ରାଜ୍ୟ ରାଜନୀତିରେ ଏବେ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି। ବିଜୁ ଜନତା ଦଳ ବା ବିଜେଡିର ଆଭ୍ୟନ୍ତରୀଣ ରାଜନୈତିକ କରିଡରରେ ଏବେ ଗୋଟିଏ ମାତ୍ର ପ୍ରଶ୍ନ ବାରମ୍ବାର ଘୁରି ବୁଲୁଛି—ସେ ପ୍ରଶ୍ନଟି ହେଲା, ବବିଙ୍କୁ ଡରୁଛନ୍ତି କି ସୁଜାତା? ପୁଣିଥରେ କ’ଣ ପ୍ରଣବ ପ୍ରକାଶ ଦାସ ଅର୍ଥାତ୍ ବବି ଦାସ ବିଜେଡିରେ ସେହି ପୁରୁଣା ଫର୍ମକୁ ଫେରିବେ, ନା ଏହି ଇର୍ଷାପରାୟଣ ରାଜନୀତିର ଶିକାର ହୋଇ ଖତ ହୋଇଯିବେ?
ଏଭଳି ପ୍ରଶ୍ନ ଆଜି କାହିଁକି ଉଠୁଛି? ନିର୍ବାଚନ ସରିବା ପରଠାରୁ ବବି ଦାସ ସମ୍ବଲପୁରରୁ ହାରିବା ଏବଂ ତାଙ୍କ ମାଆ କୋରେଇରୁ ପରାସ୍ତ ହେବା ପରେ, ରାଜ୍ୟ ରାଜନୀତିରେ ତାଙ୍କର ସେହି ଆଖିଦୃଶିଆ ସକ୍ରିୟତା ଆଉ ଦେଖିବାକୁ ମିଳୁନାହିଁ କାହିଁକି? ଯାଜପୁର ଜିଲ୍ଲାରେ ସେ ନିଜ ସଂଗଠନକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି ବୋଲି ଯେଉଁ କଥା କୁହାଯାଉଛି, ତାହା ପଛର ପ୍ରକୃତ ସତ୍ୟ କ’ଣ?
ଯେବେଠାରୁ ୨୦୨୪ ସାଧାରଣ ନିର୍ବାଚନ ସରିଛି, ସେବେଠାରୁ ବବି ଦାସଙ୍କୁ ରାଜ୍ୟ ସ୍ତରରେ ଆଉ ସେହି ଆକ୍ରମଣାତ୍ମକ ଢଙ୍ଗରେ ଦେଖିବାକୁ ମିଳୁନାହିଁ। ଦିନେ ଯେଉଁ ବବି ଦାସ ଦଳ ପାଇଁ, ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ଦୁଆର ଜଗିବାକୁ ପଛଘୁଞ୍ଚା ଦେଉନଥିଲେ, ନିଜକୁ ଦଳର ଜଣେ ନିଷ୍ଠାବାନ କର୍ମୀ ଭାବରେ ପ୍ରମାଣିତ କରିବାକୁ ଯାଇ ଦିନରାତି ଏକ କରି ଦେଉଥିଲେ, ସେ ଆଜି ହଠାତ୍ ‘ସାଇଲେନ୍ସ’ ହେବା ପଛର ରହସ୍ୟ କ’ଣ?
ଦିନେ ନବୀନ ବାବୁଙ୍କ ଗୋଟିଏ ମାତ୍ର ଆଦେଶରେ ସେ ଜିଲ୍ଲାରୁ ଜିଲ୍ଲା ଘୁରି ବୁଲୁଥିଲେ। ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ଆଜି ସେ ନିଜ ନିଜାଲା କେନ୍ଦ୍ର ଯାଜପୁର ସଂଗଠନ ଭିତରେ କାହିଁକି ସୀମିତ ହୋଇଯାଇଛନ୍ତି? ଏହାର ଅର୍ଥ କ’ଣ ତାଙ୍କୁ ରାଜ୍ୟ ନେତୃତ୍ୱ ଆଉ ଖୋଜୁନାହିଁ, କିମ୍ବା ବବି ନିଜେ ନିଜ ଆଡୁ ଆଉ ରାଜ୍ୟ ରାଜନୀତିର ଆଗଧାଡ଼ିକୁ ଆସିବାକୁ ଚାହୁଁନାହାନ୍ତି? ମା’ ବିରଜାଙ୍କ ପୀଠରେ ବସି ଏହାର ସଠିକ୍ ଜବାବ ହୁଏତ ବବି ନିଜେ କିମ୍ବା ତାଙ୍କର ନିକଟତମ କର୍ମୀମାନେ ହିଁ ଜାଣିଛନ୍ତି।
ପୂର୍ବରୁ ଯେତେବେଳେ ବବିଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକୁ ପ୍ରତିହତ କରାଯାଉଥିଲା, ସେତେବେଳେ ତାର ‘ଇମ୍ପାକ୍ଟ’ ବା ପ୍ରଭାବ ସିଧାସଳଖ ଜଳଜଳ ଦେଖାଯାଉଥିଲା। ଲାଗୁଥିଲା ଯେ ବିଜେଡି ସତରେ ଗର୍ଜନ କରୁଛି ଏବଂ ଜନସାଧାରଣଙ୍କ ହକ ପାଇଁ ରାଜରାସ୍ତାରେ ଲଢ଼ୁଛି। କିନ୍ତୁ ଆଜି ବବିଙ୍କ ଅନୁପସ୍ଥିତିରେ ବିଜେଡି ଯେତିକି ବିରୋଧ ପ୍ରଦର୍ଶନ କରୁଛି, ସେଥିରେ ସେହି ପୁରୁଣା ଧାର ନାହିଁ, ସେହି ସଫଳତା କିମ୍ବା ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳୁନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ଏପଟେ ପ୍ରଶ୍ନ ଉଠୁଛି—ବବି ଦାସଙ୍କୁ ପଛକୁ ଠେଲିଦେଇ, ରାଜ୍ୟ ସଂଗଠନକୁ ନିଜ ହାତକୁ ନେବାକୁ ଚେଷ୍ଟା କରୁଥିବା ସୁଜାତା କାର୍ତ୍ତିକେୟନ କ’ଣ ସଫଳ ହେଉଛନ୍ତି? ଯେତେ ଚେଷ୍ଟା କଲେ ବି ସେ ନିଜର ସେହି ‘କୋଟରୀ ଗୋଷ୍ଠୀ’ ବା ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ବଳୟରୁ ବାହାରି ଦଳର ବରିଷ୍ଠ ନେତାମାନଙ୍କୁ ସନ୍ତୁଷ୍ଟ କରିପାରୁନାହାନ୍ତି ବୋଲି ବାରମ୍ବାର ଅଭିଯୋଗ ହେଉଛି।
ନିଜେ ସୁଜାତା ଏବେ ରାଜନୀତି ମଇଦାନକୁ ଓହ୍ଲାଇ ସକ୍ରିୟ ହେବାକୁ ଚାହୁଁଥିଲେ ମଧ୍ୟ ଏସି କୋଠରୀ ବାହାରକୁ ବାହାରି ପାରୁନାହାନ୍ତି। ଏହା ବିଜେପିର ଆକ୍ରମଣାତ୍ମକ ରଣନୀତିକୁ ଭୟ କରି କରୁଛନ୍ତି, ନା ଏହା ତାଙ୍କର କୌଣସି ବ୍ୟକ୍ତିଗତ ରଣନୀତି, ତାହା ସାଧାରଣ କର୍ମୀଙ୍କ ବୁଝାମଣାଠାରୁ ବାହାରେ। କିନ୍ତୁ ବାସ୍ତବତା କ’ଣ? ରାଜ୍ୟରେ ବନ୍ୟା ପରିସ୍ଥିତି ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଶ୍ନ, ଏବଂ ସବୁଠୁ ବଡ଼ କଥା ହେଉଛି ଏମ୍.ଏମ୍.ଡି. ଆର୍. ପ୍ରସଙ୍ଗକୁ ନେଇ ଯେତେବେଳେ ରାଜଭବନ ଘେରଉ ଭଳି ବଡ଼ ପ୍ରଦର୍ଶନ ହେଲା, ସେତେବେଳେ ସୁଜାତା କାର୍ତ୍ତିକେୟନଙ୍କୁ କେଉଁଠି ବି ଦେଖିବାକୁ ମିଳିଲା ନାହିଁ। ନା ସୁଜାତା ସାମ୍ନାକୁ ଆସୁଛନ୍ତି, ନା ବବି ଦାସଙ୍କୁ ଆଗକୁ ଛଡ଼ାଯାଉଛି। କେବଳ କିଛି ବରିଷ୍ଠ ନେତାଙ୍କୁ ଆଗରେ ରଖି କାମଚଳା ବିରୋଧ ପ୍ରଦର୍ଶନ କରାଯାଉଛି।
ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି—ବବି ଦାସଙ୍କୁ ଦଳୀୟ ନେତୃତ୍ୱ ଏବେ ଦାୟିତ୍ୱ କାହିଁକି ଦେଉନାହିଁ? ଦଳର ସଂଗଠନକୁ ଆଗେଇ ନେବାରେ ଯିଏ ସବୁବେଳେ ଆଗରେ ରହୁଥିଲେ, ତାଙ୍କୁ ଆଜି କାହିଁକି ସାଇଡ୍ କରାଯାଇଛି?
ରାଜନୈତିକ କରିଡରରେ ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ଦଳ ଭିତରେ କିଛି ନେତାଙ୍କର ଏଭଳି ପ୍ରଭାବ ବଢ଼ିଯାଇଛି ଯେ, ଯଦି ବବି ଦାସ ପୁଣିଥରେ ସେହି ପୁରୁଣା ଫର୍ମକୁ ଫେରନ୍ତି ଏବଂ ରାଜ୍ୟ ସ୍ତରରେ ସକ୍ରିୟ ହୁଅନ୍ତି, ତେବେ ଅନ୍ୟମାନଙ୍କର ପତିଆରା କମିଯିବାର ଏକ ବଡ଼ ଆଶଙ୍କା ସୃଷ୍ଟି ହୋଇଛି। ବବିଙ୍କର ଉପସ୍ଥିତି କାହା ପାଇଁ ଅଡ଼ୁଆ ସୃଷ୍ଟି କରୁଛି? କାହାର ବ୍ୟକ୍ତିଗତ କ୍ଷମତା ଏବଂ ପ୍ରଭାବ ଉପରେ ଏହା ଆଞ୍ଚ ଆଣିବ ବୋଲି ଭୟ କରାଯାଉଛି?
ଦିନେ ଯେଉଁମାନେ ଦଳର ସବୁକ୍ଷେତ୍ରରେ ସର୍ବୋତ୍ତମ ନିଷ୍ପତ୍ତି ନେଉଥିଲେ, ଆଜି ସେମାନେ ନିଜର ଗୋଷ୍ଠୀକୁ ବଞ୍ଚାଇବା ପାଇଁ ଦଳକୁ ଦୁର୍ବଳ କରିବାକୁ ମଧ୍ୟ ପଛାଉ ନାହାନ୍ତି ବୋଲି ତୃଣମୂଳ ସ୍ତରର କର୍ମୀମାନେ ଆଲୋଚନା କରୁଛନ୍ତି।

