
ଗତ ଅଗଷ୍ଟ ୨୨, ୨୦୨୫ ତାରିଖରେ ଭୁବନେଶ୍ୱରଠାରେ “ଓଡ଼ିଶା ସୂଚନା କମିଶନଙ୍କ କାର୍ଯ୍ୟଧାରା, କାର୍ଯ୍ୟଶୈଳୀ, କେସ୍ ଶୁଣାଣୀ ପ୍ରକ୍ରିୟା ଓ କେସ୍ ଫଇସଲା” ସଂପର୍କରେ ଏକ ରାଜ୍ୟସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟରେ ଗତ ଦୁଇ ଦଶନ୍ଧି ଧରି ସୂଚନା ଅଧିକାର ଆଇନକୁ କ୍ରୀୟାଶୀଳ କରେଇବା ଓ ଜନ ସାଧାରଣଙ୍କୁ ଆଇନ ସଂପର୍କରେ ସଚେତନ କରେଇବା ଦିଗରେ କାର୍ଯ୍ୟକରି ଆସୁଥିବା ଅଗ୍ରଣୀ ସଂଗଠନ “ଓଡ଼ିଶା ସୂଚନା ଅଧିକାର ଅଭିଯାନ” ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସୂଚନା କମିଶନଙ୍କ କାର୍ଯ୍ୟଶେୈଳୀ ଓ କେସ୍ ଶୁଣାଣୀ ପାଇଁ ଅନୁସୃତ ପଦ୍ଧତି ଓ କେସ୍ ଫଇସଲା ଅର୍ଡ଼ର କେତେଦୂର ଲୋକାଭିମୁଖୀ ହୋଇପାରିଛି ସେ ସଂପର୍କରେ ବିଚାର ବିମର୍ଷ କରିବା ଓ ଭୁଲ ତୃଟିର ସୁଧାର ପାଇଁ ସୂଚନା କମିଶନ ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ଏହି ଜନଶୁଣାଣୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।

ଗତ ଏପ୍ରିଲ୍, ୨୦୨୫ରେ ରାଜ୍ୟ ସରକାର ମୁଖ୍ୟ ସୂଚନା କମିଶନରଙ୍କ ସମେତ ତିନି ଜଣ ସୂଚନା କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି । ଆଗରୁ ଦୁଇ ଜଣ ସୂଚନା କମିଶନର କାର୍ଯ୍ୟକରି ଆସୁଛନ୍ତି । ସୂଚନା ଅଧିକାର ଆଇନର ଧାରା ୧୮, ୧୯, ୨୦ ଅନୁଯାୟୀ ସୂଚନା କମିଶନ ଅଭିଯୋଗ/ଦ୍ୱିତୀୟ ଅପିଲ କେସ୍ଗୁଡ଼ିକର ଶୁଣାଣୀ କରିବେ, ଅପିଲକାରୀ/ଅଭିଯୋଗକାରୀ ନାଗରିକମାନଙ୍କୁ ସୂଚନା ପ୍ରଦାନ କରାଇବେ । ଆଇନ୍ ଉଲଙ୍ଘନକାରୀ ପି.ଆଇ.ଓଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରିବେ ଓ ଆବଶ୍ୟକ ସ୍ଥଳେ କ୍ଷତିଗ୍ରସ୍ତ ନାଗରିକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବେ ଇତ୍ୟାଦି ।
