ଓଡ଼ିଶାର ଦକ୍ଷିଣାଞ୍ଚଳର କିଛି ଜିଲ୍ଲାରେ—ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ ମାଲକାନଗିରିରେ—ଯେଉଁ ଭୟଙ୍କର ପ୍ରାକୃତିକ ଦୁର୍ବର୍ଷତା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା, ଯେଉଁଠି ଲୋକଙ୍କ ଘରଦ୍ୱାର ଭାଙ୍ଗିଲା, ଧନଜୀବନ ନଷ୍ଟ ହେଲା—ତା’ ପାଇଁ ପ୍ରକୃତରେ ଦାୟୀ କିଏ?
ଆମେ କ’ଣ ପ୍ରତିଟି ଦୈବୀଦୁର୍ବିପାକ ପାଇଁ କେବଳ ଇନ୍ଦ୍ରଦେବତା ବା ପ୍ରକୃତିକୁ ଦୋଷ ଦେଇ ଚୁପ୍ ରହିଯିବା? କିନ୍ତୁ ପ୍ରଶ୍ନ ଉଠୁଛି, ପ୍ରକୃତିର ପ୍ରକୋପ ଅପେକ୍ଷା ଆମର ପ୍ରଶାସନିକ ଅବହେଳା, ଭୁଲ୍ ଜଳ ପରିଚାଳନା ଏବଂ କିଛି ବ୍ୟକ୍ତିଙ୍କ କ୍ଷମତାଲୋଭୀ ଷଡ଼ଯନ୍ତ୍ର ଏଥିପାଇଁ ଅଧିକ ଦାୟୀ ନୁହେଁ କି?
ପ୍ରକୃତିକୁ ଦୋଷ ଦେବା କେତେଦୂର ଯୁକ୍ତିଯୁକ୍ତ?
ଯେତେବେଳେ ବି କୌଣସି ବଡ଼ ବିପର୍ଯ୍ୟୟ ଆସେ, ସରକାରୀ ସ୍ତରରୁ ଏବଂ ବିଭିନ୍ନ ମହଲରୁ ସହଜରେ ଗୋଟିଏ କଥା କହିଦିଆଯାଏ—”ବର୍ଷା ବହୁତ ବେଶି ହେଲା, ବାତ୍ୟା ଆସିଲା, ତେଣୁ କ୍ଷତି ଅନିବାର୍ଯ୍ୟ ଥିଲା।” କିନ୍ତୁ ପ୍ରଶ୍ନ ହେଉଛି, ଏହା କେତେଦୂର ଯୁକ୍ତିଯୁକ୍ତ?
ଟିକେ ପଛକୁ ଫେରି ଚିନ୍ତା କରନ୍ତୁ, ଯେତେବେଳେ ଭୟଙ୍କର ‘ତିତିଲି’ ବାତ୍ୟା ଆସିଥିଲା, ସେତେବେଳେ ଗଜପତି ଜିଲ୍ଲାରେ କ’ଣ ହୋଇଥିଲା? ସେତେବେଳେ ପ୍ରାୟ ୪୦୦ ରୁ ୪୫୦ ମିଲିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା ଏବଂ ବହୁତ ଲୋକ ଜୀବନ ହରାଇଥିଲେ। ସେହି ଅଭିଜ୍ଞତାରୁ ପ୍ରଶାସନ ଶିକ୍ଷାଲାଭ କରିବା କଥା। କିନ୍ତୁ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ ଆମର ସାଙ୍ଗଠିତ ମ୍ୟାନେଜମେଣ୍ଟ ବା ପରିଚାଳନା କେଉଁଠି ନା କେଉଁଠି ସମ୍ପୂର୍ଣ୍ଣ ଫେଲ୍ ମାରିଛି କି ନାହିଁ, ତାହା ଆଜିର ସବୁଠୁ ବଡ଼ ପ୍ରଶ୍ନ।
