ପର୍ଯ୍ୟଟନ ନଗରୀ ପୁରୀରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ଉ କରାଯାଇଛି । ବିଶେଷକରି ବେଳାଭୂମି ଅଞ୍ଚଳରେ ଚାଲୁଥିବା ସମସ୍ତ ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟ ଉପରେ ବିଚ୍ ପୋଲିସ ଦ୍ୱାରା ଆକସ୍ମିକ ଚଢ଼ଉ କରାଯାଇଛି । ପର୍ଯ୍ୟଟକଙ୍କୁ ଠକେଇ ଅବୈଧ ବ୍ୟବସାୟ ଏବଂ ସରକାରୀ ନିୟମ ଉଲ୍ଲଂଘନ ଅଭିଯୋଗ ବଢ଼ିବା ପରେ ପୋଲିସ ଏହି କଡ଼ା ପଦକ୍ଷେପ ନେଇଛି ।

ପୋଲିସ ତଦନ୍ତର ମୂଖ୍ୟ ଉଦ୍ଦେଶ୍ୟ ହେଉଛି—ପୁରୀ ବେଳାଭୂମି ନିକଟରେ ଟୁର ଓ ଟ୍ରାଭେଲ ବ୍ୟବସାୟ କରୁଥିବା ସଂସ୍ଥାମାନେ ପୁରୀ ପୌରସଂସ୍ଥାରେ ନିୟମିତ ଭାବେ ଟ୍ରେଡ୍ ଲାଇସେନ୍ସ ନେଇଛନ୍ତି କି ନାହିଁ । ଏହା ସହିତ ସେମାନେ ଜିଏସଟି ରେଜିଷ୍ଟ୍ରେସନ କରି ନିୟମିତ ଭାବେ କର ଡିପୋଜିଟ କରୁଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜୋରଦାର କରାଯାଇଛି ।
ବିଚ୍ ପୋଲିସ ତରଫରୁ ସାତପଡ଼ା, କୋଣାର୍କ, ଚିଲିକା ସାଇଡ୍ ସିନ୍ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀକୁ ନେଇ ଯାଉଥିବା ଟୁର ପ୍ୟାକେଜ୍ର ଧାର୍ଯ୍ୟଦର ଯାଞ୍ଚ କରାଯାଉଛି । ଅଭିଯୋଗ ଅନୁଯାୟୀ କିଛି ଟୁର ଓ ଟ୍ରାଭେଲ ସଂସ୍ଥା ସରକାର ଧାର୍ଯ୍ୟ କରିଥିବା ଦରଠାରୁ ଅଧିକ ଟଙ୍କା ନେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିଲେ । ବିଶେଷକରି ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଲକ୍ଷ୍ୟ କରି ଏଭଳି ଅନିୟମିତତା କରାଯାଉଥିବା ଅଭିଯୋଗ ଥିଲା ।
ଚଢ଼ଉ ସମୟରେ ପୋଲିସ କିଛି ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟରୁ ଦଲିଲପତ୍ର ଜବତ କରିଛି । ଟ୍ରେଡ୍ ଲାଇସେନ୍ସ, ଜିଏସଟି ରସିଦ, ରେଟ୍ ଚାର୍ଟ ଓ ବୁକିଂ ରେକର୍ଡ ଯାଞ୍ଚ କରାଯାଉଛି । ଯେଉଁ ସଂସ୍ଥାମାନେ ଆବଶ୍ୟକ ଦଲିଲ ଦେଖାଇପାରୁନାହାନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପୋଲିସ ସ୍ପଷ୍ଟ କରିଛି ।
ବିଚ୍ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ପୁରୀର ପର୍ଯ୍ୟଟନ ଛବିକୁ କ୍ଷତି ପହଞ୍ଚାଉଥିବା କୌଣସି କାର୍ଯ୍ୟକୁ ସହନ କରାଯିବ ନାହିଁ । ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସ୍ୱଚ୍ଛ ବ୍ୟବସାୟ ପରିବେଶ ସୃଷ୍ଟି ପାଇଁ ଏଭଳି ଚଢାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ କହିଛି ।
ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ପର୍ଯ୍ୟଟକମାନେ ସ୍ୱାଗତ କରିଥିବା ବେଳେ ସତ୍ୟନିଷ୍ଠ ଟୁର ଓ ଟ୍ରାଭେଲ ବ୍ୟବସାୟୀମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ସେମାନଙ୍କ ମତରେ ଏଭଳି ଚଢାଉ ଫଳରେ ଅବୈଧ ବ୍ୟବସାୟ ଉପରେ ଲଗାମ ଲାଗିବ ଏବଂ ପୁରୀର ପର୍ଯ୍ୟଟନ ଉନ୍ନତି ପାଇବ ।
also read https://purvapaksa.com/india-eu-all-these-things-will-be-cheaper/


