ବିଶ୍ୱର ବିରାଟ ଶକ୍ତିଗୁଡ଼ିକ ପୁଣିଥରେ ଏକ ଭୟଙ୍କର ପ୍ରତିଯୋଗିତା ଆଡ଼କୁ ମୁହାଁଉଛନ୍ତି, ତାହା ସାମ୍ନାକୁ ଆସିଛି। ଆନ୍ତର୍ଜାତୀୟ ସ୍ତରରେ ଅସ୍ତ୍ରଶସ୍ତ୍ର ଏବଂ ଶାନ୍ତି ଉପରେ ନଜର ରଖୁଥିବା ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ସିପ୍ରି ନିଜର ବାର୍ଷିକ ରିପୋର୍ଟ—ସିପ୍ରି ଇୟରବୁକ୍ ୨୦୨୬ ପ୍ରକାଶ କରିଛି।
ଏହି ରିପୋର୍ଟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆମ ଦେଶ ଭାରତ, ପାଡ଼ୋଶୀ ଚୀନ୍ ଏବଂ ସୁଦୂର ଋଷ-ଆମେରିକାକୁ ନେଇ ଏକ ବଡ଼ ଚିତ୍ର ଦେଖାଉଛି। ରିପୋର୍ଟ କହୁଛି ଯେ, ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ରର ସଂଖ୍ୟା ହୁଏତ ସାମଗ୍ରିକ ଭାବେ ହ୍ରାସ ପାଉଛି, କିନ୍ତୁ ପ୍ରକୃତ କଥା ହେଲା— ଆମେରିକା ଓ ଋଷ ପୁରୁଣା ଅସ୍ତ୍ର ନଷ୍ଟ କରିବା କାରଣରୁ ସଂଖ୍ୟା କମିଲା ଭଳି ଲାଗୁଛି। କିନ୍ତୁ ଅନ୍ୟପଟେ, ଭାରତ, ଚୀନ୍ ଏବଂ ଋଷ ଭଳି ଦେଶଗୁଡ଼ିକ ସେମାନଙ୍କର ସକ୍ରିୟ ବା ‘Deployed’ ପରମାଣୁ ୱାରହେଡ୍ ଏବଂ ମିସାଇଲ୍ କ୍ଷମତାକୁ କ୍ରମାଗତ ଭାବେ ବଢ଼ାଇ ଚାଲିଛନ୍ତି।
ସିପ୍ରିର ୨୦୨୬ ରିପୋର୍ଟ ଅନୁସାରେ, ଏ ବର୍ଷ ଆରମ୍ଭ ବେଳକୁ ପୃଥିବୀରେ ମୋଟ ୯ଟି ପରମାଣୁ-ସଶସ୍ତ୍ର ଦେଶ—ଯଥା ଆମେରିକା, ଋଷ, ବ୍ରିଟେନ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ୍—ପାଖରେ ପ୍ରାୟ ୧୨,୧୮୭ଟି ପରମାଣୁ ଅସ୍ତ୍ର ରହିଛି।
ଏହାର ଅର୍ଥ ନୁହେଁ ଯେ ଏସବୁ ସବୁବେଳେ ଲଞ୍ଚର୍ରେ ଫିଟ୍ ହୋଇ ରହିଛି। ଏହାମଧ୍ୟରୁ ପ୍ରାୟ ୯,୭୪୫ଟି ଅସ୍ତ୍ର ମିଲିଟାରୀ ଷ୍ଟକ୍ପାଇଲ୍ରେ ଅଛି, ଯାହାକୁ ବ୍ୟବହାର କରାଯାଇପାରିବ। ଆଉ ସବୁଠାରୁ ଚିନ୍ତାଜନକ କଥା ହେଲା, ଏଥିମଧ୍ୟରୁ ପ୍ରାୟ ୪,୦୧୨ଟି ୱାରହେଡ୍ ସିଧାସଳଖ ଅପରେସନାଲ ଫୋର୍ସରେ ମୁତୟନ କରାଯାଇଛି।
ଏହି ବିଶ୍ୱ ବଜାର କିମ୍ବା କୁହାଯାଉଥିବା ପରମାଣୁ ଦୁନିଆର ପ୍ରାୟ ୮୬ ପ୍ରତିଶତ ଅସ୍ତ୍ର କେବଳ ଦୁଇଟି ଦେଶ—ଆମେରିକା ଏବଂ ଋଷ ପାଖରେ ରହିଛି।
• ଋଷ ପାଖରେ ୨୦୨୬ ସୁଦ୍ଧା ପ୍ରାୟ ୫,୪୨୦ଟି ପରମାଣୁ ଅସ୍ତ୍ର ରହିଛି।
• ଆମେରିକା ପାଖରେ ପ୍ରାୟ ୫,୦୪୨ଟି ପରମାଣୁ ଅସ୍ତ୍ର ରହିଛି।
