ଆଜି ଏମିତି ନେତାଙ୍କ କାହାଣୀ କହିବୁ, ଯାହାଙ୍କୁ ସାରା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ତଥା ରହସ୍ୟମୟ ଏକଛତ୍ରବାଦୀ ବୋଲି କୁହାଯାଏ। ଯାହାଙ୍କ ଶତ୍ରୁଙ୍କ ତାଲିକା ଏତେ ଲମ୍ବା ଯେ ଗଣିବା ଅସମ୍ଭବ। ଆମେରିକା ଠାରୁ ଆରମ୍ଭ କରି ୟୁରୋପ, ତିବ୍ଦତ ଠାରୁ ଆରମ୍ଭ କରି ନିଜ ଦେଶ ଚୀନ୍ର କୋଣ ଅନୁକୋଣରେ ତାଙ୍କର ଶତ୍ରୁ ରହିଛନ୍ତି। ଭାରତ ସହିତ ମଧ୍ୟ ଗଲୱାନ୍ ସଂଘର୍ଷ ପରଠାରୁ ତାଙ୍କ ସମ୍ପର୍କ କିପରି ରହିଛି, ତାହା ଆପଣ ସମସ୍ତେ ଜାଣନ୍ତି।
କିନ୍ତୁ ଆପଣ କେବେ ଭାବିଛନ୍ତି କି—ଇତିହାସରେ ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍. କେନେଡିଙ୍କୁ ଦିନଦ୍ୱିପ୍ରହରରେ ଖୋଲା ଗାଡ଼ିରେ ହତ୍ୟା କରାଯାଇଥିଲା। ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ସର୍ବସାଧାରଣ ସଭାରେ ପଛପଟୁ ଗୁଳି ମାରି ହତ୍ୟା କରାଗଲା। ଡୋନାଲ୍ଡ ଟ୍ରମ୍ପଙ୍କ କାନ ଛୁଇଁ ଗୁଳି ଚାଲିଗଲା। ଆମ ନିଜ ଦେଶରେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ଭଳି ଶକ୍ତିଶାଳୀ ନେତାମାନଙ୍କୁ ଆତତାୟୀ ହତ୍ୟା କଲେ।
ଏତେ ସବୁ ପରେ ପ୍ରଶ୍ନ ଉଠୁଛି—ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଛୁଇଁବା ବି କାହିଁକି ଅସମ୍ଭବ ? ଚୀନ୍ ଭିତରେ ତ ଛାଡ଼ନ୍ତୁ, ଚୀନ୍ ବାହାରକୁ ଗଲେ ମଧ୍ୟ କୌଣସି ଶତ୍ରୁ ତାଙ୍କ ପାଖ ମାଡ଼ି ପାରନ୍ତି ନାହିଁ କାହିଁକି?
ପ୍ରାୟ ସାତ ବର୍ଷ ପରେ ବ୍ରିକ୍ସ ବୈଠକ ପାଇଁ ସି ଜିନପିଙ୍ଗ ଯେତେବେଳେ ଭାରତ ଆସିଲେ, ସେତେବେଳେ ଦିଲ୍ଲୀର ରାସ୍ତାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଲା ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ତାଙ୍କ ସୁରକ୍ଷା ପାଇଁ ଆସିଥିବା ୨ଟି କଳା ଗାଡ଼ି, ୪୦୦ ରହସ୍ୟମୟ ବଡିଗାର୍ଡ ଏବଂ ହାତରେ ଧରିଥିବା ଅଦ୍ଭୁତ ବ୍ରିଫକେସ୍—ଏସବୁ ପଛର ପ୍ରକୃତ କାହାଣୀ କ’ଣ?