ଜନ ଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସୂଚନା ଅଧିକାର କର୍ମୀ, ସାଧାରଣ ଲୋକେ, କମିଶନଙ୍କ ଠାରୁ ନ୍ୟାୟ ପାଇବାରୁ ବଞ୍ଚିତ ଜନସାଧାରଣ, ସାମ୍ବାଦିକ, ତଥ୍ୟ ସଂଗ୍ରହକାରୀ ନାଗରିକ, ଆଇନଜୀବି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା କମିଶନଙ୍କ ଆଇନ ବିରୋଧୀ କାର୍ଯ୍ୟ, କେସ୍ ଶୁଣାଣୀ ଓ ଫଇସଲାରେ ଚରମ ବିଫଳତା, ତଥ୍ୟ ପ୍ରଦାନ ନକରି କେସ୍ ଖାରଜ କରିବା, ଶହ ଶହ କେସ୍ ବିନା ଶୁଣାଣୀରେ ବନ୍ଦ କରିଦେବା ଇତ୍ୟାଦି ଅଭିଯୋଗ ଦେଖିବାକୁ ମିଳିଥିଲା ।
ବରଗଡ଼ ଜିଲ୍ଲାର ଅର୍ଦ୍ଧେନ୍ଦୁ ବେହେରା ୨୧.୦୭.୨୦୨୫ରିଖରେ ସୂଚନା କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟକୁ ଆଧାର କରି ମେ’ ରୁ ଜୁଲାଇ ତିନି ମାସ ମଧ୍ୟରେ ସୂଚନା କମିଶନରମାନେ ଆଦୌ ଶୁଣାଣୀ ନକରି ୮୦୦ କେସ୍ ଖାରଜ କରିଦେଇଛନ୍ତି । ଯାହାକି ସୂଚନା କମିଶନଙ୍କ ଇତିହାସରେ ଏକ ବିରଳ ଘଟଣା । ଅଭିଯୋଗକାରୀମାନଙ୍କ ନିକଟକୁ କମିଶନ ପଠେଇଥିବା ତାଙ୍କ ଅର୍ଡ଼ରରେ ଉଲ୍ଲେଖ କରିଛନ୍ତି , ଯେ ୨୦୧୧ ମସିହାରେ ମଣିପୁର ସୂଚନା କମିଶନ ବନାମ ମଣିପୁର ରାଜ୍ୟ ସରକାରଙ୍କ କେସ୍ରେ ସୁପ୍ରିମ୍ କୋର୍ଟଙ୍କ ରାୟ ଆଧାରରେ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି । ବାସ୍ତବରେ ସୁପ୍ରିମ କୋର୍ଟଙ୍କ ଏହି ରାୟରେ କମିଶନ ଅଭିଯୋଗ କେସ୍ ଗୁଡ଼ିକୁ ଶୁଣାଣୀ ନକରି ମନଇଛା ଖାରଜ କରିବେ ବୋଲି କିଛି ଉଲ୍ଲେଖ ନାହିଁ ବଂର ସୁପ୍ରିମ୍ କୋର୍ଟ କେସ୍ ଶୁଣାଣୀ କରି ଆଇନ ଉଲଙ୍ଘନକାରୀ ପିଆଇଓଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିପାରିବେ ବୋଲି କହିଛନ୍ତି । କିନ୍ତୁ ସୂଚନା କମିଶନ ସୁପ୍ରିମ କୋର୍ଟଙ୍କ ରାୟର ଅପବାଖ୍ୟା କରି କମିଶନ ଏପରି ଆଇନ ବିରୋଧୀ କେସ୍ ଖାରଜ ନିଷ୍ପତ୍ତି ନେଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ଜନ ଶୁଣାଣୀ ରେ ପ୍ରାୟ ସମସ୍ତ ଅଂଶଗ୍ରହଣକାରୀ ଏହିପରି ଅଭିଯୋଗ କରିବା ସହ ଖାରଜ ହୋଇଥିବା ୮୦୦ କେସ୍ର ଶୁଣାଣୀ କରି ଫଇସଲା କରିବାକୁ ଦାବୀ କରାଯାଇଥିଲା ।
ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ, ସୁବାସ ପ୍ରଧାନ ପ୍ରମୁଖ ସୂଚନା କମିଶନ କିପରି କେସ୍ ଶୁଣାଣୀ ସଂପର୍କରେ ମତାମତ ଲୋଡ଼ିଛନ୍ତି ଦର୍ଶାଇଥିଲେ । ଗତ ଜୁନ୍, ଜୁଲାଇ ମାସରେ ସୂଚନା କମିଶନ ଅଭିଯୋଗକାରୀ/ଅପିଲକାରୀମାନଙ୍କ ନିକଟକୁ ଏକ ଚିଠି ଲେଖି କମିଶନ ଜଣାଇଛନ୍ତି ଯେ, “୨୦୨୧ ଓ ୨୦୨୨ ମସିହାର ୬୦୦୦ କେସ୍କୁ ବନ୍ଦ କରିବାକୁ ନିଷ୍ପତ୍ତି ଦେଇଛନ୍ତି । ତୁମମାନଙ୍କର ଏହି କେସ୍ ଶୁଣାଣୀ ଆଗ୍ରହ ଅଛିକି ନାହିଁ ଅଗଷ୍ଟ ୧୫ ସୁଦ୍ଧା ଲେଖି କରି ଜଣାଇବେ ନଚେତ୍ ଖାରଜ କରିଦିଆଯିବ ।” କମିଶନଙ୍କ ଏହି ଚିଠିଟି ଏକ ଭୁଲ ଓ ଆଇନ ବିରୋଧୀ ବୋଲି ସେମାନେ ଦର୍ଶାଇଥିଲେ । ଓଡ଼ିଶା ସୂଚନା କମିଶନ (ଅପିଲ ଶୁଣାଣୀ ପ୍ରକ୍ରିୟା) ନିୟମାବଳୀ, ୨୦୦୬ ଅନୁଯାୟୀ ନାଗରିକମାନଙ୍କ ଠାରୁ ଦ୍ୱିତୀୟ ଅପିଲ / ଅଭିଯୋଗ ଗ୍ରହଣ କଲାପରେ ସୂଚନା କମିଶନ ପଞ୍ଜିକୃତ କରିବେ ଏବଂ କେସ୍ ଶୁଣାଣୀ ପାଇଁ ନୋଟିସ୍ କରିବେ । ଅପିଲକାରୀ ଶୁଣାଣୀ ସମୟରେ ଉପସ୍ଥିତ ରହି ପାରନ୍ତି ବା ନରହିପାରନ୍ତି । କିନ୍ତୁ ସେମାନଙ୍କ ଠାରୁ ଶୁଣାଣୀ ପାଇଁ ଉପଯୁକ୍ତ ସୁଯୋଗ ଦେଇ ଆଇନ ଅନୁଯାୟୀ କମିଶନ କେସ୍ ଫଇସଲା କରିବେ । ତେଣୁ ସୂଚନା କମିଶନ ୬୦୦୦ କେସ୍କୁ ବନ୍ଦ କରିବା ପାଇଁ ଜାରି କରିଥିବା ଏହି ଚିଠି ଆଇନ ବିରୋଧୀ ଏବଂ ଏହାର ପ୍ରତ୍ୟାହାର ଜରୁରୀ ବୋଲି କହିଥିଲେ ।
ସୂଚନା କମିଶନଙ୍କ କେସ୍ ଶୁଣାଣୀ ପ୍ରକ୍ରିୟା ଓ କେସ୍ ପ୍ରୋସିଡ଼ିଙ୍ଗ କିପରି ଭ୍ରମାତ୍ମକ ଓ କମିଶନଙ୍କ ବିଚାର ଶକ୍ତି ବା ଆଇନ ସଂପର୍କରେ ଅଜ୍ଞତା ବୋଲି ତଥ୍ୟ ଉପସ୍ଥାପନା କରାଯାଇଥିଲା । କେନ୍ଦ୍ରପଡ଼ା ଜିଲ୍ଲାର ସାମାଜିକ କର୍ମୀ ଅମିତାଭ ଚାନ୍ଦ ୨୪.୦୨.୨୦୨୦ରେ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ, କଟକଙ୍କୁ କିଛି ତଥ୍ୟ ମାଗି ଥିଲେ । ତଥ୍ୟ ନମିଳିବାରୁ ସେ ସୂଚନା କମିଶନଙ୍କ ନିକଟରେ ଦ୍ୱିତୀୟ ଅପିଲ କରିଥିଲେ । ଦ୍ୱିତୀୟ ଅପିଲ ସଂଖ୍ୟା ୧୭୭୩/୨୦ ର ଶୁଣାଣୀ କରି ୦୨.