କାଗଜପତ୍ରରେ ଦେଖିଲେ ଲାଗିବ ଯେ ଗତବର୍ଷ ଅପେକ୍ଷା ଏହି ଦୁଇ ଦେଶର ମୋଟ ସଂଖ୍ୟା କିଛି ମାତ୍ରାରେ କମିଛି। କିନ୍ତୁ ଏହାର ପ୍ରକୃତ କାରଣ ହେଲା ସେମାନେ ସେମାନଙ୍କର ପୁରୁଣା ଓ ଅଦରକାରୀ ହୋଇଯାଇଥିବା ପରମାଣୁ ବୋମାଗୁଡ଼ିକୁ ଡିସମେଣ୍ଟଲ୍ ବା ଭାଙ୍ଗି କାମରୁ ବାହାର କରୁଛନ୍ତି। ମାତ୍ର ଚିନ୍ତାଜନକ ବିଷୟ ଏହା ଯେ, ପୁରୁଣା ଅସ୍ତ୍ର ଭଙ୍ଗାଯିବାର ଗତି ଯେତିକି ଧୀରେ ହେଉଛି, ତା’ଠାରୁ ଅଧିକ ଦ୍ରୁତ ଗତିରେ ନୂଆ ଓ ଅତ୍ୟାଧୁନିକ ପରମାଣୁ ଅସ୍ତ୍ରଗୁଡ଼ିକ ସେମାନଙ୍କର ସାମରିକ ବାହିନୀରେ ସାମିଲ ହେଉଛି।
ଏସିଆ ମହାଦେଶ, ବିଶେଷ କରି ଆମର ପଡ଼ୋଶୀ ଦେଶ ଚୀନ୍ ଉପରେ। ଚୀନ୍ ଯେପରି ଭାବରେ ନିଜର ପରମାଣୁ ଶକ୍ତିକୁ ବଢ଼ାଉଛି, ତାହା ଆମ ସମସ୍ତଙ୍କ ପାଇଁ ଏବଂ ବିଶେଷକରି ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ।
ସିପ୍ରି ରିପୋର୍ଟ ୨୦୨୬ ଅନୁଯାୟୀ, ଚୀନ୍ ଏବେ ନିଜର ପରମାଣୁ ଅସ୍ତ୍ରଗୁଡ଼ିକୁ ଆଧୁନିକ କରିବାର ଏକ ବିରାଟ ଅଭିଯାନ ଚଳାଇଛି। ଗତବର୍ଷ ବେଳକୁ ଚୀନ୍ ପାଖରେ ପ୍ରାୟ ୬୦୦ଟି ପରମାଣୁ ୱାରହେଡ୍ ଥିଲା, ଯାହା ବୃଦ୍ଧି ପାଇ ଏବେ ୨୦୨୬ ଜାନୁଆରୀ ସୁଦ୍ଧା ୬୨୦ଟିରେ ପହଞ୍ଚିଛି।
କେବଳ ସଂଖ୍ୟା ବଢ଼ୁନି, ବରଂ ଚୀନ୍ ସେଗୁଡ଼ିକୁ କିପରି ସୁରକ୍ଷିତ ଏବଂ ଶୀଘ୍ର ଲଞ୍ଚ୍ କରାଯାଇପାରିବ, ସେଥିପାଇଁ ଜମି ତଳେ ଶହ ଶହ ବିଶାଳ ‘ସାଇଲୋ’ ବା ମିସାଇଲ୍ ରଖିବା ସ୍ଥାନ ନିର୍ମାଣ କରୁଛି। ରିପୋର୍ଟ କହୁଛି ଯେ ଚୀନ୍ ପାଖରେ ଏବେ ଆମେରିକା ବା ଋଷ ତୁଳନାରେ ମଧ୍ୟ ଅଧିକ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ ଲଞ୍ଚର୍ ରହିଛି। ଅର୍ଥାତ୍, ଆସନ୍ତା ଦଶନ୍ଧି ଶେଷ ସୁଦ୍ଧା ଚୀନ୍ ପାଖରେ ପରମାଣୁ ବୋମାର ସଂଖ୍ୟା ୧,୦୦୦ ଅତିକ୍ରମ କରିଯାଇପାରେ।
ଚୀନ୍ କେବଳ ଅସ୍ତ୍ର ବଢ଼ାଉନି, ବରଂ ‘Nuclear-conventional entanglement’ ଅର୍ଥାତ୍ ପାରମ୍ପରିକ ଅସ୍ତ୍ର ଏବଂ ପରମାଣୁ ଅସ୍ତ୍ରକୁ ଏକାଠି ମିଶାଇ ଯୁଦ୍ଧ କରିବାର ନୂଆ ରଣନୀତି ତିଆରି କରୁଛି। ଏହା ଏସିଆ ମହାଦେଶରେ ଏକ ବଡ଼ ଧରଣର ଅସ୍ଥିରତା ସୃଷ୍ଟି କରୁଛି।
ଏବେ ଆସନ୍ତୁ ଆମ ନିଜ ଦେଶ ଭାରତ କଥା କହିବା। ସିପ୍ରି ରିପୋର୍ଟରେ ଭାରତକୁ ନେଇ କିଛି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରାଯାଇଛି।
