ଆମ ରାଜ୍ୟ ସରକାରଙ୍କୁ ଏବେ ହଠାତ୍ ଏ କେଉଁ ‘ଇନଫ୍ଲୁଏନ୍ସର’ ନିଶା ଘାରିଛି? ନିଜ ଶାସନର ଦୁଇ ବର୍ଷ ପୂର୍ତ୍ତି ପରେ, ସରକାର ଏବେ ନିଜର ପ୍ରଚାର ପ୍ରସାର କରିବା ପାଇଁ, ନିଜର ବାହାବାହି ବାଣ୍ଟିବା ପାଇଁ ରାଜ୍ୟର ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ଉପରେ ଏତେ ଭରସା କଲେଣି କେମିତି?
କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ— କେବଳ ଇନଫ୍ଲୁଏନ୍ସର କାହିଁକି? କାହିଁକି ଡିଜିଟାଲ ମିଡିଆ ନୁହେଁ? ଯେଉଁ ଡିଜିଟାଲ ମିଡିଆର ସାମ୍ବାଦିକମାନେ ଦିନରାତି ଆପଣଙ୍କ ସରକାରଙ୍କ ପଛରେ ଗୋଡ଼ାଇ, ଖରା, ବର୍ଷା, ଶୀତକୁ ଖାତିର ନ କରି ସରକାରଙ୍କ ଯୋଜନାର ପ୍ରଚାର ପ୍ରସାର କରୁଛନ୍ତି, ଲୋକଙ୍କ ସମସ୍ୟାକୁ ସରକାରଙ୍କ ଯାଏଁ ପହଞ୍ଚାଉଛନ୍ତି, କାହିଁକି ଆଜି ସରକାରଙ୍କ ପାଖରେ ସେମାନଙ୍କ ପାଇଁ କିଛି ନାହିଁ? କଣ ଡିଜିଟାଲ ମିଡିଆର ପିଲାମାନେ କାଳେ କିଛି ଅଖାଡୁଆ କିମ୍ବା ଟାଣ ପ୍ରଶ୍ନ ପଚାରିଦେବେ ବୋଲି ସରକାର ଡରିଯାଉଛନ୍ତି କି?
ଏଠି ମନ୍ତ୍ରୀ ଏବଂ ନେତାମାନେ ଜଣେ ଜଣେ ରଙ୍ଗୀନ ଇନଫ୍ଲୁଏନ୍ସର ଦେଖିଲେ ସେମାନଙ୍କ ସହିତ ଭିଡିଓ କରିବା ପାଇଁ, ରୀଲ୍ସ ବନାଇବା ପାଇଁ ଘଣ୍ଟା ଘଣ୍ଟା ସମୟ ବାହାର କରିଦେଉଛନ୍ତି। କିନ୍ତୁ ଖରା ତରାରେ ବୁଲି, ନିଜ ପକେଟରୁ ପଇସା ଖର୍ଚ୍ଚ କରି, ଯେଉଁମାନେ ଫ୍ରିଲାନ୍ସିଂ ସାମ୍ବାଦିକତା କରିବାର ଏକ ବଡ଼ ଲକ୍ଷ୍ୟ ନେଇ ଡିଜିଟାଲ ମିଡିଆ ଚ୍ୟାନେଲ ଖୋଲିଛନ୍ତି, ସେମାନଙ୍କୁ ତ କାହିଁ ଏମିତି ଉପମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ଡାକି କେବେ ହେଲେ ଭେଟୁନାହାନ୍ତି? କାହିଁକି ଏହି ଦୋମୁହାଁ ନୀତି?