ଆଇଏମଡିର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ବାରମ୍ବାର ସତର୍କ କରୁଥିଲେ ଯେ ଦକ୍ଷିଣ ଓଡ଼ିଶାର ୩ ରୁ ୪ଟି ଜିଲ୍ଲାରେ ୩୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ସରକାର ମଧ୍ୟ ଏହି ପୂର୍ବାନୁମାନ ସମ୍ପୂର୍ଣ୍ଣ ଜାଣିଥିଲେ। କିନ୍ତୁ ଯେତେବେଳେ ଲ୍ୟାଣ୍ଡଫଲ୍ ହେବାର ଥିଲା, ସେତେବେଳେ ପ୍ରକୃତି ଆମକୁ ପ୍ରାୟ ୬ ଘଣ୍ଟାର ଏକ ଅତିରିକ୍ତ ସମୟ ଦେଇଥିଲା—ଅର୍ଥାତ୍ ଏହି ସମୟ ମଧ୍ୟରେ ଆମେ ଆମର ‘କୋର୍ସ କରିକ୍ସନ୍’ ବା ପ୍ରସ୍ତୁତିକୁ ଆହୁରି ସୁଧାରି ପାରିଥା’ନ୍ତୁ। କିନ୍ତୁ ଆମେ କ’ଣ କଲୁ? କେବଳ ‘ଜିରୋ କାଜୁଆଲ୍ଟି’ ବା ଶୂନ୍ୟ ମୃତ୍ୟୁହାରର ବଡ଼ ବଡ଼ ସ୍ଲୋଗାନ୍ ଦେଇ ନୀରବ ସରକାର ଓ ସକାରୀ କଳ ରହିଗଲା କି? ପ୍ରକୃତି ଆମକୁ ସତର୍କ କରିବାର ଯଥେଷ୍ଟ ସୁଯୋଗ ଦେଇଥିଲେ ମଧ୍ୟ ଆମର ପ୍ରଶାସନିକ ବ୍ୟବସ୍ଥା କାହିଁକି ଶୋଇ ରହିଲା?
ପ୍ରଶାସନିକ ଅବହେଳା ଏବଂ ଅଧିକାରୀଙ୍କ ଭୂମିକା
ଏହି ସମଗ୍ର ବିପର୍ଯ୍ୟୟ ପରିଚାଳନାରେ ପ୍ରକୃତରେ ଦାୟୀ କିଏ? ଆସନ୍ତୁ ନଜର ପକାଇବା ସେହି ପ୍ରମୁଖ ଅଧିକାରୀମାନଙ୍କ ଉପରେ, ଯଉମାନେ ଏହି ପରିଚାଳନାର ମେରୁଦଣ୍ଡ ଥିଲେ। ସେମାନଙ୍କ ଭିତରେ ଏସ୍.ଆର୍.ସି. ରାଜେଶ ପ୍ରଭାକର ପାଟିଲ୍ ଏବଂ ଅନ୍ୟାନ୍ୟ ବଡ଼ ଅଧିକାରୀମାନଙ୍କ କାର୍ଯ୍ୟଶୈଳୀକୁ ନେଇ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଟିକେ ୨୦୧୩ ମସିହାର କଥାକୁ ମନେ ପକାନ୍ତୁ। ଯେତେବେଳେ ରାଜେଶ ପ୍ରଭାକର ପାଟିଲ୍ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଥିଲେ, ସେତେବେଳେ ମଧ୍ୟ ବନ୍ୟା ଓ ବାତ୍ୟା ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଆଜି ଯେତେବେଳେ ଏତେ ବଡ଼ ବର୍ଷା ଓ ବନ୍ୟାର ଆଶଙ୍କା ପୂର୍ବରୁ ସ୍ପଷ୍ଟ ଥିଲା, ସେତେବେଳେ ସଠିକ୍ ଜଳ ପରିଚାଳନା ଏବଂ ଡ୍ୟାମଗୁଡ଼ିକରୁ ସମୟୋଚିତ ପାଣି ଛାଡ଼ିବା ନେଇ ଯେଉଁ ଦୂରଦୃଷ୍ଟି ଆବଶ୍ୟକ ଥିଲା, ତାହା କେଉଁଠି ନା କେଉଁଠି ବହୁ ପରିମାଣରେ ଅଭାବ ଦେଖାଦେଲା।
ଏହା ସହିତ ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଦିଲ୍ଲୀପ ରାଉତ ଏବଂ ବିଭାଗୀୟ ସଚିବ ଶୋଭା ଶର୍ମାଙ୍କ ଭୂମିକା ମଧ୍ୟ ଏଠାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଯେତେବେଳେ ଆଗରୁ ଜଣାଥିଲା ଯେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, ସେତେବେଳେ ଜଳଭଣ୍ଡାର ବା ଡ୍ୟାମ୍ ଗୁଡ଼ିକରୁ ଆଗରୁ ପର୍ଯ୍ୟାପ୍ତ ପାଣି ନିଷ୍କସନ କରାଗଲା ନାହିଁ କାହିଁକି? ଯେତେବେଳେ ହଠାତ୍ ପ୍ରଚଣ୍ଡ ବର୍ଷା ହେଲା, ସେତେବେଳେ ମାଟିର ଜଳ ଧାରଣ କ୍ଷମତା ସମ୍ପୂର୍ଣ୍ଣ ଶେଷ ହୋଇଗଲା। ମାଟି ଅଧିକ ପାଣି ଶୋଷି ନ ପାରିବାରୁ ସେହି ପ୍ରଚଣ୍ଡ ଜଳରାଶି ସିଧାସଳଖ ଗାଁ, ସହର ଏବଂ ରାସ୍ତାଘାଟକୁ ମାଡ଼ିଆସିଲା, ଯାହା ଫଳରେ ଧନଜୀବନର ପ୍ରବଳ କ୍ଷତି ଘଟିଲା।
ରାଜନୈତିକ ଷଡ଼ଯନ୍ତ୍ର ଏବଂ ବିଜେଡି ଇକୋସିଷ୍ଟମର ଚର୍ଚ୍ଚା
ଏଠାରେ ଏକ ବଡ଼ ସନ୍ଦେହ ଏବଂ ଚର୍ଚ୍ଚା ସୃଷ୍ଟି ହେଉଛି। ଏହି ସମସ୍ତ ପ୍ରମୁଖ ଅଧିକାରୀମାନେ ହେଉଛନ୍ତି ପୂର୍ବତନ ବିଜେଡି ଶାସନ ଅମଳର ସବୁଠୁ ପ୍ରଭାବଶାଳୀ ଅଧିକାରୀ। ଏମାନେ ଏପରି ଏକ ବ୍ୟବସ୍ଥାରେ ଅଭ୍ୟସ୍ତ,ଯେଉଁମାନେ ସରକାର କହିଲେ କେବଳ ଗୋଟିଏ ଦଳ ଅର୍ଥାତ୍ ବିଜେଡିକୁ ହିଁ ବୁଝନ୍ତି।
ତେଣୁ ବର୍ତ୍ତମାନର ସରକାରକୁ ଅପାରଗ ପ୍ରମାଣିତ କରିବା ପାଇଁ ଏବଂ ପୁଣିଥରେ ସେହି ପୁରୁଣା ବିଜେଡି ଶାସନକୁ ଫେରାଇ ଆଣିବା ପାଇଁ ଏହି ଅଧିକାରୀମାନଙ୍କ ମଧ୍ୟରେ କୌଣସି ଆଭ୍ୟନ୍ତରୀଣ ଷଡ଼ଯନ୍ତ୍ର ରହିଥିଲା କି? ଏହା ଆଜି ସାଧାରଣ ଜନତାଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଯେତେବେଳେ ପ୍ରଶାସନର ଶୀର୍ଷରେ ଥିବା ଲୋକମାନେ ସଠିକ୍ ସମୟରେ ପଦକ୍ଷେପ ନ ନିଅନ୍ତି, ସେତେବେଳେ ଏଭଳି ସନ୍ଦେହ ଜନ୍ମ ନେବା ସ୍ୱାଭାବିକ କଥା।
ଭୂସ୍ଖଳନ ଏବଂ ଟେବୁଲ୍ ରିଭ୍ୟୁ ସଂସ୍କୃତି
