ରାଜନୀତିରେ କୁହାଯାଏ— “କ୍ଷମତା ପାଇବା ଯେତିକି କଷ୍ଟକର,ତା’ଠାରୁ ଅଧିକ କଷ୍ଟକର ହେଉଛି ତାକୁ ବଜାୟ ରଖିବା।” ଏହି କଥାଟି ଏବେ ଅକ୍ଷରେ ଅକ୍ଷରେ ସତ ହୋଇଛି ଜମ୍ମୁ ଓ କଶ୍ମୀରରେ। ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସର ବଡ଼ ନେତା ଓମାର ଅବଦୁଲ୍ଲା…ନିଜର ଦ୍ୱିତୀୟ ବିବାହର ଖୁସି ପାଳୁ ପାଳୁ ଏକ ବଡ଼ ଏବଂ ଅପ୍ରତ୍ୟାଶିତ ରାଜନୈତିକ ଭୂକମ୍ପର ସମ୍ମୁଖୀନ ହୋଇଛନ୍ତି।
ବିବାହର ମାତ୍ର ୪୮ ଘଣ୍ଟା ମଧ୍ୟରେ ତାଙ୍କ ସରକାର ଉପରେ ବିପଦର କଳାବାଦଲ ମାଡ଼ି ଆସିଛି। କେବଳ ସେତିକି ନୁହେଁ, ଦଳ ଭିତରୁ ହିଁ ଉଠିଛି ବିଦ୍ରୋହର ସ୍ୱର। ୨୫ ଜଣ ବିଧାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ଏବଂ ଦଳୀୟ ନେତୃତ୍ୱଙ୍କୁ ଚ୍ୟାଲେଞ୍ଜ କରି ୧୪ ଦିନର ଏକ ଅଲ୍ଟିମେଟମ୍ ଦେଇଛନ୍ତି।
ତେବେ ଏହି ଘଟଣା ପଛର ପ୍ରକୃତ କାହାଣୀ କ’ଣ? କାହିଁକି ହଠାତ୍ ନିଜ ଦଳର ବିଧାୟକମାନେ ଓମାର ଅବଦୁଲ୍ଲାଙ୍କ ବିରୁଦ୍ଧରେ ଠିଆ ହେଲେ? ଆଜିର ଏହି ସ୍ୱତନ୍ତ୍ର ବିଶ୍ଳେଷଣରେ ଆମେ ଏହାର ପୂର୍ଣ୍ଣାଙ୍ଗ ତଥ୍ୟ ଆପଣଙ୍କ ସାମ୍ନାରେ ରଖିବୁ। ଓମାର ଅବଦୁଲ୍ଲାଙ୍କ ବ୍ୟକ୍ତିଗତ ଜୀବନର ଏକ ନୂତନ ଅଧ୍ୟାୟରୁ। ନିକଟରେ ସେ ତାଙ୍କର ଦ୍ୱିତୀୟ ବିବାହ କରିଥିଲେ। ପରିବାର ଏବଂ ସମର୍ଥକମାନେ ଯେତେବେଳେ ଏହି ବିବାହର ଖୁସି ମନାଉଥିଲେ, ସେତେବେଳେ ଜମ୍ମୁ ଓ କଶ୍ମୀରର ରାଜନୈତିକ କରିଡରରେ ଏକ ବଡ଼ ଝଡ଼ ପ୍ରସ୍ତୁତ ହୋଇସାରିଥିଲା।
ବିବାହର ମାତ୍ର ୪୮ ଘଣ୍ଟା ମଧ୍ୟରେ ନ୍ୟାସନାଲ୍ କନଫରେନ୍ସ ଭାଗ ଭାଗ ହେବା ଅବସ୍ଥାକୁ ଚାଲିଆସିଛି। ଦଳର ମୋଟ ୨୫ ଜଣ ବିଧାୟକ ଏକାଠି ହୋଇ ସରକାରଙ୍କ କାର୍ଯ୍ୟଶୈଳୀ ଓ ନେତୃତ୍ୱ ବିରୁଦ୍ଧରେ ସ୍ୱରୋତ୍ତୋଳନ କରିଛନ୍ତି। ସେମାନଙ୍କର ସ୍ପଷ୍ଟ ଚେତାବନୀ ରହିଛି— ଯଦି ଆଗାମୀ ୧୪ ଦିନ ଭିତରେ ସରକାର ଓ ଦଳୀୟ ନୀତିରେ ବ୍ୟାପକ ପରିବର୍ତ୍ତନ ନ କରାଯାଏ, ତେବେ ସେମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେବେ।
ଏହି ବିଦ୍ରୋହ କେବଳ ଓମାର ଅବଦୁଲ୍ଲାଙ୍କୁ ନୁହେଁ, ବରଂ ତାଙ୍କ ବାପା ତଥା ଦଳର ସର୍ବୋଚ୍ଚ ନେତା ଫାରୁକ ଅବଦୁଲ୍ଲାଙ୍କୁ ମଧ୍ୟ ଗଭୀର ଚିନ୍ତାରେ ପକାଇ ଦେଇଛି। ପିତା ଓ ପୁତ୍ରଙ୍କ ଯୋଡ଼ି ଯେଉଁ ଦଳକୁ ଏତେ ବର୍ଷ ଧରି ସୁରକ୍ଷା ଦେଇଆସିଥିଲେ, ଆଜି ସେହି ଦଳ ଭିତରୁ ହିଁ ସବୁଠୁ ବଡ଼ ବିପଦ ଆସିଛି।
ଏହି ୨୫ ଜଣ ବିଧାୟକଙ୍କ ପ୍ରକୃତ ଦାବି କ’ଣ? ସେମାନେ କାହିଁକି ଏତେ କ୍ରୋଧିତ?
