ଆଜି ଆମେ କୌଣସି ଦଳର ସପକ୍ଷରେ କିମ୍ବା ବିପକ୍ଷରେ କଥା କହିବାକୁ ବସିନାହୁଁ। ଆଜି ଆମେ କଥା କହିବୁ ସେହି ସାଧାରଣ ଲୋକଙ୍କ ପକ୍ଷରୁ, ଯେଉଁମାନେ ପ୍ରତିବର୍ଷ ବନ୍ୟାରେ ଘର ହରାନ୍ତି, ଜମି ହରାନ୍ତି, ଫସଲ ହରାନ୍ତି, ଜୀବିକା ହରାନ୍ତି, ଆଉ ଶେଷରେ ନିଜ ଆଶା ମଧ୍ୟ ହରାଇ ବସନ୍ତି।
ପ୍ରଶ୍ନ ହେଉଛି…
ଓଡ଼ିଶାରେ ବନ୍ୟା ସତରେ ପ୍ରାକୃତିକ ବିପର୍ଯ୍ୟୟ, ନା ଆମର ଅବହେଳା, ଅଦୂରଦର୍ଶିତା ଓ ରାଜନୈତିକ ସଂସ୍କୃତିର ପରିଣାମ?
ଏହି ପ୍ରଶ୍ନ ସେହି ସବୁ ସରକାର ଓ ସବୁ ରାଜନୈତିକ ଦଳ ପାଇଁ, ଯେଉଁମାନେ ବର୍ଷ ବର୍ଷ ଧରି ଶାସନ କରିଛନ୍ତି କିମ୍ବା ବିରୋଧୀ ଆସନରେ ବସିଛନ୍ତି।
୨୪ ବର୍ଷର ସରକାର ହେଉ କି ଆଜିର ସରକାର, ଲୋକଙ୍କର ପ୍ରଶ୍ନ ଗୋଟିଏ—ସ୍ଥାୟୀ ସମାଧାନ କେଉଁଠି?
ବନ୍ୟା ଆସିଲେ ହଠାତ୍ ସମସ୍ତଙ୍କର ଲୋକଙ୍କ ପ୍ରତି ଭଲପାଇବା ଜାଗିଉଠେ। କେହି ରିଲିଫ୍ ନେଇ ପହଞ୍ଚନ୍ତି, କେହି କ୍ୟାମେରା ନେଇ ପହଞ୍ଚନ୍ତି, କେହି ଭିଡିଓ କରନ୍ତି, କେହି ଫଟୋ ଉଠାନ୍ତି। ସୋସିଆଲ ମିଡିଆ ଭରିଯାଏ ମାନବିକତାର ପୋଷ୍ଟରେ।
କିନ୍ତୁ ବନ୍ୟା ସରିଗଲା ପରେ… ସେହି ଗାଁ, ସେହି ନଦୀ, ସେହି ଭଙ୍ଗା ବନ୍ଧ, ସେହି ଡ୍ରେନେଜ୍ ସମସ୍ୟା, ସେହି ଅବହେଳା… ପୁଣି ଆରମ୍ଭ ହୋଇଯାଏ।
- ବନ୍ଧ ଭାଙ୍ଗିଲେ ବାଲି ବସ୍ତା ପଡ଼ିବ।
- ଲୋକ ଫସିଲେ ଚୁଡ଼ା-ଗୁଡ଼ ବଣ୍ଟାଯିବ।
- କ୍ଷତିପୂରଣ ଘୋଷଣା ହେବ।
- ତା’ପରେ ସବୁ ଭୁଲିଯିବେ।
- ଏହା କି ପ୍ରଶାସନର ସଫଳତା, ନା ବିଫଳତା?
- ଆଜି ମଣିଷ ଚନ୍ଦ୍ରକୁ ଯାଉଛି।
- ମଙ୍ଗଳ ଗ୍ରହରେ ମିଶନ୍ କରୁଛି।
- କୃତ୍ରିମ ବୁଦ୍ଧିମତା ମଣିଷର କାମ କରୁଛି।
- ଡ୍ରୋନ୍ ଆକାଶରୁ ଔଷଧ ପହଞ୍ଚାଉଛି।
- ସାଟେଲାଇଟ୍ ବର୍ଷାର ପୂର୍ବାନୁମାନ କରୁଛି।
ତାହେଲେ ପ୍ରଶ୍ନ ହେଉଛି—
ପ୍ରତିବର୍ଷ କେଉଁ ନଦୀ ଉଫାନିବ, କେଉଁ ବନ୍ଧ ଦୁର୍ବଳ, କେଉଁ ଅଞ୍ଚଳ ଜଳମଗ୍ନ ହେବ—ଏସବୁ ଆଗରୁ ଜଣା ଥାଇ ମଧ୍ୟ ସ୍ଥାୟୀ ସମାଧାନ କାହିଁକି ହେଉନାହିଁ?
