“ମୋଦୀଙ୍କ ଗ୍ୟାରେଣ୍ଟି”… ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ଗଳିକନ୍ଦିରେ, ପୁରୀ ବଡ଼ଦାଣ୍ଡରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳ ଯାଏଁ ଏହି ଗୋଟିଏ ଶବ୍ଦ ଗୁଞ୍ଜରିତ ହେଉଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ରାଜ୍ୟବାସୀଙ୍କୁ ବଡ଼ଦାଣ୍ଡରେ ଛିଡ଼ା ହୋଇ କହିଥିଲେ— ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବ, ରତ୍ନଭଣ୍ଡାର ଖୋଲି ତାହାର ତନଖି ହେବ, ପ୍ରତିଟି ସୁନା-ରୁପାର ତାଲିକା ଲୋକଲୋଚନକୁ ଅଣାଯିବ ଏବଂ କୌଣସି ଦୁର୍ନୀତିଗ୍ରସ୍ତଙ୍କୁ ବଖ୍ସା ଯିବ ନାହିଁ।
ଲୋକେ ବିଶ୍ୱାସ କଲେ। ଦୀର୍ଘ ୨୪ ବର୍ଷର ନବୀନ ଶାସନକୁ ଭାଙ୍ଗି ବିଜେପି ହାତକୁ କ୍ଷମତା ଟେକିଦେଲେ। କିନ୍ତୁ ଆଜି କ୍ଷମତା ପାଇବାର ମାତ୍ର କିଛି ମାସ ମଧ୍ୟରେ ଏମିତି କ’ଣ ଘଟିଲା ଯେ, ନିଜ ଦଳର ଜଣେ ବରିଷ୍ଠ ମନ୍ତ୍ରୀ ଖୋଲାଖୋଲି ପ୍ରଧାନମନ୍ତ୍ରୀଙ୍କ କଥାକୁ ଓଲଟାଇ ଦେଉଛନ୍ତି?
ଆଉ ମାତ୍ର ଚାରି ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ। ଏହି ଅବସରରେ ରାଜ୍ୟ ବିଜେପି ୧୫ ଦିନିଆ ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ ପାଳନ କରିବାକୁ ବଡ଼ ଘୋଷଣା କରିଛି। ହେଲେ ଏହି ସେବା ପକ୍ଷ ଆଢୁଆଳରେ କ’ଣ କେବଳ ଲୋକଦେଖାଣିଆ ଆନୁଗତ୍ୟ ଚାଲିଛି? ନାଁ, ମନ୍ତ୍ରୀମାନେ ଅସଲ କଥାରେ ମୋଦୀଙ୍କୁ ବେଖାତିର କରୁଛନ୍ତି?
ନିର୍ବାଚନୀ ପ୍ରତିଶ୍ରୁତି ବନାମ ବାସ୍ତବତା
ଗତ ନିର୍ବାଚନର ସେହି ଦିନଗୁଡ଼ିକୁ ମନେପକାନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଏବଂ ଭୁବନେଶ୍ୱର ସଭାରେ ଗର୍ଜନ କରି କହୁଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି କୁଆଡ଼େ ଗଲା? ସେ ପ୍ରଶ୍ନ କରିଥିଲେ ପୂର୍ବ ସରକାରଙ୍କୁ। ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ବିଜେପି ସରକାର ଆସିଲେ ରତ୍ନଭଣ୍ଡାରର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ, ଗଣତି-ମଣତି ହେବ ଏବଂ ପ୍ରଭୁଙ୍କ ପ୍ରତ୍ୟେକଟି ସମ୍ପତ୍ତିର ହିସାବ ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କ ସମ୍ମୁଖରେ ସ୍ପଷ୍ଟ କରାଯିବ।
ସରକାର ଗଠନ ହେଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ କ୍ୟାବିନେଟ୍ରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ନେଇ ବଡ଼ ଉତ୍ସାହ ଦେଖାଇଲେ। ହେଲେ ପରବର୍ତ୍ତୀ ସମୟରେ କ’ଣ ହେଲା? ଚାରିଦ୍ୱାର ବ୍ୟବସ୍ଥା ଆଜି ମଧ୍ୟ ବିଶୃଙ୍ଖଳିତ, ଅନେକ ଦ୍ୱାର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ପ୍ରାୟ।
ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ଥିଲା ରତ୍ନଭଣ୍ଡାର। ପ୍ରଶାସନ ବାରମ୍ବାର ଟାଳଟୁଳ ନୀତି ଅବଲମ୍ବନ କଲା। ଶେଷରେ ହାଇକୋର୍ଟଙ୍କ ତାଗିଦ୍ ଏବଂ ତଦାରଖ କମିଟିର ସକ୍ରିୟତା ପରେ ରତ୍ନଭଣ୍ଡାର ଖୋଲିଲା, ତନଖି ହେଲା। ସମଗ୍ର ଓଡ଼ିଶା ଚାହିଁ ବସିଥିଲା— କେବେ ଆସିବ ସେହି ଐତିହାସିକ ତାଲିକା? କେତେ ସୁନା ଅଛି? କେତେ ହୀରା-ମାଣିକ ଅଛି? ପୂର୍ବ ସରକାର ଅମଳରେ କିଛି ଗାଏବ ହୋଇଛି କି ନାହିଁ?
