ସକାଳ ସାଢ଼େ ପାଞ୍ଚଟା। ଦିଲ୍ଲୀ ଏନସିଆରର ଆକାଶରେ ପ୍ରଚଣ୍ଡ ଶବ୍ଦ କରି ନୂଆକରି କାର୍ଯ୍ୟକ୍ଷମ ହୋଇଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ବା ଜେୱାର ଏୟାରପୋର୍ଟର ରନୱେ ଉପରେ ଅବତରଣ କଲା ରୁଷୀୟ ବାୟୁସେନାର ବିଶାଳ ସାମରିକ ବିମାନ ଲ୍ୟୁସିନ-୨-୭୬। କେବଳ ଗୋଟିଏ ନୁହେଁ, ଗୋଟିଏ ପରେ ଗୋଟିଏ ତିନୋଟି ରୁଷୀୟ ସେନା ବିମାନ ଏଠାରେ ପହଞ୍ଚିଲା।
ଏଥିରେ ଆସି ପହଞ୍ଚିଛନ୍ତି ମସ୍କୋରୁ ସିଧା ଉଡ଼ାଣ ଭରିଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱତନ୍ତ୍ର ସୁରକ୍ଷା ବାହିନୀ, ବୈଷୟିକ ଟିମ୍ ଏବଂ ଆଡଭାନ୍ସ ପ୍ରୋଟୋକଲ୍ ଅଧିକାରୀ।
ଏବେ ସମଗ୍ର ବିଶ୍ୱ ଗଣମାଧ୍ୟମରେ ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି—ଭାରତକୁ ଆସୁଥିବା ସମସ୍ତ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଭିଭିଆଇପି ଓ ସାମରିକ ବିମାନ ସବୁବେଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଉଥିବା ବେଳେ, ହଠାତ୍ ରୁଷୀୟ ବାୟୁସେନାର ବିମାନ ନୋଏଡା ବିମାନବନ୍ଦରରେ କାହିଁକି ଅବତରଣ କଲା? ଇତିହାସରେ ପ୍ରଥମ ଥର ପାଇଁ ନୋଏଡା ଏୟାରପୋର୍ଟରେ କୌଣସି ବିଦେଶୀ ସାମରିକ ବିମାନ ଲ୍ୟାଣ୍ଡିଂ କଲା, ତାହା ପୁଣି ରୁଷିଆର।
ଘଟଣାଟିର ଗୁରୁତ୍ୱ ବୁଝିବା ପାଇଁ ଆମକୁ ପୃଷ୍ଠଭୂମି ଉପରେ ନଜର ପକାଇବାକୁ ପଡ଼ିବ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ୧୮ଶ ବ୍ରିକ୍ସ ଶିଖର ସମ୍ମିଳନୀ। ଭାରତ ମଣ୍ଡପମରେ ବିଶ୍ୱର ଶକ୍ତିଶାଳୀ ନେତାମାନେ ଏକାଠି ହେବାକୁ ଯାଉଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଥିରେ ସାମିଲ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ।
ପୁଟିନଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଓ ଲଜିଷ୍ଟିକ୍ସ ଯାଞ୍ଚ କରିବାକୁ ରୁଷର ଏହି ତିନୋଟି ମିଲିଟାରୀ ଏୟାରକ୍ରାଫ୍ଟ ନୋଏଡା ଏୟାରପୋର୍ଟରେ ପହଞ୍ଚିଥିଲା। ଏହି ବିମାନଗୁଡ଼ିକ ଅବତରଣ କରିବା କ୍ଷଣି ସମଗ୍ର ଏୟାରପୋର୍ଟ ପରିସରକୁ ଏକ ସୁରକ୍ଷା ଦୁର୍ଗରେ ପରିଣତ କରାଯାଇଛି। ଭାରତୀୟ ସୁରକ୍ଷା ବାହିନୀ ଓ ରୁଷିଆର ସ୍ୱତନ୍ତ୍ର ଏଜେନ୍ସି ମିଳିତ ଭାବେ ଏହି ବିମାନଗୁଡ଼ିକୁ ଘେରି ରହିଛନ୍ତି।