୦୯.୨୦୨୨ରିଖରେ ସୂଚନା କମିଶନର ପିଆଇଓଙ୍କୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେବା ସହ ୨୫ ହଜାର ଟଙ୍କା ଜରିମାନା କରିଥିଲେ । କିନ୍ତୁ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ କମିଶନଙ୍କ ଅର୍ଡ଼ରକୁ କାର୍ଯ୍ୟକାରୀ ନକରିବାରୁ ଶ୍ରୀ ଅମିତାଭ ଚାନ୍ଦ ପୁଣି କମିଶନଙ୍କ ଅର୍ଡ଼ର କାର୍ଯ୍ୟକାରୀ ନହେବା ସଂପର୍କରେ ସୂଚନା କମିଶନର ତା.୧୦.୧୨.୨୦୨୨ରିଖରେ ଅଭିଯୋଗ କରିଥିଲେ । ତିନି ବର୍ଷ ପରେ ଅର୍ଥାତ .୨୫.୦୬.୨୦୨୫ରିଖରେ ସୂଚନା କମିଶନର ଜଗନ୍ନାଥ ରଥ ଶୁଣାଣୀ କରିଥିଲେ । ଶୁଣାଣୀ ସମୟରେ ଶ୍ରୀ ରଥ କମିଶନଙ୍କ ଅର୍ଡ଼ର କାର୍ଯ୍ୟକାରୀ ନହେବା ସଂପର୍କରେ ପଚାରିବାରୁ ପିଆଇଓ ବ୍ୟକ୍ତିଗତ ସୂଚନା ବୋଲି ଦର୍ଶାଇଥିଲେ । ଏହାପରେ କମିଶନ ଅଭିଯୋଗକାରୀ ଅମିତାଭ ଚାନ୍ଦଙ୍କ ଠାରୁ କିଛି ନଶୁଣି ବା ପିଆଇଓ ଦର୍ଶାଇଥିବା କାରଣର ତର୍ଜମା ନକରି କେସ୍କୁ ଖାରଜ କରିଦେଲେ । ଦୀର୍ଘ ୫ବର୍ଷ ଧରି ଦୁଇ ଥର କମିଶନର କେସ୍ କରି ସେ ତଥ୍ୟ ପାଇପାରିଲେ ନାହିଁ ।
ସୂଚନା କର୍ମୀ ଦୁଷ୍ମନ୍ତ ଆଚାର୍ଯ୍ୟଙ୍କର ଏକ କେସ୍ ଉପସ୍ଥାପନା କରାଯାଇଥିଲା । ଜଗତସିଂହପୁର ଏସ୍.ପିଙ୍କ କାର୍ଯ୍ୟାଳୟରୁ ତଥ୍ୟ ନମିଳିବାରୁ ୨୦୨୧ ମସିହାରେ ଦୁଷ୍ମନ୍ତ ଆଚାର୍ଯ୍ୟ ସୂଚନା କମିଶନରେ ଦ୍ୱିତୀୟ ଅପିଲ କରିଥିଲେ । ଚାରି ବର୍ଷ ପରେ ଅର୍ଥାତ୍ ତା.୧୬.୦୫.୨୦୨୫ରିଖରେ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା ଅପିଲ ସଂଖ୍ୟା ୧୯୩୧/୨୧ର ଶୁଣାଣୀ କରିଥିଲେ । ଶୁଣାଣୀ ଦିନ ଶ୍ରୀ ଆଚାର୍ଯ୍ୟ ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ଏବଂ କମିଶନଙ୍କୁ ଆଉ ଏକ ତାରିଖ ଧାର୍ଯ୍ୟ କରି ଶୁଣାଣୀ ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ସୂଚନା କମିଶନ ତାଙ୍କୁ ଗାଳି ଦେଇ ବିଦା କରିଦେଇଥିଲେ ଓ କେସ୍କୁ ଖାରଜ କରିଦେଇଥିଲେ । କମିଶନଙ୍କ ଏତାଦୃଶ ମନୋମୁଖୀ ଓ ଆଇନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ରିଟ ପିଟିସନ ସଂଖ୍ୟା ୨୨୩୬୫/୨୫ର ଶୁଣାଣୀ କରି ଆବେଦନକାରୀଙ୍କୁ ଯଥେଷ୍ଟ ସୁଯୋଗ ଦେଇ କେସ୍କୁ ଭଲଭାବେ ଶୁଣାଣୀ କରି ତଥ୍ୟ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହିଭଳି ସୂଚନା କମିଶନ ଶହ ଶହ କେସ୍ କିଛି ନବୁଝି ନଶୁଣି ଖାରଜ କରିଦେଉଥିବାର ଅଭିଯୋଗ ହୋଇଥିଲା ।
ପୁରୀ ଜିଲ୍ଲାର ସୂଚନା ଅଧିକାର କର୍ମୀ ସୁଦର୍ଶନ ସ୍ୱାଇଁ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ସୂଚନା କମିଶନ କେସ୍ ଶୁଣାଣୀ ସମୟରେ ନାମକୁ ମାତ୍ର ତଥ୍ୟ ଦେବା ପାଇଁ ଅର୍ଡ଼ର କରି କେସ୍କୁ ବନ୍ଦ କରିଦେଇଛନ୍ତି । କିନ୍ତୁ ପିଆଇଓ ତଥ୍ୟ ଦେଲେ କି ନାହିଁ ବା କମିଶନଙ୍କ ଅର୍ଡ଼ରର କାର୍ଯ୍ୟକାରିତା ରିପୋର୍ଟ ଦାଖଲ ହେଲାକି ନାହିଁ କମିଶନ କିଛି ବୁଝନ୍ତି ନାହିଁ । ପୂର୍ବରୁ ସୂଚନା କମିଶନରମାନେ ପିଆଇଓ ତଥ୍ୟ ପ୍ରଦାନ କଲା ପର୍ଯ୍ୟନ୍ତ କେସ୍ ବନ୍ଦ କରୁନଥିଲେ । କିନ୍ତୁ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା ଯୋଗଦେବା ପରେ ଏହିପରି ଅର୍ଡ଼ର କରାଯାଉଛି । ଫଳରେ ଅସଂଖ୍ୟ ଅଭିଯୋଗକାରୀ ବର୍ଷ ବର୍ଷ ଧରି ଅପେକ୍ଷା କରି ମଧ୍ୟ ତଥ୍ୟ ପାଉନାହାଁନ୍ତି । ଏକ ଉଦାହରଣ ଦେଇ ସେ କହିଥିଲେ ଯେ ସୂଚନା କମିଶନର ସୁଶାନ୍ତ ମହାନ୍ତି ତା.୦୬.୦୫.୨୦୨୫ରିଖରେ ଅଭିଯୋଗ ସଂଖ୍ୟା ୧୩୨୧/୨୦ର ଫଇସଲା କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବଙ୍କୁ ୧୫ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସୂଚନା କମିଶନର ରେଜିଷ୍ଟ୍ରାର ଓ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ । କିନ୍ତୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ କିଛି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କଲେନାହିଁ । ଏହାପରେ ଅଭିଯୋଗକାରୀ ତା.୨୪.୦୬.୨୦୨୫ରେ ସୂଚନା କମିଶନଙ୍କ ନିକଟରେ ଏ ସଂପର୍କରେ ପୁଣି ଅଭିଯୋଗ କରିଥିଲେ ମଧ୍ୟ ସୂଚନା କମିଶନର ନିରବ ରହିଛନ୍ତି ।