କିନ୍ତୁ ଗତ ଗୁରୁବାର ଦିନ ରାଜ୍ୟର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯେଉଁ ବୟାନ ଦେଲେ, ତାହା ଶୁଣି ପୂରା ରାଜ୍ୟ ସ୍ତବ୍ଧ ହୋଇଯାଇଛି।
ଆଇନମନ୍ତ୍ରୀଙ୍କ ବୟାନ ଓ ରାଜନୈତିକ ଝଡ଼
ଆଇନମନ୍ତ୍ରୀ ସିଧାସଳଖ ଗଣମାଧ୍ୟମ ଆଗରେ କହିଛନ୍ତି— “ରତ୍ନଭଣ୍ଡାରର ଗଣତି-ମଣତି ତାଲିକା ସର୍ବସାଧାରଣରେ ପ୍ରକାଶ କରାଯିବ ନାହିଁ।”
ଏହି ଗୋଟିଏ ବାକ୍ୟ ସାରା ରାଜ୍ୟରେ ଏକ ବଡ଼ ରାଜନୈତିକ ଭୂକମ୍ପ ସୃଷ୍ଟି କରିଛି। ସାଧାରଣ ଲୋକେ ପ୍ରଶ୍ନ ପଚାରୁଛନ୍ତି:
- ଯଦି ତାଲିକା ସାର୍ବଜନୀନ ହେବ ନାହିଁ, ତେବେ ପୂର୍ବ ସରକାର ଏବଂ ଏହି ସରକାର ମଧ୍ୟରେ ଫରକ କ’ଣ ରହିଲା?
- ବିଜେପି ନିର୍ବାଚନ ପୂର୍ବରୁ ‘ସ୍ୱଚ୍ଛତା’ର ଯେଉଁ ଡିଣ୍ଡିମ ପିଟୁଥିଲା, ତାହା କ’ଣ କେବଳ ଭୋଟ୍ ପାଇଁ ଥିଲା?
- ସବୁଠାରୁ ବଡ଼ କଥା— ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବସାଧାରଣରେ ଦେଇଥିବା ପ୍ରତିଶ୍ରୁତିକୁ ଆଇନମନ୍ତ୍ରୀ କିପରି ଖାରଜ କଲେ?
ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର୍ ଧରିଛି ଯେ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କ’ଣ ନିଜକୁ ପ୍ରଧାନମନ୍ତ୍ରୀଙ୍କଠାରୁ ବି ବଡ଼ ଭାବୁଛନ୍ତି? ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଆସି ଯାହା କହିଥିଲେ, ତାହାକୁ ଅମାନ୍ୟ କରି ମନ୍ତ୍ରୀ ନିଜର ଏକଛତ୍ରବାଦୀ ମନୋଭାବ ପ୍ରଦର୍ଶନ କରୁନାହାନ୍ତି ତ?
ବିଜେପି କର୍ମୀଙ୍କ ଭିତରେ ହିଁ ଅସନ୍ତୋଷ କୁହୁଳିବାରେ ଲାଗିଛି। ସେମାନେ କହୁଛନ୍ତି, ପ୍ରଧାନମନ୍ତ୍ରୀଙ୍କ କଥାକୁ ଏଭଳି ଭୁଲ୍ ପ୍ରମାଣିତ କରିବା ଦ୍ୱାରା ଜନତାଙ୍କ ନିକଟରେ ଦଳର ବିଶ୍ୱସନୀୟତା ନଷ୍ଟ ହେଉଛି।
ପୃଥ୍ୱୀରାଜଙ୍କ ରାଜନୈତିକ ପୃଷ୍ଠଭୂମି ଓ ଅହଂକାରର ଚର୍ଚ୍ଚା
ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠୁଛି, ଯାହା ଆଜି ସଚେତନ ମହଲରେ ଆଲୋଚନା ହେଉଛି। ପୃଥ୍ୱୀରାଜ ହରିଚନ୍ଦନ କିଏ? ସେ ହେଉଛନ୍ତି ଓଡ଼ିଶା ରାଜନୀତିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ।
ଏହି ବଂଶବାଦ ଏବଂ ରାଜନୈତିକ ଉତ୍ତରାଧିକାରର ପ୍ରଭାବ କ’ଣ ତାଙ୍କ ନିଷ୍ପତ୍ତିରେ ପ୍ରତିଫଳିତ ହେଉଛି? ସମାଲୋଚକମାନେ କହୁଛନ୍ତି— ସେ ନିଜକୁ କେବଳ ଜଣେ ମନ୍ତ୍ରୀ ଭାବୁନାହାନ୍ତି, ବରଂ ଜଣେ ଗଭର୍ଣ୍ଣରଙ୍କ ପୁଅ ବୋଲି ତାଙ୍କର ଯେଉଁ ଗର୍ବ, ତାହା ତାଙ୍କ ବକ୍ତବ୍ୟରେ ଝଲକୁଛି।
ପ୍ରଶ୍ନ ଉଠୁଛି— “ମୋଦୀ କ’ଣ କୌଣସି ଗଭର୍ଣ୍ଣରଙ୍କ ପୁଅ ଯେ ତାଙ୍କ କଥା ମାନିବାକୁ ପଡ଼ିବ?” —ଏଭଳି ଏକ ଚର୍ଚ୍ଚା ଏବେ ରାଜନୈତିକ କରିଡରରେ ଶୁଣିବାକୁ ମିଳୁଛି।
