ଦେଶର ବହୁଚର୍ଚ୍ଚିତ NEET ପେପର ଲିକ୍ ଦୁର୍ନୀତିକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ଼ ଏବଂ ସଂବେଦନଶୀଳ ବୟାନ ଦେଇଛନ୍ତି। ପରୀକ୍ଷାରେ ହେରଫେର ଯୋଗୁଁ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିବା ପରୀକ୍ଷାର୍ଥୀମାନଙ୍କ ମୃତ୍ୟୁ ପାଇଁ ସେ ନିଜକୁ ଏବଂ ନିଜ ମନ୍ତ୍ରଣାଳୟକୁ ଦାୟୀ କରିଛନ୍ତି। ଏହା ସହିତ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସରକାରୀ ବ୍ୟବସ୍ଥା ଉପରେ ବର୍ଷି ସେ କହିଛନ୍ତି ଯେ, “ଯେଉଁମାନଙ୍କ ଉପରେ ପରୀକ୍ଷାର ସୁରକ୍ଷା ଦାୟିତ୍ୱ ଥିଲା, ସେହି ରକ୍ଷକମାନେ ହିଁ ଆଜି ଭକ୍ଷକ ସାଜିଛନ୍ତି।”

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, “NEET ପରୀକ୍ଷାରେ ହୋଇଥିବା ଅନିୟମିତତା ଯୋଗୁଁ ଯେଉଁ ପିଲାମାନେ ନିଜ ଜୀବନ ହାରିଛନ୍ତି, ଜଣେ ଶିକ୍ଷା ମନ୍ତ୍ରୀ ଭାବେ ସେହି ସମସ୍ତ ଆତ୍ମହତ୍ୟା ପାଇଁ ସମ୍ପୂର୍ଣ୍ଣ ନୈତିକ ଦାୟିତ୍ୱ ମୁଁ ଗ୍ରହଣ କରୁଛି । ବ୍ୟବସ୍ଥାରେ ଥିବା ତ୍ରୁଟି ଏବଂ ଦୁର୍ନୀତି ଯୋଗୁଁ ହିଁ ଯୋଗ୍ୟ ଓ ପରିଶ୍ରମୀ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ, ଯାହା ଅତ୍ୟନ୍ତ ଦୁଃଖଦାୟକ।”
ସଂସ୍କାର ଆଣିବାକୁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ର କାର୍ଯ୍ୟଶୈଳୀରେ ସଂସ୍କାର ଆଣିବା ପାଇଁ ଇସ୍ରୋ (ISRO) ର ପୂର୍ବତନ ମୁଖ୍ୟ ଡକ୍ଟର କେ. ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହି କମିଟି ପରୀକ୍ଷା ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଏବଂ NTA ର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ପାଇଁ ସରକାରଙ୍କୁ ସୁପାରିଶ କରିବ।
ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

କେନ୍ଦ୍ର ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, “ଏହି ପେପର ଲିକ୍ ମହାଦୁର୍ନୀତି ପଛରେ ଯେଉଁମାନଙ୍କର ହାତ ରହିଛି, ସେମାନଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ। ଏହି ମାମଲାର ଯାଞ୍ଚ ସିବିଆଇ (CBI) କରୁଛି। ବ୍ୟବସ୍ଥା ଭିତରେ ଲୁଚି ରହିଥିବା ଅସାଧୁ ଅଧିକାରୀ କିମ୍ବା ବାହ୍ୟ ମାଫିଆ ; ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ ଦେଶର ସବୁଠାରୁ କଠୋର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପିଲାମାନଙ୍କ ଭବିଷ୍ୟତ ଏବଂ ସେମାନଙ୍କ ବିଶ୍ୱାସ ସହିତ ଖେଳୁଥିବା ଅପରାଧୀମାନଙ୍କୁ ଉପଯୁକ୍ତ ଶାସ୍ତି ମିଳିବ” ବୋଲି ସେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।


