ଆନ୍ତର୍ଜାତୀୟ ସଂଗଠନ ‘ଇନଷ୍ଟିଚ୍ୟୁଟ୍ ଫର ଇକୋନୋମିକ୍ସ ଆଣ୍ଡ ପିସ୍’ (IEP) ପକ୍ଷରୁ ବର୍ଷ ୨୦୨୬ ପାଇଁ ବିଶ୍ୱ ଶାନ୍ତି ସୂଚକା ଜାରି କରାଯାଇଛି। ଏହି ବିଶ୍ୱ ସୂଚୀରେ ଭାରତର ର଼୍ୟାଙ୍କିଙ୍ଗରେ ବଡ଼ ଧରଣର ଅବନତି ଦେଖିବାକୁ ମିଳିଛି। ସମଗ୍ର ବିଶ୍ୱର ୧୬୩ଟି ସ୍ୱାଧୀନ ଦେଶ ଓ କ୍ଷେତ୍ରକୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତ ଚଳିତ ବର୍ଷ ୧୨୭ତମ ସ୍ଥାନକୁ ଖସି ଆସିଛି। ଗତ ୨୦୨୫ ମସିହାରେ ଭାରତ ଏହି ସୂଚୀରେ ୧୧୭ ସ୍ଥାନରେ ରହିଥିଲା। ଅର୍ଥାତ୍ ଗତବର୍ଷ ତୁଳନାରେ ଭାରତର ସ୍ଥିତି ଆହୁରି ୧୨ନମ୍ବର ସ୍ତର ତଳକୁ ଖସିଯାଇଛି। ସୀମାନ୍ତରେ ଉତ୍ତେଜନା, ଅସ୍ତ୍ରଶସ୍ତ୍ର ଆମଦାନୀ ବୃଦ୍ଧି ଏବଂ ଆଞ୍ଚଳିକ ସଂଘର୍ଷ ଯୋଗୁଁ ଭାରତର ସାମଗ୍ରିକ ଶାନ୍ତି ସ୍କୋରରେ ୨.୯% ହ୍ରାସ ଘଟିଛି।
ଅଶାନ୍ତ ବିଶ୍ୱରେ ଶାନ୍ତି ବାଣ୍ଟୁଛି ଆଇସଲ୍ୟାଣ୍ଡ
ରିପୋର୍ଟ ଅନୁଯାୟୀ, ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡ କ୍ରମାଗତ ଭାବେ ୧୯ତମ ବର୍ଷ ପାଇଁ ଦୁନିଆର ସବୁଠାରୁ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ଦେଶ ଭାବେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। ସ୍ଥାୟୀ ସେନା ନଥିବା ଏବଂ ଅପରାଧ ହାର ସର୍ବନିମ୍ନ ଥିବାରୁ ଏହି ଦେଶ ଶୀର୍ଷରେ ରହିଛି। ବିଶ୍ୱବ୍ୟାପୀ ଚାଲିଥିବା ସାମରିକ ସଂଘର୍ଷ, ଆଞ୍ଚଳିକ ତିକ୍ତତା ଏବଂ ଭୂ-ରାଜନୈତିକ ସମସ୍ୟା କାରଣରୁ ସମଗ୍ର ପୃଥିବୀରେ ଶାନ୍ତିର ସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିବା ଏହି ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି । ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ବର୍ତ୍ତମାନ ସମୟରେ ବିଶ୍ୱର ସବୁଠାରୁ ଅଧିକ ସକ୍ରିୟ ସଂଘର୍ଷ ଚାଲିଥିବା ତଥ୍ୟ ସାମ୍ନାକୁ ଆସିଛି।

ବିଶ୍ୱର ଶୀର୍ଷ ୫ ଶାନ୍ତିପୂର୍ଣ୍ଣ ଦେଶ:
୧. ଆଇସଲ୍ୟାଣ୍ଡ
୨. ନ୍ୟୁଜିଲ୍ୟାଣ୍ଡ
୩. ସ୍ୱିଜରଲ୍ୟାଣ୍ଡ
୪. ସ୍ଲୋଭେନିଆ
