ଦେଉଳ ତୋଳିଲେ ନାଁ ପଡ଼େ, ନଚେତ୍ ଖରାପ କାମ କଲେ ମଧ୍ୟ ନାଁ ପଡ଼େ—ଏହି ପୁରୁଣା କଥାଟି ଆଜି ଓଡ଼ିଶାର ଗଞ୍ଜେଇ ଚାଲାଣ ଚିତ୍ରକୁ ସବୁଠୁ ଭଲ ଭାବେ ବ୍ୟକ୍ତ କରୁଛି । ଦୁଃଖର ବିଷୟ ହେଉଛି, ଏହି ନାଁ ଟି ଆଜି ଗର୍ବରେ ନୁହେଁ; ବରଂ ଜାତୀୟ ସ୍ତରରେ ଏକ ନକାରାତ୍ମକ ରେକର୍ଡ଼ ଭାବେ ଓଡ଼ିଶାର ନାଁ ଆଗରେ ଆସୁଛି—ଗଞ୍ଜେଇ ଉତ୍ପାଦନ, ଚାଷ, ଗ୍ରାହକ ସଂଖ୍ୟା ଓ ଜବତରେ ଦେଶରେ ଏକ ନମ୍ବର ସ୍ଥାନ । ଗତ ନିର୍ବାଚନ ସମୟରେ ରାଜ୍ୟରେ ଶାସନ କ୍ଷମତାକୁ ଆସିଥିବା ବିଜେପି ଦଳ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲା, ସେଥିରେ “ନିଶାମୁକ୍ତ ଓଡ଼ିଶା” ଏକ ମୁଖ୍ୟ ସ୍ଲୋଗାନ୍ ଥିଲା । ନିଶା ବ୍ୟବସାୟ ରୋକିବା, ଗଞ୍ଜେଇ ଚାଷ ନଷ୍ଟ କରିବା, ଯୁବପିଢ଼ିକୁ ନିଶାରୁ ଦୂରେଇ ରଖିବା—ଏହି ସବୁ ଦାବି ଭୋଟ ମଞ୍ଚରେ ଜୋରଦାର ଭାବେ ଉଠିଥିଲା।

କିନ୍ତୁ ନିର୍ବାଚନ ଜିତି କ୍ଷମତାକୁ ଆସିବା ପରେ ସେହି ଦାବି ଓ ପ୍ରତିଶ୍ରୁତି କାଗଜରେ ଅଟକି ଯାଇଛି ? ଆଜି ରାଜ୍ୟରେ ଗଞ୍ଜେଇ କାରବାର ଯେପରି ଅବାଧରେ ଚାଲିଛି, ତାହା ଦେଖିଲେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ । ରାଜ୍ୟରେ ନିଶା ନିୟନ୍ତ୍ରଣର ପ୍ରଧାନ ଦାୟିତ୍ୱ ଅବକାରୀ ବିଭାଗର । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଦେଖିଲେ ଲାଗୁଛି ଯେ, ଏହି ବିଭାଗ ଗଭୀର ନିଦରେ ଶୋଇଛି । ଅବକାରୀ ମନ୍ତ୍ରୀ କିମ୍ବା ବିଭାଗୀୟ ସଚିବଙ୍କ ପକ୍ଷରୁ ଏହି ସଙ୍କଟ ନେଇ କୌଣସି ଦୃଢ଼, ଉଦ୍ୟମ ଦେଖିବାକୁ ମିଳୁନାହିଁ—ଏହି ଆଲୋଚନା ଆଜି ରାଜ୍ୟରେ ଖୋଲାଖୋଲି ଚାଲିଛି ଗଞ୍ଜେଇ ଉତ୍ପାଦନ।।
ଓଡ଼ିଶା ଗଞ୍ଜେଇ ଦେଶରେ ବେଶ୍ ଖ୍ୟାତ—ଏହା କୌଣସି ନୂଆ କଥା ନୁହେଁ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଯେତେବେଳେ ନିଶା ମାମଲା ଜାତୀୟ ସ୍ତରରେ ତୁମୁଳ ଚର୍ଚ୍ଚାରେ ଥିଲା, ସେତେବେଳେ ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟସ୍ଆପ୍ ଚାଟ୍ରେ “ଓଡ଼ିଶା କଲି ଗଞ୍ଜେଇ” କଥା ଆସିଥିଲା। ଏହି ଗଞ୍ଜେଇ ଭୁବନେଶ୍ୱରରୁ ଯାଇଥିବା ରିପୋର୍ଟ ଆସିଥିଲା, ଯାହା ପରେ ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।
ସେହି ସମୟରେ ଓଡ଼ିଶା ସରକାରଙ୍କ ନିଶା ନିୟନ୍ତ୍ରଣ ନେଇ ବିଫଳତା ପ୍ରକାଶ ପାଇଥିଲା। ଦୁଃଖର କଥା, ସେହି ଚିତ୍ରଟି ଆଜି ମଧ୍ୟ ବଦଳି ନାହିଁ।

ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ନଭେମ୍ବର ୨୦୨୫ ପର୍ଯ୍ୟନ୍ତ) ରିପୋର୍ଟ ଅନୁସାରେ, ୨୦୨୦ ରୁ ୨୦୨୫ ମଧ୍ୟରେ ଓଡ଼ିଶାରେ ୧୦ଲକ୍ଷ ୬୦ହଜାର କେଜି ଗଞ୍ଜେଇ ଜବତ ହୋଇଛି। ଏହା ଦେଶରେ ସର୍ବାଧିକ। ଦ୍ୱିତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶ—୫.୫ ଲକ୍ଷ କେଜି। ସିକିମରୁ ମାତ୍ର ୪ କେଜି ଓ କେରଳରୁ ୫,୫୦୦ କେଜି ଜବତ ହୋଇଛି।
ଏହି ତଥ୍ୟ କ’ଣ ଓଡ଼ିଶା ପାଇଁ ଗର୍ବର କଥା? ନିଶ୍ଚୟ ନୁହେଁ। କାରଣ ଅଧିକ ଜବତର ଅର୍ଥ—ଅଧିକ ଚାଷ, ଅଧିକ ଉତ୍ପାଦନ, ଅଧିକ ଚୋରାଚାଲଣ।
ଅବକାରୀ ବିଭାଗ ଓ ପୁଲିସ ନିୟମିତ ଭାବେ ଗଞ୍ଜେଇ ଜବତ ଓ ଚାଷ ନଷ୍ଟ କରିବାର ଫଟୋ ସୋସିଆଲ ମିଡ଼ିଆରେ ଛାଡୁଛନ୍ତି। କିନ୍ତୁ ଏହା କେବଳ ଏକ ଦୃଶ୍ୟମାନ କାର୍ଯ୍ୟ ହୋଇ ରହିଯାଉଛି। ପ୍ରକୃତରେ, ଗତବର୍ଷ ଜାନୁଆରୀରୁ ମେ ମାସ ମଧ୍ୟରେ ୧.୩୫ ଲକ୍ଷ କେଜି ଗଞ୍ଜେଇ ଜବତ ଓ ୨୭,୫୨୧ ଏକର ଜମିରେ ଚାଷ ନଷ୍ଟ ହୋଇଥିଲା—ତଥାପି ଉତ୍ପାଦନ ବଢ଼ୁଛି।
ଏହା ପ୍ରମାଣ କରୁଛି ଯେ, ପୁଲିସ ଓ ଅବକାରୀ ଡାଳେଡାଳେ ଗଲେ ନିଶା ବ୍ୟବସାୟୀ ପତ୍ରପତ୍ରେ ଚାଲିଯାଉଛନ୍ତି।
ମାଲକାନଗିରି, କୋରାପୁଟ, କନ୍ଧମାଳ, ଗଜପତି ଭଳି ଜିଲ୍ଲାରେ ଗଞ୍ଜେଇ ଚାଷ ସହ ମାଓବାଦୀଙ୍କ ସମ୍ପୃକ୍ତି ଥିବା ରିପୋର୍ଟ ଚିନ୍ତାଜନକ। ଏହି ଗଞ୍ଜେଇ ବ୍ୟବସାୟ ମାଓ ନେଟଓ୍ୱାର୍କକୁ ଆର୍ଥିକ ସହାୟତା ଯୋଗାଉଛି, ଯାହା ରାଜ୍ୟର ସୁରକ୍ଷା ପାଇଁ ଗଭୀର ବିପଦ।

ଓଡ଼ିଶା ପୁଲିସର “ଅପରେସନ୍ ଗ୍ରୀନକ୍ଳିନ” ଯୋଜନା ଉଦ୍ଦେଶ୍ୟ ଭଲ—ଗଞ୍ଜେଇ ଚାଷ ନଷ୍ଟ କରିବା ଓ ଚୋରାଚାଲଣ ରୋକିବା। କିନ୍ତୁ ବାସ୍ତବ ସଫଳତା ଦେଖିବାକୁ ମିଳୁନାହିଁ। ଯେପର୍ଯ୍ୟନ୍ତ ବିକଳ୍ପ ଜୀବିକା, ସ୍ଥାନୀୟ ନେଟଓ୍ୱାର୍କ ଭାଙ୍ଗିବା ଓ ରାଜନୈତିକ ଇଚ୍ଛାଶକ୍ତି ନଥିବ, ସେପର୍ଯ୍ୟନ୍ତ ଏହି ଲଢ଼ାଇ ଅଧୁରା ରହିବ।
ଗଞ୍ଜେଇରେ ଅଲୋଡ଼ା ରେକର୍ଡ଼ ଓଡ଼ିଶା ପାଇଁ ଗର୍ବ ନୁହେଁ, ଏକ ଲଜ୍ଜାଜନକ ଚେତାବନୀ। “ନିଶାମୁକ୍ତ ଓଡ଼ିଶା” ସ୍ଲୋଗାନ୍ ଯଦି ସତ୍ୟରେ ସାକାର ହେବ, ତେବେ ସରକାରକୁ କଠୋର ନୀତି, ସ୍ପଷ୍ଟ ଦାୟିତ୍ୱ ଓ ରାଜନୈତିକ ସାହସ ଦେଖାଇବାକୁ ପଡ଼ିବ। ନଚେତ୍, ଓଡ଼ିଶା ଦେଶର ନିଶା ହବ୍ ଭାବେ ପରିଚିତ ହୋଇ ରହିଯିବ—ଏବଂ ଏହାର ଦାୟିତ୍ୱ ସିଧାସଳଖ ଶାସକଙ୍କ ଉପରେ ପଡ଼ିବ।
also read https://purvapaksa.com/why-editors-to-leaders-are-losing-power/
କାହିଁକି ସତ୍ତା ହରାଉଛନ୍ତି ସମ୍ପାଦକରୁ ନେତା ? ।। Why editors to leaders are losing power ?


