ଆଜି ସାରା ଦେଶ ପାଇଁ ଏବଂ ଆମ ପ୍ରତିରକ୍ଷା ବାହିନୀ ପାଇଁ ଏକ ବହୁତ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଭାରତୀୟ ସେନାକୁ ଆକାଶର ଅଭେଦ୍ୟ ଦୁର୍ଗ ବନାଇବା ପାଇଁ ରୁଷରୁ ବାହାରିଥିବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ S-400 ର ଚତୁର୍ଥ ସ୍କ୍ୱାଡ୍ରନ୍ ଶେଷରେ ସମୁଦ୍ର ପଥ ଦେଇ ଭାରତ ମାଟିରେ ପହଞ୍ଚି ସାରିଛି।
ଭାରତ ଏହି ସୁପର ଏୟାର ଡିଫେନ୍ସ ସିଷ୍ଟମର ନାମ ରଖିଛି ‘ସୁଦର୍ଶନ’। ଯେଉଁଭଳି ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ଶତ୍ରୁର ବିନାଶ କରେ, ଠିକ୍ ସେହିପରି ଏହି S-400 ‘ସୁଦର୍ଶନ’ ଏବେ ଶତ୍ରୁ ପକ୍ଷର ଯେକୌଣସି ଆକାଶମାର୍ଗୀୟ ଆକ୍ରମଣକୁ ଧୂଳିସାତ୍ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସବୁଠାରୁ ବଡ଼ କଥା ହେଉଛି, ଏହା ସିଧାସଳଖ ଯୁଦ୍ଧକ୍ଷେତ୍ର ବା ଅପରେସନାଲ୍ ଏରିଆରେ ମୁତୟନ ହେବାକୁ ଯାଉଛି।
ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ କେମିତି ପହଞ୍ଚିଲା S-400?
ଭାରତ ଏବଂ ରୁଷ ମଧ୍ୟରେ ୨୦୧୮ ମସିହାରେ ପ୍ରାୟ ୫.୪୩ ବିଲିୟନ ଡଲାର ବା ୫୪୩ କୋଟି ଡଲାରର ଏକ ମେଗା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଡିଲ୍ ଅନୁଯାୟୀ ଭାରତକୁ ରୁଷଠାରୁ ମୋଟ ୫ଟି S-400 ସ୍କ୍ୱାଡ୍ରନ୍ ମିଳିବାର ଥିଲା। ସେଥିମଧ୍ୟରୁ ପ୍ରଥମ ୩ଟି ସ୍କ୍ୱାଡ୍ରନ୍ ଠିକ୍ ସମୟରେ ଭାରତରେ ପହଞ୍ଚି ସାରିଥିଲା ଏବଂ ନିକଟରେ ଘଟିଥିବା ‘ଅପରେସନ୍ ସିନ୍ଦୂର’ ସମୟରେ ଆମ ସେନା ଏହାର ଦମଦାର ଆକ୍ସନ ମଧ୍ୟ ଦେଖାଇ ସାରିଛି।
କିନ୍ତୁ ଏହା ପରେ ହଠାତ୍ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଗଲା। ଯେତେବେଳେ ନିଜେ ରୁଷ ଯୁଦ୍ଧରେ ଫସିଗଲା, ତାର ନିଜସ୍ୱ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷମତା ଉପରେ ଚାପ ପଡ଼ିଲା, ଯାହାଫଳରେ ଭାରତକୁ ମିଳିବାକୁ ଥିବା ବାକି ସ୍କ୍ୱାଡ୍ରନ୍ ବିଳମ୍ବ ହୋଇଗଲା। କିନ୍ତୁ ରୁଷ ନିଜ ପ୍ରତିଶ୍ରୁତି ରକ୍ଷା କରିଛି। ଚତୁର୍ଥ ସ୍କ୍ୱାଡ୍ରନ୍ ଏବେ ଭାରତୀୟ ସେନାର ଶକ୍ତି ବଢ଼ାଇବାକୁ ପହଞ୍ଚି ସାରିଛି ଏବଂ ଆଶା କରାଯାଉଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ପଞ୍ଚମ ସ୍କ୍ୱାଡ୍ରନ୍ ମଧ୍ୟ ଭାରତରେ ପହଞ୍ଚିଯିବ। କେବଳ ସେତିକି ନୁହେଁ, ଭାରତର ଆକାଶମାର୍ଗକୁ ସମ୍ପୂର୍ଣ୍ଣ ଅଭେଦ୍ୟ କରିବା ପାଇଁ ଭାରତ ଆଉ ୫ଟି ଅତିରିକ୍ତ S-400 ସିଷ୍ଟମ୍ କିଣିବାକୁ ରୁଷ ସହ ଆଲୋଚନା ଜାରି ରଖିଛି, ଅର୍ଥାତ୍ ଆଗକୁ ଆମ ପାଖରେ ମୋଟ ୧୦ଟି ଏଭଳି ସୁପର ଡିଫେନ୍ସ ସିଷ୍ଟମ୍ ରହିବ।
କାହିଁକି ଏତେ ଘାତକ ଏହି S-400 ସୁଦର୍ଶନ ଚକ୍ର?
