ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀର ଶକ୍ତି ସନ୍ତୁଳନ ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ଇଙ୍ଗିତରେ ଚାଲୁଥିଲା। କିନ୍ତୁ ଆଜି ବିଶ୍ୱ ବଦଳୁଛି। ଦିଲ୍ଲୀର ଭାରତ ମଣ୍ଡପମରେ ଶେଷ ହୋଇଥିବା ବ୍ରିକ୍ସ (BRICS) ସମ୍ମିଳନୀ ସାରା ବିଶ୍ୱକୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ ଆଗାମୀ ‘ନ୍ୟୁ ୱାର୍ଲ୍ଡ ଅର୍ଡର’ (New World Order) ବା ନୂଆ ବିଶ୍ୱ ବ୍ୟବସ୍ଥା ଆଉ ୱାଶିଂଟନ କିମ୍ବା ଲଣ୍ଡନର ଇଚ୍ଛାରେ ନୁହେଁ, ବରଂ ନୂଆଦିଲ୍ଲୀର ସହଭାଗୀତାରେ ନିର୍ଦ୍ଧାରିତ ହେବ।
ଯେଉଁ ଦେଶମାନେ ପରସ୍ପରର ମୁହଁ ଚାହୁଁ ନଥିଲେ— ଇରାନ ଏବଂ ସାଉଦି ଆରବ, ସାଉଦି ଆରବ ଏବଂ ୟୁଏଇ, ଭାରତ ଏବଂ ଚୀନ୍— ସେମାନେ ସମସ୍ତେ ଗୋଟିଏ ଟେବୁଲରେ ଆସି ବସିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟର ୱାନ୍-ଅନ୍-ୱାନ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଲା। ପୂରା ବିଶ୍ୱ ଭାରତର କୂଟନୈତିକ କ୍ଷମତାକୁ ପ୍ରଶଂସା କରୁଛି।
କିନ୍ତୁ ଏହି ସବୁ ସଫଳତା ମଧ୍ୟରେ ଗୋଟିଏ ଦଳ ଏପରି ଅଛି, ଯାହା ନିଜର ପୁରୁଣା ଭ୍ରମରୁ ବାହାରି ପାରୁନାହିଁ। ସେଇଟି ହେଉଛି କଂଗ୍ରେସ ପାର୍ଟି!
ସାରା ଦେଶ ଗର୍ବିତ ହେଉଥିବା ବେଳେ, କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ କ’ଣ କରୁଥିଲେ? ସେମାନେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ବ୍ରେକଫାଷ୍ଟ ମିଟିଂ କରି ଫଟୋ ସେୟାର କରୁଥିଲେ!
କାହିଁକି ଏହି ସାକ୍ଷାତ? ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କୁଆଡ଼େ ଗଲେ? କଂଗ୍ରେସ ଭିତରେ ଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀମାନେ କୁଆଡ଼େ ଗଲେ? “ଯେଉଁ ସଫଳତାର ଶ୍ରେୟ ଗାନ୍ଧୀ ପରିବାରକୁ ମିଳେନାହିଁ, ସେହି ସଫଳତା ଦେଶ ପାଇଁ ଯେତେ ବଡ଼ ହେଲେ ବି କଂଗ୍ରେସ ପାଇଁ ବ୍ୟର୍ଥ କାହିଁକି?”