ସି ଜିନପିଙ୍ଗ ଭାରତ ଆସିବାର ପ୍ରାୟ ୧୦ ଦିନ ପୂର୍ବରୁ ଚୀନ୍ରୁ ଏକ ସ୍ୱତନ୍ତ୍ର ବିଶାଳକାୟ ମାଲବାହୀ ବିମାନ ଦିଲ୍ଲୀ ଆସି ପହଞ୍ଚିଥିଲା। ସେହି ବିମାନରୁ କୌଣସି ସାଧାରଣ ସାମଗ୍ରୀ ନୁହେଁ, ବରଂ ବାହାରିଥିଲା କେବଳ ଚୀନ୍ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଉପକରଣ ଏବଂ ଦୁଇଟି ଅବିକଳ ଏକା ଭଳି ଦିଶୁଥିବା କଳା ରଙ୍ଗର କାର୍।
ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ଏହି ଗାଡ଼ିଗୁଡ଼ିକ ଦିଲ୍ଲୀର ରାସ୍ତାକୁ ଓହ୍ଲାଇଥିଲା, ସେଗୁଡ଼ିକ ମୁଣ୍ଡରୁ ଗୋଡ଼ ଯାଏଁ ସମ୍ପୂର୍ଣ୍ଣ କଳା କପଡ଼ାରେ ଘୋଡ଼ାଇ ହୋଇ ରହିଥିଲା। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ତାଜୁବ ହୋଇଯାଇଥିଲେ। ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବାକୁ ଲାଗିଲା ଯେ, ଏତେ ବଡ଼ ଦେଶର ରାଷ୍ଟ୍ରପତି ନିଜ ଗାଡ଼ିକୁ କଳା କପଡ଼ାରେ ଘୋଡ଼ାଇ କାହିଁକି ଆଣୁଛନ୍ତି? ଏହା କ’ଣ ତାଙ୍କ ମନରେ ଥିବା କୌଣସି ଜୀବନ ପ୍ରତି ଭୟ, ନା ଭାରତ ଉପରେ ଅବିଶ୍ୱାସ?
ବିଶେଷଜ୍ଞମାନେ କୁହନ୍ତି, ଗାଡ଼ିକୁ ଘୋଡ଼ାଇ ରଖିବା କୌଣସି ନୂଆ କଥା ନୁହେଁ। ଧୂଳିମାଟି, ଖରାପ ପାଗ ଏବଂ ଗୁଇନ୍ଦା ନଜରରୁ ବଞ୍ଚାଇବା ପାଇଁ ଏହା କରାଯାଏ। ୨୦୨୩ ମସିହାରେ ଯେତେବେଳେ ସେ ଭିଏତନାମ ଓ ରୁଷିଆ ଯାଇଥିଲେ, ସେତେବେଳେ ମଧ୍ୟ ଠିକ୍ ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ସବୁଠାରୁ ବଡ଼ ଚାଲାକି ହେଉଛି—ଏକା ଭଳି ଦୁଇଟି ଗାଡ଼ି ଚାଲିବ, ଯାହାଫଳରେ ଶତ୍ରୁ କଦାପି ଜାଣିପାରିବ ନାହିଁ ଯେ ସି ଜିନପିଙ୍ଗ ପ୍ରକୃତରେ କେଉଁ ଗାଡ଼ିରେ ବସିଛନ୍ତି।
ଆଉ କେବଳ ସେତିକି ନୁହେଁ, ୨୦୧୯ରେ ଯେତେବେଳେ ସେ ଭାରତ ଆସିଥିଲେ, ତାଙ୍କ ସହ ମାତ୍ର ୨୦୦ ଜଣ ସଦସ୍ୟ ଥିଲେ। କିନ୍ତୁ ଏଥର ତାଙ୍କ ସହିତ ପ୍ରାୟ ୪୦୦ ଜଣିଆ ବିଶାଳ ଦଳ ଆସିଥିଲା। ପ୍ରଶ୍ନ ଉଠୁଛି, ଏହି ଅତିରିକ୍ତ ୨୦୦ ଲୋକ କିଏ ? ସେମାନେ କ’ଣ କୂଟନୀତିଜ୍ଞ, ନା କଳା ସୁଟ୍ ପିନ୍ଧି ହାତରେ ବ୍ରିଫକେସ୍ ଝୁଲାଇ ଚାଲୁଥିବା ସିକ୍ରେଟ୍ କମାଣ୍ଡୋ?