ଆମ ପାଖରେ ଥିବା ରିପୋର୍ଟ ଅନୁଯାୟୀ, ଏହି ବିଦ୍ରୋହୀ ବିଧାୟକମାନେ ୪ଟି ପ୍ରମୁଖ ଦାବି ଆଗତ କରିଛନ୍ତି:
1. ମନ୍ତ୍ରୀମଣ୍ଡଳରେ ଆମୂଳଚୂଳ ପରିବର୍ତ୍ତନ:
ବିଧାୟକମାନଙ୍କର ପ୍ରଥମ ଏବଂ ସବୁଠାରୁ ବଡ଼ ଦାବି ହେଉଛି— ବର୍ତ୍ତମାନର ସମସ୍ତ ମନ୍ତ୍ରୀଙ୍କୁ ବାହାର କରାଯାଉ ଏବଂ ସେମାନଙ୍କ ସ୍ଥାନରେ ନୂତନ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତାମାନଙ୍କୁ ମଧ୍ୟ ତୁରନ୍ତ ପଦରୁ ହଟାଇବାକୁ ସେମାନେ ଦାବି କରିଛନ୍ତି।
2. ସ୍ୱଚ୍ଛତା ଓ ଦକ୍ଷତା:
ନୂତନ ମନ୍ତ୍ରୀ ଚୟନ ପ୍ରକ୍ରିୟାରେ କୌଣସି ପକ୍ଷପାତିତା ରହିବ ନାହିଁ। କେବଳ ‘ଦକ୍ଷତା’କୁ ମାପକାଠି କରାଯାଉ ଏବଂ ଏହି ସମାଗ୍ର ପ୍ରକ୍ରିୟାକୁ ସ୍ୱଚ୍ଛ ରଖାଯାଉ ବୋଲି ସେମାନେ କହିଛନ୍ତି। କୌଣସି ନିର୍ଦ୍ଦିଷ୍ଟ ଗ୍ରୁପ୍ ବା ଗୋଷ୍ଠୀ ନିଜ ଇଚ୍ଛାରେ ମନ୍ତ୍ରୀ ଚୟନ କରନ୍ତୁ ନାହିଁ, ବରଂ ଶୀର୍ଷ ନେତୃତ୍ୱ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
3. ଧାରା ୩୭୦ ଓ ୩୫-ଏ ର ପୁନରୁଦ୍ଧାର:
ଏହା ହେଉଛି ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ। ବିଦ୍ରୋହୀମାନେ ଦଳର ବୈଚାରିକ ପ୍ରତିବଦ୍ଧତା ଏବଂ ନିର୍ବାଚନୀ ଇସ୍ତାହାର (Manifesto)କୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଜମ୍ମୁ ଓ କଶ୍ମୀରରୁ ଉଚ୍ଛେଦ ହୋଇଥିବା ଧାରା ୩୭୦, ଧାରା ୩୫-ଏ ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ। ଏହି ପ୍ରସଙ୍ଗରେ କୌଣସି ପ୍ରକାରର ବୁଝାମଣା (Compromise) ଦଳୀୟ କର୍ମୀ ଓ ଜନତାଙ୍କ ସହ ବିଶ୍ୱାସଘାତକତା ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
4. କେନ୍ଦ୍ର ସରକାରଙ୍କ ସାମ୍ନାରେ ଦୃଢ଼ ସ୍ୱର:
ବିଧାୟକମାନେ ଚାହୁଁଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କ ନିକଟରେ ଏହି ସାମ୍ବିଧାନିକ ଦାବିଗୁଡ଼ିକୁ ଅତି ଦୃଢ଼ତାର ସହିତ ଉପସ୍ଥାପନ କରନ୍ତୁ ଏବଂ ପଛକୁ ହଟନ୍ତୁ ନାହିଁ।
ଏହି ବିଦ୍ରୋହ କେବଳ ୨୫ ଜଣ ବିଧାୟକଙ୍କ ଭିତରେ ସୀମତ ନାହିଁ। ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି ଶ୍ରୀନଗରର ପ୍ରଭାବଶାଳୀ ସାଂସଦ ଆଗା ସୟଦ ରୁହୁଲ୍ଲା ମେହନ୍ଦୀଙ୍କ ଘୋଷଣା ଦ୍ୱାରା।