- ମନ୍ତ୍ରୀ ଜାଣନ୍ତି।
- ଯନ୍ତ୍ରୀ ଜାଣନ୍ତି।
- ପ୍ରଶାସନ ଜାଣେ।
- ସ୍ଥାନୀୟ ଲୋକ ମଧ୍ୟ ଜାଣନ୍ତି।
- ତାହେଲେ ସମସ୍ୟା ଜ୍ଞାନର ନୁହେଁ, ଇଚ୍ଛାଶକ୍ତିର।
ଆମେ ଏହା କହୁନାହୁଁ ଯେ ବନ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ। ପ୍ରକୃତି ଉପରେ କାହାର ନିୟନ୍ତ୍ରଣ ନାହିଁ।
- କିନ୍ତୁ କ୍ଷତିକୁ କମାଇବା?
- ନଦୀ ପରିଚାଳନା?
- ବନ୍ଧ ସୁଦୃଢ଼ କରିବା?
- ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା?
- ନଦୀରୁ ପଲି କାଢ଼ିବା?
- ଅତିକ୍ରମଣ ହଟାଇବା?
- ବୈଜ୍ଞାନିକ ଭିତ୍ତିରେ ବନ୍ୟା ପରିଚାଳନା?
- ଏସବୁ କି ଅସମ୍ଭବ?
ନା ଆମେ କେବଳ ବିପର୍ଯ୍ୟୟ ଆସିଲେ ତାହାର ରାଜନୈତିକ ଲାଭ ଉଠାଇବାରେ ଅଭ୍ୟସ୍ତ ହୋଇପଡ଼ିଛୁ?
ରାଜନୀତିରେ ଗୋଟିଏ କଥା ପ୍ରାୟ ଶୁଣିବାକୁ ମିଳେ—
ଲୋକଙ୍କ ସମସ୍ୟା ଯେତେ ବଢ଼ିବ, ନେତାଙ୍କ ଗୁରୁତ୍ୱ ସେତେ ବଢ଼ିବ।
ଏହି କଥା ସବୁଠି ସତ ନ ହୋଇପାରେ। କିନ୍ତୁ ଆମର ବ୍ୟବସ୍ଥାକୁ ଦେଖିଲେ ଏପରି ପ୍ରଶ୍ନ ଉଠିବା ସ୍ୱାଭାବିକ।
କାରଣ ସ୍ଥାୟୀ ସମାଧାନ ହୋଇଗଲେ, ପ୍ରତିବର୍ଷ ରିଲିଫ୍ ରାଜନୀତି କରିବାର ସୁଯୋଗ କମିଯିବ।
ଏହା କଠୋର ପ୍ରଶ୍ନ।
କିନ୍ତୁ ଗଣତନ୍ତ୍ରରେ କଠୋର ପ୍ରଶ୍ନ ପଚାରିବା ଅପରାଧ ନୁହେଁ।
ଆଉ ଏଠାରେ ଆମର ମଧ୍ୟ ଦାୟିତ୍ୱ ଅଛି।
ଆମେ ଭୋଟର୍ ଭାବେ କଣ ପଚାରୁଛୁ? “କେତେ ଚୁଡ଼ା ବଣ୍ଟିଲେ?” ନା “ସ୍ଥାୟୀ ସମାଧାନ କଣ କଲେ?” “କେତେ ଫଟୋ ଉଠାଇଲେ?”ନା “ଆସନ୍ତା ପାଞ୍ଚ ବର୍ଷରେ ବନ୍ୟା ରୋକିବା ପାଇଁ ଆପଣଙ୍କର ବ୍ଲୁପ୍ରିଣ୍ଟ କଣ?”
ଯଦି ଆମେ ପ୍ରଶ୍ନ ବଦଳାଇବା ନାହିଁ, ଉତ୍ତର ମଧ୍ୟ କେବେ ବଦଳିବ ନାହିଁ।
- ବନ୍ୟା ପରେ ଆମେ ନେତାଙ୍କୁ ଫୁଲମାଳ ପିନ୍ଧାଉ।
- ସେମାନଙ୍କୁ ଧନ୍ୟବାଦ ଦେଉ।
- ଆଉ ପାଞ୍ଚ ବର୍ଷ ପରେ ପୁଣି ସେହି ଦୃଶ୍ୟ ଦେଖୁ।
- କିନ୍ତୁ ଆମେ କେବେ ପଚାରିଛୁ କି—
- ଗତ ପାଞ୍ଚ ବର୍ଷରେ କେତେ ନଦୀର ଡ୍ରେଜିଂ ହେଲା?