ଏବେ ଆସନ୍ତୁ ଜାଣିବା ସି ଜିନପିଙ୍ଗ ଯେଉଁ ଗାଡ଼ିରେ ବସନ୍ତି, ତା’ର ଅସଲ କାହାଣୀ କ’ଣ।
ତାଙ୍କ କନଭୟ ଯେତେବେଳେ ରାସ୍ତାକୁ ବାହାରେ, ସବୁଠାରୁ ଆଗରେ ମୋଟରସାଇକେଲ ବାହିନୀ ତୀରର ଅଗ ଭଳି ଏକ ସ୍ୱତନ୍ତ୍ର ‘Arrowhead’ ଆକାର ବନାଇ ଚାଲନ୍ତି। ତାଙ୍କ ପଛରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅନେକ ସୁରକ୍ଷା ଗାଡ଼ି ଥାଏ। ଆଉ ତା’ ଠିକ୍ ମଝିରେ ଆସେ ଚୀନ୍ର ସବୁଠାରୁ ସୁରକ୍ଷିତ ଗାଡ଼ି—Hongqi N701।
ଚାଇନିଜ୍ ଭାଷାରେ ‘ହଙ୍ଗଛି’ର ଅର୍ଥ ହେଉଛି ‘ନାଲି ପତାକା’। ୧୯୫୮ ମସିହାରୁ ଚୀନ୍ର ଏକ ସରକାରୀ କମ୍ପାନୀ ଏହି ଗାଡ଼ି ତିଆରି କରିଆସୁଛି। ୨୦୧୨ ମସିହାରେ କ୍ଷମତାକୁ ଆସିବା ପରେ ସି ଜିନପିଙ୍ଗ ନିୟମ କରିଥିଲେ ଯେ, ଚୀନ୍ର କୌଣସି ବଡ଼ ନେତା ବିଦେଶ ଗସ୍ତରେ ଗଲେ ଅନ୍ୟ କୌଣସି ଦେଶର ଗାଡ଼ି ବ୍ୟବହାର କରିବେ ନାହିଁ, କେବଳ ନିଜ ଦେଶର ହଙ୍ଗଛି ଗାଡ଼ିରେ ହିଁ ବସିବେ।
ଏହି ଗାଡ଼ିର ବିଶେଷତ୍ୱ ଶୁଣିଲେ ଆପଣ ତାଜୁବ ହୋଇଯିବେ:
1. ଆକାର ଓ ଓଜନ: ଏହା ସାଧାରଣ କାର୍ ଠାରୁ ପ୍ରାୟ ଦେଢ଼ ଗୁଣା ଲମ୍ବା, ପ୍ରାୟ ୧୮ ଫୁଟ୍। ଏହାର ଓଜନ ୩ ଟନ୍ରୁ ଅଧିକ—ମାନେ ପ୍ରାୟ ତିନିଟି ସାଧାରଣ କାର୍ ସହିତ ସମାନ।
2. ଅଭେଦ୍ୟ କବଚ: ଏହାର ବଡିରେ ମୋଟା ଇସ୍ପାତର ଚାଦର ଲଗାଯାଇଛି ଏବଂ ଏହାର କାଚ ଏତେ ମଜଭୁତ ଯେ ସ୍ନାଇପର କିମ୍ବା ଏକେ-୪୭ର ଗୁଳି ମଧ୍ୟ ଏହାକୁ ଭେଦ କରିପାରିବ ନାହିଁ।
3. ସ୍ୱତନ୍ତ୍ର ଅକ୍ସିଜେନ୍ ସିଷ୍ଟମ୍: ଯଦି ଗାଡ଼ି ଉପରେ କେହି ବିଷାକ୍ତ ରାସାୟନିକ କିମ୍ବା ଜୈବିକ ଗ୍ୟାସ୍ ଆକ୍ରମଣ କରେ, ତଥାପି ବାହାର ପବନ ଭିତରକୁ ଯାଇପାରିବ ନାହିଁ। ଗାଡ଼ି ଭିତରେ ସ୍ୱତନ୍ତ୍ର ଅମ୍ଳଜାନ ବ୍ୟବସ୍ଥା ରହିଛି। ଅର୍ଥାତ୍ ଏହା କାର୍ ନୁହେଁ, ବରଂ ଏକ ଚଳନ୍ତା ବଙ୍କର୍।
