ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯେଉଁ ସୀମା ରହିଛି—ଯାହାକୁ ଆଫଗାନ୍ ଏବଂ ପାଟୁନ୍ ମାନେ ମାନନ୍ତି ନାହିଁ, କିନ୍ତୁ ପାକିସ୍ତାନ ଯାହାକୁ ‘ଡୁରଣ୍ଡ ଲାଇନ୍’ ବୋଲି କହିଥାଏ—ସେଠାରେ ପୁଣି ଥରେ ନିଆଁ ଲାଗିଯାଇଛି। ତୋରଖାମ ଏବଂ ଅଙ୍ଗୁର ଅଡ୍ଡା ଭଳି ଦୁଇଟି ପ୍ରମୁଖ ସ୍ଥାନରେ ଏକାଧିକ ସ୍ଥାନରେ ଗୁଳିବିନିମୟ ହୋଇଛି।
ଏହାର ପରିଣାମସ୍ୱରୂପ ପାକିସ୍ତାନୀ ଫୌଜ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇପଡ଼ିଛି ଏବଂ କହିଛି ଯେ, “ଆମ ପାଖରେ ସେହି କ୍ଷମତା ଅଛି, ଯାହାଦ୍ୱାରା ଆମେ ତୁମକୁ ଏମିତି ଜବାବ ଦେବୁ ଯେ ତୁମେ ମନେ ରଖିବ!” କିନ୍ତୁ ପ୍ରଶ୍ନ ଉଠୁଛି, ପାକିସ୍ତାନ ହଠାତ୍ ଏତେ ପରିମାଣରେ ଚିନ୍ତିତ କାହିଁକି ହୋଇପଡ଼ିଛି? ଖୈବର ପଖତୁନଖ୍ୱା ଏବଂ ବଲୁଚିସ୍ତାନକୁ ନେଇ ପାକିସ୍ତାନର ଏତେ ବଡ଼ ମୁଣ୍ଡବିନ୍ଧା କାହିଁକି?
ପାକିସ୍ତାନର ସବୁବେଳେ ଗୋଟିଏ ଅଭ୍ୟାସ ରହିଛି—ଯେତେବେଳେ ନିଜ ଦେଶରେ କିଛି ସମସ୍ୟା ଉପୁଜେ, ସେତେବେଳେ ସେମାନେ ଅନ୍ୟମାନଙ୍କୁ ଦୋଷ ଦେବା ଆରମ୍ଭ କରିଦିଅନ୍ତି। ପାକିସ୍ତାନ ଏହା କହିବାକୁ ଲାଗିଲା ଯେ ଆଫଗାନିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଛି। କିନ୍ତୁ ପ୍ରକୃତ କଥା ହେଉଛି, ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ବିଫଳତାକୁ ଲୁଚାଇବା ପାଇଁ ଏସବୁ କହୁଛି।
ଆମେ ଯଦି ଇତିହାସକୁ ଦେଖିବା, ତେବେ ‘ତହରିକ-ଏ-ତାଲିବାନ ପାକିସ୍ତାନ’ ବା TTP ୨୦୦୮ ମସିହାରେ ଗଠିତ ହୋଇଥିଲା । ତେଣୁ ଗତ ୧୮ ବର୍ଷ ଧରି ଏହି ସଂଗଠନ ପାକିସ୍ତାନ ଭିତରେ କ୍ରମାଗତ ଭାବେ ଆକ୍ରମଣ କରିଆସୁଛି। କିନ୍ତୁ ଦୁଇ-ତିନି ବର୍ଷ ପୂର୍ବ ପର୍ଯ୍ୟନ୍ତ ପାକିସ୍ତାନ କେବେହେଲେ ଏହା କହି ନଥିଲା ଯେ ଆଫଗାନିସ୍ତାନ ଭିତରେ ଥିବା ତାଲିବାନ ଏହାର ମୂଳ କାରଣ । ୧୯୭୦ ଓ ୮୦ ଦଶକରେ ଯେଉଁ ଆଫଗାନ ଶରଣାର୍ଥୀମାନେ ପାକିସ୍ତାନକୁ ଆସିଥିଲେ, ସେତେବେଳେ ପାକିସ୍ତାନ ସେମାନଙ୍କୁ ବାହାର କରି ନଥିଲା। କିନ୍ତୁ ଆଜି ହଠାତ୍ ଲକ୍ଷାଧିକ ଆଫଗାନୀଙ୍କୁ ବାହାର କରିବାର ଖୁଜଲି କାହିଁକି ହେଉଛି?