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି—ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଏପର୍ଯ୍ୟନ୍ତ ନିଜର ପୂର୍ଣ୍ଣ ବ୍ୟାବସାୟିକ ଅନ୍ତର୍ଜାତୀୟ ଉଡ଼ାଣ ସେବା ଆରମ୍ଭ କରିନାହିଁ। ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଶକ୍ତିଶାଳୀ ବିଦେଶୀ ସାମରିକ କାର୍ଗୋ ବିମାନକୁ ସଫଳତାର ସହ ଅବତରଣ କରାଇ ଭାରତ ଏହା ସ୍ପଷ୍ଟ କରିଦେଇଛି ଯେ ଆମର ଏହି ନୂଆ ଏୟାରପୋର୍ଟ ଯେକୌଣସି ଜରୁରୀକାଳୀନ କିମ୍ବା ବୃହତ ରଣନୈତିକ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ।
ଏବେ ଆସନ୍ତୁ କଥା ହେବା ଏହି ବୈଠକର କୂଟନୈତିକ ଗୁରୁତ୍ୱ ବିଷୟରେ। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପାଶ୍ଚାତ୍ୟ ଦେଶମାନେ ରୁଷିଆ ଉପରେ ହଜାର ହଜାର ପ୍ରତିବନ୍ଧକ ଲଗାଇ ତାକୁ ଏକଘରିକିଆ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଭାରତ ନିଜର ‘ରଣନୈତିକ ସ୍ୱାଧୀନତା’ ବଜାୟ ରଖି ସ୍ପଷ୍ଟ କରିଦେଇଛି ଯେ ଭାରତର ଜାତୀୟ ସ୍ୱାର୍ଥ ସର୍ବୋପରି।
ରୁଷିଆର ରାଷ୍ଟ୍ରପତି ପ୍ରବକ୍ତା ଦିମିତ୍ରି ପେସକୋଭ୍ ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ବନ୍ଧୁତା ଅତ୍ୟନ୍ତ ନିବିଡ଼ ଓ ବିଶ୍ୱସନୀୟ।
ଏହି ଗସ୍ତରେ କେଉଁ କେଉଁ ବଡ଼ ପ୍ରସଙ୍ଗ ଉପରେ ମୋହର ଲାଗିପାରେ?
• ପ୍ରତିରକ୍ଷା ଓ ଟେକ୍ନୋଲୋଜି: ଦ୍ୱିପାକ୍ଷିକ ସାମରିକ ସହଯୋଗ ସହିତ ରୁଷର ପଞ୍ଚମ ପିଢ଼ିର ଷ୍ଟିଲ୍ଥ ଫାଇଟର ଜେଟ୍ Su-57 ର ପ୍ରଯୁକ୍ତିବିଦ୍ୟା ସହଭାଗୀତା ଉପରେ ଚର୍ଚ୍ଚା।
• ଶକ୍ତି ସୁରକ୍ଷା: ଭାରତ ପାଇଁ ନିରବଚ୍ଛିନ୍ନ ତଥା ଶସ୍ତା ଅଶୋଧିତ ତୈଳ ଯୋଗାଣ ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ ନୂତନ ପ୍ରକଳ୍ପ।
• ମୁଦ୍ରା ବ୍ୟବସ୍ଥା: ଟଙ୍କା ଏବଂ ରୁବଲ୍ ମାଧ୍ୟମରେ ସିଧାସଳଖ ବ୍ୟବସାୟ, ଯାହାଦ୍ୱାରା ଆମେରିକୀୟ ଡଲାର କିମ୍ବା ପାଶ୍ଚାତ୍ୟ ପ୍ରତିବନ୍ଧକର କୌଣସି ପ୍ରଭାବ ପଡ଼ିବ ନାହିଁ।
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେଉଥିବା ୧୮ଶ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ଥିମ୍ ହେଉଛି—“Building for Resilience, Innovation, Cooperation and Sustainability”।
ବ୍ରିକ୍ସ ଏବେ ଆଉ କେବଳ ପାଞ୍ଚଟି ଦେଶର ମଞ୍ଚ ହୋଇ ରହିନାହିଁ, ବରଂ ଏହା ଗ୍ଲୋବାଲ ସାଉଥ୍ ବା ବିକାଶଶୀଳ ଦେଶମାନଙ୍କର ସବୁଠାରୁ ବଡ଼ ସ୍ୱର ପାଲଟିଛି। ପାଶ୍ଚାତ୍ୟ ମିଡିଆ ଯେଉଁ ଦାବି କରୁଥିଲା ଯେ ଭାରତ-ରୁଷିଆ ସମ୍ପର୍କ ଦୁର୍ବଳ ହୋଇଛି, ସେହି ଦାବିକୁ ଭାରତ ପୁଣିଥରେ ଖଣ୍ଡନ କରିଛି।