4. ଡିଜିଟାଲ୍ ସାଇଲେନ୍ସର ବା ଜାମର୍: ସବୁଠାରୁ ଭୟଙ୍କର ଟେକ୍ନୋଲୋଜି ହେଉଛି ଏହାର ସିଗ୍ନାଲ୍ ଜାମର୍। ଏହି ଗାଡ଼ି ଯେଉଁ ରାସ୍ତା ଦେଇ ଯାଏ, ତାର ଚାରିପାଖରେ ଥିବା ସମସ୍ତ ମୋବାଇଲ୍ ନେଟୱାର୍କ, ରେଡିଓ ତରଙ୍ଗ ଏବଂ ଡ୍ରୋନ୍ ସିଗ୍ନାଲ୍ ସମ୍ପୂର୍ଣ୍ଣ ଠପ୍ ହୋଇଯାଏ। ଯାହାଫଳରେ ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ରାସ୍ତାକଡ଼ରେ କୌଣସି IED ବୋମା ବିସ୍ଫୋରଣ କିମ୍ବା ଡ୍ରୋନ୍ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼େ।
୨୦୨୩ରେ ସାନ୍ ଫ୍ରାନ୍ସିସ୍କୋରେ ଯେତେବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଗାଡ଼ିକୁ ଦେଖିଥିଲେ, ସେ ନିଜେ ଏହାର ପ୍ରଶଂସା କରି ନିଜର ପ୍ରସିଦ୍ଧ ‘ଦ ବିଷ୍ଟ କାର୍ ସହ ତୁଳନା କରିଥିଲେ। ବିଶ୍ୱରେ ଆମେରିକାର ‘ଦ ବିଷ୍ଟ’ ଏବଂ ଚୀନ୍ର ‘ହଙ୍ଗଛି N701’—ଏହି ଦୁଇଟି ଏମିତି ଗାଡ଼ି, ଯାହାର ଭିତରର ପ୍ରକୃତ ଟେକ୍ନୋଲୋଜି ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି।
ଗାଡ଼ି ତ ଅଭେଦ୍ୟ ହେଲା, କିନ୍ତୁ ଗାଡ଼ି ବାହାରେ ଥିବା ମଣିଷମାନେ କିଏ?
ସି ଜିନପିଙ୍ଗଙ୍କ ସୁରକ୍ଷା ପାଇଁ ଯେଉଁ ବଡିଗାର୍ଡମାନଙ୍କୁ ଚୟନ କରାଯାଏ, ସେମାନଙ୍କ ଚୟନ ପ୍ରକ୍ରିୟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କୁହାଯାଏ, ପ୍ରାୟ ୧୦,୦୦୦ ଯବାନଙ୍କ ମଧ୍ୟରୁ ମାତ୍ର ଜଣକୁ ଏହି ସ୍ୱତନ୍ତ୍ର ୟୁନିଟ୍ ପାଇଁ ବଛାଯାଏ। ମାନେ ଗୋଟିଏ ବଡ଼ କଲେଜରୁ ଯେମିତି କେବଳ ଜଣେ ଛାତ୍ର ଚୟନ ହେବ!
ଚୀନ୍ ସେନାର ସର୍ବୋଚ୍ଚ କମାଣ୍ଡୋମାନଙ୍କୁ ଏଠାରେ ଏପରି ତାଲିମ ଦିଆଯାଏ ଯେ ସେମାନେ ଖାଲି ହାତରେ ଯୁଦ୍ଧ କରିବା ଠାରୁ ଆରମ୍ଭ କରି ଆକାଶରୁ ଉଡ଼ୁଥିବା ଡ୍ରୋନ୍କୁ ଖସାଇବାରେ ପାରଙ୍ଗମ। ତାଙ୍କ ମସ୍ତିଷ୍କରେ ଗୋଟିଏ କଥା ଭରି ଦିଆଯାଏ—”ନିଜ ଜୀବନ ଚାଲିଯାଉ ପଛେ, ନେତାଙ୍କ ଦେହରେ ଗୋଟିଏ ଆଞ୍ଚୁଡ଼ା ବି ଲାଗିବା ଉଚିତ ନୁହେଁ” ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା କ’ଣ ଜାଣନ୍ତି?