ପାକିସ୍ତାନ ସେନାର ରଣନୀତି ସମ୍ପର୍କରେ ଜଣେ ବିଶ୍ୱଜ୍ଞ ବହୁତ ସୁନ୍ଦର କଥା କହିଥିଲେ—”ପାକିସ୍ତାନୀ ସେନା ଟ୍ୟାକ୍ଟିକାଲି ବ୍ରିଲିୟଣ୍ଟ ଏବଂ ଷ୍ଟ୍ରାଟେଜିକାଲି ଷ୍ଟୁପିଡ୍।” ଅର୍ଥାତ୍ ସେମାନେ କ୍ଷଣିକ ଲାଭ ଦେଖିପାରନ୍ତି, କିନ୍ତୁ ଭବିଷ୍ୟତର ବଡ଼ କ୍ଷତିକୁ ବୁଝିପାରନ୍ତି ନାହିଁ। ଆଜିର ଏହି ପୂରା ବିବାଦର ମୂଳ କାରଣ ହେଉଛି CPECର ବୁଡ଼ିଯିବା। ପାକିସ୍ତାନ ସେନା ବଲୁଚ୍ ସ୍ୱାଧୀନତା ଯୋଦ୍ଧାମାନଙ୍କୁ ଦମନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପାକିସ୍ତାନ ବିଶ୍ୱବ୍ୟାପୀ ବଡ଼ ବଡ଼ ଦାବି କରିଥିଲା ଯେ ସେମାନେ ସବୁକିଛି ନିୟନ୍ତ୍ରଣ କରିଦେବେ, କିନ୍ତୁ ଯେତେବେଳେ ଚୀନ୍ ଇଞ୍ଜିନିୟରମାନଙ୍କୁ ବଲୁଚ୍ ବିଦ୍ରୋହୀମାନେ ଟାର୍ଗେଟ୍ କରିବାକୁ ଲାଗିଲେ, ସେତେବେଳେ CPEC ପ୍ରକଳ୍ପରେ ବାଧା ସୃଷ୍ଟି ହେଲା।
ତେବେ ଗିଲଗିଟ୍-ବାଲ୍ଟିସ୍ତାନର ଉପର ଭାଗରେ ଏକ ସଂକୀର୍ଣ୍ଣ ଭୂମି ରହିଛି, ଯାହାକୁ ‘ୱାଖାନ୍ କରିଡର’ କୁହାଯାଏ। ଏହି ବଖାନ୍ କରିଡରରେ ଆଫଗାନିସ୍ତାନ ତାଲିବାନ ପ୍ରାୟ ୧୫୦ କିଲୋମିଟରରୁ ଅଧିକ ଲମ୍ବା ରାସ୍ତା ନିର୍ମାଣ କରିଛି। ଚୀନ୍ ଏବେ ଏହା ଚିନ୍ତା କରୁଛି ଯେ ଯଦି ଏହି ରାସ୍ତା କିମ୍ବା ରେଳପଥ ସମ୍ପୂର୍ଣ୍ଣ ହୋଇଯାଏ, ତେବେ ସେମାନେ ଆଫଗାନିସ୍ତାନ ଦେଇ ସିଧାସାଧା ଇରାନ ଏବଂ ଚାବହାର ବନ୍ଦର ପର୍ଯ୍ୟନ୍ତ ପହଞ୍ଚିପାରିବେ।