ଭାରତ ଏକ ସନ୍ତୁଳିତ ବୈଦେଶିକ ନୀତି ଆପଣେଇଛି। ଭାରତ ଯେପରି କ୍ୱାଡରେ ରହି ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ନିଜର ଦବଦବା ରଖିଛି, ଠିକ୍ ସେହିପରି ବ୍ରିକ୍ସରେ ରହି ରୁଷିଆ ସହିତ ଐତିହାସିକ ବନ୍ଧୁତାକୁ ଆହୁରି ମଜବୁତ କରୁଛି। ନୋଏଡାରେ ରୁଷୀୟ ସେନା ବିମାନ ଅବତରଣ କରିବା ଦର୍ଶାଉଛି ଯେ ଭାରତ ନିଜର ନିଷ୍ପତ୍ତି ନିଜେ ନିଏ, କୌଣସି ମହାଶକ୍ତିର ଚାପରେ ନୁହେଁ।
ଏହି ଘଟଣାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜାତୀୟ ରାଜଧାନୀ ଅଞ୍ଚଳର ଏୟାରସ୍ପେସ୍ ଏବଂ ଭିତ୍ତିଭୂମି ସୁରକ୍ଷା।
ଯେତେବେଳେ ଦୁନିଆର ବଡ଼ ବଡ଼ ରାଷ୍ଟ୍ରମୁଖ୍ୟମାନେ ଦିଲ୍ଲୀ ଆସନ୍ତି, ସେତେବେଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଭୀଷଣ ଚାପ ପଡ଼ିଥାଏ। ଯଦି ଭିଭିଆଇପି ଏବଂ ସାମରିକ କାର୍ଗୋ ବିମାନ ସେଠାରେ ରଖାଯାଏ, ତେବେ ସାଧାରଣ ଫ୍ଲାଇଟ୍ ଚଳାଚଳ ବ୍ୟାହତ ହୁଏ।
ଏହି ପରିପ୍ରେକ୍ଷୀରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଭାରତ ପାଇଁ ଏକ ବଡ଼ ବିକଳ୍ପ ଏବଂ ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଭାବେ ଉଭା ହୋଇଛି। ଲ୍ୟୁସିନ-୨-୭୬ ଭଳି ଭାରୀ ବିମାନକୁ ସଫଳତାର ସହ ପରିଚାଳନା କରି ଏହି ବିମାନବନ୍ଦର ପ୍ରମାଣ କରିଛି ଯେ ଏହା ଆଗାମୀ ଦିନରେ ଦେଶର ରାଷ୍ଟ୍ରୀୟ ସୁରକ୍ଷା ଏବଂ ଭିଭିଆଇପି ଲଜିଷ୍ଟିକ୍ସ ସମ୍ଭାଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଏହି ବିମାନଗୁଡ଼ିକ ମାଧ୍ୟମରେ ପୁଟିନଙ୍କ ବୁଲେଟପ୍ରୁଫ୍ ଗାଡ଼ି ଓ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଦିଲ୍ଲୀ ପହଞ୍ଚିସାରିଛି।
ନୋଏଡା ଏୟାରପୋର୍ଟର ରନୱେରେ ରୁଷୀୟ ସେନା ବିମାନର ଅବତରଣ କେବଳ ଏକ ସାଧାରଣ ଉଡ଼ାଣ ନଥିଲା—ଏହା ଥିଲା ବଦଳୁଥିବା ଭାରତର କୂଟନୈତିକ ସ୍ୱାଧୀନତା ଏବଂ ଭିତ୍ତିଭୂମିର ସାମର୍ଥ୍ୟ। ଆଗାମୀ ଦୁଇ ଦିନ ମଧ୍ୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନ ଏକାଠି ବସିବେ, ସେତେବେଳେ ସମଗ୍ର ବିଶ୍ୱର ନଜର ରହିବ ନୂଆଦିଲ୍ଲୀ ଉପରେ।
AlsoRead; https://purvapaksa.com/did-the-opposition-ignore-the-childs-words/
ପିଲାଙ୍କ କଥା ପାସୋରି ଦେଲେ ବିରୋଧୀ? || Did the opposition ignore the child’s words?