ଆସନ୍ତୁ ପ୍ରଥମେ ନଜର ପକାଇବା ବ୍ରିକ୍ସ ସମ୍ମିଳନୀରେ ପ୍ରକୃତରେ ଭାରତ କ’ଣ ହାସଲ କଲା।
୧. ଶତ୍ରୁ ମଧ୍ୟରେ ସହମତି: ଯେଉଁ ଇରାନ ଏବଂ ସାଉଦି ଆରବ ମଧ୍ୟପ୍ରାଚ୍ୟରେ ମୁହାଁମୁହିଁ ଥିଲେ, ସେମାନେ ଭାରତ ମାଟିରେ ବସି ହାତ ମିଳାଇଲେ।
୨. ଚୀନ୍ ସହିତ ସୀମା ବୁଝାମଣା: ଗତ ଚାରି-ପାଞ୍ଚ ବର୍ଷ ଧରି ଗଲୱାନ ଘାଟି ପରଠାରୁ ଭାରତ-ଚୀନ୍ ସମ୍ପର୍କରେ ଯେଉଁ ବରଫ ଜମି ରହିଥିଲା, ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଚେତାବନୀ ଦେଇ ଶି ଜିନପିଙ୍ଗଙ୍କୁ କହିଲେ— ସୀମାରେ ଯଦି ଶାନ୍ତି ରହିବ, ତେବେ ହିଁ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ସମ୍ପର୍କ ଆଗକୁ ବଢ଼ିବ। ଚୀନ୍ ମଧ୍ୟ ବୁଝିପାରିଛି ଯେ ଆଜିର ଭାରତ ୧୯୬୨ର ଭାରତ ନୁହେଁ।
୩. ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା: ସବୁଠାରୁ ବଡ଼ କଥା ହେଲା, ବ୍ରିକ୍ସର ମିଳିତ ଘୋଷଣାନାମାରେ ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରାଗଲା। ସେହି ଟେବୁଲରେ ଚୀନ୍ ବସିଥିଲା, ସାଉଦି ଆରବ ବସିଥିଲା— ଯାହାର ପାକିସ୍ତାନ ସହ ନୂଆ ସାମରିକ ଚୁକ୍ତି ହୋଇଛି। କିନ୍ତୁ କେହି ହେଲେ ପାକିସ୍ତାନ ସପକ୍ଷରେ ଗୋଟିଏ ଶବ୍ଦ ବି କହିବାକୁ ସାହସ କଲେ ନାହିଁ।
୪. ମନମାନୀ ଟାରିଫ୍ ଓ ସାଙ୍କସନ୍ ବିରୋଧରେ ସ୍ୱର: ପାଶ୍ଚାତ୍ୟ ଦେଶଗୁଡ଼ିକ ଯେଉଁ ଏକତରଫା ପ୍ରତିବନ୍ଧକ ଲଗାନ୍ତି, ତାର ବିକଳ୍ପ ଏବଂ ମିଳିତ ଜାତିସଂଘ (UN)ର ସଂସ୍କାର ପାଇଁ ସମଗ୍ର ବ୍ରିକ୍ସ ଏକଜୁଟ ହେଲା।
ଏହା ଥିଲା ବିଶ୍ୱ ଦରବାରରେ ଭାରତର ସାର୍ବଭୌମତ୍ୱ ଓ ଶକ୍ତି ପ୍ରଦର୍ଶନର ସ୍ୱର୍ଣ୍ଣିମ ମୁହୂର୍ତ୍ତ। କିନ୍ତୁ ଭାରତର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ବିରାଟ କୂଟନୈତିକ ବିଜୟକୁ ସ୍ୱାଗତ କରିବା ତ ଦୂରର କଥା, ଏହାକୁ ଅଣଦେଖା କରି ଏକ ଅଜବ ନାଟକ ଆରମ୍ଭ କଲା।
ରବିବାର ଦିନ ବ୍ରିକ୍ସ ସମ୍ମିଳନୀର ଶେଷ ପର୍ଯ୍ୟାୟ ଚାଲିଥିଲା। ସମସ୍ତ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାରତ ସରକାରଙ୍କ ସହ ଆଲୋଚନା ସାରି ଫେରୁଥିଲେ। ଠିକ୍ ସେହି ସମୟରେ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ଏକ ଫଟୋ ଓ ଭିଡିଓ ରିଲିଜ୍ କରାଗଲା।
ଭିଡିଓରେ ଦେଖାଗଲା— ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଭଦ୍ରା ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ବ୍ରେକଫାଷ୍ଟ କରୁଛନ୍ତି ଏବଂ ଖୁବ୍ ହସଖୁସିରେ କଥା ହେଉଛନ୍ତି।
ଆପଣ କେବେ ଏହି ଭାଇ-ଭଉଣୀଙ୍କୁ ଭାରତର କୌଣସି ବିରୋଧୀ ନେତା, ନିଜ ସହଯୋଗୀ ଦଳ କିମ୍ବା କୌଣସି ସାଧାରଣ ଭାରତୀୟ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଏତେ ଆତ୍ମୀୟ ଓ ଉତ୍ସାହିତ ହୋଇ ଦେଖାକରିବାର ଦେଖିଛନ୍ତି କି?
ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଏପରି କ’ଣ ଏଜେଣ୍ଡା ଥିଲା ଯାହା ଦେଶକୁ କୁହାଗଲା ନାହିଁ?
ବିଡ଼ମ୍ବନା ଦେଖନ୍ତୁ— ମାଲେସିଆର ପ୍ରଧାନମନ୍ତ୍ରୀ ଭାରତ ଆସି ହିନ୍ଦୁ ଧର୍ମଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି, ଆଉ ଏହି ପରିବାର ଭାରତରେ ରହି ସନାତନ ବିରୋଧୀ ମନ୍ତବ୍ୟ ଦେଉଥିବା ସହଯୋଗୀଙ୍କୁ ସମର୍ଥନ କରୁଛି।
ଅସଲ କଥା ହେଉଛି ‘ହତାଶା’!
ବ୍ରିକ୍ସ ସମ୍ମିଳନୀରେ ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚର୍ଚ୍ଚା ହେଲା। କଂଗ୍ରେସ କୌଣସି ଆଲୋଚନାରେ ନଥିଲା। ସେମାନଙ୍କୁ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଡାକିଲେ ନାହିଁ। ଯେଉଁ ଚୀନ୍ ସପକ୍ଷରେ ରାହୁଲ ଗାନ୍ଧୀ ଦିନରାତି ବୟାନବାଜି କରନ୍ତି, ସେହି ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ କିମ୍ବା ତାଙ୍କ ଡେଲିଗେସନ୍ ରାହୁଲଙ୍କୁ ଗୋଟିଏ ମିନିଟ୍ ସମୟ ମଧ୍ୟ ଦେଲେନାହିଁ! ତେଣୁ ଗଣମାଧ୍ୟମରେ ନିଜ ଉପସ୍ଥିତି ଜାହିର କରିବା ପାଇଁ, ଯେନତେନ ପ୍ରକାରେଣ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବ୍ରେକଫାଷ୍ଟ ମିଟିଂ ଆୟୋଜନ କରାଗଲା।
ଏଠାରେ ଆଉ ଏକ ସାଂଘାତିକ ସାମ୍ବିଧାନିକ ଓ ସାଙ୍ଗଠନିକ ପ୍ରଶ୍ନ ଉଠୁଛି।
ଯଦି ଏହା କୌଣସି ଅନ୍ତର୍ଜାତୀୟ କୂଟନୈତିକ ଆଲୋଚନା ଥିଲା, ତେବେ କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କାହିଁକି ସେହି ଟେବୁଲରେ ନଥିଲେ?
ଖଡ଼ଗେ କ’ଣ କେବଳ ଭୋଟ୍ ମାଗିବା ଏବଂ ପ୍ରେସମିଟ୍ କରିବା ପାଇଁ ଅଧ୍ୟକ୍ଷ? ଯେତେବେଳେ ଜଣେ ବିଦେଶୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଥିଲା, ସେତେବେଳେ ଖଡ଼ଗେଙ୍କୁ ପଚରାଗଲା ନାହିଁ କାହିଁକି?
କଂଗ୍ରେସ ଦଳରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ଅଛନ୍ତି, ଯାହାଙ୍କର ଇସଲାମିକ ରାଷ୍ଟ୍ରମାନଙ୍କ ସହ ଉତ୍ତମ ସମ୍ପର୍କ ଅଛି। ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଆନନ୍ଦ ଶର୍ମା ଅଛନ୍ତି, ଅନେକ ଅବସରପ୍ରାପ୍ତ ବରିଷ୍ଠ ରାଷ୍ଟ୍ରଦୂତ ଅଛନ୍ତି। ସେମାନଙ୍କୁ କାହାକୁ ସାଙ୍ଗରେ ନିଆଗଲାନି। ନିଆଗଲା କାହାକୁ? ପ୍ରିୟଙ୍କା ଭଦ୍ରାଙ୍କୁ, ଯିଏ କେବଳ ଜଣେ ସାଂସଦ ଏବଂ ଦଳର ସାଧାରଣ ସମ୍ପାଦିକା।