ପ୍ରଥମ କଥା ହେଲା, ପରମାଣୁ ଅସ୍ତ୍ର ନିର୍ମାଣ ଏବଂ ସଂଖ୍ୟା ମାମଲାରେ ଭାରତ ଏବେ ଆମର ପଡ଼ୋଶୀ ଦେଶ ପାକିସ୍ତାନକୁ ବହୁ ପଛରେ ପକାଇ ଦେଇଛି।
• ପାକିସ୍ତାନର ପରମାଣୁ ଅସ୍ତ୍ର ସଂଖ୍ୟା ଗତ କିଛି ବର୍ଷ ଧରି ୧୭୦ଟି ପାଖରେ ସ୍ଥିର ରହିଛି, ଗତବର୍ଷ ବି ଏତିକି ଥିଲା ଏବଂ ଏବେ ବି ଏତିକି ଅଛି।
• କିନ୍ତୁ ଭାରତ ନିଜର ଅସ୍ତ୍ରଭଣ୍ଡାରକୁ ବେଶ୍ ଦ୍ରୁତ ଗତିରେ ବଢ଼ାଇଛି। ଗତବର୍ଷ ଭାରତ ପାଖରେ ପ୍ରାୟ ୧୮୦ଟି ପରମାଣୁ ୱାରହେଡ୍ ଥିବାବେଳେ, ୨୦୨୬ ଜାନୁଆରୀ ସୁଦ୍ଧା ଏହା ବଢ଼ି ୧୯୦ଟିରେ ପହଞ୍ଚିଛି। ଅର୍ଥାତ୍ ଭାରତ ଗୋଟିଏ ବର୍ଷ ଭିତରେ ୧୦ଟି ନୂଆ ପରମାଣୁ ଅସ୍ତ୍ର ଯୋଡ଼ିଛି।
ଦ୍ୱିତୀୟ ଏବଂ ସବୁଠାରୁ ବଡ଼ କଥା ହେଲା—ଭାରତର ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଦୀର୍ଘ ଦିନ ହେଲା ବିଶ୍ୱର ଧାରଣା ଥିଲା ଯେ ଭାରତ ଶାନ୍ତି ସମୟରେ ନିଜର ପରମାଣୁ ୱାରହେଡ୍ଗୁଡ଼ିକୁ ମିସାଇଲ୍ ବା ଲଞ୍ଚର୍ଠାରୁ ଅଲଗା ସୁରକ୍ଷିତ ସ୍ଥାନରେ ରଖିଥାଏ। କିନ୍ତୁ ସିପ୍ରି ରିପୋର୍ଟ ଏବଂ ପ୍ରତିରକ୍ଷା ବିଶ୍ୱଜ୍ଞମାନଙ୍କ କହିବାନୁସାରେ, ବର୍ତ୍ତମାନର ସୁରକ୍ଷା ପରିସ୍ଥିତି—ବିଶେଷକରି ଉତ୍ତର ଓ ପଶ୍ଚିମ ସୀମାରେ ଦୁଇଟି ମୁଖ୍ୟ ଶତ୍ରୁଙ୍କ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଭାରତ ନିଜର ନୀତିରେ ବଡ଼ ବଦଳ କରିଛି।
ଭାରତ ଏବେ କାନିଷ୍ଟରାଇଜଡ୍ ମିସାଇଲ୍ ବ୍ୟବହାର କରୁଛି ଏବଂ ସମୁଦ୍ର ମଧ୍ୟରୁ ପରମାଣୁ ପ୍ରତିରୋଧକ ଗସ୍ତ ବଢ଼ାଇ ଦେଇଛି। ଏହାର ଅର୍ଥ ହେଲା, ଭାରତ ଶାନ୍ତି କାଳରେ ମଧ୍ୟ କିଛି ପରମାଣୁ ଅସ୍ତ୍ରକୁ ସିଧାସଳଖ ମିସାଇଲ୍ ବା ଲଞ୍ଚର୍ ସହ ଯୋଡ଼ି କିମ୍ବା ଅପରେସନାଲ ଫୋର୍ସ ପାଖରେ ସକ୍ରିୟ ରଖିବା ଆରମ୍ଭ କରିଦେଇଛି। ଭାରତର ‘ନ୍ୟୁକ୍ଲିୟର ଟ୍ରାଏଡ୍’ —ଅର୍ଥାତ୍ ଜମି, ଆକାଶ ଏବଂ ସମୁଦ୍ର—ତିନୋଟି ଯାକ ଜାଗାରୁ ପରମାଣୁ ଆକ୍ରମଣ କରିବାର କ୍ଷମତା ଏବେ ଅତ୍ୟନ୍ତ ମଜଭୁତ ହୋଇସାରିଛି। ଆମର ସବ୍ମେରିନ୍ ଯେପରିକି INS ଅରିଘାତ ଏବଂ ଅନ୍ୟାନ୍ୟ ଜାହାଜଗୁଡ଼ିକ ଏହି ଦିଗରେ ବଡ଼ ଭୂମିକା ନିଭାଉଛନ୍ତି।
ତେବେ ପ୍ରଶ୍ନ ଉଠୁଛି ଯେ ଏସବୁର ମାନ କ’ଣ? କାହିଁକି ଆଜି ସମଗ୍ର ବିଶ୍ୱର ଏହି ବଡ଼ ଦେଶଗୁଡ଼ିକ ପରମାଣୁ ଅସ୍ତ୍ର ପଛରେ ପୁଣିଥରେ ଏତେ ପରିମାଣରେ ଧାଉଁଛନ୍ତି?