ଥରେ ଚିନ୍ତା କରନ୍ତୁ, ଜଣେ ଡିଜିଟାଲ ମିଡିଆର ସାମ୍ବାଦିକ ପିଲାର ଜୀବନ କେମିତି କଟିଥାଏ। ସକାଳୁ ଉଠିଲେ ସେ ପ୍ରଥମେ ଭାବେ ତା ଗାଡ଼ିରେ ତେଲ ଅଛି କି ନାହିଁ। ଥରେ ଘରୁ ବାହାରିଲେ ସେ କୁଆଡ଼େ ଯିବ, କେଉଁଠି ତାର ଖବର ମିଳିବ, ତାକୁ ନିଜକୁ ବି ଜଣା ନ ଥାଏ। କିନ୍ତୁ ମନରେ ଗୋଟିଏ ଲକ୍ଷ୍ୟ ଥାଏ— ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇବ ଏବଂ ଲୋକଙ୍କ ଭଲମନ୍ଦ କଥାକୁ ନେଇ ପ୍ରଶାସନ ପାଖରେ ପହଞ୍ଚାଇବ। ଏହା ଦିନେ କି ଦୁଇ ଦିନର କଥା ନୁହେଁ, ପ୍ରତ୍ୟେକ ଦିନର ତାର ଡେଲି ରୁଟିନ୍ ଏଇଟା।
ସକାଳୁ ଉଠି ମୋବାଇଲ୍ ଏବଂ ବୁମ୍ ଧରି ସେ ବାହାରି ପଡ଼େ। କେଉଁଠି କ୍ରାଇମ୍ ହେଲା, କେତେବେଳେ କେଉଁ ନେତା ବାଇଟ୍ ଦେବେ, କେଉଁ ଦଳ କେତେବେଳେ ପ୍ରେସ୍ମିଟ୍ କରିବ— ଏହି ସବୁ ଚକ୍କରରେ ସେ ଦିନସାରା ଖାଇଛି କି ନାହିଁ, ସେ କଥା ବୁଝିବାକୁ କେହି ନଥାନ୍ତି। ନିଜ ଜୀବନକୁ ପାଣି ଛଡ଼ାଇ, ପରିବାର କଥା ନଭାବି ଯେଉଁମାନେ ଗ୍ରାଉଣ୍ଡ ଜିରୋରେ ଛିଡ଼ା ହୋଇ ସାମ୍ବାଦିକତା କରୁଛନ୍ତି, ଆମ ସରକାରଙ୍କ ପାଖରେ କଣ ଏମାନଙ୍କର କୌଣସି ଭ୍ୟାଲୁ ନାହିଁ? କଣ ଏମାନଙ୍କର ପରିଶ୍ରମର କୌଣସି ମୂଲ୍ୟ ନାହିଁ?
ଏହା ପଛର ପ୍ରକୃତ କାରଣ କଣ ଜାଣନ୍ତି? କୁହାଯାଉଛି କି, ସରକାର ନିଜ ଶାସନର ସଫଳତା ଅବସରରେ କିଛି ଆଗଧାଡ଼ିର ବଡ଼ ବଡ଼ ସାମ୍ବାଦିକଙ୍କୁ ଡାକି ଏକ ଆଲୋଚନା ଚକ୍ର କରିଥିଲେ। ସେହି ସଭାରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକମାନଙ୍କ ତୀକ୍ଷ୍ଣ ପ୍ରଶ୍ନର ଯେଉଁଭଳି ଉତ୍ତର ରଖିଥିଲେ, ତାହାର ସତ୍ୟତା ସାରା ଓଡ଼ିଶାର ଜନସାଧାରଣ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ କେମିତି ପ୍ରଶ୍ନବାଣରେ ଅଡ଼ୁଆରେ ପଡ଼ିଥିଲେ, ତାହା କାହାକୁ ଅଜଣା ନାହିଁ।
ଚର୍ଚ୍ଚା ହେଉଛି କି, ସେହି ଦିନଠାରୁ ସରକାର ଏତେ ଡରିଯାଇଛନ୍ତି ଯେ, ଡିଜିଟାଲ ମିଡିଆରେ କାମ କରୁଥିବା କୌଣସି ବି ସାହସୀ ଏଡିଟର କିମ୍ବା ରିପୋର୍ଟର କାହାକୁ ବି ଆଉ ସରକାରୀ ଆଲୋଚନାକୁ ଡାକିବାକୁ ସାହାସ କରୁନାହାନ୍ତି। ସେଥିପାଇଁ ଏବେ ସରକାର ଏମିତି ଇନଫ୍ଲୁଏନ୍ସରମାନଙ୍କୁ ଖୋଜୁଛନ୍ତି, ଯେଉଁମାନେ କେବଳ କ୍ୟାମେରା ଆଗରେ ସରକାରଙ୍କ ଗୁଣଗାନ କରିବେ, ମିଠା ମିଠା ପ୍ରଶ୍ନ ପଚାରିବେ ଏବଂ ବଦଳରେ ସରକାରୀ ପୃଷ୍ଠପୋଷକତା ପାଇବେ। କାରଣ ସରକାର ଜାଣନ୍ତି, ଜଣେ ଇନଫ୍ଲୁଏନ୍ସର କେବେ ହେଲେ ସରକାରଙ୍କ ବିଫଳତା, ବେକାରୀ, ଦୁର୍ନୀତି କିମ୍ବା ସ୍ଵାସ୍ଥ୍ୟ ସମସ୍ୟା ଉପରେ କଠୋର ପ୍ରଶ୍ନ ପଚାରିବ ନାହିଁ।
କିନ୍ତୁ ଆମର ସରକାରଙ୍କୁ ସିଧାସଳଖ ଏକ ବଡ଼ ପ୍ରଶ୍ନ— କାଲି ସକାଳେ ଯେତେବେଳେ ଆପଣଙ୍କ ଉପରେ କୌଣସି ବଡ଼ ରାଜନୈତିକ ସଂକଟ ଆସିବ, ସେତେବେଳେ ଆପଣଙ୍କ ପକ୍ଷ ରଖିବା ପାଇଁ ଆପଣ ସେହି ଇନଫ୍ଲୁଏନ୍ସରମାନଙ୍କୁ ଡାକିକି ବାଇଟ୍ ଦେବେ ତ? ସେତେବେଳେ ଆପଣଙ୍କର ଏହି ଗ୍ରାଉଣ୍ଡ ଜିରୋର ଡିଜିଟାଲ ମିଡିଆ ସାମ୍ବାଦିକମାନଙ୍କର ଆଉ କୌଣସି ଆବଶ୍ୟକତା ପଡ଼ିବ ନାହିଁ ତ?