ଆସନ୍ତୁ ବୁଝିବା ଏହି S-400 ପ୍ରକୃତରେ କଣ କରିପାରେ। ଏହା କେବଳ ଏକ ମିସାଇଲ୍ ସିଷ୍ଟମ୍ ନୁହେଁ, ଏହା ହେଉଛି ଆକାଶର ଯମଦୂତ।
ସିଷ୍ଟମ୍ ବୈଶିଷ୍ଟ୍ୟ ବିବରଣୀ
ପ୍ରକାର (Type) ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ / ଲଙ୍ଗ୍ ରେଞ୍ଜ୍ SAM
ଉତ୍ପତ୍ତି (Origin) ରୁଷ (Russia)
ଲକ୍ଷ୍ୟ ଭେଦ କ୍ଷମତା (Range) ୪୦୦ କିଲୋମିଟର (400 କିମି)
ଟାର୍ଗେଟ୍ ଟ୍ରାକିଂ (Tracking) ଏକାସଙ୍ଗେ ୧୦୦ରୁ ଅଧିକ ଟାର୍ଗେଟ୍
ଏହାର ଅର୍ଥ ହେଉଛି, ——–ଭାରତୀୟ ସୀମାର ୪୦୦ କିଲୋମିଟର ଦୂରରୁ ଯଦି କୌଣସି ଶତ୍ରୁ ପକ୍ଷର ଡ୍ରୋନ୍, ଯୁଦ୍ଧ ବିମାନ, କ୍ରୁଜ୍ ମିସାଇଲ୍ କିମ୍ବା ବାଲିଷ୍ଟିକ୍ ମିସାଇଲ୍ ଆମ ଆଡ଼କୁ ଆସେ, ତେବେ S-400 ତାର ରାଡାର୍ ସାହାଯ୍ୟରେ ତାକୁ ତୁରନ୍ତ ଚିହ୍ନଟ କରିନେବ। ଯଦି ଶତ୍ରୁ ପକ୍ଷ ଏକାସଙ୍ଗେ ୧୦୦ରୁ ଅଧିକ ଯୁଦ୍ଧ ବିମାନ କିମ୍ବା ଡ୍ରୋନ୍ ସାହାଯ୍ୟରେ ଭାରତ ଉପରେ ବ୍ୟାପକ ଆକ୍ରମଣ କରେ, ତେବେ ଏହି ସିଷ୍ଟମ୍ ସେହି ୧୦୦ରୁ ଅଧିକ ଲକ୍ଷ୍ୟକୁ ଏକାସଙ୍ଗେ ଟ୍ରାକ୍ କରି ତୁରନ୍ତ ତାର ଘାତକ ମିସାଇଲ୍ ଫାୟାର କରି ସେଗୁଡ଼ିକୁ ଆକାଶରେ ହିଁ ମାଟିରେ ମିଶାଇ ଦେବ।
ଆତ୍ମନିର୍ଭର ଭାରତ ଏବେ ସେନାରେ ‘AI’ ଏବଂ ‘ଡ୍ରୋନ୍’ ବିପ୍ଳବ
ରୁଷଠାରୁ ଏହି ଅସ୍ତ୍ର ଆଣିବା ସହ, ଭାରତ ଏବେ ଅନ୍ୟ କାହା ଉପରେ ନିର୍ଭର ନ କରି ନିଜର ଏକ ବିଶାଳ ପ୍ରତିରକ୍ଷା ଇକୋସିଷ୍ଟମ୍ ପ୍ରସ୍ତୁତ କରୁଛି, ଯାହାର ନାଁ ରଖାଯାଇଛି ‘ସୁଦର୍ଶନ ଚକ୍ର’। ଏହି ମେଗା ପ୍ରୋଜେକ୍ଟ ଅଧୀନରେ ଭାରତ ହଜାର ହଜାର ଆଧୁନିକ ଡ୍ରୋନ୍ର ଏକ ବିଶାଳ ଅର୍ଡର ଦେଇଛି, ଯାହା ସୀମାରେ ଦିନରାତି ଜଗି ରହିବେ।
