ଆଫଗାନିସ୍ତାନ ସୀମା ଭିତରକୁ ପଶି ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣ (ଏୟାର ଷ୍ଟ୍ରାଇକ)କୁ ଭାରତ କଡ଼ା ଭାଷାରେ ନିନ୍ଦା କରିଛି। ଏହି ଆକ୍ରମଣରେ ଅନେକ ନିରୀହ ନାଗରିକ, ବିଶେଷ କରି ମହିଳା ଓ ଶିଶୁ ପ୍ରାଣ ହରାଇଥିବାରୁ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ଆଧିକାରିକ ବ୍ୟାନ ଜାରି କରି ପାକିସ୍ତାନର ଏଭଳି ପଦକ୍ଷେପକୁ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ସିଧାସଳଖ ଆକ୍ରମଣ ଏବଂ ସମଗ୍ର ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି ଏକ ଗମ୍ଭୀର ସଙ୍କଟ ବୋଲି ଅଭିହିତ କରିଛି।

ପାକିସ୍ତାନର ଆକ୍ରମଣରେ ୩୬ ନିରୀହ ନାଗରିକ ମୃତ
ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର କୁନାର, ପାକ୍ତିଆ ଏବଂ ପାକ୍ତିକା ପ୍ରଦେଶର ଆବାସିକ ଅଞ୍ଚଳ ଉପରେ ବୋମା ବର୍ଷଣ କରିଛି। ଆଫଗାନିସ୍ତାନ ସରକାରଙ୍କ ଉପ-ପ୍ରବକ୍ତା ହମଦୁଲ୍ଲା ଫିତରତଙ୍କ ସୂଚନା ଅନୁସାରେ, ଏହି ଭୟାବହ ଆକ୍ରମଣରେ ଅତିକମରେ ୩୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୩ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପାକ୍ତିଆ ପ୍ରଦେଶରେ ପ୍ରଥମ ଆକ୍ରମଣ ପରେ ଯେତେବେଳେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ପାଇଁ ଏକାଠି ହୋଇଥିଲେ, ପାକିସ୍ତାନ ପୁଣିଥରେ ସେହି ସ୍ଥାନରେ ଦ୍ୱିତୀୟ ବୋମାମାଡ଼ କରିଥିଲା, ଯାହାଫଳରେ ମୃତ୍ୟୁସଂଖ୍ୟା ବଢିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ଦାବି କରିଛି ଯେ ସେମାନେ ନିଜ ସୀମା ସୁରକ୍ଷା ପାଇଁ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ୨୯ ଜଣ ସନ୍ତ୍ରାସବାଦୀଙ୍କୁ ନିପାତ କରିଛନ୍ତି। କିନ୍ତୁ ଆଫଗାନିସ୍ତାନ ଏହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଏହାକୁ ସାଧାରଣ ଜନତାଙ୍କ ଉପରେ ବର୍ବରତା ବୋଲି କହିଛି।

ନିଜର ଆଭ୍ୟନ୍ତରୀଣ ବିଫଳତା ଲୁଚାଉଛି ପାକିସ୍ତାନ : ଭାରତ
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରବକ୍ତା ରଣଧୀର ଜୈସୱାଲ କହିଛନ୍ତି ଯେ, “ପାକିସ୍ତାନର ଏହି ବେପରୁଆ କାର୍ଯ୍ୟାନୁଷ୍ଠାନ ତାର ପୁରୁଣା ଅଭ୍ୟାସକୁ ଦର୍ଶାଉଛି। ନିଜ ଦେଶର ଆଭ୍ୟନ୍ତରୀଣ ସମସ୍ୟା, ଅର୍ଥନୈତିକ ସଙ୍କଟ ଏବଂ ସୁରକ୍ଷା ବିଫଳତାରୁ ବିଶ୍ୱବାସୀଙ୍କ ଦୃଷ୍ଟି ହଟାଇବା ପାଇଁ ପାକିସ୍ତାନ ସବୁବେଳେ ସୀମା ବାହାରେ ହିଂସାତ୍ମକ କାର୍ଯ୍ୟକଳାପର ସହାରା ନେଇଥାଏ। ଏହି ଏୟାର ଷ୍ଟ୍ରାଇକ ସେହି ହୀନ ପ୍ରବୃତ୍ତିର ଆଉ ଏକ ପ୍ରମାଣ।”
ଆଫଗାନ ସାଧାରଣ ଜନତାଙ୍କ ସହ ଛିଡ଼ା ହେଲା ଭାରତ

ନୂଆଦିଲ୍ଲୀ ପକ୍ଷରୁ ଜାରି ବ୍ୟବସ୍ଥାରେ ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ଭାରତ ତାର ଅବିଚଳିତ ସମର୍ଥନକୁ ଦୋହରାଇଛି। ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ପରିବାର ପ୍ରତି ଭାରତ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛି। ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ କରାଚିରେ ହୋଇଥିବା ଏକ ଆକ୍ରମଣ ପାଇଁ ପାକିସ୍ତାନ ଭାରତ ଉପରେ ମିଥ୍ୟା ଦୋଷାରୋପ କରିଥିଲା, ଯାହାକୁ ଭାରତ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଥିଲା। ବର୍ତ୍ତମାନ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ କୂଟନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଏହି ଘଟଣା ସମଗ୍ର ଦକ୍ଷିଣ ଏସିଆର ସୁରକ୍ଷା ବ୍ୟବସ୍ଥାକୁ ଚିନ୍ତାରେ ପକାଇଛି।