କାରଣ କ’ଣ ଜାଣନ୍ତି? ସେହି ଗୋଟିଏ ଶବ୍ଦ— “Entitlement” ଜନ୍ମସିଦ୍ଧ ଅଧିକାରର ଭ୍ରମ।
ଗାନ୍ଧୀ ପରିବାର ଆଜି ବି ବିଶ୍ୱାସ କରେ ଯେ ଏହି ଦେଶ ଏବଂ ଏହି ଦଳ କେବଳ ସେମାନଙ୍କ ଇଙ୍ଗିତରେ ଚାଲିବାକୁ ବାଧ୍ୟ।
ଇତିହାସ ମନେ ପକାନ୍ତୁ— ୧୯୯୧ ମସିହାରେ ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପରେ, ସୋନିଆ ଗାନ୍ଧୀ ଦଳର ପ୍ରାଥମିକ ସଦସ୍ୟ ମଧ୍ୟ ନଥିଲେ। କୌଣସି ପଦବୀ ନଥାଇ ମଧ୍ୟ ସେ ସ୍ଥିର କରୁଥିଲେ କିଏ ପ୍ରଧାନମନ୍ତ୍ରୀ ହେବ। ବିଦେଶୀ ନେତାମାନେ ଭାରତ ଆସିଲେ ୧୦ ଜନପଥରେ ଧାଡ଼ି ବାନ୍ଧୁଥିଲେ। କିନ୍ତୁ ଗତ ୧୨ ବର୍ଷ ହେବ ନରେନ୍ଦ୍ର ମୋଦୀ ସେହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଆଜି କୌଣସି ବିଦେଶୀ ନେତା ଗାନ୍ଧୀ ପରିବାରର ଚୌକଠକୁ ଯାଉନାହାନ୍ତି। ଆଉ ସେଇଥିପାଇଁ ଏହି ପରିବାରର ଛଟପଟାହଟ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଯେତେବେଳେ ବ୍ରିକ୍ସ ଭଳି ଏକ ବିଶାଳ ସମ୍ମିଳନୀରେ ସମାଲୋଚନା କରିବାକୁ କୌଣସି ପ୍ରକୃତ ପ୍ରସଙ୍ଗ ମିଳିଲାନି, ସେତେବେଳେ କଂଗ୍ରେସ କେଉଁ ସ୍ତରକୁ ଖସିଲା ଜାଣନ୍ତି?
ସେମାନେ ପ୍ରସଙ୍ଗ ଉଠାଇଲେ— “ଅତିଥିମାନଙ୍କୁ ଶାକାହାରୀ ଖାଦ୍ୟ କାହିଁକି ପରସା ଗଲା?”
ଭାବନ୍ତୁ ଥରେ! ଆପଣଙ୍କ ଘରକୁ ଅତିଥି ଆସିଲେ, ଆପଣଙ୍କ ଘରେ ଯାହା ସବୁଠାରୁ ଭଲ ତିଆରି ହୁଏ, ଆପଣ ତାହା ହିଁ ପରସନ୍ତି। କିନ୍ତୁ ଏକ ଅନ୍ତର୍ଜାତୀୟ ବୈଠକରେ ଖାଦ୍ୟ ମେନୁକୁ ନେଇ ବିବାଦ ଛିଡ଼ା କରିବା ପ୍ରମାଣ କରେ ଯେ କଂଗ୍ରେସ ପାଖରେ ଆଉ କୌଣସି ରାଜନୈତିକ ବୁଦ୍ଧି ବଞ୍ଚି ନାହିଁ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ବିକାଶ ଦର (GDP Growth) ୭.୮% ରହିଛି।
ୱାର୍ଲ୍ଡ ବ୍ୟାଙ୍କ କହୁଛି ଭାରତ ବିଶ୍ୱ ଅର୍ଥନୀତିର ସବୁଠାରୁ ବଡ଼ ‘ଗ୍ରୋଥ୍ ଇଞ୍ଜିନ୍’।
- କିନ୍ତୁ କଂଗ୍ରେସ ପରାମର୍ଶଦାତା ରଘୁରାମ ରାଜନ କ’ଣ କହୁଛନ୍ତି? ସେ କହୁଛନ୍ତି, ଭାରତର ଚିପ୍ ତିଆରି କରିବା ଦରକାର ନାହିଁ, ଚୋରାଚାଲାଣ ବା ସ୍ମଗଲିଂ କରିନିଅ! ଜଣେ ଅର୍ଥନୀତିଜ୍ଞଙ୍କ ମୁହଁରୁ ଏଭଳି ଅଜବ ଯୁକ୍ତି କେବେ ଶୁଣିଛନ୍ତି?