ଗୋଟିଏ ପଟେ ଆମେ ଶାନ୍ତି ଏବଂ ବିକାଶ କଥା କହୁଛୁ, କିନ୍ତୁ ଅନ୍ୟପଟେ ଆନ୍ତର୍ଜାତୀୟ ଚୁକ୍ତିଗୁଡ଼ିକ—ଯେପରିକି ଆମେରିକା ଓ ଋଷ ମଧ୍ୟରେ ଥିବା ପୁରୁଣା ‘New START’ ଚୁକ୍ତି ଭଳି ବ୍ୟବସ୍ଥାଗୁଡ଼ିକ ଦୁର୍ବଳ ହେବାରେ ଲାଗିଛି। ଦେଶମାନଙ୍କ ଭିତରେ ପରସ୍ପର ପ୍ରତି ଅବିଶ୍ୱାସ ବଢ଼ୁଛି।
ଭାରତ ପାଇଁ ଏହି ସ୍ଥିତିର ଅର୍ଥ ସ୍ପଷ୍ଟ—ଆମ ଦେଶର ସୁରକ୍ଷା ନିମନ୍ତେ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ। ଯେହେତୁ ଚୀନ୍ ଭାରତୀୟ ସୀମା ପାଖରେ କ୍ରମାଗତ ଭାବେ ନିଜର ସାମରିକ ଶକ୍ତି ବଢ଼ାଉଛି ଏବଂ ପାକିସ୍ତାନ ସହ ମଧ୍ୟ ସମସ୍ୟା ରହିଛି, ତେଣୁ ଭାରତର ଏହି ପରମାଣୁ ଆଧୁନିକୀକରଣ ଏବଂ ସତର୍କତା ସମ୍ପୂର୍ଣ୍ଣ ରୂପେ ଦେଶର ସାର୍ବଭୌମତ୍ୱ ଏବଂ ପ୍ରତିରୋଧକ ଶକ୍ତି ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଯଦି ଆମର ପ୍ରତିରୋଧକ ଶକ୍ତି ମଜଭୁତ ରହିବ, ତେବେ କୌଣସି ଶତ୍ରୁ ଦେଶ ଆମ ଆଡ଼କୁ ଆଖି ପକାଇବାକୁ ସାହସ କରିବ ନାହିଁ।
ସିପ୍ରି ୨୦୨୬ର ଏହି ରିପୋର୍ଟ ସ୍ପଷ୍ଟ କରିଦେଇଛି ଯେ ଆଜିର ଦୁନିଆରେ କେବଳ ଶାନ୍ତିର କଥା କହିଲେ ଚଳିବ ନାହିଁ, ବରଂ ଶାନ୍ତି ବଜାୟ ରଖିବା ପାଇଁ ନିଜର ଶକ୍ତିକୁ ମଧ୍ୟ ଅପ୍ଡେଟ୍ ରଖିବାକୁ ପଡ଼ିବ। ଭାରତ ଯେପରି ସଠିକ୍ ସମୟରେ, ସଠିକ୍ ପଦକ୍ଷେପ ନେଇ ନିଜର ପରମାଣୁ କ୍ଷମତାକୁ ଆହୁରି ମଜଭୁତ କରୁଛି, ତାହା ପ୍ରତ୍ୟେକ ଭାରତୀୟ ପାଇଁ ଆଶ୍ୱସ୍ତିର ବିଷୟ।
AlsoRead; https://purvapaksa.com/k-g-balakrishnan-commission-report-and-modi-governments-approach/


