୍ୟ ୭୪୦୯କୋଟି ଥିଲା । ତ୍ରୈମାସିକରେ କମ୍ପାନୀର ସେୟାର ମୂଲ୍ୟ ୨୬.୩୦% ହ୍ରାସ ପାଇଛି ।

ଏଫ.ଆଇ.ଆଇ. ମାନେ ଦେଶର ସର୍ବବୃହତ ଆଇଟି କମ୍ପାନୀ ଟି.ସି.ଏସ.ର ୨.୫୮କୋଟି ସେୟାର ବିକ୍ରି କରିଛନ୍ତି; ଯାହାର ମୂଲ୍ୟ ମୋଟ ୭,୧୬୨ କୋଟି ରହିଛି । ମାର୍ଚ୍ଚରେ କମ୍ପାନୀର ସେୟାର ମୂଲ୍ୟ ୨୬.୪୩% ହ୍ରାସ ପାଇଛି । ତ୍ରୈମାସିକରେ, ବିଦେଶୀ ନିବେଶକମାନେ ଦେଶର ପ୍ରମୁଖ ଇଞ୍ଜିନିୟରିଂ କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋର ୧୭.୪ ନିୟୁତ ସେୟାର ବିକ୍ରି କରିଛନ୍ତି ଯାହାର ମୂଲ୍ୟ ୬,୬୩୧ କୋଟି ଥିବା ସୂଚନା ମିଳିଛି । ମାର୍ଚ୍ଚ ତ୍ରୈମାସିକରେ କମ୍ପାନୀର ସେୟାର ମୂଲ୍ୟ ୧୪.୧୯% ହ୍ରାସ ପାଇଛି ।
Also read : https://purvapaksa.com/tea-is-king-in-india-cha-works-like-petrol-for-69-of-the-countrys-population/