ଥରେ ଜଣେ ଯବାନ ଏହି ସୁରକ୍ଷା ବାହିନୀରେ ସାମିଲ ହେବା ପରେ, ତାର ପରିଚୟ ସବୁଦିନ ପାଇଁ ଏକ ସିଲ୍ ଫାଇଲ୍ ଭିତରେ ବନ୍ଦ ହୋଇଯାଏ। ସରକାରୀ କାଗଜପତ୍ର କିମ୍ବା ଖବରକାଗଜରେ କେବେ ସେମାନଙ୍କ ଫଟୋ କିମ୍ବା ନାମ ପ୍ରକାଶ ପାଏ ନାହିଁ। ଏପରିକି ସେମାନଙ୍କ ନିଜ ଗାଁର ଲୋକ କିମ୍ବା ପରିବାର ମଧ୍ୟ ଜାଣିପାରନ୍ତି ନାହିଁ ଯେ ସେମାନେ କେଉଁଠି ଏବଂ କି କାମ କରୁଛନ୍ତି। ଏହି ସିକ୍ରେଟ୍ ୟୁନିଟ୍ ପାଇଁ ଚୀନ୍ ସରକାର କେତେ କୋଟି ଟଙ୍କା ଖର୍ଚ୍ଚ କରନ୍ତି, ତାହା ମଧ୍ୟ ଦୁନିଆ ଆଗରେ ଏକ ବଡ଼ ରହସ୍ୟ।
ଏବେ ଆସନ୍ତୁ ସେହି ପ୍ରଶ୍ନ ଉପରକୁ, ଯାହା ସାରା ବିଶ୍ୱର ଗୁଇନ୍ଦା ସଂସ୍ଥାଙ୍କୁ ଚିନ୍ତାରେ ପକାଇଛି। ଏହି ୪୦୦ ଜଣିଆ ଦଳରେ କିଏ କିଏ ଥାଆନ୍ତି, ଆଉ ସେମାନଙ୍କ ହାତରେ ଥିବା ବ୍ରିଫକେସ୍ରେ କ’ଣ ଥାଏ?
୨୦୨୨ରେ ହଂକଂ ଗସ୍ତ ସମୟରେ ଜିନପିଙ୍ଗଙ୍କ ବଡିଗାର୍ଡମାନଙ୍କ ହାତରେ କିଛି ଅଦ୍ଭୁତ କଳା ବ୍ରିଫକେସ୍ ଦେଖାଯାଇଥିଲା। ଆନ୍ତର୍ଜାତୀକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହା କୌଣସି ସାଧାରଣ କାଗଜପତ୍ର ବ୍ୟାଗ୍ ନୁହେଁ। ଏହା ଏପରି ଏକ ‘ଫୋଲ୍ଡିଂ ବାଲିଷ୍ଟିକ୍ ଶିଲ୍ଡ’, ଯାହାର ଏକ ବଟନ୍ ଦବାଇବା ମାତ୍ରେ ଏହା ଏକ ବିଶାଳ ବୁଲେଟ୍-ପ୍ରୁଫ୍ ଚାଦର ଭଳି ଖୋଲିଯାଏ ଏବଂ ଯେକୌଣସି ଗୁଳିକୁ ଅଟକାଇ ପାରେ। କେତେକ ଦାବି କରନ୍ତି ଯେ, ଏହି ବ୍ରିଫକେସ୍ ଭିତରେ ଫୋଲ୍ଡ ହୋଇ ରହିଥିବା ଅତ୍ୟାଧୁନିକ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଚାଇ ରଖାଯାଇଥାଏ। ଯଦିଓ ଚୀନ୍ କେବେ ଏହାକୁ ସ୍ୱୀକାର କରିନାହିଁ, କିନ୍ତୁ ଏହାର ଦୃଶ୍ୟ ସର୍ବଦା ରହସ୍ୟ ସୃଷ୍ଟି କରେ।
ଆଉ ଏହି ୪୦୦ ଲୋକଙ୍କ କାମ କ’ଣ?
- କିଛି ସ୍ୱତନ୍ତ୍ର ଅଧିକାରୀ କେବଳ ଖାଦ୍ୟ ଯାଞ୍ଚ କରିବାକୁ ଆସିଛନ୍ତି। ସି ଜିନପିଙ୍ଗ ଯାହା ଖାଇବେ, ତାହା ପୂର୍ବରୁ ଏହି ଫୁଡ୍ ଟେଷ୍ଟର୍ମାନେ ଚାଖିବେ ଏବଂ ଲାବୋରେଟୋରୀରେ ପରୀକ୍ଷା କରିବେ।
- କିଛି ଇଞ୍ଜିନିୟର ହୋଟେଲ ରୁମ୍ର କାନ୍ଥ, ବିଦ୍ୟୁତ୍ ତାର, ଫ୍ୟାନ୍ ଏବଂ ପବନର ଗୁଣବତ୍ତା ଯାଞ୍ଚ କରନ୍ତି, ଯେପରି କୌଣସି ଗୁପ୍ତ କ୍ୟାମେରା, ମାଇକ୍ରୋଫୋନ୍ କିମ୍ବା ବିଷାକ୍ତ ଗ୍ୟାସ୍ ନଥାଏ।
- କିଛି ସ୍ୱତନ୍ତ୍ର ଦଳ କେବଳ ଏନକ୍ରିପ୍ଟେଡ୍ ଯୋଗାଯୋଗ ସିଷ୍ଟମ୍ ସମ୍ଭାଳନ୍ତି।
- ଆଉ ଏକ ବଡ଼ ଦଳ ହେଉଛନ୍ତି ଗୁପ୍ତ କମାଣ୍ଡୋ।
ମାନେ ଜଣେ ବ୍ୟକ୍ତି ଦୁଇ ଦିନ ପାଇଁ ଆସିଛନ୍ତି, କିନ୍ତୁ ତାଙ୍କ ସହ ଗୋଟିଏ ପୂରା ସ୍କୁଲ୍ କିମ୍ବା ଗାଁ ଭର୍ତ୍ତି ଲୋକ ଆସି ଥିଲେ!