କିନ୍ତୁ ସବୁଠାରୁ ବଡ଼ ଏବଂ ଗୁପ୍ତ ବିପ୍ଳବ ହେଉଛି ଆମ ସେନାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବ୍ୟବହାର। ଆପଣମାନେ ହୁଏତ ଭାବୁଥିବେ ଯୁଦ୍ଧରେ AI ର କାମ କଣ? ଯୁଦ୍ଧ ସମୟରେ ବିଭିନ୍ନ ଦିଗରୁ ଲକ୍ଷ ଲକ୍ଷ ସୂଚନା ବା ଇଣ୍ଟେଲିଜେନ୍ସ ଆସିଥାଏ— ଯେମିତି କି ହ୍ୟୁମାନ ଇଣ୍ଟେଲିଜେନ୍ସ, ସିଗନାଲ୍ ଇଣ୍ଟେଲିଜେନ୍ସ, ସିସିଟିଭି, ସାଟେଲାଇଟ୍ ଡାଟା ଏବଂ ଇଲେକ୍ଟ୍ରୋନିକ ଇଣ୍ଟେଲିଜେନ୍ସ। ଏହି ସବୁ ସୂଚନାକୁ ଏକାଠି କରି ଶତ୍ରୁର ପ୍ରକୃତ ଠିକଣା ଖୋଜିବା ପାଇଁ ସାଧାରଣତଃ ଅଫିସରମାନଙ୍କୁ ସପ୍ତାହ ସପ୍ତାହ ସମୟ ଲାଗିଯାଏ। କିନ୍ତୁ ଭାରତୀୟ ସେନାର ସ୍ୱଦେଶୀ AI ପ୍ଲାଟଫର୍ମ ଏହି ସପ୍ତାହକର କାମକୁ ମାତ୍ର କିଛି ଘଣ୍ଟା ଭିତରେ ଶେଷ କରି ଶତ୍ରୁର ସଠିକ୍ ଲୋକେସନ କମାଣ୍ଡରଙ୍କ ସ୍କ୍ରିନ୍ ଉପରେ ରଖିଦେଉଛି। ନିକଟରେ ଇରାନ ରାଜନୀତିରେ ମଧ୍ୟ ଏହି AI ବହୁତ ବଡ଼ ସଫଳତା ଆଣିଦେଇଥିଲା।
ୟୁକ୍ରେନ ଭଳି ଭୁଲ୍ କରିବନି ଭାରତ: ନିଜ ଲଢ଼େଇ ନିଜେ ଲଢ଼ିବା
ଆଜି ଭାରତ କାହିଁକି ସ୍ୱଦେଶୀ ଜ୍ଞାନକୌଶଳ ଏବଂ ‘ଆତ୍ମନିର୍ଭର ଭାରତ’ ଉପରେ ଏତେ ଜୋର୍ ଦେଉଛି, ତାର ସବୁଠାରୁ ବଡ଼ ଉଦାହରଣ ହେଉଛି ୟୁକ୍ରେନ।
ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ପ୍ରଚୁର ଅସ୍ତ୍ରଶସ୍ତ୍ର ତ ଦେଲେ, କିନ୍ତୁ ସାଙ୍ଗରେ ନିୟମ ବି ଲଦିଦେଲେ ଯେ— ” ୟୁକ୍ରେନ ରୁଷର ୩୦୦ କିଲୋମିଟରରୁ ଅଧିକ ଭିତରକୁ ଆକ୍ରମଣ କରିପାରିବ ନାହିଁ”। କେତେବେଳେ ସେମାନେ ହତିଆର ଦେଉଛନ୍ତି ତ କେତେବେଳେ ପଛକୁ ହଟିଯାଉଛନ୍ତି।
ଯୁଦ୍ଧ ସମୟରେ ଆପଣ କୌଣସି ବାହାର ଦେଶ ଉପରେ ଆଖି ବୁଜି ଭରସା କରିପାରିବେ ନାହିଁ, କାରଣ କାହା ଉପରେ କେତେବେଳେ କଣ ଚାପ ପଡ଼ିବ, ତାହା କେହି କହିପାରିବେ ନାହିଁ। ସେଥିପାଇଁ ଭାରତ ଆଜି ନିଜର ଅସ୍ତ୍ର ନିଜେ ତିଆରି କରୁଛି। S-400 ଆମକୁ ସାମୟିକ ସୁରକ୍ଷା ଦେଉଛି ସତ, କିନ୍ତୁ ଆଗାମୀ ଦିନରେ ଭାରତର ସ୍ୱଦେଶୀ ‘ସୁଦର୍ଶନ ଚକ୍ର’ ହିଁ ଦେଶର ସାର୍ବଭୌମତ୍ୱର ପ୍ରକୃତ ଗ୍ୟାରେଣ୍ଟି ସାଜିବ।
AlsoRead; https://purvapaksa.com/rahul-is-dreaming-of-a-new-dream/
ରାହୁଲ ଦେଖୁଛନ୍ତି ଏକ ନୂଆ ସ୍ୱପ୍ନ! || Rahul is dreaming of a new dream!


