ବଲାଙ୍ଗୀର ସହରର ଗାନ୍ଧୀନଗର ପଡ଼ା ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ବେସରକାରୀ ମାର୍କେଟ କମ୍ପ୍ଲେକ୍ସରେ ଶୁକ୍ରବାର ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ବୈଦ୍ୟୁତିକ ଯାନ (EV) ଶୋ’ରୁମ୍ ସମେତ ପ୍ରାୟ ୮ଟି ଦୋକାନ କୁ ଘେରିଛି ନିଆଁ । ସେଥିମଧ୍ୟରୁ ୩ଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି।
/odishatv/media/media_files/2026/06/26/bolangirr-2026-06-26-09-28-01.jpg)
ମିଳିଥିବା ସୂଚନା ଅନୁଯାୟୀ, ଭୋର ସମୟରେ ମାର୍କେଟ କମ୍ପ୍ଲେକ୍ସରୁ ହଠାତ୍ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପାଖାପାଖି ଦୋକାନଗୁଡ଼ିକ ଥିବାରୁ ନିଆଁ ଅତି ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରବର୍ତ୍ତୀ ସମୟରେ ନିଆଁର ପ୍ରକୋପ ଅଧିକ ଥିବାରୁ ଏବଂ ଏହାକୁ ପାର୍ଶ୍ୱବର୍ତ୍ତୀ ଦୋକାନଗୁଡ଼ିକୁ ବ୍ୟାପିବାରୁ ରୋକିବା ପାଇଁ ଅଧିକ ଅଗ୍ନିଶମ ଗାଡ଼ିକୁ ମଧ୍ୟ ନିୟୋଜିତ କରାଯାଇଥିଲା।
ପ୍ଲାଷ୍ଟିକ ସାମଗ୍ରୀ ଓ ପୁରୁଣା ବାଇକ୍ ଯୋଗୁଁ ବଢ଼ିଲା ନିଆଁ
ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନଗୁଡ଼ିକରେ ବହୁ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ଥିବାରୁ ନିଆଁ ଅତି ଭୟଙ୍କର ରୂପ ଧାରଣ କରିଥିଲା। ଏହା ସହିତ ସେଠାରେ ଥିବା ଏକ ବାଇକ୍ ସର୍ଭିସିଂ ସେଣ୍ଟରରେ ଅନେକ ପୁରୁଣା ମୋଟରସାଇକେଲ୍ ରଖାଯାଇଥିବାରୁ ନିଆଁର ତୀବ୍ରତା ବଢ଼ିଯାଇଥିଲା, ଯାହାଫଳରେ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାରେ ବେଶ୍ ବେଗ ପାଇବାକୁ ପଡ଼ିଥିଲା। ପ୍ରାୟ ୩ ରୁ ୪ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।

ଶର୍ଟ ସର୍କିଟ୍ ଆଶଙ୍କା
ପ୍ରାଥମିକ ଆକଳନ ଅନୁଯାୟୀ, ବୈଦ୍ୟୁତିକ ଶର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଦୋକାନ ମାଲିକମାନଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି।