ଚୀନ୍ ଏହା ଭଲଭାବେ ବୁଝିଗଲାଣି ଯେ ପାକିସ୍ତାନ ସୁରକ୍ଷା ଗ୍ୟାରେଣ୍ଟି ଦେବାରେ ସମ୍ପୂର୍ଣ୍ଣ ଅକ୍ଷମ। ବଲୁଚିସ୍ତାନରେ ଯେପରି ଭାବରେ ଚୀନ୍ ନାଗରିକ ଏବଂ ଇଞ୍ଜିନିୟରମାନଙ୍କୁ ହତ୍ୟା କରାଯାଉଛି, ତା’ପରେ ଚୀନ୍ ଆଉ ବଲୁଚିସ୍ତାନ ଦେଇ ଯିବାକୁ ଚାହୁଁନାହିଁ। ବରଂ ଚୀନ୍ ଆଫଗାନିସ୍ତାନ ଏବଂ ୱାଖାନ୍ କରିଡରକୁ ଅଧିକ ନିର୍ଭରଯୋଗ୍ୟ ବୋଲି ମାନୁଛି।
ଚୀନ୍ ଆଫଗାନିସ୍ତାନ ସହ ମିଶି ନୂଆ ବାଣିଜ୍ୟିକ ପଥ ଖୋଜୁଥିବାବେଳେ ପାକିସ୍ତାନକୁ ଏହା ଏକ ବଡ଼ ଝଟକା ଲାଗିଛି । ପାକିସ୍ତାନ ଭାବିଥିଲା ଯେ ଆମେ ଆମର ଭୂ-ରାଜନୈତିକ ମହତ୍ତ୍ୱ ଦେଖାଇ ଆମେରିକା ଏବଂ ଚୀନ୍ ଉଭୟଙ୍କୁ ହାତରେ ରଖିବୁ, କିନ୍ତୁ ଆଜି ପାକିସ୍ତାନ ଚତୁର୍ଦିଗରୁ ଘେରି ହୋଇଯାଇଛି।
ପାକିସ୍ତାନ ସେନା ମୁଖ୍ୟ ଆସିମ୍ ମୁନିର ଏବଂ ପାକିସ୍ତାନ ସରକାରଙ୍କ ଆଜି ଯେଉଁ ଫ୍ରଷ୍ଟ୍ରେସନ୍ ବା ନିରାଶା ଦେଖିବାକୁ ମିଳୁଛି, ତାହାର କାରଣ ହେଉଛି ସେମାନେ କୌଣସି ବି ଦେଶ ସହ ନିଜର ପ୍ରତିଜ୍ଞା ପୂରା କରିପାରି ନାହାନ୍ତି । ଆମେରିକାକୁ ବଗ୍ରାମ ଏୟାରବେସ୍ ଦେବାର ପ୍ରତିଶ୍ରୁତି ହେଉ କିମ୍ବା ଇରାନ ସହ କୂଟନୈତିକ ସମସ୍ୟା ସମାଧାନ କରିବାର କଥା ହେଉ—ପାକିସ୍ତାନ ସବୁଠାରେ ବିଫଳ ହୋଇଛି । ଯେଉଁ ଇରାନକୁ କିଛି ମାସ ପୂର୍ବ ପର୍ଯ୍ୟନ୍ତ ପାକିସ୍ତାନ ନିଜର ମୁସଲମାନ ଭାଇ ବୋଲି କହୁଥିଲା, ଆଜି ସେହି ଇରାନ ସହ ମଧ୍ୟ ସେମାନଙ୍କର ସମ୍ପୂର୍ଣ୍ଣ ଶତ୍ରୁତା ସୃଷ୍ଟି ହୋଇସାରିଛି । ପାକିସ୍ତାନ ଆଜି ଆଫଗାନିସ୍ତାନ, ଇରାନ, ଭାରତ ଏବଂ ଏପରିକି ଚୀନ୍ ସାମନାରେ ମଧ୍ୟ ଏକ ପ୍ରକାର ଅସହାୟ ଅବସ୍ଥାରେ ପହଞ୍ଚିଯାଇଛି ।
also read
https://purvapaksa.com/the-heat-in-national-politics/