ଏବେ ପ୍ରଶ୍ନ ଉଠୁଛି, ଭାରତର ରାଜଧାନୀ ଦିଲ୍ଲୀରେ ତାଙ୍କ ପାଇଁ କି ବ୍ୟବସ୍ଥା ହୋଇଥିଲା?
ଶି ଜିନପିଙ୍ଗ ରହିବା ପାଇଁ ଦିଲ୍ଲୀର ପ୍ରସିଦ୍ଧ ‘ତାଜ୍ ପ୍ୟାଲେସ୍’ ହୋଟେଲ୍ ବଛାଯାଇଥିଲା (ଯେତେବେଳେ କି ରୁଷ ରାଷ୍ଟ୍ରପତି ପୁଟିନ୍ ଆଇଟିସି ମୌର୍ଯ୍ୟରେ ରହିଥିଲେ। ଜିନପିଙ୍ଗ ପହଞ୍ଚିବାର ଦୁଇ ଦିନ ପୂର୍ବରୁ ଚୀନ୍ର ଅଗ୍ରିମ ସୁରକ୍ଷା ଦଳ ସେଠାରେ ଡେରା ପକାଇଥିଲା। ହୋଟେଲର ଯେଉଁ ମହଲାରେ ସେ ରହିଥିଲେ, ସେଠାରୁ ଛାତ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷା ଚୀନ୍ ନିଜ ନିୟନ୍ତ୍ରଣକୁ ନେଇଥିଲା। ହୋଟେଲ୍ କର୍ମଚାରୀଙ୍କ ତନ୍ନ ତନ୍ନ ଯାଞ୍ଚ ହୋଇଥିଲା ଏବଂ ସୁରକ୍ଷାକୁ ଚାରୋଟି ସ୍ତରରେ ବିଭକ୍ତ କରାଯାଇଥିଲା।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସହିତ ପ୍ରାୟ ୩୦୦୦ ସୁରକ୍ଷାକର୍ମୀ, ୪୫୦୦ ଟ୍ରାଫିକ୍ ପୋଲିସ୍ ଏବଂ ୫୦୦ରୁ ଅଧିକ ଏଆଇ (ଫେସ୍ ରିକଗ୍ନିସନ୍ କ୍ୟାମେରା ରାସ୍ତା ଉପରେ ନଜର ରଖିଥିଲେ। କିନ୍ତୁ ଏଠାରେ ସବୁଠାରୁ ବଡ଼ ଟୁଇଷ୍ଟ୍ କ’ଣ ଜାଣନ୍ତି?
ଦିଲ୍ଲୀରେ ସି ଜିନପିଙ୍ଗଙ୍କୁ ବନ୍ଧୁକ କିମ୍ବା ଗୁଳିର ଭୟ ନାହିଁ, ତାଙ୍କର ସବୁଠାରୁ ବଡ଼ ଭୟ ହେଉଛି ‘ବ୍ୟାନର୍’ ଏବଂ ‘ପତାକା’ର!