ଅନ୍ୟ ଏକ ଅଭିଯୋଗ ହେଉଛି ସୂଚନା କମିଶନ ତଥ୍ୟ ପ୍ରଦାନ ନକରେଇ କେସ୍କୁ ବନ୍ଦ କରିଦେବା । ତା.୧୨.୧୦.୨୦୨୦ରିଖରେ ସର୍ବେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତି ଧର୍ମଶାଳା ତହସିଲକୁ ଖଣି ଲିଜ ସଂପର୍କରେ ତଥ୍ୟ ମାଗିଥିଲେ । ତଥ୍ୟ ନମିଳିବାରୁ ସେ ସୂଚନା କମିଶନଙ୍କ ନିକଟରେ ଦ୍ୱିତୀୟ ଅପିଲ ତା.୨୪.୦୨.୨୦୨୧ରିଖରେ କରିଥିଲେ । ଚାରି ବର୍ଷ ପରେ ମୁଖ୍ୟ ସୂଚନା କମିଶନର ଦ୍ୱିତୀୟ ଅପିଲ ସଂଖ୍ୟା ୨୪୫/୨୧ର ଶୁଣାଣୀ ତା.୦୯.୦୬.୨୦୨୫ରେ କରିଥିଲେ । ଏହିଦିନ କମିଶନ ପିଆଇଓ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରିଥିଲେ ମଧ୍ୟ ସେମାନେ ହାଜିର ହୋଇନଥିଲେ । ସର୍ବେଶ୍ୱର ବେହେରା ଉପସ୍ଥିତ ରହି ତଥ୍ୟ ପାଇନାହାଁନ୍ତି ଦର୍ଶାଇଥିଲେ ମଧ୍ୟ ସୂଚନା କମିଶନ ତଥ୍ୟ ପ୍ରଦାନ କରାଯାଇଛି ବୋଲି ଦର୍ଶାଇ କେସ୍କୁ ବନ୍ଦ କରିଦେଇଥିଲେ ଓ ଆଇନ ଉଲଙ୍ଘନ ପିଆଇଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।
ସେହିପରି ଆଇନ୍ର ସୁରକ୍ଷା ପାଇଁ ଓ ପ୍ରଶାସନରେ ସ୍ୱଚ୍ଛତାକୁ ତ୍ୱରାନ୍ୱିତ କରିବା ପାଇଁ ସୂଚନା କମିଶନ ଗଠନ କରାଯାଇଛି କିନ୍ତୁ ସୂଚନା କମିଶନ ଆଇନ୍ର ଉଲଙ୍ଘନ କରୁଥିବାର ଅଭିଯୋଗ ହୋଇଥିଲା । ବାଲେଶ୍ୱରର ତନ୍ମୟ ମହାନ୍ତି ତା.୨୬.୦୫.୨୦୨୫ରିଖରେ ସୂଚନା କମିଶନ କାର୍ଯ୍ୟାଳୟର ମରାମତି ଓ ନବୀକରଣ ବାବଦରେ କେତେ ଖର୍ଚ୍ଚ ହୋଇଛି ତଥ୍ୟ ମାଗିଥିଲେ । ଏହାର ମାସକ ପରେ ତା.୨୬.୦୬.୨୦୨୫ରେ ପିଆଇଓ ତଥ୍ୟ ପ୍ରସ୍ତୁତ ପାଇଁ ସମୟ ଅଧିକ ଆବଶ୍ୟକ ଦର୍ଶାଇବା ଓ ପୁଣି ତା.୦୭.୦୭.୨୦୨୫ରେ ବ୍ୟକ୍ତିଗତ ସୂଚନା ଦର୍ଶାଇ ତଥ୍ୟ ପ୍ରଦାନ କରିବାକୁ ମନା କରିଦେଇଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲାର ମହେଶ୍ୱର ମହାନ୍ତି ସୂଚନା କମିଶନଙ୍କୁ ତା.୧୬.୦୬.୨୦୨୫ରେ ସୂଚନା କମିଶନର ମାନଙ୍କର ଏଲ୍.