ଆପଣଙ୍କ ଦୁଆର ମୁହଁରେ ଯେତେବେଳେ ରାତି ପାହିଲେ ବିରୋଧୀ ଦଳମାନେ ରାଜନୈତିକ କାଦୁଅ ଫିଙ୍ଗିବେ, ସେହି ସମୟରେ ସରକାରଙ୍କ ଉତ୍ତର ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ, କଣ ସେହି ରୀଲ୍ସ ବନାଉଥିବା ଇନଫ୍ଲୁଏନ୍ସରମାନେ ସକାଳୁ ସଞ୍ଜ ଯାଏଁ ଲାଇଭ୍ କ୍ୟାମେରା ଧରି ଆପଣଙ୍କ ଗେଟ୍ ଆଗରେ ଛିଡ଼ା ହେବେ ତ? ସେତେବେଳେ ତ ଆପଣଙ୍କୁ ସେହି ଅଣଦେଖା କରାଯାଉଥିବା ଡିଜିଟାଲ ମିଡିଆର ପିଲାମାନେ ହିଁ ଦରକାର ପଡ଼ିବେ। ଯେଉଁମାନଙ୍କୁ ଆଜି ଆପଣ କୌଣସି ଭ୍ୟାଲୁ ଦେଉନାହାନ୍ତି, ସେମାନେ ହିଁ ଆପଣଙ୍କ ସ୍ଵର ସାଜିବେ।
ତେଣୁ ସରକାର ବାହାଦୁର, ଏହି ଇନଫ୍ଲୁଏନ୍ସର ନିଶା ବେଶୀ ଦିନ ତିଷ୍ଠିବ ନାହିଁ। ମନେରଖନ୍ତୁ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ସାମ୍ବାଦିକତା, କୌଣସି ସ୍ପୋନ୍ସର୍ଡ ଭିଡିଓ ବନାଉଥିବା କଳାକାର ନୁହଁନ୍ତି। ଯେଉଁ ଡିଜିଟାଲ ମିଡିଆର ପିଲାମାନେ ସ୍ଵାଭିମାନର ସହ ନିଜ ପକେଟରୁ ତେଲ ପକାଇ ଖବର ସଂଗ୍ରହ କରୁଛନ୍ତି, ସେମାନଙ୍କୁ ଏଭଳି ଅଣଦେଖା କରିବା ବନ୍ଦ କରନ୍ତୁ। ଯଦି ସେମାନେ ଆଜି ସରକାରଙ୍କ ପ୍ରଚାର କରିପାରୁଛନ୍ତି, ତେବେ ଆଗାମୀ ଦିନରେ ସେମାନେ ସରକାରଙ୍କ ଭୁଲ୍ ନୀତି ବିରୋଧରେ ଜନମତ ମଧ୍ୟ ପ୍ରସ୍ତୁତ କରିପାରିବେ।
AlsoRead; https://purvapaksa.com/the-kali-yuga-duryodhana-of-modern-politics/
ଆଧୁନିକ ରାଜନୀତିର ‘କଳିଯୁଗ ଦୁର୍ଯ୍ୟୋଧନ’ || The ‘Kali Yuga Duryodhana’ of modern politics