ରୁହୁଲ୍ଲା ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ଯେ ସେ ଆସନ୍ତା ନଭେମ୍ବର ୩ ତାରିଖରେ ନ୍ୟାସନାଲ୍ କନ୍ଫରେନ୍ସରୁ ଏବଂ ତାଙ୍କ ଲୋକସଭା ଆସନରୁ ଇସ୍ତଫା ଦେବେ। ତାଙ୍କ ଅଭିଯୋଗ ହେଲା— ଦଳର ଶୀର୍ଷ ନେତୃତ୍ୱ ନିର୍ବାଚନ ସମୟରେ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଆଜି ସରକାରକୁ ଆସିବା ପରେ ସେଗୁଡ଼ିକରୁ ଓହରି ଯାଉଛନ୍ତି। ଜମ୍ମୁ ଓ କଶ୍ମୀରର ସାମ୍ବିଧାନିକ ପରିବର୍ତ୍ତନ ବିରୁଦ୍ଧରେ ଯେଉଁ ଲଢ଼େଇ ହେବା କଥା, ତାହା ଦୁର୍ବଳ ହୋଇଯାଉଛି।
ଯଦି ଜଣେ ସାଂସଦ ଏପରି ପଦକ୍ଷେପ ନିଅନ୍ତି, ତେବେ ଏହା ଦଳ ଭିତରେ ଚାଲିଥିବା ଅସନ୍ତୋଷର ଗଭୀରତାକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ପକାଇବା ଜମ୍ମୁ ଓ କଶ୍ମୀର ବିଧାନସଭାର ଗଣିତ ଉପରେ ଏବଂ ଦେଖିବା ଯେ ଓମାର ଅବଦୁଲ୍ଲା ସରକାର କେତେ ସୁରକ୍ଷିତ କିମ୍ବା ବିପଦରେ ଅଛନ୍ତି।
• ଜମ୍ମୁ ଓ କଶ୍ମୀର ବିଧାନସଭାର ମୋଟ ଆସନ ସଂଖ୍ୟା: ୯୦
• ନ୍ୟାସନାଲ୍ କନଫରେନ୍ସ (NC) ପାଖରେ ଅଛନ୍ତି: ୪୧ ଜଣ ବିଧାୟକ
• ସରକାର ଗଠନ ପାଇଁ ସହଯୋଗୀ: କଂଗ୍ରେସର ୬ ଜଣ, ସିପିଆଇ(ଏମ୍)ର ୧ ଜଣ ଏବଂ ୬ ଜଣ ସ୍ୱାଧୀନ ବିଧାୟକ।
ଗଣିତଟି ବହୁତ ସ୍ପଷ୍ଟ: ଯଦି NCର ନିଜ ଦଳର ୨୫ ଜଣ ବିଧାୟକ ବିଦ୍ରୋହ କରି ସମର୍ଥନ ପ୍ରତ୍ୟାହାର କରିନିଅନ୍ତି, ତେବେ ସରକାର ପାଖରେ ଆଉ ବହୁମତ ରହିବ ନାହିଁ। ମାତ୍ର ୧୪ ଦିନର ସମୟସୀମା ଭିତରେ ଯଦି ଏହି ଅସନ୍ତୋଷକୁ ପ୍ରଶମିତ କରାନଯାଏ, ତେବେ ଓମାର ଅବଦୁଲ୍ଲାଙ୍କ ସରକାର ଭୁଶୁଡ଼ି ପଡ଼ିବା ନିଶ୍ଚିତ ପ୍ରାୟ।
ଏହି ସମଗ୍ର ପରିସ୍ଥିତିରୁ ଗୋଟିଏ କଥା ସ୍ପଷ୍ଟ— ଓମାର ଅବଦୁଲ୍ଲାଙ୍କ ପାଇଁ ଏହା ଏକ ଅଗ୍ନିପରୀକ୍ଷା। ଗୋଟିଏ ପଟେ ବ୍ୟକ୍ତିଗତ ଜୀବନର ନୂତନ ଆରମ୍ଭ ଏବଂ ଅନ୍ୟପଟେ ରାଜନୈତିକ ସିଂହାସନର ମହାସଙ୍କଟ। ୧୪ ଦିନର ଅଲ୍ଟିମେଟମ୍ ଶେଷ ହେବା ପୂର୍ବରୁ ଫାରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା କିପରି ଏହି ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନୋନୀତ କରୁଛନ୍ତି ଏବଂ ସମାଧାନର ସୂତ୍ର ବାହାର କରୁଛନ୍ତି I
also read
5 US military bases near India’s border! II ଭାରତ ସୀମା ନିକଟରେ ଆମେରିକାର ୫ ସୈନ୍ୟ ଅଡ୍ଡା!
https://purvapaksa.com/5-us-military-bases-near-indias-border/