ଟି.ସି ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତଥ୍ୟ ମାଗିଥିଲେ । କିନ୍ତୁ ପିଆଇଓ ବ୍ୟକ୍ତିଗତ ସୂଚନା ଦର୍ଶାଇ ଆଇନ୍ର ଧାରା ୮ (୧) (ଔ) ଅନୁଯାୟୀ ତଥ୍ୟ ଦେବାକୁ ମନା କରିଥିଲେ । ଏହିପରି ଅନେକ କ୍ଷେତ୍ରରେ ସୂଚନା କମିଶନଙ୍କ ଦପ୍ତର ତଥ୍ୟ ପ୍ରଦାନ କରୁନାହାଁନ୍ତି ଯାହାକି ଆଇନତଃ ମିଳିବା କଥା ।
ସେହିପରି କେବଳ ସୁଶାନ୍ତ ମହାନ୍ତିଙ୍କୁ ଛାଡ଼ି ଦେଲେ କୌଣସି ସୂଚନା କମିଶନର ଆଇନ ଉଲଙ୍ଘନକାରୀ ପିଆଇଓଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରୁନାହାଁନ୍ତି । ଫଳରେ ବିଭିନ୍ନ ସରକାରୀ ଦପ୍ତରରେ ପିଆଇଓମାନେ ତଥ୍ୟ ପ୍ରଦାନ ନକରିବା ପାଇଁ ପ୍ରତିଯୋଗିତା କରୁଛନ୍ତି ଏବଂ ସେମାନଙ୍କ ସୁରକ୍ଷା କବଚ ସାଜିଛନ୍ତି ସୂଚନା କମିଶନ ।
ତେଣୁ ସୂଚନା କମିଶନଙ୍କୁ ଲୋକାଭିମୁଖୀ ଓ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ସୁପାରିଶ ହୋଇଥିଲା । ସେଗୁଡ଼ିକ ହେଲା ସୂଚନା କମିଶନ କେସ୍ ଶୁଣାଣୀ ସମୟରେ ଅପିଲ କର୍ତ୍ତା / ଅଭିଯୋଗକାରୀମାନଙ୍କ ଠାରୁ ଶୁଣିବା ପାଇଁ ଯଥେଷ୍ଟ ସମୟ ଦେବା ଏବଂ ଆଇନ ସଠିକ୍ ଭାବେ ବାଖ୍ୟାକରି କେସ୍କୁ ତର୍ଜମା କରି ଅର୍ଡ଼ରରେ ଲିପିବଦ୍ଧ କରିବା ତଥ୍ୟ ନମିଳିବା ପର୍ଯ୍ୟନ୍ତ କେସ୍କୁ ଚାଲୁରଖିବା, ଆଇନ ଉଲଙ୍ଘନକାରୀ ପିଆଇଓମାନଙ୍କ ବିରୁଦ୍ଧରେ ଦଣ୍ଡ ବିଧାନକୁ ସୁନିଶ୍ଚିତ କରାଇବା, ଓଡ଼ିଆ ଭାଷାରେ କେସ୍ ପ୍ରୋସିଡ଼ିଙ୍ଗ କପି ପଠେଇବା, କେସ୍ ଶୁଣାଣୀ ସମୟରେ ପିଆଇଓଙ୍କ ଉପସ୍ଥିତି ସୁନିଶ୍ଚିତ କରାଇବା, ସୂଚନା କମିଶନଙ୍କ କାର୍ଯ୍ୟାଳୟରେ ସ୍ୱଚ୍ଛତା ରକ୍ଷା ପାଇଁ ସୂଚନା ଅଧିକାର ଆଇନ୍ରେ ତଥ୍ୟ ପ୍ରଦାନ କରିବା, ବେଆଇନ ଭାବେ ଖାରଜ ହୋଇଥିବା ୮୦୦ କେସ୍କୁ ଶୁଣାଣୀ କରିବା, ୨୦୨୧ ଏବଂ ୨୦୨୨ର ସମସ୍ତ ୬୦୦୦ କେସ୍ଗୁଡ଼ିକୁ ଶୁଣାଣୀ କରିବା ଇତ୍ୟାଦି
ପ୍ରଦୀପ ପ୍ରଧାନ
ମୋ.ନଂ.-୯୯୩୭୮୪୩୪୮୨
https://purvapaksa.com/arun-sahoo-will-unmask-whom/