ଭାରତରେ ବହୁ ସଂଖ୍ୟାରେ ତିବ୍ଦତୀୟ ନାଗରିକ ବସବାସ କରନ୍ତି। ସେମାନଙ୍କର ଅଭିଯୋଗ ଯେ ଚୀନ୍ ସେମାନଙ୍କ ମାତୃଭୂମି ଛଡ଼ାଇ ନେଇଛି। ଚୀନ୍ର ସବୁଠାରୁ ବଡ଼ ଚିନ୍ତା ଥିଲା—ଯଦି ଜିନପିଙ୍ଗ ଯାଉଥିବା ରାସ୍ତାରେ କୌଣସି ତିବ୍ଦତୀୟ ନାଗରିକ ହାତରେ କଳା ପତାକା, ଚୀନ୍-ବିରୋଧୀ ବ୍ୟାନର୍ ଧରି ଛିଡ଼ା ହୋଇଯାଆନ୍ତି କିମ୍ବା ବିକ୍ଷୋଭର ବେଲୁନ୍ ଉଡ଼ାଇ ଦିଅନ୍ତି, ତେବେ ତାହା ଅନ୍ତର୍ଜାତୀୟ ଗଣମାଧ୍ୟମର ବଡ଼ ଖବର ପାଲଟିଯିବ ଏବଂ ବିଶ୍ୱ ଦରବାରରେ ଜିନପିଙ୍ଗଙ୍କ ନାକ କଟିଯିବ! ସେଥିପାଇଁ ତାଙ୍କ ରୁଟ୍ରେ ବ୍ୟାନର୍, ଲାଉଡସ୍ପିକର୍ ଏବଂ ଗ୍ୟାସ୍ ବେଲୁନ୍ ଉପରେ କଡ଼ା କଟକଣା ଲଗାଯାଇଥିଲା।
ବିଶ୍ୱର ସବୁଠାରୁ ବଡ଼ ସେନାର ମୁଖ୍ୟ, କିନ୍ତୁ ଭୟ ଗୋଟିଏ ଛୋଟ ବ୍ୟାନର୍କୁ!
ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ।
ଯେତେବେଳେ କୌଣସି ଦେଶର ରାଷ୍ଟ୍ରପତି ଅନ୍ୟ ଦେଶକୁ ଗଲାବେଳେ ନିଜର ଗାଡ଼ି, ନିଜର ପାଣି, ନିଜର କ୍ୟାମେରା ଏବଂ ନିଜର ୪୦୦ ଲୋକ ସାଙ୍ଗରେ ନେଇକି ଯାଆନ୍ତି, ତା’ର ଅର୍ଥ କ’ଣ ? ତା’ର ସିଧାସଳଖ ଅର୍ଥ ହେଉଛି—ତାଙ୍କର କାହା ଉପରେ ବି ପୂରା ଭରସା ନାହିଁ।
ଶିଞ୍ଜୋ ଆବେ, ଜନ୍ ଏଫ୍. କେନେଡି କିମ୍ବା ଇନ୍ଦିରା ଗାନ୍ଧୀ—ସୁରକ୍ଷା ତ ସେମାନଙ୍କ ପାଖରେ ମଧ୍ୟ ଥିଲା। କିନ୍ତୁ ଗୋଟିଏ ଛୋଟ ଅବହେଳା ସେମାନଙ୍କ ଜୀବନ ନେଇଗଲା। ଅନ୍ୟପଟେ ସି ଜିନପିଙ୍ଗ ଏମିତି ଜଣେ ବ୍ୟକ୍ତି, ଯିଏ ନିଜ ଦେଶରେ ଥାଆନ୍ତୁ କି ବିଦେଶରେ, ସୁରକ୍ଷା ବ୍ୟବସ୍ଥାରେ ଶୂନ ଦଶମିକ ଏକ ପ୍ରତିଶତର ବି ରିସ୍କ ନିଅନ୍ତି ନାହିଁ ।
ଅଭେଦ୍ୟ ବୁଲେଟ୍-ପ୍ରୁଫ୍ କାର୍, ସିଗ୍ନାଲ୍ ଜାମର୍, ଅଜ୍ଞାତ କମାଣ୍ଡୋ, ଖାଦ୍ୟ ପରୀକ୍ଷକ ଏବଂ ଚାରି ସ୍ତରର ସୁରକ୍ଷା ବଳୟ—ଏହି ସବୁ ଶୁଣିବା ପରେ ଆପଣଙ୍କୁ କ’ଣ ଲାଗୁଛି? ସି ଜିନପିଙ୍ଗଙ୍କ ପାଖ ମାଡ଼ିବା କ’ଣ ସତରେ ଅସମ୍ଭବ? ନା ଏହି ଅତ୍ୟଧିକ ସୁରକ୍ଷା ହିଁ ପ୍ରମାଣ କରୁଛି ଯେ ଏହି ଏକଛତ୍ରବାଦୀ ଶାସକ ଭିତରୁ କେତେ ଭୟଭୀତ?