ଗଜପତି, ଗଞ୍ଜାମ ଏବଂ ରାୟଗଡ଼ା ପରି ଜିଲ୍ଲାଗୁଡ଼ିକରେ କେବଳ ବନ୍ୟା ପାଣିର ପ୍ରକୋପ ଦେଖିବାକୁ ମିଳିଲା ନାହିଁ, ବରଂ ପାହାଡ଼ ଧସିବାର ଭୟଙ୍କର ସମସ୍ୟା ମଧ୍ୟ ଦେଖାଦେଲା। ପାହାଡ଼ଗୁଡ଼ିକ ପ୍ରବଳ ବର୍ଷାଜଳରେ ଭିଜିଯାଇ ଭୂସ୍ଖଳନ ଘଟିଲା। ଯଦି ପ୍ରଶାସନ ଆଗରୁ ସତର୍କ ରହିଥା’ନ୍ତା ଏବଂ ପାହାଡ଼ କଡ଼ରେ କିମ୍ବା ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଗରୀବ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଗରୁ ସ୍ଥାନାନ୍ତରିତ କରିଥା’ନ୍ତା, ତେବେ ଏତେ ବଡ଼ କ୍ଷତିରୁ ବହୁ ଧନଜୀବନକୁ ରକ୍ଷା କରାଯାଇ ପାରିଥାନ୍ତା।
କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର କଥା, ଆମର ଅଧିକାରୀ ଏବଂ କିଛି ମନ୍ତ୍ରୀମାନେ କେବଳ ଏୟାର-କଣ୍ଡିସନ୍ଡ୍ ରୁମ୍ରେ ବସି ‘ଟେବୁଲ୍ ରିଭ୍ୟୁ’ ଏବଂ ପ୍ରେସ୍ କନ୍ଫରେନ୍ସ କରିବାରେ ବ୍ୟସ୍ତ ରହିଲେ। ଗ୍ରାଉଣ୍ଡ୍ ରିଅଲିଟି ବା ପ୍ରକୃତ ମାଟିର ଅବସ୍ଥା କ’ଣ ଅଛି, ଆନ୍ଧ୍ର ମାଟିରେ ଲୋକମାନେ କିପରି ଅଛନ୍ତି, ତାହା ବୁଝିବା ପାଇଁ ଯେଉଁ ମାଟି ସ୍ତରର କାମ ଏବଂ ସକ୍ରିୟତା ଦରକାର, ତାହା ସେତେ ଜୋରସୋରରେ ଦେଖିବାକୁ ମିଳିଲା ନାହିଁ।
‘ରିଲ୍ସ କଲ୍ଚର’ ଏବଂ ଖଲ୍ଲିକୋଟର ପ୍ରକୃତ ଚିତ୍ର
ଆଜିକାଲିର ନେତାମାନଙ୍କ ‘ରିଲ୍ସ କଲ୍ଚର’ ଏବଂ କେବଳ ପ୍ରଚାର ସର୍ବସ୍ୱ କାମ! ଆପଣମାନେ ଖଲ୍ଲିକୋଟରେ କ’ଣ ଘଟିଛି ତାହା ସୋସିଆଲ ମିଡିଆ ଏବଂ ଖବର କାଗଜରେ ନିଶ୍ଚୟ ଦେଖିଥିବେ। ସେଠାରେ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ସେଠାକାର ସାଧାରଣ ଜନତାଙ୍କ ଜଳଜଳ କ୍ରୋଧ ଏବଂ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଲା।
ଯେତେବେଳେ ସାଧାରଣ ଲୋକମାନେ ପାଣି, ବିଜୁଳି, ଖାଦ୍ୟ ଏବଂ ସେମାନଙ୍କର ଅନୁଭୂତ ଦୁର୍ଦଶା ନେଇ ପ୍ରଶ୍ନ ପଚାରିଲେ, ସେତେବେଳେ କିଛି ମନ୍ତ୍ରୀ କିମ୍ବା ନେତାଙ୍କ ଆଚରଣ କିପରି ଥିଲା? ଆଜିକାଲି ପ୍ରକୃତ ସମସ୍ୟା ସମାଧାନ କରିବା ଅପେକ୍ଷା କିଛି ନେତା ଏବଂ ସେମାନଙ୍କର ସୋସିଆଲ ମିଡିଆ ଟିମ୍ ସହିତ ଯାଇ କେବଳ ‘ଫଟୋ ସୁଟ୍’ ଏବଂ ‘ରିଲ୍ସ’ ବନାଇବାରେ ବ୍ୟସ୍ତ ରହୁଛନ୍ତି। ଫ୍ୟାନ୍ସି ପୋଷାକ ପିନ୍ଧି, ବିପର୍ଯ୍ୟୟର ଏହି ଦୁର୍ଦ୍ଦିନରେ ମଧ୍ୟ କିପରି ଭିଡିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ୍ କରାଯିବ, ସେଥିରେ ସେମାନଙ୍କର ଅଧିକ ନିଶା ରହିଛି।