କଂଗ୍ରେସର ଅନ୍ୟ ଜଣେ ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗ କହୁଛନ୍ତି ଭାରତର ବିକାଶ ଦର ମାତ୍ର ୨.୬%!
“କୋଇଲି ଏବଂ କାଉ ଦୁହେଁ ଦେଖିବାକୁ କଳା। କିନ୍ତୁ ଯେପର୍ଯ୍ୟନ୍ତ କାଉ ପାଟି ନ ଖୋଲିଛି, ସେପର୍ଯ୍ୟନ୍ତ ତାର ଇଜ୍ଜତ ଥାଏ। ଯେମିତି କାଉ ରାବିଦିଏ, ସେ ଏକ୍ସପୋଜ୍ ହୋଇଯାଏ।” ଆଜି କଂଗ୍ରେସର ନେତାମାନେ ଅର୍ଥନୀତି ଏବଂ ବୈଦେଶିକ ନୀତି ଉପରେ ପାଟି ଖୋଲି ଠିକ୍ ସେହିପରି ନିଜର ଅଜ୍ଞତାକୁ ଦେଶ ଆଗରେ ଖୋଲି ଦେଉଛନ୍ତି।
ଗଣତନ୍ତ୍ରରେ ଏକ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ସବୁବେଳେ ରହିଛି। ଭାରତରେ ଏପରି ଅନେକ ଦଳ ରହିଛନ୍ତି ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରୁ ବାହାରେ ରହିଛନ୍ତି। ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ବର୍ଷ ବର୍ଷ ଧରି ବିରୋଧୀ ଆସନରେ ବସିଥିଲେ, କିନ୍ତୁ ଯେତେବେଳେ ଦେଶର କୂଟନୀତି କିମ୍ବା ପରମାଣୁ ପରୀକ୍ଷଣ କଥା ଆସୁଥିଲା, ସେମାନେ ସରକାର ସହ କାନ୍ଧରେ କାନ୍ଧ ମିଳାଇ ଠିଆ ହେଉଥିଲେ।
କିନ୍ତୁ କଂଗ୍ରେସର ଦୁର୍ଭାଗ୍ୟ ହେଉଛି— ସେମାନେ କ୍ଷମତା ବିନା ବଞ୍ଚିପାରୁ ନାହାନ୍ତି।
- ଦେଶର ଅର୍ଥନୀତି ଭଲ ହେଲେ ସେମାନଙ୍କୁ କଷ୍ଟ ହେଉଛି ।
- ଭାରତୀୟ ସେନା ସୀମାରେ ଶକ୍ତି ଦେଖାଇଲେ ସେମାନଙ୍କୁ କଷ୍ଟ ହେଉଛି।
- ବ୍ରିକ୍ସ ଭଳି ମଞ୍ଚରେ ଭାରତ ବିଶ୍ୱ ନେତୃତ୍ୱ ନେଲେ ସେମାନଙ୍କୁ କଷ୍ଟ ହେଉଛି।
- କାରଣ ସେମାନଙ୍କର ଗୋଟିଏ ନୀତି— “ଯଦି ଶ୍ରେୟ ଗାନ୍ଧୀ ପରିବାରକୁ ନ ମିଳିବ, ତେବେ ଦେଶର ଉପଲବ୍ଧି ଆମ ପାଇଁ ଅଦରକାରୀ।”
କିନ୍ତୁ ଆଜିର ଭାରତ ବଦଳିସାରିଛି। ୧୪୦ କୋଟି ଭାରତୀୟ ଆଜି ଦେଖୁଛନ୍ତି କିଏ ରାଷ୍ଟ୍ରହିତରେ କାମ କରୁଛି ଆଉ କିଏ କେବଳ ଗୋଟିଏ ପରିବାରର ରାଜନୈତିକ ସ୍ୱାର୍ଥ ପାଇଁ ବିଦେଶୀ ମଞ୍ଚରେ ଦେଶର ଛବି ଖରାପ କରିବାକୁ ଚେଷ୍ଟା କରୁଛି।
Also read : https://purvapaksa.com/bjd-calls-the-shots-at-the-bjp-office/
ବିଜେପି ଅଫିସରେ ବିଜେଡି ରାଜ || BJD calls the shots at the BJP office.


