ଓଡ଼ିଶାର ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟ ଏବେ ସଙ୍କଟରେ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) ଦ୍ୱାରା ସଂରକ୍ଷିତ ତଥା ଶତାବ୍ଦୀ ପୁରୁଣା ଐତିହାସିକ ଯାଜପୁରର ‘ଅଠରନଳା ପୋଲ’ ଏବେ ଚରମ ଅବହେଳାର ଶିକାର ହୋଇଛି। ପ୍ରଶାସନିକ ଉଦାସୀନତା ଯୋଗୁଁ ଏହି ପ୍ରାଚୀନ କୀର୍ତ୍ତିରାଜି ଉପରେ ଦିନକୁ ଦିନ ଗଠନମୂଳକ ଚାପ ବଢିବାରେ ଲାଗିଛି, ଯାହା ଏହାର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି।

ବିକଳ୍ପ ପୋଲ ଥାଇ ମଧ୍ୟ ଯାଉଛି ଭାରୀଯାନ
ସୂଚନା ଅନୁଯାୟୀ, ଏହି ପ୍ରାଚୀନ ପୋଲର ସୁରକ୍ଷା ପାଇଁ ୨୦୨୧ ମସିହାରେ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଏକ ନୂତନ ବୋ-ଷ୍ଟ୍ରିଙ୍ଗ ଓଭରବ୍ରିଜ୍ ନିର୍ମାଣ କରାଯାଇଥିଲା। କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏହି ନୂତନ ବ୍ରିଜ୍ଟି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ, ବିକଳ୍ପ ରାସ୍ତା ଥାଇ ମଧ୍ୟ ପ୍ରତିଦିନ ହଜାର ହଜାର ଭାରୀଯାନ ଓ ବସ-ଟ୍ରକ୍ ଏହି ପୁରୁଣା ଐତିହ୍ୟ ପୋଲ ଉପରେ ଚଳାଚଳ କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୋଲର ବିଭିନ୍ନ ସ୍ଥାନରେ ଏବେ ଫାଟ ଦେଖାଦେଲାଣି। ଯଦି ତୁରନ୍ତ ଭାରୀଯାନ ଚଳାଚଳ ବନ୍ଦ କରାନଯାଏ, ତେବେ ଏହା ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।
ପୁରୀର ଅଠରନଳାଠାରୁ ମଧ୍ୟ ପୁରୁଣା !
ସାଧାରଣତଃ ‘ଅଠରନଳା’ କହିଲେ ଲୋକେ ପୁରୀର ପ୍ରସିଦ୍ଧ ପୋଲକୁ ବୁଝନ୍ତି। କିନ୍ତୁ ଗବେଷକ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ, ଜାଜପୁରର ଏହି ଅଠରନଳା ପୋଲ ପୁରୀଠାରୁ ମଧ୍ୟ ଅଧିକ ପ୍ରାଚୀନ। ପ୍ରାଚୀନ କଳିଙ୍ଗର ରାଜଧାନୀ ଜାଜପୁରରେ ଭୌମକର ଓ ଗଙ୍ଗବଂଶର ଶାସନ କାଳରେ ଏହି ପୋଲ ନିର୍ମିତ ହୋଇଥିଲା। ପରବର୍ତ୍ତୀ ସମୟରେ ମହାରାଜା ଯଯାତି କେଶରୀ (ଦ୍ୱିତୀୟ) ଏହାର ଜୀର୍ଣ୍ଣୋଦ୍ଧାର କରିଥିଲେ। ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ବିରଜା କ୍ଷେତ୍ରକୁ ଆସିବା ସମୟରେ ଏହି ରାସ୍ତା ଦେଇ ଗତି କରିଥିଲେ ବୋଲି ଇତିହାସ କହେ।
ବୈତରଣୀର ଶାଖା ନଦୀ ଉପରେ ନିର୍ମିତ
ବୈତରଣୀ ନଦୀର ଶାଖା ମନ୍ଦାକିନୀ ଉପରେ ଏହି ପୋଲ ନିର୍ମିତ। ଏଥିରେ ୧୮ଟି ନଳା ବା ଆର୍ଚ୍ଚ ଥିବାରୁ ଏହାକୁ ଅଠରନଳା କୁହାଯାଏ। ଏହାର ଲମ୍ବ ପ୍ରାୟ ୨୬୫ ଫୁଟ, ଓସାର ୩୨ ଫୁଟ ଏବଂ ଉଚ୍ଚତା ୧୧ ଫୁଟ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ପୋଲ ତଳେ ଦେବୀ ହରପାର୍ବତୀ, ଏକପାଦ ଭୈରବ, ପ୍ରଭୁ ଗଣେଶ ଓ କାର୍ତ୍ତିକେୟଙ୍କ ଭଳି ଅନେକ ଦେବଦେବୀଙ୍କ ମୂର୍ତ୍ତି ତଥା ପ୍ରତ୍ନତାତ୍ତ୍ୱିକ କଳାକୃତି ରହିଛି, ଯାହା ଏବେ ଅସୁରକ୍ଷିତ ଅବସ୍ଥାରେ ଅଛି। ଐତିହ୍ୟ ସୁରକ୍ଷା କେବଳ ଏକ ସାଇନବୋର୍ଡରେ ସୀମିତ ହୋଇ ରହିଯାଇଛି ବୋଲି ଗବେଷକ ଭୂପତି ଭୂଷଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି।
ପ୍ରଶାସନର ପ୍ରତିଶ୍ରୁତି
/odishatv/media/media_files/2026/06/30/atharanala-bridge-2026-06-30-11-49-51.png)
ସ୍ଥାନୀୟ ବାସିନ୍ଦା ତପନ ମହାରଣ୍ୟ ଶର୍ମା ଓ ବିଭୂତି ମହାପାତ୍ର ପ୍ରଶାସନର ଏଭଳି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଏହି କୀର୍ତ୍ତିରାଜିର ସୁରକ୍ଷା ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଜାଜପୁର ଜିଲ୍ଲାପାଳ ଅମ୍ବର କର ଏ ସମ୍ପର୍କରେ କହିଛନ୍ତି ଯେ, “ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରାଯାଇ ଖୁବ୍ ଶୀଘ୍ର ନୂତନ ବ୍ରିଜ୍କୁ ଯାତାୟାତ ପାଇଁ ଖୋଲାଯିବ। ଏହା ସହିତ ପୁରୁଣା ଐତିହାସିକ ଅଠରନଳା ପୋଲର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।”
ଯଦି ସମୟ ଥାଉ ଥାଉ ଏହି ଅମୂଲ୍ୟ ସମ୍ପତ୍ତିର ରକ୍ଷଣାବେକ୍ଷଣ କରାନଯାଏ, ତେବେ ଓଡ଼ିଶାର ଏକ ଗୌରବମୟ ଇତିହାସ ସଦାଦିନ ପାଇଁ ବିଲୁପ୍ତ ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚେତାବନୀ ଦିଆଯାଇଛି।