କିନ୍ତୁ ଜନସାଧାରଣ ଆଜି ବହୁତ ସଚେତନ। ଲୋକମାନେ ଯେତେବେଳେ ଦୁଃଖ ଓ ଅସୁବିଧାରେ ଥା’ନ୍ତି, ସେତେବେଳେ ଯଦି ଆପଣ କେବଳ ପ୍ରଚାର ପାଇଁ ଅଭିନୟ କରିବେ, ତେବେ ଜନସାଧାରଣଙ୍କ ଆକ୍ରୋଶରୁ କେହି ମଧ୍ୟ ରକ୍ଷା ପାଇପାରିବେ ନାହିଁ। ମନ୍ତ୍ରୀ ଓ ବିଧାୟକମାନଙ୍କ କାମ ହେଉଛି ଲୋକଙ୍କ କଥା ଶୁଣିବା, ସେମାନଙ୍କୁ ଆଶ୍ୱସନା ଦେବା ଏବଂ ଗ୍ରାଉଣ୍ଡରେ ଉପସ୍ଥିତ ରହି କାମ କରିବା, କିନ୍ତୁ କ୍ୟାମେରା ଆଗରେ ପୋଜ୍ ଦେବା ନୁହେଁ। ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ କ୍ଷେତ୍ରରେ ଯାହା ଘଟିଲା, ତାହା ସମସ୍ତ ନେତାମାନଙ୍କ ପାଇଁ ଏକ ବଡ଼ ଚେତାବନୀ ଅଟେ।
ସମୟ ଆସିଛି ଆମ ସମସ୍ତଙ୍କୁ—ବିଶେଷକରି ପ୍ରଶାସନ ଓ ଶାସକବର୍ଗଙ୍କୁ—ଗଭୀର ଭାବରେ ଆତ୍ମସମୀକ୍ଷା କରିବାର। ପ୍ରକୃତିର କୋପକୁ ଆମେ ସମ୍ପୂର୍ଣ୍ଣ ଭାବେ ରୋକି ପାରିବା ନାହିଁ, କିନ୍ତୁ ଯେଉଁ ମନୁଷ୍ୟକୃତ ଭୁଲ୍, ଖରାପ ଜଳ ପରିଚାଳନା ଏବଂ ପ୍ରଶାସନିକ ଅବହେଳା ଯୋଗୁଁ କ୍ଷତିର ପରିମାଣ ବହୁଗୁଣିତ ହେଉଛି, ତାକୁ ନିଶ୍ଚୟ ନିୟନ୍ତ୍ରଣ କରାଯାଇପାରିବ।
ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ସ୍ତରରେ ଏହି ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଏବଂ ଦାୟିତ୍ୱବୋଧ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ଯେଉଁମାନେ ଉଚ୍ଚ ପଦବୀରେ ରହି ଦାୟିତ୍ୱ ତୁଲାଉଛନ୍ତି, ସେମାନେ ଯଦି ଠିକ୍ ସମୟରେ ସଠିକ୍ ଓ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ନ ନିଅନ୍ତି, ତେବେ ସାଧାରଣ ଜନତାଙ୍କୁ ଏହିପରି ଅହେତୁକ ଦୁର୍ଦଶା ଭୋଗିବାକୁ ପଡ଼ୁଥିବ।
also read
https://purvapaksa.com/check-todays-rates-before-buying-gold-what-is-the-price/