- କେତେ କିଲୋମିଟର ବନ୍ଧ ସୁଦୃଢ଼ ହେଲା?
- କେତେ ଜଳନିଷ୍କାସନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲା?
- କେଉଁ ବନ୍ୟାପ୍ରବଣ ଅଞ୍ଚଳରେ ସ୍ଥାୟୀ ବ୍ୟବସ୍ଥା ହେଲା?
- ଏହି ପ୍ରଶ୍ନ ହିଁ ଗଣତନ୍ତ୍ରର ମୂଳ ଶକ୍ତି।
- ଏହି ସମ୍ପାଦକୀୟ କୌଣସି ଦଳ ବିରୋଧରେ ନୁହେଁ।
- ଏହା ଗୋଟିଏ ଚିନ୍ତାଧାରା ବିରୋଧରେ।
- ସେହି ଚିନ୍ତାଧାରା, ଯେଉଁଠାରେ ବିପର୍ଯ୍ୟୟକୁ ରାଜନୈତିକ ସୁଯୋଗ ଭାବେ ଦେଖାଯାଏ।
- ଆମର ଆହ୍ୱାନ , ଶାସକ ଦଳକୁ ;ଆପଣମାନେ ଦାୟିତ୍ୱରେ ଅଛନ୍ତି। କେବଳ ରିଲିଫ୍ ନୁହେଁ, ସ୍ଥାୟୀ ସମାଧାନର ରୋଡମ୍ୟାପ୍ ଦିଅନ୍ତୁ।
- ବିରୋଧୀ ଦଳକୁ ; କେବଳ ସମାଲୋଚନା ନୁହେଁ, ବୈଜ୍ଞାନିକ ଓ ବ୍ୟବହାରିକ ବିକଳ୍ପ ଯୋଜନା ଦିଅନ୍ତୁ। ସ୍ଥାୟୀ ସମାଧାନ ପାଇଁ ଜନଆନ୍ଦୋଳନ କରନ୍ତୁ।
- ଆଉ ଜନସାଧାରଣଙ୍କୁ;କେବଳ ସହାୟତା ପାଇଁ ଧନ୍ୟବାଦ ଦିଅନ୍ତୁ ନାହିଁ। ସ୍ଥାୟୀ ସମାଧାନ ପାଇଁ ଦାବି କରନ୍ତୁ।
ମନେରଖନ୍ତୁ…
- ବଡ଼ ବଡ଼ ବିଲ୍ଡିଂ ତିଆରି କଲେ ବିକାଶ ହୁଏନାହିଁ।
- ଲୋକଙ୍କ ଜୀବନ ସୁରକ୍ଷିତ ହେଲେ ହିଁ ପ୍ରକୃତ ବିକାଶ ହୁଏ।
- ଗୋଟିଏ ସରକାରର ସଫଳତା ସେତେବେଳେ ମାପାଯିବ, ଯେତେବେଳେ ପ୍ରତିବର୍ଷ ସେହି ଗାଁ ପୁଣି ବନ୍ୟାରେ ବୁଡ଼ିବ ନାହିଁ।
ଆମେ ଦାୟିତ୍ୱବାନ ଗଣମାଧ୍ୟମ ଭାବେ କେବଳ ଏତିକି କହିବାକୁ ଚାହୁଁଛୁ
ଦୟାକରି ବନ୍ୟାକୁ ରାଜନୀତିର ମଞ୍ଚ କରନ୍ତୁ ନାହିଁ। ବନ୍ୟାକୁ ବୈଜ୍ଞାନିକ, ପ୍ରଶାସନିକ ଓ ଦୀର୍ଘମିଆଦି ଦୃଷ୍ଟିକୋଣରୁ ସମାଧାନ କରନ୍ତୁ।
ଶେଷରେ ଗୋଟିଏ ପ୍ରଶ୍ନ ଆପଣଙ୍କ ପାଇଁ ; ଆପଣ ଆସନ୍ତା ନିର୍ବାଚନରେ ରିଲିଫ୍ ପ୍ୟାକେଟ୍ ଦେଖି ଭୋଟ ଦେବେ, ନା ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ଯୋଜନା ଦେଖି ଭୋଟ ଦେବେ?
ଆପଣଙ୍କ ଅଞ୍ଚଳରେ ବି ବନ୍ୟା ନାଁରେ ଏମିତି ରାଜନୀତି ହେଉଛି କି?