୫. ଆୟରଲ୍ୟାଣ୍ଡ
ରୁଷ ସବୁଠାରୁ ଅଶାନ୍ତ, ଆମେରିକା-ଇସ୍ରାଏଲ୍ର ବିଗିଡ଼ିଲାଣି ସ୍ଥିତି
ଚଳିତ ବର୍ଷର ସୂଚକାଙ୍କରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତର ବନ୍ଧୁ ଦେଶ ରୁଷ ସବୁଠାରୁ ଶେଷ ସ୍ଥାନ ଅର୍ଥାତ୍ ୧୬୩ତମ ସ୍ଥାନକୁ ଖସି ବିଶ୍ୱର ସବୁଠାରୁ ଅଶାନ୍ତ ଦେଶରେ ପରିଣତ ହୋଇଛି। ରୁଷ ପଛକୁ ସୂଚୀର ସବୁଠାରୁ ତଳେ ଥିବା ଅନ୍ୟ ଚାରୋଟି ଦେଶ ହେଲେ ସୁଦାନ (୧୬୨), କଙ୍ଗୋ (୧୬୧), ୟୁକ୍ରେନ (୧୬୦) ଏବଂ ଇସ୍ରାଏଲ (୧୫୯)। ସେହିପରି ଆଭ୍ୟନ୍ତରୀଣ ହିଂସା ଓ ରାଜନୈତିକ ମତଭେଦ ଯୋଗୁଁ ଆମେରିକାର ର଼୍ୟାଙ୍କ ମଧ୍ୟ ବେଶ୍ ପଛରେ ରହିଛି।
ଦକ୍ଷିଣ ଏସିଆରେ ଭାରତର ପଡ଼ୋଶୀ ଦେଶଗୁଡ଼ିକର ସ୍ଥିତି:
ଦକ୍ଷିଣ ଏସିଆ ଅଞ୍ଚଳରେ ଭାରତର ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ଭୁଟାନ ସବୁଠାରୁ ଆଗରେ ରହିଛି । ଭୁଟାନ ବିଶ୍ୱ ସ୍ତରରେ ୧୬ତମ ସ୍ଥାନ ପାଇ ଏହି ଅଞ୍ଚଳର ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶର ମାନ୍ୟତା ଲାଭ କରିଛି। ଅର୍ଥନୈତିକ ସ୍ଥିରତା ଫେରିବା ସହ ଶ୍ରୀଲଙ୍କା ବଡ଼ ସୁଧାର କରି ୬୭ତମ ସ୍ଥାନରେ ପହଞ୍ଚିଛି। ଅନ୍ୟପଟେ ନେପାଳରେ ବ୍ୟାପକ ବିରୋଧ ପ୍ରଦର୍ଶନ କାରଣରୁ ଏହାର ସ୍ଥିତି ବହୁତ ବିଗିଡ଼ିଛି ଏବଂ ଏହା ୧୧୧ତମ ସ୍ଥାନକୁ ଖସି ଆସିଛି। ଚୀନ୍ ଏହି ସୂଚୀରେ ଭାରତ ଠାରୁ ବେଶ୍ ଭଲ ସ୍ଥିତିରେ ରହିଥିବା ବେଳେ ପାକିସ୍ତାନ ଓ ଆଫଗାନିସ୍ତାନ ଭାରତ ଠାରୁ ପଛରେ ରହିଛନ୍ତି।
ଦକ୍ଷିଣ ଏସିଆର ସାମଗ୍ରିକ ର଼୍ୟାଙ୍କିଙ୍ଗ:
ଭୁଟାନ :- ୧୬
ଶ୍ରୀଲଙ୍କା :- ୬୭
ନେପାଳ :- ୧୧୧
ବାଂଲାଦେଶ :- ୧୧୭
ଭାରତ :- ୧୨୭
ପାକିସ୍ତାନ :- ୧୫୨
ଆଫଗାନିସ୍ତାନ :- ୧୫୭
ସାମାଜିକ ସୁରକ୍ଷା, ଚାଲିଥିବା ଆଭ୍ୟନ୍ତରୀଣ ଓ ବାହ୍ୟ ସଂଘର୍ଷ ଏବଂ ଦେଶର ସାମରିକୀକରଣ (Militarisation) ଭଳି ୨୩ଟି ଗୁରୁତ୍ୱପୂର୍ଣ୍ଣ ଆଧାରକୁ ନେଇ ଆଇଇପି (IEP) ପକ୍ଷରୁ ପ୍ରତିବର୍ଷ ଏହି ଆନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ କରାଯାଇଥାଏ।


