ଭାରତ ଓ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (Free Trade Agreement – FTA) ସ୍ୱାକ୍ଷରିତ ହୋଇଛି । ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ୧୮ ବର୍ଷ ଧରି ଚାଲିଥିବା ଆଲୋଚନା ଶେଷରେ ସଫଳତାର ସହିତ ସମାପ୍ତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚୁକ୍ତିକୁ “ମଦର ଅଫ୍ ଅଲ୍ ଡିଲ୍” ବୋଲି ଅଭିହିତ କରି ଏହାକୁ ସ୍ୱାଗତ କରିଛନ୍ତି । ତାଙ୍କ କହିବା ଅନୁସାରେ, ଏହି ଚୁକ୍ତି ଭାରତ ଓ ୟୁରୋପର ଲୋକମାନଙ୍କ ପାଇଁ ନୂଆ ସୁଯୋଗ, ନୂଆ ଚାକିରି ଓ ନୂଆ ନିବେଶର ଦ୍ୱାର ଖୋଲିବ ।
ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବର୍ତ୍ତମାନ ପ୍ରାୟ ୧୩୬ ବିଲିୟନ ଡଲାରର ବ୍ୟବସାୟ ଚାଲିଛି । ଏହି ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ପରେ ୯୦ ପ୍ରତିଶତରୁ ଅଧିକ ପଣ୍ୟଦ୍ରବ୍ୟ ଉପରୁ ଆଦାୟ ହେଉଥିବା ସୀମା ଶୁଳ୍କକୁ ଧୀରେ ଧୀରେ ହଟାଇ ଦିଆଯିବ । ଏହାର ସିଧାସଳଖ ପ୍ରଭାବ ଭାରତୀୟ ରପ୍ତାନି ଉପରେ ପଡ଼ିବ । ଭାରତୀୟ ସାମଗ୍ରୀ ୟୁରୋପ ବଜାରରେ ଅଧିକ ଶସ୍ତା ହେବ ଏବଂ ଚାଇନା ଭଳି ଦେଶ ସହିତ ପ୍ରତିଯୋଗିତା କରିପାରିବ ।
ବର୍ତ୍ତମାନ ଭାରତର କପଡ଼ା, ଜୋତା ଓ ଅଳଙ୍କାର ଉପରେ ୟୁରୋପରେ ପ୍ରାୟ ୧୦ ପ୍ରତିଶତ ଟ୍ୟାକ୍ସ ଲାଗୁଛି । ଚୁକ୍ତି କାର୍ଯ୍ୟକାରୀ ହେଲେ ଏହି ଟ୍ୟାକ୍ସ ଶୂନ କରାଯିବ । ଏହାଦ୍ୱାରା ଭାରତର ହସ୍ତତନ୍ତ, କପଡ଼ା ଓ ଅଳଙ୍କାର ଶିଳ୍ପ ବିଶେଷ ଲାଭାନ୍ୱିତ ହେବ । ଏହା ସହିତ ଆଇଟି ଏବଂ ବିପିଓ କ୍ଷେତ୍ରର କର୍ମଚାରୀମାନେ ୟୁରୋପର ୨୭ଟି ଯାକ ଦେଶରେ କାମ କରିବା ପାଇଁ ସହଜରେ ଭିସା ଓ କାର୍ଯ୍ୟ ଅନୁମତି ପାଇପାରିବେ । ଏହି ଚୁକ୍ତି ଭାରତର ଔଷଧ ଶିଳ୍ପ ପାଇଁ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ । ଭାରତର ଜେନେରିକ୍ ଔଷଧକୁ ୟୁରୋପ ବଜାରରେ ବିକ୍ରି କରିବା ପାଇଁ ପୂର୍ବ ଅପେକ୍ଷା ସହଜ ନିୟମ ଲାଗୁ ହେବ ।
ଅନ୍ୟପଟେ, ୟୁରୋପରୁ ଆସୁଥିବା ସାମଗ୍ରୀ ଉପରେ ଭାରତରେ ଟିକସ ହ୍ରାସ ପାଇବ । ୟୁରୋପୀୟ ଲକ୍ସୁରୀ କାର୍ ଉପରେ ବର୍ତ୍ତମାନ ୧୧୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲାଗୁଛି । ଚୁକ୍ତି ଅନୁଯାୟୀ, ଏହାକୁ ଧୀରେ ଧୀରେ କମାଇ ୪୦ ପ୍ରତିଶତ କରାଯିବ । ବିଶେଷକରି ଇଲେକ୍ଟ୍ରିକ୍ ଗାଡ଼ି (EV) ଗୁଡ଼ିକ ଅଧିକ ଶସ୍ତା ହେବ । ସ୍କଚ୍ ହୁଇସ୍କି ଓ ସାମ୍ପେନ୍ ଉପରୁ ଟ୍ୟାକ୍ସ କମିବା ଫଳରେ ଏହାର ଦାମ ମଧ୍ୟ କମିବ ।
ୟୁରୋପୀୟ ମେସିନାରୀ, କଳକବଜା ଓ ବିମାନ ପାର୍ଟସ୍ ଶସ୍ତା ହେବାରୁ ଭାରତର ଶିଳ୍ପାୟନ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ତେବେ ବିଦେଶୀ ସାମଗ୍ରୀ ଶସ୍ତା ହେଲେ କିଛି ଭାରତୀୟ କମ୍ପାନୀ କ୍ଷତି ସହିପାରନ୍ତି ବୋଲି ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ସାରାଶେଷରେ, ଭାରତ–EU ମଧ୍ୟରେ ସ୍ୱାକ୍ଷରିତ ଏହି ଐତିହାସିକ ଚୁକ୍ତି ଭାରତର ଅର୍ଥନୀତି, ରପ୍ତାନି ଓ ରୋଜଗାର ସୃଷ୍ଟି ପାଇଁ ଏକ ମାଇଲସ୍ଟୋନ୍ ହେବ ବୋଲି ଆଶା କରାଯାଉଛି ।
also read https://purvapaksa.com/icc-bans-bangladesh-sports-journalist/
ICC bans Bangladesh sports journalist ।। ଆଇସିସିର ରୋକ୍ ! ଟିଭିରେ ବାଂଲାଦେଶୀ ଦେଖିପାରିବେନି ଖେଳ