ଯେଉଁ ମୋଦୀ ସାରା ଦେଶରେ ପରିବାରବାଦ ବିରୋଧରେ ଲଢ଼େଇ କରୁଛନ୍ତି, ସେହି ଦଳରେ ରହି ଜଣେ ନେତା ନିଜର ପାରିବାରିକ ପୃଷ୍ଠଭୂମିର ପ୍ରଭାବ ଦେଖାଇ ପ୍ରଧାନମନ୍ତ୍ରୀଙ୍କ ଲାଇନକୁ କାଟିବାକୁ ସାହସ କରୁଛନ୍ତି କିପରି? ଯଦି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁକିଛି ସ୍ୱଚ୍ଛ ହେବ, ତେବେ ଆଇନମନ୍ତ୍ରୀ କାହିଁକି ରତ୍ନ ତାଲିକା ଲୁଚାଇବାକୁ ଚାହୁଁଛନ୍ତି? ଏହା ପଛରେ କେଉଁ ବଡ଼ ରହସ୍ୟ ରହିଛି? କାହାକୁ ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉଛି?
ଜନ୍ମଦିନ ପାଳନ: ସମ୍ମାନ ନା ବାଧ୍ୟବାଧକତା?
ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ। ରାଜ୍ୟ ବିଜେପି ତରଫରୁ ବଡ଼ ବଡ଼ ବ୍ୟାନର ଲାଗିବ, ସ୍ୱଚ୍ଛତା ଅଭିଯାନ ହେବ, ନେତାମାନେ ଝାଡୁ ଧରି ଫଟୋ ଉଠାଇବେ। କିନ୍ତୁ ପ୍ରଶ୍ନ ହେଉଛି— ଏହି ଉତ୍ସବ ପାଳନ କେବଳ ଏକ ଲୋକଦେଖାଣିଆ ନାଟକ ନୁହେଁ ତ?
ଯେଉଁ ନେତାଙ୍କ ଜନ୍ମଦିନ ପାଳନ କରାଯାଉଛି, ସେହି ନେତାଙ୍କ ଦେଇଥିବା ପ୍ରତିଶ୍ରୁତିକୁ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ଖୋଲାଖୋଲି ଅଣଦେଖା କରୁଛନ୍ତି। ମୋଦୀଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ବଦଳରେ, ତାଙ୍କ ନୀତିର ବିପରୀତ ଯାଇ ନିଷ୍ପତ୍ତି ନିଆଯାଉଛି।
ବିଜେପି ଭିତରେ ଥିବା କିଛି ନିଷ୍ଠାପର କର୍ମୀ ଆଜି ଅସହାୟ ବୋଧ କରୁଛନ୍ତି। ସେମାନେ କହୁଛନ୍ତି, ଯଦି ସରକାର ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତିକୁ ଏହିଭଳି ଜଳାଞ୍ଜଳି ଦିଆଯିବ, ତେବେ ଆଗାମୀ ଦିନରେ ଜନତାଙ୍କ ପାଖକୁ କେଉଁ ମୁହଁ ନେଇ ଯିବେ?
ଗଣତନ୍ତ୍ରରେ ଜନତା ହିଁ ସର୍ବୋପରି। ନେତା ଯେତେ ବଡ଼ ହୁଅନ୍ତୁ ନା କାହିଁକି, ସେ କୌଣସି ବଡ଼ ବଂଶରୁ ଆସିଥାନ୍ତୁ କିମ୍ବା ଉଚ୍ଚ ପଦବୀରେ ଥାନ୍ତୁ, ଜନତାଙ୍କ ବିଶ୍ୱାସ ସହିତ ଖେଳିବାର ଅଧିକାର କାହାର ନାହିଁ।
ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି କୌଣସି ରାଜନୈତିକ ଦଳ ବା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏହା ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ଜଡ଼ିତ। ରତ୍ନଭଣ୍ଡାରର ତାଲିକା ଜାଣିବାର ଅଧିକାର ପ୍ରତ୍ୟେକ ଓଡ଼ିଆଙ୍କର ଅଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଆଇନମନ୍ତ୍ରୀ ତାହାକୁ ପାଳନ କରିବେ ନା ନିଜ ଜିଦ୍ରେ ଅଟଳ ରହିବେ? ମୋଦୀଙ୍କ ୭୫ତମ ଜନ୍ମଦିନରେ ରାଜ୍ୟବାସୀଙ୍କୁ ଏହି ଉତ୍ତର ମିଳିବ ତ?


